Unknown

 

 

 

 

 

 

 

 

 

୧୩୪ତମ ସଂଖ୍ୟା କୋଣାର୍କ ୨୦୦୪

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସଂପାଦନା :

ଶ୍ରୀ ଦୀପକ ମିଶ୍ର

 

ପରିଚାଳନା ସଂପାଦକ :

ଶ୍ରୀ ଚନ୍ଦ୍ର ଶେଖର ଦାସବର୍ମା

 

ପ୍ରକାଶକ:

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ଭୁବନେଶ୍ୱର- ୭୫୧୦୧୪

ଫୋନ୍/ଫ୍ୟାକ୍ସ : ୨୪୩୧୮୪୦

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ ମତ ।

 

ବିଷୟ ସୂଚୀ

ସମ୍ପାଦକୀୟ

ନଶ୍ୱର ନିରନ୍ତର

 

ଶ୍ରୀ ଚିତ୍ତରଞ୍ଜନ ଦାସ

ଓଡ଼ିଆ ସାହିତ୍ୟରେ ଉତ୍ପତ୍ତି ଓ ଉତ୍ତରଣ

 

ଶ୍ରୀ ରାଜକିଶୋର ମିଶ୍ର (ଭରଦ୍ୱାଜ)

ଓଡ଼ିଆ ଲୋକସାହିତ୍ୟରେ ଓଡ଼ିଆଣୀର ବ୍ୟବହୃତ ବସ୍ତ୍ର : ଏକ ଦୃଷ୍ଟିପାତ

 

ଡକ୍ଟର ସୀମାଞ୍ଚଳ ପ୍ରଧାନ

ସାନ୍ତାଳୀ ଲୋକ କବିତା

 

ଅଧ୍ୟାପିକା ଦମୟନ୍ତୀ ବେଶ୍ରା

ଗୀତି କବିତାର ରୂପବୈଚିତ୍ର୍ୟ

 

ଡକ୍ଟର ସୁରେନ୍ଦ୍ର କୁମାର ମହାରଣା

ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ରମ୍ୟରଚନା

 

ଡକ୍ଟର ପ୍ରସନ୍ନ କୁମାର ମହାନ୍ତି

ଜଣେ ଗାଳ୍ପିକର ଦୃଷ୍ଟିରେ ଭଲ ଗପ

 

ଅଧ୍ୟାପକ ଅନୀଲ କୁମାର ପାଢ଼ୀ

ପଲ୍ଲୀ ଜୀବନର ରୂପକାର ବିଦ୍ୟୁତପ୍ରଭା : ଏକ ଦୃଷ୍ଟିପାତ

 

ଅଧ୍ୟାପକ ରବୀନ୍ଦ୍ର କୁମାର ବେହୁରିଆ

କମଳାକାନ୍ତଙ୍କ କଥାସାହିତ୍ୟରେ ଭାଷା ଓ ଶିଳ୍ପଚାତୁରୀ

 

ଡକ୍ଟର ଦିବାକର ମାନସିଂହ

କଥାକାର ଅଚ୍ୟୁତାନନ୍ଦଙ୍କ ସୃଷ୍ଟିସମୀକ୍ଷା

 

ଡକ୍ଟର ପ୍ରକାଶ କୁମାର ପରିଡ଼ା

ଏକାଡେମୀ ସମାଚାର

 

 

 

 

ସମାଚାର ପଞ୍ଜିକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯-ଡ଼ି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ ପତ୍ରିକାର ସ୍ଵତ୍ଵ ଆଦି ସମ୍ୱନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ :

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା :

ଆର.ଏନ୍.୪୦୪୭/୫୮

୩.

ଭାଷା :

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା :

ତ୍ରୈମାସିକ

୫.

ମୂଲ୍ୟ :

ଟ ୨୫/-

୬.

ପ୍ରକାଶକଙ୍କ ନାମ :

ଶ୍ରୀ ଚନ୍ଦ୍ର ଶେଖର ଦାସବର୍ମା

 

ରାଷ୍ଟ୍ରୀୟତା :

ଭାରତୀୟ

 

ଠିକଣା :

ସଂପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ଵର

୭.

ମୁଦ୍ରାକରଙ୍କ ନାମ :

ଶ୍ରୀ ଗିରିଜା କୁମାର ବଳିୟାରସିଂହ

 

ରାଷ୍ଟ୍ରୀୟତା :

ଭାରତୀୟ

 

ଠିକଣା :

ଟେକ୍‌ନୋ ଆର୍ଟସ୍ ଅଫସେଟ୍ କଲ୍ୟାଣୀନଗର, କଟକ-୧୩

୮.

ସମ୍ପାଦକଙ୍କ ନାମ :

ଶ୍ରୀ ଦୀପକ ମିଶ୍ର

 

ରାଷ୍ଟ୍ରୀୟତା :

ଭାରତୀୟ

 

ଠିକଣା :

ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ :

ଟେକ୍‌ନୋ ଆର୍ଟସ୍ ଅଫସେଟ୍ କଲ୍ୟାଣୀନଗର, କଟକ-୧୩

୧୦.

ସ୍ୱତ୍ୱ :

ଓଡ଼ିଶା ସାହିତ୍ୟ ଏକାଡେମୀ ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଶ୍ରୀ ଚନ୍ଦ୍ର ଶେଖର ଦାସବର୍ମା, ସଂପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ ।

 

 

ଚନ୍ଦ୍ରଶେଖର ଦାସବର୍ମା

ସମ୍ପାଦକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

ସମ୍ପାଦକୀୟ

।। ଶ୍ରଦ୍ଧାଞ୍ଜଳି ।।

 

କବି ସଚ୍ଚି ରାଉତରାୟ : ଏପରି ଏକ ନାମ, ଏପରି ଏକ ବ୍ୟକ୍ତିତ୍ୱ, ଏପରି ଏକ ପରିଚୟ, ଏପରି ଏକ ସ୍ଥିତି ଓଡ଼ିଆ ସାହିତ୍ୟର ପ୍ରାୟ ପ୍ରତ୍ୟେକ ବିଭବରେ ଦୀର୍ଘ ସତୁରୀ ବର୍ଷର ଊର୍ଦ୍ଧ୍ୱକାଳ ଧରି, ତାଙ୍କର ଅବର୍ତ୍ତମାନତା ଯେତେ ଶାରୀରିକ ହେଲେ ବି ସେପରି ଅନୁପସ୍ଥିତିକୁ ଓଡ଼ିଆ ସାହିତ୍ୟର ଅନିସଂଧିତ୍ସୁ ପାଠକ / ପାଠିକା ଆଦୌ ଗ୍ରହଣ କରିପାରିବେ ନାଇଁ ବୋଲି ମୋ’ର ପ୍ରଶ୍ନହୀନ ବିଶ୍ଵାସ; ଏବଂ ଏଇ ଅପ୍ରତିହତ ବିଶ୍ଵାସର ବିସ୍ତୃତ ପୃଷ୍ଠଭୂମିରେ ଆଜିର ଏ ଆନ୍ତରିକ ଶ୍ରଦ୍ଧାଞ୍ଜଳି । ଅଲିଭା ସଳିତାକୁ ଲିଭାଇବ କିଏ, ଝଡ଼କୁ ଅବରୋଧ କରିବ ବା କିଏ ? ସେଇ ଅଲିଭା ସଳିତାର ନିଷ୍କଂପ ଆଲୋକରେ ଓଡ଼ିଆ କାବ୍ୟକବିତାର ମଖମଲୀ ଅବୟବ ନିତ୍ୟନୂତନତାରେ ପରିପୂର୍ଣ୍ଣ ହେବ ହିଁ ହେବ । ଯେଉଁଠି ଥାଆନ୍ତୁ କବି, ଆପଣଙ୍କ କାବ୍ୟ-ଆଶୀର୍ବାଦର ଅବାରିତ ଧାରା ସେମିତି ବଜାୟ ରହୁ ଉତ୍ତର ପିଢ଼ି ପାଇଁ । ଆପଣଙ୍କ ଅକ୍ଷୟ ଅଜର କାବ୍ୟପୁରୁଷଙ୍କୁ ଆମର ସହସ୍ର ପ୍ରଣାମ ।

 

କବି ଗୁରୁପ୍ରସାଦ ମହାନ୍ତି : ଆପଣଙ୍କ କାଳପୁରୁଷର ଅମ୍ଳାନ ଛାୟା, ଆପଣଙ୍କ ସିଢୁଆ ନଈର ନୀରବ ଆବେଦନ, ଆପଣଙ୍କ ଚମ୍ପାଫୁଲର ଦିଗନ୍ତବ୍ୟାପୀ ମହମହ, ଆପଣଙ୍କ ହରେକୃଷ୍ଣ ଦାସ, ସ୍ମାର୍ତ୍ତ ଦାସ ଇଞ୍ଜିନିୟର, ଆପଣଙ୍କ ଗୋବର ଗଣେଶ, ପ୍ରତିମା ନାୟକ, ଆପଣଙ୍କ ଅସରନ୍ତି ବାଲି ଆଉ ବାଲି, ଆପଣଙ୍କ ନିଷ୍ଠୁର ନିର୍ମମ ଶ୍ରାବଣ ମାସ, ଆପଣଙ୍କ ଅଜସ୍ର ଗୁଡକଂକ ଖେଳ, ଆପଣଙ୍କ ବର୍ଷା ପଡ଼େ ଝରି ଝରି, ବର୍ଷା ପଡ଼େ ଝରିର ଅବିରାମ ମନମୟ ସଙ୍ଗୀତର ଆସଙ୍ଗଲିପ୍‌ସା, ଆପଣଙ୍କ ଆଶ୍ଚର୍ଯ୍ୟ ଅଭିସାର ଓଡ଼ିଶାର କ୍ଷେତରେ କ୍ଷେତରେ, ଆକାଶରେ, ଆକାଶରେ ଏପରିକି ଆକାଶ ସେପାରି ଆକାଶରେ, ଅକ୍ରୂର ଉବାଚରେ, ‘କେତେବାଟ ରାମକୃଷ୍ଣ ମିଶନରୁ ଏମାର ମଠକୁ’ ପଥର କ୍ଲାନ୍ତ ଇଙ୍ଗିତରେ, ନୂତନ ଆଲେଖ୍ୟରେ, ସବୁ ସେମିତି ରହିଛି ଓ ରହିଥିବ ଏଯାବତ୍ ବିଦ୍ୟମାନ ଏ ଧରିତ୍ରୀ । ନୂତନ କବିତାର ନିତ୍ୟ ନୂତନତାରେ ଆପଣ ତ ଅକ୍ଲାନ୍ତ ପଥିକ ଏବଂ ଆପଣଙ୍କ ସୁଶୋଭିତ ପଥ କଡ଼େ କଡ଼େ କବିତାର ଅମୃତଧାରା । ଆପଣ ତ ଅମୃତମୟ ପ୍ରତ୍ୟେକ କବିତାପ୍ରେମୀଙ୍କ ପାଇଁ ଏବଂ ଉତ୍ତରଦାୟାଦଙ୍କ ପାଇଁ ଆପଣଙ୍କ ସମୁଦ୍ରସ୍ନାନ ତ ଏକ ମାହେଂନ୍ଦ୍ର ମୁହୂର୍ତ୍ତ; ଆପଣ ନିଜେ ଇ ତ ମହାସ୍ନାନ । ଆପଣଙ୍କୁ, ଆପଣଙ୍କ କବିତାକୁ ଏବଂ ଆପଣଙ୍କ କାବ୍ୟମୟ ସ୍ମୃତିକୁ ଆମର ଏ ମନ୍ମୟ ଅର୍ଘ୍ୟ ।

 

ଗାଳ୍ପିକ, ଔପନ୍ୟାସିକ ଓ ପ୍ରାବନ୍ଧିକ କିଶୋରୀ ଚରଣ ଦାସ : ଆପଣଙ୍କ ‘ଭଙ୍ଗାଖେଳଣା’ଠୁ ‘ଲକ୍ଷ ବିହଙ୍ଗ’ ବାଟ ଛୁଇଁ ନାଲି ଗୁଲୁଗୁଲୁ ସାଧବବୋହୂ, ଗମନ, ଭିନ୍ନ ପାଉଁଶ ଏବଂ ସାତଦିନର ସତୀ ପ୍ରଭୃତିକୁ ଦୃଷ୍ଟିର ବଳୟ ଭିତରେ ରଖି ‘ଗଳ୍ପକଳା’ ସମ୍ୱନ୍ଧୀୟ ଚମତ୍କାର ବିଶ୍ଳେଷଣର ଜଗତକୁ ଲକ୍ଷ୍ୟ କଲାବେଳେ ଯେକୌଣସି ସଚେତନ ପାଠକ / ପାଠିକା ବିସ୍ମୟରେ ସ୍ତବ୍ଧ ହେବାକୁ ବାଧ୍ୟ । ମଧ୍ୟବିତ୍ତ ଏବଂ ଉଚ୍ଚମଧ୍ୟବିତ୍ତ ଜୀବନଧାରାର ମନବିଜ୍ଞାନ ଭିତ୍ତିକ ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ଓଡ଼ିଆ ସାହିତ୍ୟର କ୍ଷୁଦ୍ରଗଳ୍ପ ବିଭବକୁ ଏକ ଅଦ୍‌ଭୂତ ଶକ୍ତି, ସୌଦର୍ଯ୍ୟ ଓ ମାର୍ଜିତ ମଣ୍ଡଳ ପ୍ରଦାନ କରିଛି । ଏତେ ଟିକିନିଖି ଭାବରେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ସାମାଜିକ ଜୀବନକୁ ଏପରି ନିଖୁଣ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ମାଧ୍ୟମରେ ଉପସ୍ଥାପନା କରିବାର ଦକ୍ଷତା ଆମ ସମୟର କ୍ୱଚିତ୍ ଗାଳ୍ପିକଙ୍କ ପାଖରେ ପରିଲକ୍ଷିତ । ଓଡ଼ିଆ କ୍ଷୁଦ୍ରଗଳ୍ପକୁ ଉଭୟ ଭବ୍ୟତା ଓ ମାନ୍ୟତା ପ୍ରଦାନ କରାଇବାରେ ଆପଣଙ୍କ ଆମୃତ୍ୟୁ ସାଧନା ପରପିଢ଼ିର ଗାଳ୍ପିକମାନଙ୍କ ନିମନ୍ତେ ଆସକ୍ତ ଆଦର୍ଶ ହୋଇ ରହିବ ହିଁ ରହିବ । ଆପଣଙ୍କ ସୃଷ୍ଟି ନିବେଦିତ ଆତ୍ମା ଚିର ଶାନ୍ତିରେ ବିରାଜିତ ହେଉ ଏବଂ ଅମୃତଲୋକରୁ ଆମର ଅଶ୍ରୁଆଶ୍ରିତ ଶବ୍ଦତର୍ପଣ ଗ୍ରହଣ କରନ୍ତୁ ।

 

‘ପିଙ୍ଗଳାର ସୂର୍ଯ୍ୟ’ର ଅମର କବି, ଉଚ୍ଚାଙ୍ଗ ଶିଳ୍ପକଳାର ଅମୃତ ସ୍ରଷ୍ଟା ବେଣୁଧର ରାଉତ : ଭାବ ଓ ଭାଷାରେ ଓଡ଼ିଆ କବିତାକୁ ସର୍ବାଙ୍ଗ ଶୋଭା ପ୍ରଦାନ କରିବାରେ ଆପଣଙ୍କ ଭବ୍ୟ ପ୍ରୟାସ ବହୁକାଳ କବିତାପ୍ରେମୀଙ୍କ ଆନ୍ତରିକ ଅନୁଶୀଳନର ଦାବୀ ବଜାୟ ରଖିବ । କତିପୟ ପ୍ରବନ୍ଧ ମଧ୍ୟ ଆପଣଙ୍କ ଗଦ୍ୟଶୈଳୀର ନିର୍ଭୁଲ ସଙ୍କେତ ବହନ କରିଆସିଛି ଏଯାଏଁ । ବିଜ୍ଞାପନ ବିମୁଖୀ ଥିଲେ ଆପଣ ଏବଂ ପାଣ୍ଡିତ୍ୟ ଥିଲା ଆପଣଙ୍କ ଅନ୍ୟ ଏକ ପରିଚୟ । ଆପଣଙ୍କ ଅମ୍ଳାନ ଅକ୍ଷୟ କାବ୍ୟପୁରୁଷଙ୍କୁ ଆମର ଆନତ ଅଞ୍ଜଳି ।

 

ଗାଳ୍ପିକ ପୂର୍ଣ୍ଣାନନ୍ଦ ଦାନୀ : ନିରଳସ ସାହିତ୍ୟ ସାଧନାର ଅନ୍ୟ ନାମ ପୂର୍ଣ୍ଣାନନ୍ଦ ଦାନୀ । ଆମ କ୍ଷୁଦ୍ରଗଳ୍ପ ଇଲାକାରେ ଆପଣଙ୍କ ସୁଚ୍ଛନ୍ଦ ପଦଚାରଣର ପ୍ରତିଧ୍ୱନି ଏବେ ବି ସୁସ୍ପଷ୍ଟ । ଅଦ୍ଭୁତ ସୁନ୍ଦର ଗଳ୍ପ ମାନସରେ ଆପଣଙ୍କ ସୃଷ୍ଟିସମ୍ଭାର ପରିପୂର୍ଣ୍ଣ । ରସୋତ୍ତୀର୍ଣ୍ଣ ଭାବ ବିନ୍ୟାସରେ ଆପଣଙ୍କ ଅଧିକାଂଶ ଗଳ୍ପ ସମୃଦ୍ଧ ଏବଂ ମାନବିକତାର ସ୍ପଷ୍ଟ ପରିପ୍ରକାଶ ହିଁ ଆପଣଙ୍କ ଗଳ୍ପକଳା । ଆପଣଙ୍କ ଇହଲୀଳା ସମ୍ୱରଣ ସମ୍ୱାଦ ଆମ ପାଇଁ ମର୍ମାନ୍ତିକ ଦୁଃସମ୍ୱାଦ । ଆପଣଙ୍କ ସୃଜନଶୀଳ ଅମରାତ୍ମା ପ୍ରତି ଆମର ବିନମ୍ର ଶବ୍ଦାଞ୍ଜଳି ।

 

ରମାନାଥ ପଣ୍ଡା : କିଛି ସାହିତ୍ୟ, କିଛି ରାଜନୀତି, ସାମାନ୍ୟ ଅଧିକ ସାମ୍ବାଦିକତା ଏବଂ ଆଧ୍ୟାତ୍ମିକ ଚେତନାରେ ପ୍ରାୟ ସବୁତକ ଜୀବନଜିଜ୍ଞାସା ସମର୍ପଣ କରିଥିବା ଉତ୍ତମ ପୁରୁଷ ରାମନାଥ ପଣ୍ଡାଙ୍କର ଆଉ ଏକ କୀର୍ତ୍ତିର ନମୁନା ଥିଲା ଜୟପୁର-କୋରାପୁଟରୁ ଏକଦା ପ୍ରକାଶିତ ‘ସାହିତ୍ୟ ସମାଚାର’ ନାମକ ରୁଚିବନ୍ତ କ୍ଷୁଦ୍ର ସାହିତ୍ୟ ପତ୍ରିକାଟିଏ । ସବୁଥିରେ ଥାଇ, କୋଉଥିରେ ନ ଥିବାର ଅପାର ଅଦ୍ଭୁତ ମନନଶୀଳତାର ବ୍ୟକ୍ତିବିଶେଷ ଥିଲେ ଆପଣ । ଆପଣଙ୍କୁ ଆମର ସଶ୍ରଦ୍ଧ ଲୋତକାଞ୍ଜଳି ।

 

Unknown

ନଶ୍ୱର ନିରନ୍ତର

ଚିତ୍ତରଞ୍ଜନ ଦାସ

 

ଏହି ପୃଥିବୀ ପୃଷ୍ଠରେ ସବୁକିଛି ନଶ୍ୱର– କ୍ଷଣସ୍ଥାୟୀ, ମାତ୍ର ଦୁଇ ଦିନର । ଏ ଜୀବନଟା ହେଉଛି କେବଳ ନଶ୍ୱରତା । ଗୋଟାଏ ଗୋଟାଏ ଧର୍ମରେ ବି ତ ପରାକ୍ରମଶାଳୀ କାରୁଣ୍ୟ ସହିତ ଘୋଷଣା କରାଯାଇଛି ଯେ ନିଶ୍ଚୟ କୌଣସି ଏକ ପତନ ଫଳରେ ହିଁ ମନୁଷ୍ୟ ଏହି ଜଗତକୁ ଆସିଛି ଏବଂ ଏଠି ବାଉଳା ହୋଇ ଧାଇଁବାରେ ଲାଗିଛି । କେଉଁଠୁ କ’ଣ ପାଇଁ ସେହି ପତନଟି ଘଟିଛି, ସେହି ବିଷୟରେ ସମ୍ପୂର୍ଣ୍ଣ ହୃଦ୍‌ବୋଧ ସହିତ କାହିଁକି ସେପରି କିଛି କୁହାହୋଇ ନାହିଁ କେଜାଣି ? ଏଠି ବହୁ ଧର୍ମୀୟ ଗାମ୍ଭୀର୍ଯ୍ୟ ସହିତ ଆମକୁ ସୂତ୍ରଭାଷ୍ୟଗୁଡ଼ିକରେ ମଣ କରି ଆସିଥିବା ସେହି ମହାନ୍‌ମାନଙ୍କ ମଧ୍ୟରୁ କିଏ ପ୍ରକୃତରେ ସେହି ଉତ୍ସଠାବଟିକୁ ସତକୁ ସତ ଦେଖି ତା’ ଉପରେ ଆମ ପାଖକୁ ଆସିଲେ ସିନା ଆମକୁ ମଧ୍ୟ ପ୍ରତ୍ୟୟଗୁଡ଼ିକୁ ଦେଇପାରନ୍ତେ ଏବଂ ଅପର ପକ୍ଷରେ, ଯୁଗେ ଯୁଗେ ଶ୍ରୋତାମାନଙ୍କର ମଧ୍ୟ କେଉଁ ଯୋଗ୍ୟତା ରହିଛି ଯେ, ସେମାନେ ବ୍ୟାଖ୍ୟାକାରମାନ ଠିକ୍ ବା ଭୁଲ କହୁଛନ୍ତି ବୋଲି କହି ମଧ୍ୟ ପାରନ୍ତେ । ଅର୍ଥାତ୍, ସବୁକିଛି ସତେ ଅବା ଏକ ଆନନ୍ଦଦାୟକ ମୋହାଚ୍ଛନ୍ନତା ମଧ୍ୟରେ ଚାଲିଛି । କୃଷ୍ଣ ଉଦ୍ଧବମାନଙ୍କୁ ବୁଝୁଛନ୍ତି, ଉଦ୍ଧବମାନେ ମଧ୍ୟ କୃଷ୍ଣଙ୍କୁ ବୁଝିପାରୁଛନ୍ତି । ସଂସାର ନାମକ ଏହି ଏତେ ଏତେ ବପୁସମ୍ପନ୍ନ ସ୍ଥୂଳ ଜୀବନଟା ବେଶ୍ ଚାଲିଛି ତ !

 

ଆଦର୍ଶମାନେ, ଧର୍ମମାନେ ତଥା ନୈତିକତାମାନେ ମଧ୍ୟ ଖୁବ୍ ଆଶ୍ଚର୍ଯ୍ୟଜନକ ଭାବରେ ଆମର ସେହି ନିତ୍ୟନୈମତ୍ତିକ ଗୁଡ଼ାକ ସହିତ ଖାପ୍ ଖାଇ ବି ଯାଇଛନ୍ତି । ସ୍ୱପ୍ନମାନଙ୍କର ମୋଟେ ଅଭାବ ନାହିଁ; ମାମୁଲି ପ୍ରହରଗୁଡ଼ାକୁ ସାନ୍ତ୍ୱନା ଦେଇ ସୁପ୍ରସନ୍ନ କରି ରଖିବାକୁ ଆମ ଠାକୁରମାନେ ଅନୁକ୍ଷଣ ସହାୟତା କରୁଛନ୍ତି । ଠାକୁର ଠାକୁରଙ୍କ ଭିତରେ ଝଗଡ଼ାମାନ ଲଗାଇଦେଇ ଆମେ ମଣିଷମାନେ ସିନା ବେଳେ ବେଳେ ଯାହା ଉଷ୍ମ ତଥା ଉଦ୍ଦୀପିତ ହୋଇ ଉଠୁଛୁ, ତଥାପି ଆମ ସଂସାରର ବୃଦ୍ଧ ବିବେକଟି ଅନୁସାରେ ସବୁକିଛି ଲାଗିଛି । ଅନେକ ସମୟରେ ସେହି ଠାକୁରମାନଙ୍କର ମୁହଁଗୁଡ଼ିକ ଆଡ଼କୁ ଅନାଇ ଦେଇ ପ୍ରଶ୍ନ କରିବାକୁ ବହୁତ ଇଚ୍ଛା ହୁଏ, ସେମାନଙ୍କୁ ଆମେ ସତକୁ ସତ ଠକିବାରେ ଲାଗିନାହୁଁ ତ ? ଅଥବା, ସେମାନେ ଆମକୁ ଠକି ଦେଉ ନାହାନ୍ତି ତ-? ଆମ ଜୀବନରେ ସଂଗୃହୀତ ହୋଇ ପାରୁଥିବା ଚୂନା ଅନୁସାରେ ହିଁ ପିଠା ବୋଲି ଯାହା କିଛି ସମ୍ଭବ ହୋଇପାରୁଛି, ତେଣୁ ସେମାନେ ଆମଠାରୁ ଆଉ କିଛି କିମ୍ୱା ଆଉ ଅଧିକ ଆଶା ଆଉ କ’ଣ ପାଇଁ କରନ୍ତେ ? ଆମେ ମଣିଷମାନ ମଧ୍ୟ ଯେତେବେଳେ ଏଇଟା ବା ସେଇଟା ପଛରେ ଦଉଡ଼ି ଦଉଡ଼ି ବେଶ୍ ନୟାନ୍ତ ହୋଇଯାଉଛୁ, ସେତେବେଳେ ଏହି ସଂସାରରେ ସବୁକିଛି ତୁଚ୍ଛା ନଶ୍ଵର ବୋଲି ଥମ୍ବି ଯାଉଛୁ ଏବଂ କ୍ରୋଧସମ୍ୱରଣ କରୁଛୁ । ଏହି କ୍ରୋଧ ସମ୍ୱରଣକୁ ବହୁତ ଗୁରୁ ସଂଯମର ଆଚରଣ ବୋଲି କହି ଯୁଗେ ଯୁଗେ ମନୁଷ୍ୟମାନଙ୍କୁ କେତେ ଥୟ କରି ନ ରଖିଛନ୍ତି !

 

ଏବଂ ଆମର ପାରମ୍ପରିକ ପ୍ରିୟ ଶାସ୍ତ୍ରମାନେ କାଳେ କାଳେ ଆମକୁ ଶାଶ୍ୱତ ସତ୍ୟମାନଙ୍କର କଥା କହିଛନ୍ତି; ଶାଶ୍ୱତ ଶିବ, ମଙ୍ଗଳ ଅର୍ଥାତ୍ କଲ୍ୟାଣର କଥା କହିଛନ୍ତି ଏବଂ ସର୍ବୋପରି ଶାଶ୍ୱତ ସୌନ୍ଦର୍ଯ୍ୟର କଥା ମଧ୍ୟ କହିଛନ୍ତି । ଏସବୁ ଆମ ନିମନ୍ତେ ତଦନୁରୂପ ଏକ ଶାଶ୍ୱତ ତୃପ୍ତିର ଆବରଣକୁ ସୃଷ୍ଟି କରି ରଖିବା ସକାଶେ ବହୁ କାରିଗରି ସହିତ ତିଆରି କରାଯାଇଛି କି ? ସାହିତ୍ୟ ତିଆରି ହୋଇଛି, ସଙ୍ଗୀତମାନେ ମହଜୁଦ ରହିଛନ୍ତି, ନୃତ୍ୟଗୁଡ଼ିକର ଭିଆଣ ହୋଇଛି; ଚିତ୍ରକଳା, ସ୍ଥାପତ୍ୟ, ଇତ୍ୟାଦି ଇତ୍ୟାଦି ସତକୁ ସତ କେତେ କ’ଣ ! ଯେତେ ଅଳପ ସମୟ ପାଇଁ ହେଲେ ମଧ୍ୟ ସେମାନେ ଆମକୁ ମଜ୍ଜାଇ ରଖିପାରିଛନ୍ତି; ଏଠି ଆମର ସମ୍ମୁଖସ୍ଥ ତଥା ଚତୁର୍ଦ୍ଦିଗସ୍ଥ ଜୀବନାଙ୍ଗନଟିରେ ଆମର ସକଳ ପରାଭବ ସତ୍ତ୍ୱେ ଆମକୁ ପ୍ରାୟ ଏକ ରାଜକୀୟ ଆତ୍ମମ୍ଭରିତା ମଧ୍ୟରେ ଭରାଇ ମୁଖ୍ୟ କରି ରଖିଛନ୍ତି । ତଥାପି, ଯୁଦ୍ଧ ଲାଗିଛି, ଭୟ ବଢ଼ୁଛି- ହିଂସ୍ରତାମାନେ ଅଭୂତପୂର୍ବ ଭାବରେ ପ୍ରବଳ ହେବାରେ ଲାଗିଛନ୍ତି । ଅସହିଷ୍ଣୁମାନେ ହିଁ ଆମ ତାତ୍କାଳିକ ସୁଆଙ୍ଗମାନଙ୍କର ନୌକାରେ ମଙ୍ଗ ଧରି ବସିଛନ୍ତି । କେତେ କେତେ ଅସ୍ତ୍ର, କେତେ କେତେ ବିତ୍ତ ଓ କେତେ କେତେ ବିଦ୍ୟା : ଯାବତୀୟ ବୁଝାମଣା ମାଡ଼ ଖାଇଯାଉଛି । ପ୍ରଜ୍ଞାଗୁଡ଼ାକ ଥାକ ଥାକ ହୋଇ ଭାଡ଼ି ମରାହୋଇ କେଡ଼େ ଶୋଭାବନ ଦିଶୁଛନ୍ତି । ସବୁଠାରୁ ଅଧିକ ସମର୍ଥ ମଣିଷମାନେ ଏହି ପୃଥିବୀକୁ ଛାଡ଼ି ଅନ୍ତରୀକ୍ଷ ଭିତରେ ଆହୁରି କେତେ କୁଆଡ଼କୁ ମନ କଲେଣି । ବିଜ୍ଞାନମାନେ ଭଳି ଭଳି ପ୍ରଚକ୍ଷୁ ଆଖି ଯୋଗାଇ ଦେବାରେ ଲାଗିଛନ୍ତି; ଏତେ ଏତେ ସଂଖ୍ୟାରେ ପ୍ରଚକ୍ଷୁ ଯେ ସେଗୁଡ଼ିକ ତଳେ ରହିଥିବା ଆମର ନିଜ ଆଖିମାନେ ସତକୁ ସତ ରହିଛନ୍ତି କି ନାହିଁ ବୋଲି ପଚାରିବାକୁ ମୋଟେ ମନ ହେଉ ନାହିଁ ।

 

ବିଶ୍ଵାସ କମିଯାଉଛି, ସ୍ପର୍ଶକାତରତା ବୃଦ୍ଧି ପାଉଛି । ପ୍ରତ୍ୟେକ ସତେ ଅବା ଏଠି ଏକୁଟିଆ ହିଁ ରହିବେ ବୋଲି ଫନ୍ଦିମାନ କରିବାରେ ଲାଗିଛନ୍ତି । ପଲ ପଲ ଭିତରେ ପ୍ରତିଦ୍ୱନ୍ଦିତା ଚାଲିଛି । ରାଷ୍ଟ୍ର ନାମକ ସେହି ନାହିଁ ନଥିବା ଅବିବେକଟା ହିଁ ରଜା ହୋଇ ବସିଛି । ଆମ ଏବକାଳର ଏହି ଜାତୀୟତାବାଦଟା ଅଧିକରୁ ଅଧିକ ଦୁର୍ବୁଦ୍ଧିଯୁକ୍ତ ହୋଇ ପୃଥିବୀଟାକୁ ଏକ ଦ୍ୱୀପମୟ ଦାରୁଣ ଅସଙ୍ଗତି ମଧ୍ୟରେ ପକାଇ ରଖୁଛି ବୋଲି ରାଷ୍ଟ୍ରମାନେ ବି କ୍ରମେ ଅଧିକରୁ ଅଧିକ ଜଗତଜିତା ହୋଇ ବାହାରିଛନ୍ତି କି ? ଯେତିକି ବଡ଼ ରାଷ୍ଟ୍ର ସେତିକି ଅଧିକ ଭୟ; ତେଣୁ ସେତିକି ଅଧିକ ବ୍ୟାଧିଗ୍ରସ୍ତ ଭାବରେ ଆତ୍ମସଚେତନ, ସେତିକି ଅଧିକ ରାଢ଼ । ପୃଥିବୀରେ ରାଜନୀତିକ ପ୍ରାୟ ସକଳ ସଚଳତା ସେହିମାନଙ୍କର ଉପଦ୍ରବଗୁଡ଼ିକ ଦ୍ଵାରା ପୀଡ଼ିତ ହୋଇ ରହିଛି । ତେଣୁ ବହୁତ ବହୁତ ସମସ୍ୟା- ଯୁଆଡ଼କୁ ଅନାଇବ, ଦେଖିବ ବହୁତ କିଛି ଖଣ୍ଡିଆ ହୋଇ ପଡ଼ିରହିଛି । ସେର ଓ ମାଣମାନେ ମୋଟେ ପୂରିନାହାନ୍ତି । ଶ୍ରଦ୍ଧାଗୁଡ଼ାକ ଅଧିକରୁ ଅଧିକ ଅବାଗିଆ ହେବାରେ ହିଁ ଲାଗିଛନ୍ତି । ସତଟା ସଂଗ୍ରହାଳୟ ଗୁଡ଼ିକ ଭିତରେ କିଳି ହୋଇ ରହିଛି । ଏବେ ତ ସଉକମାନେ ପ୍ରାୟ ଏକାଧାରରେ ଅଧିକ ବହଳ ଏବଂ ସୂକ୍ଷ୍ମ ହେଉଥିବା ସଙ୍ଗେ ସଙ୍ଗେ ଜ୍ଞାନଟା ସାତଗୁଣ ହେଲାଣି ତ ତଥାକଥିତ ବିଜ୍ଞାନଟା ସତରଗୁଣ ହେବା ନିମନ୍ତେ ଟାଉ ଟାଉ ହେବାରେ ଲାଗିଛି । ରାଷ୍ଟ୍ରର ପୃଷ୍ଠପୋଷକତା ପାଇବା ପରେ ବିଜ୍ଞାନ ସତେ ଅବା ନିଶା ଖାଇଥିବା ପରି ଖାଲି ଆବାଦ ବଢ଼ାଇବାରେ ଲାଗିଛି । ବାଡ଼ ଅବଡ଼ ଅଥବା ବାରଣ ଅବାରଣ କିଛି ହେଲେ ମାନୁ ନାହିଁ । ରାଷ୍ଟ୍ର ନାମକ ବୋପାଟା ଯେତେବେଳେ ନାନାବିଧ ପ୍ରୋତ୍ସାହନ ଆଣି ପହଞ୍ଚାଇ ଦେଉଛି, ସେତେବେଳେ ଏହି ବିଜ୍ଞାନ ନାମକ ପୋରୁହାଁ ପୁଅଟାର ମନ ଭିତରେ ଆଉ ଆଦୌ କୌଣସି ସଙ୍କୋଚ କିମ୍ୱା ଶଙ୍କା କାହିଁକି ବା ରହନ୍ତା ? ତଥାପି, ଏପରି ଭାବରେ ଏହି ଗଅଁଣ୍ଠାଇ ହୋଇ ରହିବା ଫଳରେ ରାଷ୍ଟ୍ରଟାକୁ ଅଧିକ ଫାଇଦା ହୋଇଛି ନା ବିଜ୍ଞାନକୁ ? ପୃଥିବୀର ଜ୍ଞାନୀମାନେ ଥରେ ଅଧେ ସେହି କଥାଟିର ମଧ୍ୟ ବିଚାର କରିପାରନ୍ତେ । ମାତ୍ର, ସାମ୍ପ୍ରତିକ କାଳର ମହାବଳ ରାଷ୍ଟ୍ରମାନ ସେହିପରି କୌଣସି ଅବସରମାନ ଦେବା ପାଇଁ ରାଜି ବି ହେବେ କି ନାହିଁ କେଜାଣି ? ଏବଂ, ରାଷ୍ଟ୍ରମାନେ ଆମ ପୃଥ୍ୱୀନିୟତିର କ୍ଷେତ୍ରରେ ପ୍ରାୟ ସର୍ବତ୍ର ହିଁ ସବା ଆଗରେ ରହିଥିବା ଯାଏ ସେଇଟା ମଧ୍ୟ କିପରି ସମ୍ଭବ ହେବ ? ଯେକୌଣସି ରାଷ୍ଟ୍ର ପାଇଁ ତ କଥା ମାନୁଥିବା ଘୋଡ଼ାମାନେ ହିଁ ସବା ଆଗ ଦରକାର । ସବା ଆଗ ଗୋଲାମମାନେ ଦରକାର, ମଣିଷମାନେ କ’ଣ ଏହିପରି ଗୋଲାମ ବନିବାକୁ ପୃଥିବୀରେ ଜନ୍ମ ହୁଅନ୍ତି ?

 

ସବୁ ଥାଇ ମଧ୍ୟ ତଥାପି ଆଦୌ କିଛି ନାହିଁ ବୋଲି ଅନୁକ୍ଷଣ ଗୋଟାଏ ଖାଁ ଖାଁ ଗୋଡ଼ାଇ ଥିବାର ଏହି ଯେଉଁ ଅଭିରୁଚି ଏବଂ ଅନୁଭବଟି, ତାହାକୁ ଆମେ ମୁଖ୍ୟତଃ ଏକ ଅନ୍ତର୍ଗତ ନଶ୍ୱରତାବୋଧ ବୋଲି କହିବା କି ? ସବୁକିଛିର ଅଧିକାରୀ ହେବାର ଏହି ପୃଥ୍ୱୀ ପର୍ଯ୍ୟାୟକୁ ଆସି ଏଠି ସଭ୍ୟତା ତଥା ସମ୍ପନ୍ନତାର ସବା ଆଗଧାଡ଼ିର ମନୁଷ୍ୟମାନେ ଆପଣାକୁ ସତେ ଅବା ଗୋଟାଏ ଗୋଟାଏ କଣା ଖାଳେଇ ପରି କାହିଁକି ଅନୁଭବ କରୁଛନ୍ତି କେଜାଣି ? ସ୍ଵର୍ଗର ସେହି କୁବେରପୁରୀ ନାମକ ପ୍ରଖ୍ୟାତ ପୁରୀଟାରେ ଅଧିବାସୀମାନେ ମଧ୍ୟ କ’ଣ ଏହିପରି ଅଲକ୍ଷଣାଙ୍କ ଭଳି ଜୀବନ କଟାଉଥିବେ କି ? ସେଠାରେ ସେଇଆଡ଼େ ତ ବୃହସ୍ପତିମାନଙ୍କୁ ମଝିରେ ବସାଇ ଏବଂ ଶିରିପାମାନ ପିନ୍ଧାଇ କେତେ କେତେ ବିଦ୍ୟାର ଚର୍ଚ୍ଚା ମଧ୍ୟ ହେଉଥିବ ଏବଂ ତଥାପି ବିଦ୍ୟାବନ୍ତମାନେ ସେହି ପ୍ରକ୍ରିୟାଟି ମଧ୍ୟରେ ଅସଲ କ’ଣ ସବୁକୁ ହରାଇ ପକାଇଥିବା ପରି ଝୁରି ହେଉଥିବେ କି ? ସେଠି ମଧ୍ୟ କ’ଣ ଆମ ପ୍ରେମଶାସ୍ତ୍ରଗୁଡ଼ିକରେ ବର୍ଣ୍ଣିତ ନିତ୍ୟ-ବୃନ୍ଦାବନ ଆଦିରେ ଗୋପିକା ଏବଂ ଗୋପବାଳୁତମାନ କ’ଣ ସବୁ କ୍ଷୟକାରୀ ଜ୍ୱାଳାରେ ଛଟପଟ ହେଉଥିବେ କି ? ପୃଥିବୀଟାର ଏହି ବହୁ ପ୍ରାଚୁର୍ଯ୍ୟର ଯୁଗରେ ତ ଆମର କବିମାନେ ସବା ଆଗ ଆଗକୁ ବାହାରିପଡ଼ି ନିଃସଙ୍ଗତାର କଥାଟାକୁ କହିବାକୁ ହିଁ ଏଡ଼େ ଉତ୍ସାହୀ ହେଲେ । ସେମାନେ ନାହିଁ ନଥିବା କେତେ କେତେ ଚିତ୍ରକଳ୍ପରେ କେତେ ମଞ୍ଜୁଳ ଭାବରେ ଆମେ ସମସ୍ତେ ଗୋଟାସୁଦ୍ଧା ପୋଲା ବୋଲି ଆମକୁ ଚେତାଇ ବି ନ ଦେଲେ ! ପ୍ରକୃତରେ କେଡ଼େ ବିଡ଼ମ୍ୱନାର କଥା ଯେ, ଏବର ଏହି ପୃଥିବୀରେ ସଙ୍ଗସମ୍ଭାବନାମାନେ ବହୁଗୁଣିତ ହେବାରେ ଲାଗିଥିବା ସଂଗେ ସଂଗେ ଏଡ଼େ ଏଡ଼େ ସଂଖ୍ୟାର ମଣିଷ ଆପଣାକୁ ନିଜ ଜୀବନର ଅସଲ ପିଣ୍ଡଟାରେ ନିଃସଙ୍ଗ ବୋଲି ଅନୁଭବ କରୁଛନ୍ତି-। ଯେଉଁମାନେ ଅଧିକ ସୁଖ ଭିତରେ ଅଛନ୍ତି– ଅର୍ଥାତ୍ ବହୁ କୋଟି ଅନ୍ୟମାନଙ୍କର ତୁଳନାରେ ଭଲ ଖାଉଛନ୍ତି ଓ ତେଣୁ ଅଧିକ କମାଉଛନ୍ତି, ସେହିମାନଙ୍କୁ ହିଁ ନିଃସଙ୍ଗତାବୋଧର ଦୁଷ୍ଟ ପୋକମାନେ ଅଧିକ କଲବଲ କରି ରଖିଛନ୍ତି । ଅଭାବ ବୋଲି କୋଉଠି କିଛି ହେଲେ ନାହିଁ, ତେବେ ଭାବମାନେ କାହିଁକି କେଉଁ ଦୁଃଖରେ ଆଉ କୁଆଡ଼େ ପଳାଇ ଯାଇଛନ୍ତି ?

 

ବିଶେଷ ପ୍ରାଚୁର୍ଯ୍ୟମାନଙ୍କର ଏହି କାଳଟିରେ ପୃଥିବୀର ସମ୍ପନ୍ନତର ରାଷ୍ଟ୍ରମାନେ ଚାହୁଁ ଚାହୁଁ ଦୁଇ ଦୁଇଟା ଯୁଦ୍ଧ ଲଢ଼ି ସାରିଲେଣି । ଖୁବ୍ ଔଚିତ୍ୟର ସହିତ ଏହି ଦୁଇଟିଯାକକୁ ବିଶ୍ଵଯୁଦ୍ଧ ଓ ମହାଯୁଦ୍ଧ ବୋଲି ମଧ୍ୟ କୁହାହୋଇଛି । ପ୍ରତାପୀ ରାଜାମାନେ ସେ କାଳରେ ମଧ୍ୟ ଯୁଦ୍ଧ କରୁଥିଲେ । କିନ୍ତୁ ସେହିସବୁ ଯୁଦ୍ଧ ରଜା ରଜାଙ୍କ ମଧ୍ୟରେ ହେଉଥିଲା, ସୈନ୍ୟବାହିନୀ ସୈନ୍ୟବାହିନୀ ମଧ୍ୟରେ ହେଉଥିଲା, ଯୁଦ୍ଧକ୍ଷେତ୍ରମାନଙ୍କରେ ମଧ୍ୟ ହେଉଥିଲା । ଯଦି ପୁରାଣର ରଚୟିତାମାନଙ୍କର ବର୍ଣ୍ଣନାଦିକୁ ବିଶ୍ଵାସ କରାଯାଏ, ତେବେ ଏକ ନିର୍ଦ୍ଦିଷ୍ଟ ନିୟମ ଶୃଙ୍ଖଳା ମଧ୍ୟରେ ହିଁ ସେହିସବୁ ଯୁଦ୍ଧ ହେଉଥିଲା ଏବଂ ଉଭୟ ପକ୍ଷ ସେହି ନିୟମ ଶୃଙ୍ଖଳାକୁ ଅବଶ୍ୟ ମାନିବେ ବୋଲି ଏକ ପୂର୍ଣ୍ଣ ବିଶ୍ୱସନୀୟତା ମଧ୍ୟ ରହିଥିଲା । ବର୍ତ୍ତମାନ ଦେଶ ଦେଶ ମଧ୍ୟରେ ଅର୍ଥାତ୍ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ହେଉଛି । ସ୍ଥଳ, ଜଳ ତଥା ଆକାଶ- ତିନୋଟି ଯାକ ମାର୍ଗରେ ଯୁଦ୍ଧ ହେଉଛି । ନିତାନ୍ତ ଚୋରଙ୍କ ପରି ଯୁଦ୍ଧ ହେଉଛି । ଏବଂ, ମୂଳତଃ ଅର୍ଥନୈତିକ ବିଶେଷ ସ୍ଵାର୍ଥମାନଙ୍କର ପ୍ରୀତ୍ୟର୍ଥେ ଯୁଦ୍ଧ ହେଉଛି-। ବହୁ ଦୁଷ୍ଟତାକୁ ଅବଲମ୍ୱନ କରି ରାଜ୍ୟ ଶାସନର ତୁଙ୍ଗ କ୍ଷମତାପନ୍ନମାନେ ପ୍ରଜାସାଧାରଣଙ୍କୁ ବହୁ କୁହେଳିକା ମଧ୍ୟରେ କାବୁ କରି ରଖିବେ ବୋଲି ଅତିକାୟ ପ୍ରଚାର-ବିଭାଗଟିଏ ମଧ୍ୟ ପ୍ରସ୍ତୁତ କରି ରଖିଛନ୍ତି । ଏକ ଉତ୍ତେଜିତ ଅନୁକୂଳ ପରିବେଶ ସୃଷ୍ଟି କରାଇ ରଖିବାର ମତଲବରେ ଜାତୀୟତାବାଦଟାକୁ ପ୍ରାୟ ଏକ ଅନବରତ ଅଭିସନ୍ଧି ଦ୍ଵାରା ହିଂସ୍ର କରି ରଖାଯାଇଛି । ପୃଥିବୀର ସର୍ବାଧିକ ପଇସା ଯୁଦ୍ଧ ବାବଦରେ ଖରଚ କରାଯାଉଛି । ଗୋଠଗୁଡ଼ାକ ସହିତ ଖଣ୍ଡିଆମାନେ ମଧ୍ୟ ଖୁବ୍ ମାତି ପାରୁଛନ୍ତି । ଏକ ପୂର୍ଣ୍ଣ ବୈଜ୍ଞାନିକ ନିର୍ଦ୍ଦୟତା ସହିତ ଅସ୍ତ୍ରାଦିର ଉତ୍ପାଦନ କରାଯାଉଛି । ସମଗ୍ର ପୃଥିବୀକୁ ଜୀବନଶୂନ୍ୟ କରିଦେବାର ପ୍ରଚଣ୍ଡ ଶକ୍ତି ବହନ କରୁଥିବା ବୋମାମାନେ ସଞ୍ଚିତ ହୋଇ ରହିଛନ୍ତି । ପ୍ରଯୁକ୍ତି ବିଦ୍ୟାମାନଙ୍କରେ ପାରଙ୍ଗମ ହୃଦୟହୀନମାନେ ମୂଳତଃ ଅଧିକ ପାରିଶ୍ରମିକ ପାଇବେ ବୋଲି ସରକାରମାନଙ୍କର ବିଶେଷଜ୍ଞ ବନି ଗୋତି ଖଟୁଛନ୍ତି-। ପାଟିମଥାମାନେ କ୍ରମେ ଆପଣାକୁ କାହା ପାଖରେ ଯେ ବିକି ସାରିଲେଣି, ସେମାନେ ନିଜକୁ ମଧ୍ୟ ସେହି ପ୍ରଶ୍ନଟିକୁ ପଚାରିବା ନିମନ୍ତେ ସମ୍ଭବତଃ ବେଳ ବି ପାଉ ନାହାନ୍ତି ।

 

ଏତେ ଏତେ ସମ୍ପନ୍ନତା ଏବଂ ସମ୍ଭାବନା ଦ୍ୱାରା ସମୁଜ୍ଜ୍ୱଳ ହୋଇ ରହିଥିବା ଆମର ଏହି ଏଡ଼େ ବଡ଼ ଘର ସଦୃଶ ପୃଥିବୀଟି କ’ଣ ଲାଗି ଏଭଳି ଶଙ୍କାଚ୍ଛନ୍ନ ହୋଇ ରହିଥିବ ? ନିଜକୁ ତଥା ନିଜର ପରିବେଶଟିକୁ ସଜାଡ଼ିବାକୁ ମାଧ୍ୟମ କରି ସମଗ୍ର ପୃଥିବୀକୁହିଁ ସଜାଡ଼ିବା ଯଦି ଆମର ଧ୍ୟେୟ ହୋଇଥାଏ, ତେବେ ପୃଥିବୀଟା କ୍ରମେ ଏପରି ବିଗିଡ଼ି ଯାଉଥିବା ପରି କାହିଁକି ବା ମନେ ହେବ ? ପରିବେଶକୁ ସଜାଡ଼ିବାର ପ୍ରକୃତ ତାତ୍ପର୍ଯ୍ୟ ହେଉଛି ଯେ, ଏଠି ଏପରି ଏକ ପାରସ୍ପରିକତା ଗଢ଼ି ହୋଇ ଆସିବାରେ ଆମେ ସହଯୋଗ କରିବା, ଯାହାକି ଆମ ସଭିଙ୍କୁ ସତେ ଏକ ପରିପୂର୍ଣ୍ଣତାର ସହଜ ବୋଧ ଆଣିଦେଇ ପାରୁଥିବ । ସେହି ବୋଧଟି ହିଁ ଏଠି ଆମର ସାମୂହିକ ଜୀବନ ବିଷୟରେ ଏକ ବିଶ୍ୱସନୀୟତା ଆଣି ଦେବ । ବିଦ୍ୟାର ବା କି ଦୋଷ ରହିଛି ଏବଂ ବିଜ୍ଞାନର ମଧ୍ୟ କେଉଁ ଦୋଷ ରହିଛି ? ବୃହତ୍ ପୃଥିବୀଟିକୁ ଯାବତୀୟ ଅର୍ଥରେ ଯୋଡ଼ି ଆଣିବାକୁ ହିଁ ତ ଏହି ସବୁଯାକ ବିଦ୍ୟା ତଥା ସବୁଯାକ ଆମ ପାଇଁ ଆବଶ୍ୟକ ପୁଞ୍ଜି ସଦୃଶ ମହଜୁଦ ହୋଇ ରହିଛନ୍ତି । କହିବା ବାହୁଲ୍ୟ, ଯେକୌଣସି ସୁସ୍ଥ ରାଷ୍ଟ୍ର ମନୁଷ୍ୟବାସନାର ସେହି ପ୍ରୟାସ ଯାତ୍ରାରେ ନ୍ୟାୟତଃ ସହଯୋଗ ହିଁ କରନ୍ତା । ଆମ ସାମାଜିକ ଜୀବନର ସର୍ବବିଧ ଅନୁଷ୍ଠାନ ଆମକୁ ତାହାରି ଲାଗି ଅନୁକୂଳତା ଗୁଡ଼ିକୁ ଆଣି ଦିଅନ୍ତେ । ଆମର ଅସଲ ଆଖିଗୁଡ଼ିକ ତ ଏହି ପୃଥିବୀର ଆମ ସହିତ ବାସ କରୁଥାନ୍ତେ ତଥା ଆମକୁ ସହପଥିକ ଭାବରେ ବାଟ ଚାଲୁଥିବାର ଦେଖି ସତକୁ ସତ ବହୁତ ଖୁସି ହେଉଥାଆନ୍ତେ ଏବଂ ସେହି ଖୁସିରୁ ଅମିତ ବଳ ପାଇପାରୁ ଥାଆନ୍ତେ । ଭଳି ଭଳି ଭାଷା, ଭଳି ଭଳି ସାମୂହିକ ଜୀବନ ଏବଂ ଭଳି ଭଳି ଈଶ୍ଵର ପ୍ରଣତି, ଯାହାକୁ କି ପାରମ୍ପରିକ ଭାବରେ ଆମେ ଧର୍ମ ବୋଲି ବୁଝିଆସିଛୁ ! ଏକସିଙ୍ଗିଆ ହୋଇ ରହିବା ନିମନ୍ତେ ଅବକାଶ ହିଁ ମିଳନ୍ତା ନାହିଁ ।

 

ତେଣୁ ରୁଷିବା ପାଇଁ ମଧ୍ୟ କାହିଁକି ଇଚ୍ଛା ହୁଅନ୍ତା, ପଳାୟନର ଆଦୌ କୌଣସି ଖଳଇଚ୍ଛା କ’ଣ ପାଇଁ ଏକାଧିକ ପ୍ରକାରେ ଆମକୁ ପ୍ରଲୁବ୍ଧ କରି ନିଅନ୍ତା ? ବାର ଖୁମାଣ ବାହାର କରି ମୁଁ ତା’ଠାରୁ ଅଧିକ, ସିଏ ମୋ'ଠାରୁ ନୀରସ ବୋଲି କହିବାକୁ ମନ ବା କାହିଁକି ହୁଅନ୍ତା ? ହିସାବ ରଖିଥିବା ବିଦ୍ୱାନ୍‌ମାନେ ତ କହିଲେଣି ଯେ ପୃଥିବୀରେ ସବୁରି ପେଟ ପୂରିବା ସକାଶେ ଖାଦ୍ୟ ରହିଛି, ସବୁ ପିଲା ଇସ୍କୁଲକୁ ଯାଇ ପାରିବା ଭଳି ସାଧନ ମହଜୁଦ ରହିଛି, ସବୁ ସମର୍ଥଙ୍କ ନିମନ୍ତେ କର୍ମସଂସ୍ଥାନ ରହିଛି-ସ୍ଵାସ୍ଥ୍ୟବ୍ୟବସ୍ଥା ମଧ୍ୟ ରହିଛି । ଏହିଗୁଡ଼ିକୁ ଅଗ୍ରାଧିକାର ଦେଇ ସମଗ୍ର ପୃଥିବୀଟି ସ୍ତରରେ ତଥା ରାଷ୍ଟ୍ରମାନଙ୍କର ସମ୍ମତିରେ ବିହିତ ଉଦ୍ୟମମାନ ଆରମ୍ଭ ହୋଇଯାଇ ପାରିଲେ ଅଳ୍ପ କେତେ ବର୍ଷ ମଧ୍ୟରେ ପୃଥିବୀରେ ପରସ୍ପରକୁ ଲୋଡ଼ିବାର ଇଚ୍ଛାଗୁଡ଼ିକ ଏପରି କ୍ରିୟାଶୀଳ ନିଶ୍ଚୟ ହୋଇଆସନ୍ତେ, ଯାହାଦ୍ୱାରା ବହୁ ଭୟ, ବହୁ ଅବିଶ୍ଵାସ ତଥା ଅନ୍ଧବିଶ୍ୱାସ, ବହୁ ହୀନମନ୍ୟତା ଓ ଉଗ୍ରମାନ୍ୟତାର ଅବସାନ ହୁଅନ୍ତା । ତା’ପରେ ହୁଏତ ଏପରି ଏକ ବୁଝାମଣା ମାଣିଯର ଏହି ପୃଥିବୀ ଉପରେ ହିଁ ସମ୍ଭବ ହୁଅନ୍ତା, ଯାହାକୁ ଆମେ କେଡ଼େ ସ୍ୱାଭାବିକ ଭାବରେ ଆଧ୍ୟାତ୍ମିକ ବୋଲି କହିପାରନ୍ତେ ଏବଂ ସେହିଭଳି ଅଙ୍ଗେ ନିଭାଇ ବି ପାରନ୍ତେ । ସର୍ବବିଧ ପୌତ୍ତଳିକତା ସେତେବେଳେ ନିତାନ୍ତ ନିଷ୍ପ୍ରୟୋଜନ ବୋଲି ମନେ ହୁଅନ୍ତେ । ବର୍ତ୍ତମାନର ପୌତ୍ତଳିକତାମାନେ କ’ଣ କେବଳ ଧର୍ମସ୍ତରର ? ଆବହମାନ କାଳରୁ ହିଁ ତ କୌଶଳ କରି ପୃଥିବୀଟାକୁ କବ୍‌ଜା ଭିତରେ ରଖିବା ଲାଗି ସର୍ବଦା ଚେଷ୍ଟା କରି ଆସିଥିବା ଉଚ୍ଚସ୍ଥାନମାନେ ସରଳ କୋଟି କୋଟି ମଣିଷଙ୍କୁ ପୌତ୍ତଳିକତାର ବଜାରଟା ଭିତରେ ମଡ଼ାଇ ରଖିବାକୁ ହିଁ ସବୁଠାରୁ ଅଧିକ ସୁବିଧାର ବୋଲି ମନେ କରିଆସିଛନ୍ତି । ମନୁଷ୍ୟମାନଙ୍କୁ ଅଳପ କରି ରଖିବାରେ ପୌତ୍ତଳିକତାର କିମିଆମାନେ ହିଁ ସବୁଠାରୁ ଅଧିକ ସହାୟତା କରିଛନ୍ତି । ସତେ ଅବା ଏକ ଅଭିସନ୍ଧିମୂଳକ ମତଲବରେ ଏଗୁଡ଼ିକୁ କରାଯାଇଛି । ଜାତୀୟତାବାଦ ନାମକ ଆମ ଏ କାଳର ଭିଆଣଟା ମଧ୍ୟ ସେଇଟାରେ ହିଁ ସର୍ବାଧିକ କାର୍ଯ୍ୟରେ ବ୍ୟବହୃତ ହୋଇଆସିଛି । ଯଥାର୍ଥ ସୁଯୋଗଗୁଡ଼ିକ ସାର୍ବଜନୀନ ହେବାରେ ଯେତିକି ଅଗ୍ରଗତି ହେବ; ସେହି ମୋହ ରାତିଟା ନିଶ୍ଚୟ ସେତିକି ଶୀଘ୍ର ପାହିବାକୁ ଆରମ୍ଭ କରିବ । ମନୁଷ୍ୟମାନେ ପରସ୍ପରକୁ ଧର୍ମତଃ ଈଶ୍ଵରୀୟତାର ଏକ ଅଭିନବ ମଣ୍ଡଳ ଭିତରେ ଦେଖିବାକୁ ଆରମ୍ଭ କରିବେ । ନିଜକୁ ସମସ୍ତଙ୍କ ସହିତ ସାମିଲ କରି ଦେଖିବାକୁ ସମର୍ଥ ହେବେ ।

 

ନିଜକୁ ସମସ୍ତଙ୍କ ସହିତ ସାମିଲ କରି ଦେଖିବା, ପ୍ରସ୍ତୁତ ହେବା ଓ ଜୀବନଟିଏ ବଞ୍ଚିବା, ଏକାଧିକ ଅର୍ଥରେ ସମ୍ଭବତଃ ସେଇଥିରୁ ହିଁ ଆମର ଅବବୋଧ ଭିତରେ ‘ନିରନ୍ତର’ ନାମକ ସେହି ଅନ୍ୟ ସଙ୍ଗତି ତଥା ସମ୍ଭାବନାଟି କ୍ରମେ ହୃଦ୍‌ବୋଧ ହେବାକୁ ଆରମ୍ଭ କରିବ । ଯାବତୀୟ ଈଶ୍ଵର-ସମ୍ଭାବନାଟିର ଅସଲ ଅର୍ଥାତ୍ ନିର୍ଭରଯୋଗ୍ୟ ମୂଳଦୁଆଟି ବସ୍ତୁତଃ ସେହିଠାରୁ ପଡ଼ିବାକୁ ଆରମ୍ଭ ହୋଇଥାଏ କି ? ରୁଷିବା ଏବଂ ଋଷି ହେବା ମଧ୍ୟରେ ଆମ ଓଡ଼ିଆ ଭାଷାରେ ମଧ୍ୟ ସେପରି କୌଣସି ଅର୍ଥଗତ ସମ୍ପର୍କୀୟତା ନଥିଲେ ମଧ୍ୟ ତଥାପି ଋଷି ବନିବାର ସେହି ସରାଗଟା ଭିତରେ ରୁଷି ବସିବାର ମୂଳ ଆଗ୍ରହଟିଏ କୈକେୟୀଟିଏ ପରି ଓଢ଼ଣା ପକାଇ ଅବଶ୍ୟ ଛପି ରହିଥାଏ ବୋଲି ସନ୍ଦେହ କରିବାକୁ ଖୁବ୍ ଇଚ୍ଛା ହୁଏ । ରୁଷି ବସିଲେ ଆମ ଭିତରର ମହିମାମୟ ଯୁବରାଜ ଗୌତମ ସିଏ ପ୍ରକୃତରେ କୋଉ ରାଜରାଜେଶ୍ଵରଙ୍କ ଦାୟାଦ ରୂପେ ଏହି ପୃଥିବୀରେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି ସତେ ଅବା ଭାରି ଚଟ୍‌କିନା ଭୁଲି ଯାଆନ୍ତି । ତା’ପରେ ଏଠି କପିଳବାସ୍ତୁର ବାଟିକାମାନେ ଆଉ ଭଲ ଲାଗନ୍ତି ନାହିଁ- ଏହି ପୃଥିବୀରେ ତୁମେ ଯୁଆଡ଼େ ଗଲେ ମଧ୍ୟ ସବୁଠାରେ ଯେ ଆକାଶମାନେ ଆମର ପୃଥିବୀଟି ଆଡ଼କୁ କେଡ଼େ ଶ୍ରଦ୍ଧାରେ ଆନତ ହୋଇ ଆସିଛନ୍ତି, ସେଇଟିକୁ ନିତି ଦେଖୁଥିଲେ ମଧ୍ୟ ତଥାପି ଦେଖିବା ଲାଗି ମନ ହୁଏ ନାହିଁ । ଗୋଟାଏ କ’ଣ ଘୋଟିଆସେ, ଯାହାକୁ ଆମେ ସଂସାର ବିମୁଖତା ବୋଲି କହି ପ୍ରାୟ ଏକ ଅତ୍ୟନ୍ତ mischievous ଖୁସି ହିଁ ଅନୁଭବ କରୁ । ସଂସାର-ବିମୁଖତା ଅର୍ଥାତ୍ ଜୀବନ-ବିମୁଖତା ଅର୍ଥାତ୍ ଈଶ୍ଵର-ବିମୁଖତା ଅର୍ଥାତ୍ ଆତ୍ମବିମୁଖତା । ଏବଂ ତା’ପରେ ପଳାୟନ କରୁ । ସଂସାର ଭିତରେ ଥାଇ ମଧ୍ୟ ତଥାପି ସଂସାରରୁ ପଳାୟନ କରିଥାଉ । ସଂସାର-ବିମୁଖତା, ଆତ୍ମବିମୁଖତା, ଈଶ୍ୱର-ବିମୁଖତା, ମର୍ମତଃ ପ୍ରାୟ ଗୋଟିଏ କଥାକୁ ବୁଝାଉଥିବା ତଥା ସଂସାରକୁ ନାନା ଭାବେ ନରଖରରେ ପଡ଼ିରହିବା ନିମନ୍ତେ ବାଟ ଛାଡ଼ି ଦେଇଥିବା ସେହି ଅପବୃତ୍ତିଟାକୁ ହିଁ ଆମେ କାହିଁକି ସବୁଠାରୁ ଅଧିକ ଅନିଷ୍ଟକାରକ Death Instinct ବୋଲି ନ କହିବା ? ଅନୁରାଗୀମାନେ ହିଁ ଏହି ସଙ୍କଟଟାରେ ବିଧାତା ସହିତ ଯଥାର୍ଥ ସହଯୋଗ କରିପାରିବେ ।

 

ଏହି ସବୁଟି ଭିତରେ ଏବଂ ଏଠି ସବୁରି ଭିତରେ ନିଜକୁ ସାମିଲ କରି ଦେଖିବା– ଅନୁରାଗୀ ହୋଇପାରିବା ନିମନ୍ତେ ଆଉ ଅଧିକ ସଳଖ ତଥା କପଟ ରହିତ ସମାଧାନ ପ୍ରକୃତରେ ଅନ୍ୟ କଅଣ ରହିଛି ? ଏହି ଭୂମିଟି ସହିତ ମୁଁ ଯୋଡ଼ା ହୋଇ ରହିଛି, ଏହି ଦେଶଟି ସହିତ, ଏହି ପୃଥିବୀଟି ସହିତ ମୁଁ ଯୋଡ଼ା ହୋଇରହିଛି- ସମ୍ପୂର୍ଣ୍ଣ ଏକ ସହଜ ମଇତ୍ରପଣରେ ହିଁ ଯୋଡ଼ା ହୋଇ ରହିଛି- ଏତିକି ସତ୍ୟକୁ ଜୀବନରେ ସାନ ବଡ଼, ସକଳ ଅବସରରେ ଆପଣା ସହିତ ବଞ୍ଚିବାର ପ୍ରୟାସଟିଏ କରିପାରିଲେ ତ ତାହା ହିଁ ଆମର ଏହି ଇହଆତଯାତର ଆଭିମୁଖ୍ୟଗୁଡ଼ିକରେ କ୍ରମେ ଏକ ଅନୁରାଗ ରୂପେ ହିଁ ବିକଶିତ ହୋଇଉଠିବ । ପୃଥିବୀରୁ ରୁଷି ବାହାରିଯାଇ ଯେଉଁମାନେ ସେଥିଲାଗି ନିଜର ସ୍ଵତନ୍ତ୍ର ପୀଠ ତଥା ପିଣ୍ଡିମାନଙ୍କରୁ ଅନୁରାଗର କଥାମାନ କରିଛନ୍ତି ତଥା ସେହି କଥାଗୁଡ଼ିକୁ ସ୍ୱତନ୍ତ୍ର କେତୋଟି ଲକ୍ଷଣ ଦ୍ୱାରା ଅଲଗା କରି ଦେଖାଇବାର ଧର୍ମଶ୍ରମମାନ କରିଛନ୍ତି, ହିସାବଗୁଡ଼ିକ ବାରମ୍ୱାର ଆମକୁ କହିବାକୁ ଇଚ୍ଛା କରିବେ ଯେ, ପୃଥିବୀରେ ମୁଖ୍ୟତଃ ସେହିମାନଙ୍କ ହେତୁ ହିଁ ଅନୁରାଗର ଦ୍ୱାହି ଦେଇ କାନ୍ଥମାନ ଉଠିଛି, ଘୃଣାମାନଙ୍କୁ ପ୍ରଶ୍ରୟ ଦିଆଯାଇଛି- ଏହି ସହଜ ସ୍ୱପ୍ନଭରା ପୃଥିବୀରେ ନାନା ଅସହଜତାର ପ୍ରମାଦକୁ ଭର୍ତ୍ତି କରି ଦିଆଯାଇଛି । ତେଣୁ ସାମିଲ ହେବା ଓ ସାମିଲ ହୋଇପାରିଲେ ଯାଇ ପ୍ରମାଦ ଯିବ, ପଣ୍ଡିତମାନେ ସବା ଆଗ ତୁମେ ଆମ ସମସ୍ତଙ୍କ ଭଳି ଜଣେ ଜଣେ ମଣିଷ ବୋଲି ନିଜକୁ ଅନୁଭବ କରିବେ– ଗୁରୁମାନେ ମଧ୍ୟ ଅଧିକ ଆକର୍ଷକ ହେବେ । ଜୁଗୁପ୍‌ସା ଯିବ, ଦୂରତା ଯିବ । ତେବେ ଯାଇ ତ ମନୁଷ୍ୟମାନଙ୍କ ଦ୍ଵାରା ଭଗବାନଙ୍କ ଲାଗି ଏଠି ଯୋଗ୍ୟ ଆସ୍ଥାନଟିଏ ତିଆରି ହୋଇପାରିବ ! ବୈଚିତ୍ର୍ୟ ସତକୁ ସତ ଖୁସି ଲାଗିବ- ଆପଣା ଲାଗି ସ୍ୱଭାବ ସମ୍ମତ ଅର୍ଥାତ୍ ସ୍ଵଧର୍ମ ସମ୍ମତ ବାଟଟିଏ ବାହାର କରି ଚାଲିବା ଲାଗି ଆଉ କୌଣସି ଶଙ୍କା ଲାଗୁ ନଥିବ । ‘ଭୂମା’ ନାମକ ଅବବୋଧଟି ଆଉ କୌଣସି ଦୂର ସ୍ଵର୍ଗର ଗୋଦାମ ଘରେ କିଳି ହୋଇ ରହିବ ନାହିଁ, ତାହା ଏହି ଧରା ଉପରେ ଅବତରି ଆସିବା କ୍ଷଣ କ୍ଷଣର ଅନୁଭବରେ ପରିଣତ ହୋଇପାରିବ । ବିଦ୍ୟା, ବିଜ୍ଞାନ, ପ୍ରଯୁକ୍ତିଲବ୍ଧ ସର୍ବବିଧ କୌଶଳ–ଏହି ସବୁକିଛି ହିତସାଧନରେ ହିଁ ନିୟୋଜିତ ହେବାକୁ ଆରମ୍ଭ କରିବେ । ଏକ ଅଭୂତପୂର୍ବ ସାଧର୍ମ୍ୟର ହିଁ ଯୁଗୋଦୟ ହେବ–ଅତୀତ କିମ୍ବା ବର୍ତ୍ତମାନଟାକୁ ତାଳ କରି ଧରି କୌଣସି ବଡ଼େଇ କରିବାକୁ ଭାରି ଅଶୋଭା ଲାଗିବ । ହଁ, ସେତେବେଳେ ‘ସ୍ଵାଭିମାନ’ ନାମକ ଶବ୍ଦଟିର ଯାବତୀୟ ଅଲକ୍ଷଣାପଣ ଦୂର ହୋଇଯିବ । ସତକୁ ସତ ସାମିଲ୍ ହୋଇ ରହିଥିବା ଜଣେ ମଣିଷ କାହିଁକି କାହାକୁ ମୋଟା ମୋଟା ଆସ୍ଫାଳନ ଦ୍ୱାରା ଅପର କାହାକୁ ଅଥବା କେଉଁମାନଙ୍କୁ ପଛରେ ପକାଇ ଦେଇ ଟପିଯିବାକୁ ମନ କରିବ ? ତେଣୁ, ଅଭିମାନ ବି ଭଲ ଲାଗିବ ନାହିଁ, ଅଭିନୟ ମଧ୍ୟ ମୋଟେ ଭଲ ଲାଗିବ ନାହିଁ-

 

ସଂସାରାନୁରାଗ ଏବଂ ଈଶ୍ଵର-ଅନୁରାଗର କଥା ପକାଇଲେ ସବା ଆଗ ସନ୍ଥମାନେ ମନେ ପଡ଼ିଯାଆନ୍ତି । କେବଳ ଭାରତବର୍ଷର ସନ୍ଥମାନେ ନୁହନ୍ତି, ସାରା ପୃଥିବୀଟାର ସନ୍ଥମାନେ । ସେହିସବୁ କାଳରେ ଦିଗ୍‌ବଳୟମାନେ ନିତାନ୍ତ ସ୍ଥାନୀୟ ହୋଇ ରହିଥିଲେ । ତଥାପି ସନ୍ଥମାନେ ସେମାନଙ୍କର ମର୍ମଭୂମିକା ଗୁଡ଼ିକରେ ପ୍ରାୟ ଗୋଟିଏ ପ୍ରକାରେ କଥା କହିପାରିଲେ କିପରି କେଜାଣି ? ବସ୍ତୁତଃ ମୂଳରୁ ହିଁ ମନେରଖିବା ଭଳି ସେମାନଙ୍କ ବିଷୟରେ ଅସଲ କଥାଟି ହେଉଛି ଯେ, ସେମାନଙ୍କ ମଧ୍ୟରୁ ଅନେକେ ନିରକ୍ଷର ଥିଲେ । ହଁ, ସେମାନେ ଅଧିକତର କ୍ଷେତ୍ରରେ ନିଜ ସମକାଳୀନ ସମାଜଗୁଡ଼ିକରେ ସବାତଳ ବର୍ଗମାନଙ୍କରୁ ଆସିଥିଲେ ସତ, ମାତ୍ର ଯାହାସବୁ କହିଲେ ଓ ଘୋଷଣା କଲେ, ସେଗୁଡ଼ିକ ଦ୍ୱାରା ସମଗ୍ର ସମାଜକୁ ଉଦ୍‌ବୁଦ୍ଧ କରିପାରିଲେ । ପଣ୍ଡିତମାନଙ୍କୁ ହସି ଉଡ଼ାଇ ଦେଇଥିଲେ । ସର୍ବବିଧ ସଂକୀର୍ଣତାର ପ୍ରତିବାଦ କରିଥିଲେ । ପ୍ରାୟ କିଛି ମାନିଲେ ନାହିଁ- ରାଜାକୁ ନୁହେଁ ବା ସାହୁକାରକୁ ନୁହେଁ । ଭଗବାନଙ୍କୁ ସତେ ଅବା ଏକାବେଳକେ ମାଟି ଉପରକୁ ଓହ୍ଲାଇ ଆଣିଥିଲେ । ଏକାବେଳକେ ସାଧାରଣ ମନୁଷ୍ୟ ହୃଦୟର ଭାଷାରେ ଯାହା କିଛି କହିଲେ ଓ ଲେଖିଲେ, ଅସଲ ଉପଲବ୍ଧିର ଆଖିଟି ଭିତରେ ଯାହା ସବୁଠାରୁ ଅଧିକ ପ୍ରତ୍ୟକ୍ଷ ହେଲାଭଳି ଭରି ରହିଥାଏ ଏବଂ କଥା କହୁଥାଏ, ତାହାକୁ ଆମେ ଅନୁରାଗ ବ୍ୟତୀତ ଆଉ କ’ଣ କହିପାରିବା ? ସନ୍ଥମାନେ ମୋଟେ ରୁଷି ବସି ନଥିଲେ ଓ ତେଣୁ କୌଣସି ଗେହ୍ଲା ଅଭିମାନରେ ସଂସାର ଭିତରୁ ପଳାଇଯାଇ ନଥିଲେ । ଭଗବାନଙ୍କୁ ସେମାନେ ଏଇଠି ଏହି ମଣିଷମାନଙ୍କ ଭିତରେ ଠାବ କରିପାରିଥିଲେ କି ? ଯେଉଁ ଯୁଗଟି ବହୁ ଅଭୂତପୂର୍ବ ସମ୍ଭାବନା ନେଇ ବର୍ତ୍ତମାନ ପୃଥିବୀକୁ ଆସୁଛି, ସେତେବେଳେ ହୁଏତ ଏହି ସନ୍ଥପଂକ୍ତିଟି ହିଁ ଆମ ଲାଗି ଆହୁରି ନୂଆ ନୂଆ ପ୍ରେରଣା ଅବଶ୍ୟ ଯୋଗାଇଦେଇ ପାରିବ । ସାମ୍ପ୍ରତିକ ଆଚ୍ଛନ୍ନତା ଗୁଡ଼ାକ କଟିଗଲେ ଈଶ୍ଵର-ସାକ୍ଷାତ୍‌କାରର ଅସଲ ଆହ୍ୱାନମାନେ ଯେ ଏହି ସଂସାର ନାମକ ଭୂମି ଉପରେ ଅନୁଭୂତ ହୁଅନ୍ତି, ସଂପୃକ୍ତ ସମସ୍ତଙ୍କ ପାଖରେ ସେହି ବାର୍ତ୍ତାଟିକୁ ଆଣି ପହୁଞ୍ଚାଇ ଦେବା ଲାଗି ପ୍ରକୃତରେ କେତେ ନା କେତେ ସାହସର ଭଜନ ହେବାକୁ ନ ପଡ଼ିଥିବ !

 

ହଁ, ଏପରି ଗୋଟିଏ କିସମର ସାହସ ରହିଛି, ଯାହାର ଭାଜନ ହୋଇଥିଲେ ଆମେ ନାନା ଅବକାଶରେ ଅଭ୍ୟସ୍ତ ହୋଇ ରହିଆସିଥିବା ନଶ୍ୱରତାବୋଧମାନେ କଟିଯିବାକୁ ଆରମ୍ଭ ବି କରନ୍ତି-। ନଶ୍ୱରତାବୋଧର ଗାରଗୁଡ଼ିକୁ ଡେଇଁଗଲେ ଆମେ ନିରନ୍ତରତା ନାମକ ସେହି ଅନ୍ୟ ଉଚ୍ଚାୟତନ ମଧ୍ୟରେ ପ୍ରବେଶ କରିବାର ଅଧିକାରମାନ ଲାଭ କରୁ । ଏଠି ନଶ୍ୱର, ସେଠି ନିରନ୍ତର- ସେପରି ଆଦୌ ନୁହେଁ । ଏମିତି ଭାବରେ ଦେଖିଲେ ଯାହା ନଶ୍ଵର, ଆଉମିତି ଭାବରେ ଦେଖିଲେ ତାହା ନିରନ୍ତର; ଏମିତି ଧିସାରେ ବୁଝିଲେ ଯାହା ନଶ୍ୱର, ସେମିତି ଧିସାରେ ବୁଝିଲେ, ତାହା ନିରନ୍ତର । ଅନୁରାଗ ଦେଇ ଦେଖିଲେ ସବୁ ନିରନ୍ତର । ଆପଣାକୁ ଏକ ସମ୍ମତ ପରିକର ରୂପେ ଆଣି ଛିଡ଼ା କରାଇପାରିଲେ ହିଁ ସବୁ ନିରନ୍ତର । ଭୀତି ଥିବା ଯାଏ ନଶ୍ଵର, ଭୀତି ଛାଡ଼ିଗଲେ ନିରନ୍ତର । ଭୀତି ଛାଡ଼ିଯିବାର ଅବସ୍ଥାଟି ପ୍ରୀତିର ଅବସ୍ଥା । ମଣିଷଟା ଯଦି ସେଇ କେଉଁଆଡ଼ୁ ଅଭିଶାପ ପାଇ ଏହି ପୃଥିବୀକୁ ଆସିଥାନ୍ତା, ତେବେ ପୃଥିବୀରେ ନିରନ୍ତରତାବୋଧର ସେହି ଅନ୍ୟ ମାୟାଟି ମଧ୍ୟ ଆଦୌ କିପରି ସମ୍ଭବ ହୋଇଥାଆନ୍ତା ? ଆଖି ବୁଜି ଦେଖିଲେ ଯାହା ତୁଚ୍ଛା ମାୟା, ଆଖି ଖୋଲି ଦେଖିଲେ ତାହା ଗୋଟାସୁଦ୍ଧା ଆଉକିଛି । ସେଇଟା ବି କ’ଣ ସହଜ ମାୟା ! ନିରନ୍ତରତା-ବୋଧର ମାୟାଟା ଆସି ସ୍ପର୍ଶ କଲେ ମଣିଷର ଭଗବତ ଅଳାଜଗୁଡ଼ିକରୁ ନଶ୍ୱରତାର କଳୁଷଟା ଯେ କୋଉ ବାଗରେ ପୋଛି ହୋଇଯାଏ, ସେ କଥା ସିଏ ହୁଏତ ନିଜେ ମଧ୍ୟ ଠଉରାଇ ପାରେ ନାହିଁ । ତେଣୁ ଅନେକ ସମୟରେ ଏପରି ମନେହୋଇଥାଏ ଯେ, ନିଜ ଭିତରେ କୌଣସି ବାଦ ଲାଗି ରହିଥିଲେ ମଧ୍ୟ ମଣିଷ ଡରୁଥାଏ; ଆପଣାକୁ ଡରୁଥାଏ, ସଂସାରକୁ ଡରୁଥାଏ, ଈଶ୍ୱରଙ୍କୁ ମଧ୍ୟ ଡରୁଥାଏ । ଏ ମାୟାକୁ କାଟି ସେ ମାୟାଟିକୁ ମୋଟେ ଯାଇପାରେ ନାହିଁ । ନଶ୍ୱରତାବୋଧର ଦଉଡ଼ିଗୁଡ଼ାକ ଭିତରେ ବାନ୍ଧି ହୋଇ ରହିଥିବା ଜୀବନ ବସ୍ତୁତଃ ବଡ଼ କଲବଲମୟ ଜୀବନ । ଏବଂ କଲବଲ ମଣିଷମାନେ ତ କାଳେ କାଳେ ହିଂସ୍ର ହେବାର ବହୁବିଧ ବୁଦ୍ଧିଯୁକ୍ତି ଭିତରେ ବାନ୍ଧି ହୋଇ ରହିଥାଆନ୍ତି । ସତେ ଅବା ନିଜ ସହିତ ବୈରୀପଣ କରିବାରେ ଲାଗିଥାନ୍ତି । ଏମବତି କଲବଲିଆ ଗୁରୁମାନେ ମଧ୍ୟ ଏହି ପୃଥିବୀରେ କାଳେ କାଳେ ଅବଶ୍ୟ ଥିବେ, ଯେଉଁମାନେ କି ପ୍ରାୟ କିଞ୍ଚିତ୍ ଆନୁଷ୍ଠାନିକ ସାନ୍ତ୍ୱନା ଲାଭ କରିବାର ଅଭିପ୍ରାୟରେ ପୃଥ୍ୱୀକୁ ଶିଷ୍ୟ କରି ବାହାରିଥାନ୍ତି । ଏମାନେ ସମ୍ପ୍ରଦାୟଗୁଡ଼ିକରେ ଅଧିକ ମନ ଦିଅନ୍ତି । ଖାଲି ପୃଥିବୀକୁ ନୁହେଁ, ଏମାନେ ଈଶ୍ୱରଙ୍କୁ ମଧ୍ୟ ବହୁତ ଦୁଃଖ ଦିଅନ୍ତି ।

 

ସତ୍ୟରୂପୀ ନାରାୟଣ ବହୁ ଦୂରତର କେଉଁ ସ୍ଵର୍ଗପୀଠରେ ଅପହଞ୍ଚ ପ୍ରାୟ ହୋଇ ରହିଥିବେ । ଯୁଗ ଯୁଗ ତପସ୍ୟା କଲେ ମଧ୍ୟ ମୁନିଋଷିମାନେ ତାଙ୍କର ଭେଟ ପାଇପାରି ନାହାନ୍ତି ବୋଲି ଆମ ପୁରାଣକାରମାନେ ଆମକୁ ତରକାଇବାରେ ଲାଗିଥିବେ । ମୁଁ କିଛି ଅଧିକ ଜାଣିଲି ଓ ଅଧିକ ଗମିଲି ବୋଲି ପ୍ରତ୍ୟୟଟିଏ ମୋତେ ମିଳିଗଲା ବୋଲି ଅନୁମାନ କରି ତୁରୁତୁରୁ ଗୁରୁମାନେ ଗୋଟାଏ ଗୋଟାଏ ନୂଆ ସମ୍ପ୍ରଦାୟ ଗଢ଼ି ଥୋଇ ଦେଉଥିବେ– ଏପରି ସ୍ଥିତିରେ ଆମେ ନିରନ୍ତରକୁ ହୁଏତ ମୋଟେ ସାହସ କରିପାରିବା ନାହିଁ । ମନୁଷ୍ୟମାନେ ଯେଉଁଦିନଠାରୁ ଈଶ୍ୱର ନାମକ ସେହି ସତ୍ୟକୁ ଲୋଡ଼ିବାକୁ ଆରମ୍ଭ କଲେଣି, ସେହି ଲୋଡ଼ିବାମାନେ ଯେତେ ଆଲୁରା ବାଲୁରା ହୋଇଥିଲେ ମଧ୍ୟ ଓ ସମ୍ପ୍ରଦାୟମାନେ ନାନା ଅଧ୍ୟାସର ଫାଶ ମେଲିଦେଇ ଆମେ ସବୁକିଛି ପାଇଗଲୁ ବୋଲି ଲୋକମାନଙ୍କୁ ହୁଡ଼ାଇ ଦେବାକୁ ଚେଷ୍ଟା କରୁଥିଲେ ମଧ୍ୟ ପ୍ରକୃତରେ ସେହିଦିନଠାରୁ ଈଶ୍ଵର ଏହି ପୃଥିବୀ ଉପରକୁ ଓହ୍ଲାଇ ଆସିଛନ୍ତି । ମନୁଷ୍ୟମାନଙ୍କର ଝଡ଼ରେ ନୂଆ ପିପାସା ଅର୍ଥାତ୍ ନୂଆ ଆସ୍ପୃହାଗୁଡ଼ିକର ଜାଗୃତି ଘଟାଇଛନ୍ତି । ‘ନଶ୍ୱର’ ପକ୍ଷର ପୁରୋଧାମାନେ ପ୍ରମାଦ ଗଣି ସେହି ଅନ୍ୟ ଜାଗୃତିଟିକୁ ଅଟକାଇ ରଖିବାର ଯେତେ ଯାହା ମିହନ୍ତ କରିଥିଲେ ମଧ୍ୟ ମଣିଷମାନେ ନିରନ୍ତର ଆଡ଼କୁ ହିଁ ଅଧିକ ଆକର୍ଷିତ ହେବାରେ ଲାଗିଛନ୍ତି । ନଶ୍ଵରଟାର ପ୍ରକୋପ ତଥାପି ଲାଗି ରହିଥିଲେ ମଧ୍ୟ ନିଜର ଆଖି ଭଳି ଆଖିଟିଏ ପାଇଯିବା ମାତ୍ରକେ ନିରନ୍ତର ନିମନ୍ତେ ହିଁ ଏକ ବ୍ୟାକୁଳତା ବୃଦ୍ଧି ପାଇବାରେ ଲାଗିଛି । ପୃଥିବୀ କ’ଣ ସେହି କାରଣରୁ ହିଁ କ୍ରମେ ଆମ ସମସ୍ତଙ୍କର ଘରଟିଏ ପରି ଲାଗି ଆସିଲାଣି କି ? ଦ୍ୱୀପମାନେ ପରସ୍ପରକୁ ଲୋଡ଼ି ବାହାରିଲେଣି, ଖଣ୍ଡମାନେ ଏକ ମହାସମଗ୍ରକୁ ମନ କଲେଣି- ଏହାକୁ ହିଁ ବିଗତ ଗୋଟିଏ ଦୁଇଟି ଶତାବ୍ଦୀର ବୃହତ୍ତମ ଘଟଣା ବୋଲି ଯଦି କେହି ସତକୁ ସତ ବୁଝିବାକୁ ଆରମ୍ଭ କରିବ, ତେବେ ସିଏ ତଥାକଥିତ ନଶ୍ୱର ମଧ୍ୟରେ ବି ନିରନ୍ତରର ମର୍ମବାଣୀଟିକୁ ଅବଶ୍ୟ ଶୁଣିବାକୁ ସମର୍ଥ ହେବ । ପୃଥିବୀର ଇତିହାସରେ ଯାହାକିଛି ଆଖର ସ୍ଥାନୀୟ ରୂପେ ଆପଣାକୁ ପରିଚିତ କରାଇଛନ୍ତି, ନିଜ ନିଜର ଅଲଗା ଦେଉଳ, ଅଲଗା ସନ୍ତକ ତଥା ସ୍ଵତନ୍ତ୍ର ଭାବରେ ପବିତ୍ର ବୋଲି ଦାବୀ କରୁଥିବା ଅମରକୋଷ ଗୁଡ଼ିକୁ ନେଇ ମାତି ଯାଇଛନ୍ତି, ଆମେ ସେଗୁଡ଼ିକର ସର୍ବମୂଳ ଆବେଦନରେ ହୁଏତ ନିରନ୍ତରଟାକୁ ହିଁ ଅଧିକ ଭେଟିବା । ଏବଂ ତାହାରି ଦ୍ଵାରା ତରି ବି ଯିବା । ତରିଯିବାର ସେହି ପ୍ରକ୍ରିୟାଟି ଏକାଧିକ ଅର୍ଥରେ ଏବେ ମଧ୍ୟ ଲାଗି ନାହିଁ କି ?

 

ସ୍ଥାନୀୟ ହୋଇ ରହିବାର ଗୋଟାଏ ଝୁଙ୍କ ହିଁ ଥୋକେ ଥୋକେ ମଣିଷଙ୍କୁ ନଶ୍ୱରକୁ ଆଦରି ରହିବା ସକାଶେ ଯୁଗେ ଯୁଗେ ଫୁସୁଲାଇ ଆସିଛି । ପୃଥିବୀର ରାଜାମାନେ ମୋନଙ୍କର ପ୍ରଜାଗଣ ସ୍ଥାନୀୟ ହୋଇ ରହିବାଟାକୁ ହିଁ ସର୍ବଥା ଅଧିକ ନିରାପଦ ମଣିଛନ୍ତି । କଥିତ ଅଛି, ପ୍ରାଚୀନ ରୋମ୍‌ର ପ୍ରତାପଶାଳୀ ସମ୍ରାଟ ଧାଡ଼ିଟା ଯେତେବେଳେ ପ୍ରଜାମାନେ ସେହିମାନଙ୍କୁ ହିଁ ସବାବଡ଼ ରାଜା ବୋଲି ବିଶ୍ଵାସ କରନ୍ତୁ ଓ ସେହି ଅନୁସାରେ ଗାରଗୁଡ଼ିକର ଅନୁଗତ ହୋଇ ରହନ୍ତୁ ବୋଲି ବିଧାନମାନ କରିଆସିଥିଲେ, ସେତେବେଳେ ନୂତନ ଦୀକ୍ଷିତ ଖ୍ରୀଷ୍ଟିଆନ୍‌ମାନେ ଆଉ ଜଣେ king of kingsଙ୍କର କଥାକୁ କହିଲେ ବୋଲି ମହାମହିମ ସମ୍ରାଟମାନଙ୍କର ହାଡ଼କମ୍ପ ଜାତ ହୋଇଥିଲା । ପୃଥିବୀଟାର ରଜା ତ ଖାଲି ସେଇମାନେ– ଈଶ୍ୱର କହିଲେ ତେଣୁ କେବଳ ସେହିମାନଙ୍କୁ ବୁଝାଇ ଆସିଛି ଏବଂ ସର୍ବଦା ତାହା ହିଁ ଅବଶ୍ୟ ବୁଝାଇବ । ଏହି ଅଲକ୍ଷଣାମାନେ ପୁଣି ଅଲଗା କଥାଟାଏ କାହିଁକି କହୁଛନ୍ତି, କାହା ସାହସରେ କହୁଛନ୍ତି ? ସେ ଅତ୍ୟନ୍ତ ନିର୍ମମ ଭାବରେ ସେମାନଙ୍କର ମୁହଁ ବନ୍ଦ କରିବାର କେତେ କ’ଣ ଉପାୟ ବାହାର କରିଥିଲେ । ନଶ୍ଵରଟା ଏହିପରି ଭାବରେ ନିରନ୍ତରକୁ ଭାରି ଭୟ କରି ଆସିଛି । ସହଜ ପୃଥିବୀଟାକୁ ନିତାନ୍ତ ଧର୍ମଭ୍ରଷ୍ଟ ଭାବରେ ବିବଦମାନ ଓ ଜଟିଳ କରି ରଖିଛି ପଛକେ, କିନ୍ତୁ ନିରନ୍ତରକୁ ସୁସ୍ଥ ଭାବରେ ଗ୍ରହଣ କରିପାରି ନାହିଁ । ସଳଖ ହୃଦୟଟାକୁ ମଥା ନାମକ ଜଙ୍ଗଲଟା ଭିତରେ ନେଇ ପୂରାଇ ଦେଇଛି । ତା’ପରେ ଯେଉଁ ନାଟକଟା ପ୍ରାୟ ନାନା ଆଡ଼ମ୍ୱରମୟ ଅଶ୍ରଦ୍ଧା ସହିତ ଲାଗି ରହିଛି, ସେଇଟା ମନୁଷ୍ୟମାନଙ୍କୁ ପ୍ରକୃତରେ ଖୁବ୍ ହତବଳ କରି ରଖିଛି, ବହୁ ବହୁ ଅଙ୍କୁଶଯୁକ୍ତ କୃତିତ୍ୱ ଦ୍ଵାରା ମନୁଷ୍ୟମାନଙ୍କର ମାନବୀୟ ପକ୍ଷଟିକୁ ଅବଶ କରି ପକାଇଛି । ସ୍ଥାନୀୟତାରୁ ହିଁ ଏହି ଯୁଦ୍ଧଗୁଡ଼ାକ ଜନ୍ମଲାଭ କରିଛନ୍ତି; ଜ୍ଞାନ ଓ ବିଜ୍ଞାନର ଆମର ଏହି ପୃଥିବୀରେ ଅନ୍ନ ବଢ଼ାଇବାର, ଆଲୋକିତ କରିବାର ସରଞ୍ଜାମଗୁଡ଼ିକର ସମୃଦ୍ଧି କରାଇବାର ପରିବର୍ତ୍ତେ ଏବେ ଘୃଣାମାନେ ହିଁ ଆମ ନିୟତିଗୁଡ଼ିକର ଆକାଶଟିକୁ ଅନ୍ଧାର କରି ରଖିଛନ୍ତି । କେଡ଼େ ଆଧୁନିକ ବୋଲି ମନେହେଉଥିବା ବହୁ ଆଦିମତା ଅର୍ଥାତ୍ ବର୍ବରତାକୁ ପ୍ରଶ୍ରୟ ଦେବାରେ ଲାଗିଛନ୍ତି । ନିରନ୍ତରତା ଅପେକ୍ଷା କରି ରହିଛି । ଆଗକୁ ତାହାରି ଦିନ ଆସୁଛି ବୋଲି ଦୃଢ଼ତାର ସହିତ ବିଶ୍ୱାସ କରିବାକୁ ଯେତିକି ଧୈର୍ଯ୍ୟ ଏବଂ ହିମ୍ମତ ଆବଶ୍ୟକ, ସେତିକି ହିମ୍ମତ ଓ ଧୈର୍ଯ୍ୟ ସହିତ ଅପେକ୍ଷା କରିଛି । ସ୍ଥାନୀୟତାର ମାଡ଼ଗୁଡ଼ାକୁ ସହି ସହି ଯେଉଁମାନଙ୍କର ବିବେକ ସତକୁ ସତ ଆଉ ଅନ୍ୟ କିଛିକୁ ମନ ବି କରିବଣି, ସେମାନେ ଏଣିକି ଅଧିକ ସଂଖ୍ୟାରେ ପରସ୍ପରକୁ ଆବିଷ୍କାର କରି ବାହାରିବେ, ଅବଶ୍ୟ ବାହାରିବେ-

 

ବେଦ ଓ ଉପନିଷଦରେ ଏକ ସଚଳ ପ୍ରାସଙ୍ଗିକତା ପୂର୍ଣ୍ଣ ଯେଉଁ ବାରତାଗୁଡ଼ିକ କାଳ କାଳରୁ କେତେ କେତେ ମନୁଷ୍ୟଚିତ୍ତକୁ ଉଦ୍‌ବୁଦ୍ଧ କରି ଆସିଛନ୍ତି, ସେଗୁଡ଼ିକୁ କ’ଣ ଆମେ ସ୍ଥାନୀୟ ବୋଲି କହିବା ? ନିଜ ସମୟରେ ଏକ ବିଧିଭର୍ତ୍ତି ମିଛ ସମ୍ଭ୍ରାନ୍ତପଣିଆକୁ ଗୌତମ ବୁଦ୍ଧ ଏକ ବିକଳ୍ପ ଜୀବନମାର୍ଗର ସୂଚନା ଦେଇଥିଲେ, ତାଙ୍କର ସେହି ଶକ୍ତିଶାଳୀ ପ୍ରତିବାଦକୁ ପ୍ରକୃତରେ କେତେଯାଏ କେବଳ ଏକ ସ୍ଥାନୀୟ ଘଟଣା ବୋଲି କୁହାଯିବ ? ଜେରୁଜେଲମ୍ ନଗରୀର ଏକ ମନ୍ଦିରବେଢ଼ା ଭିତରେ ପଶି ତରୁଣ ଯୀଶୁ ପଇସା କାରବାର କରୁଥିବା ବେପାରୀମାନଙ୍କୁ ଘଉଡ଼ାଇ ଦେଇଥିଲେ, ତାହାକୁ କେବଳ ଏକ ସ୍ଥାନୀୟ ଘଟଣା ବୋଲି କହୁଥିବା ପର୍ଯ୍ୟନ୍ତ ଆମେ ତାହାର ପୂର୍ଣ୍ଣ ତାତ୍ପର୍ଯ୍ୟଟିକୁ ବୁଝିପାରିବା କି ? ଏହି ସନ୍ଦର୍ଭଟିକୁ ଅଧିକ ପ୍ରସାର ଦେଇ କହିଲେ, ଯେତେବେଳେ ଗାଲିଲିଓ ବା ଗୁଆର୍ଡିଆନୋ ବ୍ରୁନୋ ସୂର୍ଯ୍ୟ ଥିର ରହିଛନ୍ତି ଓ ପୃଥିବୀ ସୂର୍ଯ୍ୟଙ୍କ ଚାରିପାଖରେ ପ୍ରଦକ୍ଷିଣ କରୁଚି ବୋଲି କହି ନିଜ କାଳଟିର ପାରମ୍ପରିକ ବିଶ୍ୱାସଟିକୁ ଏକ ଦାରୁଣ ଆଘାତ ଦେଲେ ଓ ସେଥିଲାଗି ନିଦାରୁଣ ଶାସ୍ତିମାନ ବରଣ କରିବାକୁ ରାଜି ହୋଇଗଲେ, ସେତେବେଳେ କ’ଣ କେବଳ ଏକ ସ୍ଥାନୀୟ ଘଟଣା ହିଁ ଘଟିଥିଲା ? ପୁନଶ୍ଚ, ଆପଣା କାଳଚଳଣିର ପବିତ୍ର ବିଶ୍ୱାସଟାକୁ ଦୋହଲାଇ ଦେଇ ଶ୍ରୀଯୁକ୍ତ ଲୁଇ ପାଶ୍ଚର୍ ଯେତେବେଳେ ନିଜର ପ୍ରୟୋଗଲବ୍ଧ ତଥ୍ୟ ଦ୍ୱାରା ପରିଚାଳିତ ହୋଇ ଠାକୁର ଅଥବା ଠାକୁରାଣୀ ଅପ୍ରସନ୍ନ ହେଉଛନ୍ତି ବୋଲି ମଣିଷମାନେ ରୋଗାକ୍ରାନ୍ତ ହେଉନାହାନ୍ତି, ମାତ୍ର ଜୀବାଣୁମାନଙ୍କର ସଂକ୍ରମଣ ଦ୍ୱାରା ହିଁ ଶରୀର ରୋଗରେ ପଡ଼ୁଛି ବୋଲି କହିଲେ ଏବଂ ସେହି କାରଣରୁ ଗଞ୍ଜଣା ସହିଲେ, ସେତେବେଳେ ଘଟିଥିବା ଘଟଣାଟିକୁ ଆମେ ପ୍ରକୃତରେ କିଭଳି ଗୋଟିଏ ସାମାନ୍ୟ ସ୍ଥାନୀୟ ବ୍ୟାପାର ବୋଲି କହିପାରିବା ? ମୋର ବା ଆମର ବୋଲି କହୁଥିବା ପର୍ଯ୍ୟନ୍ତ ସବୁ ସ୍ଥାନୀୟ, ସବୁକିଛି ସମ୍ପତ୍ତି, ଏବଂ ସେହି ତଥାକଥିତ ସ୍ଥାନୀୟଟି ମଧ୍ୟରେ ଏକ ବିଶ୍ୱସତ୍ୟ ଉଦ୍‌ଘାଟିତ ହୋଇ ଆସୁଥିବାର ଅନୁଭବ କରିପାରିଲେ ତାହା ବିଶ୍ୱସ୍ତରୀୟ, ତାହା ସଂସ୍କୃତି ଏବଂ ତାହାହିଁ ନିରନ୍ତର । ସ୍ଥାନୀୟ ଚେତନାଟା ହିଁ ନଶ୍ୱରତାର ଚେତନା-

 

ଓଡ଼ିଶାର ଜୟଦେବ ବୁଦ୍ଧଦେବଙ୍କୁ ସିନା ବିଷ୍ଣୁଙ୍କର ଅବତାର ମାଳିକା ଭିତରେ ଆଣି ଖୁନ୍ଦି ଦେଇପାରିଲେ, ମାତ୍ର ସିଏ ସତ୍ୟଟାକୁ ତାଙ୍କ ଖଣ୍ଡଚେତନାର ଆନୁଗତ୍ୟଟା ଦ୍ଵାରା ଭାରି ନଶ୍ଵର କରି ରଖିଲେ ଏବଂ ବୁଦ୍ଧବାଣୀର ବାରତାଟି ଆମ ଏଠାକାର ବହୁତଙ୍କ ପାଇଁ ହୁଏତ ନଶ୍ଵର ହୋଇ ରହିଗଲା । କିନ୍ତୁ ତାହାର ନିରନ୍ତରବାଚକ ବ୍ୟଞ୍ଜନାଟି ତଥାପି କାଳକାଳକୁ ଅବଶ୍ୟ ବଞ୍ଚିରହିଥିଲା । ସାହିତ୍ୟକୁ ଯିଏ ତାହା ଓଡ଼ିଆ ଭାଷାରେ ଲେଖାହୋଇଛି ବୋଲି ସବାଆଗ ଓଡ଼ିଆ ସାହିତ୍ୟ ବୋଲି କହୁଛି, ସେଥିରୁ ଏକ ଖାସ୍ ପୁଲକ ଅନୁଭବ କରୁଛି ଏବଂ ତେରକୁ ତିରିଶି ବୋଲି କହି ଗଡ଼ଟାଏ ଜିତିଦେଲା ବୋଲି ମୁଖମୁଦ୍ରାମାନ ଦେଖାଉଛି, ସିଏ ତଥାପି ନଶ୍ୱର ମଧ୍ୟରେ ରହିଯାଉଛି । ଓଡ଼ିଆ ସାହିତ୍ୟ ଆମ ସାହିତ୍ୟ, ଏତିକି କଥାକୁ ହୃଦୟଙ୍ଗମ କରିପାରୁଥିବା ଆଉ ଜଣେ ସ୍ଥାନୀୟ ମଧ୍ୟରେ ନିରନ୍ତରଟିକୁ ହିଁ ଆବିଷ୍କାର କରୁଛି ଏବଂ ଆପଣା ବୁଝିବାର ମହିମାକୁ ବଢ଼ାଇ ପାରୁଛି । ସାହିତ୍ୟକୁ ଅନେକ ବେଶୀ କରି ଦେଖିପାରୁଛି, ଆପଣାର ଅନ୍ତର୍ଗତ ଉତ୍ତୋଳନଗୁଡ଼ିକ ନିମନ୍ତେ ସାହିତ୍ୟରୁ ମଧ୍ୟ ସୁରାଖ ଗୁଡ଼ିକୁ ପାଇପାରୁଛି । ସେହିପରି, ସଂସ୍କୃତିର କ୍ଷେତ୍ରରେ ମଧ୍ୟ ସେହି ଗୋଟିଏ କଥା : ଆଗ ସଂସ୍କୃତି ନା ଆଗ ଭାରତୀୟ ସଂସ୍କୃତି ? ଭାରତୀୟତାର ଜଣେ ସର୍ବାଗ୍ରଗଣ୍ୟ ବିଦ୍ୱାନ୍ ଶ୍ରୀଯୁକ୍ତ ଆନନ୍ଦ କୁମାରସ୍ୱାମୀଙ୍କର ପ୍ରେରଣାଟି ଅନୁସାରେ କହିଲେ, ଭାରତୀୟ ସଂସ୍କୃତି ଯେ ଏତେ ମହାନ୍ ଓ ଏତେ ଅଧିକ ପରିମାଣରେ ଆଲୋଡ଼ନକାରୀ, ତାହା ଆଗ ସେହିପରି ଏକ ସଂସ୍କୃତି ହୋଇଥିବାରୁ ନା ଭାରତୀୟ ବୋଲି ? ନିରନ୍ତରତାର ପ୍ରସ୍ଥଟି ମଧ୍ୟରେ ଥାଇ ଦେଖିଲେ ତାହା ସଂସ୍କୃତି, ସଂସ୍କୃତିର ମୂଲ୍ୟଦଣ୍ଡରେ ହିଁ ଭାରତୀୟ ସଂସ୍କୃତିକୁ ନେଇ ଯାବତୀୟ ବିଚାର । ତାହାହିଁ ସୁସ୍ଥ, ଯାବତୀୟ ସଂସ୍କୃତି ଦ୍ଵାରା ଉଚିତ ପ୍ରକାରେ ଉପକୃତ ହୋଇପାରିବା ନିମନ୍ତେ ଏବଂ ସର୍ବୋପରି ଆମ ଜୀବନ ଭିତରକୁ ସେହି ସଂସ୍କୃତିର ଅନ୍ତତଃ କିଞ୍ଚିତ୍ ସମୁଚିତ୍ ପ୍ରବେଶ ସମ୍ଭବ କରିପାରିବା ନିମନ୍ତେ ତାହା ହିଁ ପ୍ରାୟ ଏକମାତ୍ର ସଂସ୍କୃତିଯୁକ୍ତ ମାର୍ଗ । ଏବଂ, ଆମ ସଂସ୍କୃତି ଓ ତେଣୁ ସର୍ବୋତ୍ତମ ସଂସ୍କୃତି ବୋଲି ବିହ୍ୱଳତାର ଯାବତୀୟ ପ୍ରଦର୍ଶନ – ତାହା ଅଧିକାଂଶତଃ ଏକ ଅପସାଂସ୍କୃତିକତାର ହିଁ ପରିଚାୟକ ହୋଇ ରହିଥାଏ । ଆମର ଏଠି ଓଡ଼ିଶାରେ ଆମେ ହୁଏତ ଜଗନ୍ନାଥଙ୍କୁ ନେଇ ବହୁ ଅବସରରେ ଦୃଷ୍ଟି ଗୋଚର ହେଉଥିବା ଆତୁରତା ଗୁଡ଼ିକ ବିଷୟରେ ସେହି କଥାଟିକୁ ବି କୁହାଯାଇପାରିବ । ଜଗନ୍ନାଥ ଜଗତର ନାଥ, ସିଏ ଏହି ଖିଳ ଓ ସମ୍ପୂର୍ଣ୍ଣ ଜଗତର ମଙ୍ଗଳ ବିଧାୟକ ଠାକୁର । ସେହି ନ୍ୟାୟରେ ସେ ଆମର ମଧ୍ୟ ଠାକୁର । କିନ୍ତୁ, ତାଙ୍କୁ ବଡ଼ ଅସୁନ୍ଦର ଭାବରେ ଏହି ଗୋଟିଏ ଭୂମିର ସମ୍ପତ୍ତି ବୋଲି କହିବା ଓ ତା’ପରେ ତାଙ୍କୁ କଣ୍ଢେଇଟିଏ କରି ଖେଳିବାରେ ଲାଗିଥିବା, ଏହା ଏକ ଅସୁସ୍ଥତା- ଏକ ସ୍ଖଳନ ଏବଂ ଏକ ନଶ୍ଵରଧର୍ମିତା । ଆମକୁ ଅସୁସ୍ଥ ଏବଂ ଅଳପ କରି ରଖିବା ପାଇଁ ଆମ ଭିତରର ଥୋକେ ଅଧିକ ଚାଲାଖ ମଣିଷ ଏପରି ଫିକରଟିଏ କରିବାକୁ ମନ କରିଥାନ୍ତି କି ?

 

କିଞ୍ଚିତ୍ ସମଗ୍ର ଭାବରେ ତଉଲି ଦେଖିଲେ ବେଶ୍ ବାରି ହୋଇଗଲା ପରି ଭୋଗୀମାନେ ବୋଧହୁଏ ନଶ୍ୱରର କଥା କହିଛନ୍ତି ଏବଂ ଅନୁରାଗୀମାନେ ନିରନ୍ତର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଦେଇଛନ୍ତି । ନିରନ୍ତରର ଚେତନା ଏକାଠି କରିଆଣିଛି ଏବଂ ନଶ୍ଵରର ଚେତନା ଭାଗ ଭାଗ ଓ ଖଣ୍ଡ ଖଣ୍ଡ କରି ଦେଖିଛି । ତୁଚ୍ଛା ନିଜଟାକୁ ହିଁ ସ୍ଵୟଂସମ୍ପୂର୍ଣ୍ଣ ବୋଲି କହି ଭାରି ଫୁଲେଇ ହୋଇଛି । ପୃଥିବୀଟାକୁ ଭାରି ଅଲଗା ଅଲଗା କରି ରଖିଛି । ନିରନ୍ତରର କଳ୍ପନା, ତାହା ହିଁ ବ୍ରହ୍ମାଣ୍ଡର କଳ୍ପନା, ବ୍ରହ୍ମର କଳ୍ପନା । ଓଡ଼ିଶାର ଅରକ୍ଷିତ ଦାସ କେଡ଼େ ମହିମାମୟ ଭାବରେ ଆମକୁ ବ୍ରହ୍ମାଣ୍ଡର କଥା କହିଛନ୍ତି । ସିଏ ବଡ଼ ଖେଦ କରି କହିଛନ୍ତି ଯେ, ଆମେ ନିଜକୁ ଏତେ ଏତେ ଦ୍ୱେଷର ସହିତ ଆଗରେ ଆଗରେ ରଖିଥାଉ ଏବଂ ସେହି ଉତ୍ସାହରେ ବ୍ରହ୍ମାଣ୍ଡଟାକୁ ପଛରେ ପକାଇ ଆଗକୁ ମାଡ଼ି ଯିବା ଲାଗି ଇଚ୍ଛା କରିଥାଉ । ଜୀବନରେ ଅସଲ ସତ୍ୟୋପଲବ୍ଧିଗୁଡ଼ିକୁ ସମ୍ଭବ କରି ଆଣିବାକୁ ଆମକୁ ସିଏ ବ୍ରହ୍ମାଣ୍ଡକୁ ହିଁ ଆଗରେ ରଖି ବାଟ ଚାଲିବାର ପରାମର୍ଶ ଦେଇଛନ୍ତି । ଆଜି ଚାଲିଯାଉଛି, କାଲିଟା ବି ଆସିବ ଏବଂ ଚାଲିଯିବ; ମାତ୍ର କାଳ ଅବଶ୍ୟ ରହିବ, ରହିଥିବ । ଆଜିର ଫୁଲ କାଲିକୁ ସିନା ମଉଳି ଖସିପଡ଼ିବ, ମାତ୍ର ପୃଥିବୀରେ ଏହି ଫୁଲର ଫୁଟିବାଟା ଚିରକାଳ ରହିଥିବ । ଏ ଋତୁ ଯାଉଥିବ ଏବଂ ସେ ଋତୁ ଆସୁଥିବ ସିନା- କିନ୍ତୁ ଋତୁମାନଙ୍କର ଆବର୍ତ୍ତନ ରହିଥିବ । ଆପଣା ଆପଣାର ଅଭିନୟ ସାରି ଆମେ ଚାଲି ଯାଉଥିବା, ମାତ୍ର ଅଭିନୟ ରହିଥିବ । ସେହି ଅଭିନୟ ନିମନ୍ତେ ସ୍ଵପ୍ନମାନେ ସର୍ବଦା ରହିଥିବେ, ଜୀବନ ନାମକ ଏହି ବର୍ଣ୍ଣାଢ଼୍ୟ ଉଚ୍ଚାଟନଗୁଡ଼ିକ ଲାଗି ରହିଥିବ । ହସ ରହିବ, କାନ୍ଦ ରହିବ; ଏକ ନିରନ୍ତର ଅନୁରାଗମୟତାରେ ଭଲ ପାଇବାର ସେହି ନିତିଦିନର ଧର୍ମଟି ଏହି ପୃଥିବୀକୁ କେବେହେଲେ ଛାଡ଼ି ଚାଲିଯିବ ନାହିଁ । ଏବଂ ଏହିପରି ଭାବରେ, ମୂଳତଃ ଏକ ନିରନ୍ତରର ଆହ୍ୱାନରେ ସଭ୍ୟତା ଆଗକୁ ଯାଉଥିବ, ପୃଥିବୀ ଅଧିକରୁ ଅଧିକ ମନୁଷ୍ୟ-ଲାଖି ହୋଇ ତିଆରି ହୋଇ ଯାଉଥିବ । ଦିନେ ନା ଦିନେ ଏଠି ସବୁ ମଣିଷଙ୍କ ନିମନ୍ତେ ଅବଶ୍ୟ ଜାଗାର ବ୍ୟବସ୍ଥା ହୋଇପାରିବ- ତା’ ପରେ ସମସ୍ତେ ଗୋଟିଏ ମେଳରେ ଏକଜୁଟ୍ ହୋଇଗଲେ ସତକୁ ସତ ପ୍ରାୟ ଏକ ଅସରନ୍ତି ପ୍ରକ୍ରିୟାରେ ସଂପ୍ରସାରିତ ହୋଇଯିବାକୁ ହିଁ ଆମ ସମସ୍ତଙ୍କର ଈଶ୍ଵର-ନିରୂପିତ ଧର୍ମ ବୋଲି ଉପଲବ୍ଧି ହୋଇପାରିବ; ହଁ, ଅଙ୍ଗେ ବି ନିଭାଇ ହେବ ।

 

ତେଣୁ ଏହି ପାଚେରୀଗୁଡ଼ିକୁ ଆମେ ତିଆରି କରିଛୁ । ନଶ୍ୱରତାବାଦୀମାନେ ହିଁ ଏଗୁଡ଼ିକୁ ଠିଆ କରି ରଖିଛନ୍ତି । ପୃଥିବୀରେ ସମ୍ଭବତଃ ଚିରକାଳ ହିଁ ନଶ୍ୱର ଓ ନିରନ୍ତର ମଧ୍ୟରେ ଲଢ଼େଇ ଲାଗିଛି । ଜ୍ଞାନ, ବିଜ୍ଞାନ, ବିତ୍ତ ଉପାର୍ଜନ ଇତ୍ୟାଦି ଯାବତୀୟ କ୍ଷେତ୍ରରେ ସେହି ଲଢ଼ାଇ ସବୁଦିନ ଲାଗିଆସିଛି । ଉପନିଷଦର ଭାଷାରେ ଆମେ ନଶ୍ୱରକୁ ପ୍ରେୟ ଏବଂ ନିରନ୍ତରକୁ ଶ୍ରେୟ ବୋଲି କହି ପାରିବା କି ? ମନୁଷ୍ୟମାନେ, ସମୂହମାନେ ପରସ୍ପରକୁ ଆବିଷ୍କାର କରିବା ସହିତ ଶ୍ରେୟ ନିମନ୍ତେ ହୁଏତ ଏକ ବିଶେଷ ଅନୁକୂଳ ବେଳ ଆସି ଆମ ଦ୍ୱାରଦେଶରେ ଉପସ୍ଥିତ ହେଲାଣି । ନିରନ୍ତରଟା ଅଧିକ ପାଖ ଓ ଅଧିକ ନିର୍ଭରଯୋଗ୍ୟ ବୋଲି ହୃଦ୍‌ବୋଧ ହୋଇଆସିଲାଣି । ତଥାପି, ନଶ୍ଵରର ଆଣ୍ଟ ଆଦୌ ଭାଙ୍ଗି ନାହିଁ । ରାଷ୍ଟ୍ରମାନେ ନଶ୍ଵରର ପଟରେ, ଧର୍ମବେତ୍ତାମାନେ ଏବେ ମଧ୍ୟ ନଶ୍ଵରଟାକୁ ହିଁ ଅଧିକ ନିରାପଦ ବୋଲି ଭାବୁଛନ୍ତି । ପୃଥିବୀଯାକର ସେନା ଓ ସାମନ୍ତ, ଅସ୍ତ୍ର ଓ ଶସ୍ତ୍ର, ବୋମା ଓ ବନ୍ଧୁକ ସେହି ନଶ୍ଵରଟାରେ ପଟ୍ଟସମର୍ଥକ ହୋଇ ରହିଛନ୍ତି ଓ ଆପଣାକୁ ସତେ ଅବା ଖୁବ୍ ଗରିଷ୍ଠ ବୋଲି ଭାବୁଛନ୍ତି । ପୃଥିବୀର ସର୍ବାଧିକ ପଇସା ସେହି ନଶ୍ଵରଟାରେ ପ୍ରୀତ୍ୟର୍ଥେ ହିଁ ତଥାପି ଖର୍ଚ୍ଚ ହେଉଛି । ଆପଣ ପଚାରି ବୁଝିଲେ, ଏହି ପଣ୍ଡିତମାନେ କାହା ପଟରେ ଅଛନ୍ତି ଏବଂ ଏହି ସ୍ଥାନାଭିମାନୀମାନେ କାହାପଟେ ରହିଛନ୍ତି । ଏବଂ ଈଶ୍ଵର କାହାପଟେ ଅଛନ୍ତି ? ନିରନ୍ତରତାକୁ ଏହି ପୃଥିବୀ ପାଇଁ ନିକଟରେ କରି ଆଣିବାରେ ଯୁଗ ଯୁଗ ଧରି ଯଦି ପ୍ରକୃତରେ କୌଣସି ଈଶ୍ୱରଙ୍କର ଇଚ୍ଛା ଅଥବା ଆନନ୍ଦ ରହିଥିବ, ତେବେ ସିଏ କଦାପି ଆମର ଏହି ନଶ୍ୱରତାର ବେଢ଼ାଗୁଡ଼ାକ ଭିତରେ ବହ୍ୱାଡ଼ମ୍ୱର ସହିତ ପୂଜା ପାଉଥିବା ଚିହ୍ନା ଈଶ୍ଵରମାନଙ୍କ ପରି ହୋଇ ନଥିବେ । ଚିହ୍ନା ଈଶ୍ଵରମାନେ ହିଁ ତ ମଣିଷମାନଙ୍କର ଅସଲ ବିବେକ ଓ ଅସଲ ପ୍ରୀତିଗୁଡ଼ିକୁ ସ୍ଥବିର ପ୍ରାୟ କରି ରଖିଛନ୍ତି; ସେମାନେ ନରକର ଭୟ ଦ୍ଵାରା ଡରାଇ ରଖିଛନ୍ତି ଏବଂ ସ୍ଵର୍ଗର ପ୍ରଲୋଭନ ଦେଖାଇ ଅନ୍ୟମନସ୍କ ବି କରିଛନ୍ତି । ଯେଉଁମାନେ ନିଜ ପିତୁଳାମାନଙ୍କ ନାମରେ ଖଣ୍ଡା ଉଞ୍ଚାଇ ବାହାରୁଛନ୍ତି, ସେମାନଙ୍କୁ ଆଦୌ ଗାଳି ନ ଦେଇ କେବଳ ଅନ୍ୟମନସ୍କ ବୋଲି କହିଲେ ନିଶ୍ଚୟ ଯଥେଷ୍ଟ ହେବ । ବହୁ ଭାଗ୍ୟର କଥା ଯେ, ପୃଥିବୀରେ ଅଧିକରୁ ଅଧିକ ମନୁଷ୍ୟଙ୍କର କବାଟ ଉପରେ ନିରନ୍ତରଟା ହିଁ ଠକ ଠକ କରିବାକୁ ଆରମ୍ଭ କଲାଣି । ଉଗ୍ରସେନମାନେ ତଡ଼ାବାଡ଼ି ଧରି ଜଗି ରହିଥିଲେ ମଧ୍ୟ ନିରନ୍ତର ତଥାପି ଅଧିକ ପ୍ରତ୍ୟୟଯୁକ୍ତ ଭାବରେ ପାଖ ହୋଇ ଆସିଲାଣି । ମନେହେଉଛି, ସେହି ନିରନ୍ତରଟି ଭିତରକୁ ଆସି ହିଁ ନଶ୍ୱର ଏଥର ମୁକ୍ତିଲାଭ କରିବ । ବ୍ରହ୍ମକୁ ନେଇ ଆଉ ବାଦ ଲାଗିବ ନାହିଁ, ତେଣୁ ବିବାଦ ନିମନ୍ତେ ମଧ୍ୟ କ’ଣ ପାଇଁ କୌଣସି ଅବକାଶ ରହିବ ?

 

ପୃଥିବୀରେ କୋଉ ଧର୍ମ ରହିଛି, ଯାହାର ଆବେଦନଗୁଡ଼ିକୁ ଆମେ କେବଳ ସ୍ଥାନୀୟ ବୋଲି କହିପାରିବା ? ପୃଥିବୀରେ ଏମିତି କୋଉ ଶାସ୍ତ୍ର ଅଥବା ସାହିତ୍ୟ ରହିଛି, ଯାହାକୁ କି କେବଳ ଏକ ନିର୍ଦ୍ଦିଷ୍ଟ ଭୂମିର ବୋଲି କହି ତାହା ପ୍ରତି ଯଥାର୍ଥ ନ୍ୟାୟବିଚାର କରିପାରିବା ? ଏପରି କୌଣସି ଦର୍ଶନାଲୋଚନାର ଦୃଷ୍ଟାନ୍ତଟିଏ ରହିଛି, ଯାହାକୁ କେବଳ ଭାରତୀୟ ଅଥବା କେବଳ ଇଉରୋପୀୟ ବୋଲି କହି ଖୁସି ହୋଇପାରିବା ? କୌଣସି ଏକ ଅପାରଗତା ହୁଏତ ମନୁଷ୍ୟମାନଙ୍କୁ ସ୍ଥାନୀୟତା ଭିତରେ ନିଜକୁ କିଳି ରଖିବା ନିମନ୍ତେ ଯୁଗେ ଯୁଗେ ଉତ୍ସାହ ଦେଇଆସିଛି । ନଶ୍ୱରତାର ଭୂମିଟିକୁ ପରିହାର କରି ନିରନ୍ତରତାର ପ୍ରସ୍ଥଟିର ପ୍ରାଣ କରିପାରିବା– ତାହା ହିଁ ହେଉଛି ଅଧ୍ୟାତ୍ମର ଯୋଗ୍ୟ ହେବା । ଅସଲ ଅଧ୍ୟାତ୍ମ ଯେପରି ଖାଲି ଊର୍ଦ୍ଧ୍ୱରେ ନ ଥାଇ ସବୁକିଛିର ଭୂମି ରୂପେ ହିଁ ଆମର ଯାବତୀୟ ବିଚରଣରେ ଆବଶ୍ୟ ସଞ୍ଚରି ରହିଥାଏ, ଠିକ୍ ସେହିପରି ନିରନ୍ତରତା କେବଳ ଊର୍ଦ୍ଧ୍ୱରେ ନଥାଏ, ଏଇଠି ଆମ ଭୂମିଗୁଡ଼ିକର ବିସ୍ତୃତିଗୁଡ଼ିକ ମଧ୍ୟରେ ବି ଆମକୁ ଯଥାର୍ଥ ଚକ୍ଷୁଗୁଡ଼ିକୁ ଦେଇ ଧରି ରଖିଥାଏ । ପଣ୍ଡିତ ଗୋପବନ୍ଧୁ ଓଡ଼ିଶାରେ ଆମେ ସମସ୍ତେ ସବା ଆଗ ଜଣେ ଜଣେ ମଣିଷ ବୋଲି ଏକଦା ଘୋଷଣା କରି ତତ୍କାଳୀନ ବେଷ୍ଟନୀଟିକୁ ଅବଶ୍ୟ ଅତ୍ୟନ୍ତ ଚକିତ କରି ଦେଇଥିବେ ସତ, କିନ୍ତୁ ସତକୁ ସତ ମଣିଷଟିଏ ନ ହୋଇ ପାରିଥିଲେ ଆମେ ଆଦୌ କୌଣସି ସୁସ୍ଥ ଅର୍ଥରେ ଓଡ଼ିଆ ବି ହୋଇପାରିବା କି ? ଏଇଟି ବିଷୟରେ ଆମେ ଓଡ଼ିଶାରେ ମୂଳରୁ ହିଁ ସ୍ପଷ୍ଟ ହୋଇପାରି ନଥାଉ ବୋଲି ବହୁ ଅବସରରେ ହିଁ ନାନା ଅସଙ୍ଗତି ମଧ୍ୟରେ ଯାଇ ପଡ଼ିଯାଉ । କେତେ ନା କେତେ ହୃଷ୍ଟ ହୋଇ ସ୍ୱାଭିମାନର କଉଡ଼ିଖେଳ ଗୁଡ଼ିକରେ ମାତି ରହିଥାଉ ସିନା, କିନ୍ତୁ ତାହା ପଛରେ ପ୍ରାୟ ସର୍ବଦା ଏକ ହୀନମନ୍ୟତା ହିଁ ଆମକୁ କବଳିତ କରି ରଖିଥାଏ ଓ ଆମକୁ ଆକଟ କରିବାରେ ଲାଗିଥାଏ । ହୁଏତ ସେହି କାରଣରୁ ଆମେ ବେଳେ ବେଳେ ବଡ଼ ଅସହିଷ୍ଣୁ ହୋଇପଡ଼ୁ । ଆମେ ଯେ କେଡ଼େ ସ୍ଥାନୀୟ ସେ କଥାଟିକୁ ଧରା ପକାଇ ଦେଇଥାଉ ।

 

ତେଣୁ, ବ୍ରହ୍ମାଣ୍ଡ ଆଗେ ଆଗେ ରହିବ । ନିରନ୍ତରତା ନିର୍ଦ୍ଦେଶନା ଦେବ : ନିରନ୍ତରତା ପାଦ ତଳେ ରହିବ, ନିରନ୍ତତା ଆଖି ହୋଇ ବାଟ ବି ଚଲାଇନେବ । ପାଦ ତଳେ ରହି ନିଦକରେ ଏକ ନିଶ୍ଚିତ ଭୂମି ଉପରେ ଠିଆ ହୋଇଥିବାର ଭରସା ଦେଉଥିବ ଏବଂ ଆଖି ହୋଇ ଆମକୁ ନୂଆ ନୂଆ ଠାବ ତଥା ସମ୍ପର୍କ ସ୍ଥାପନର ଅନ୍ଦାଜଗୁଡ଼ିକୁ ଆଣି ଯୋଗାଇ ଦେବାରେ ଲାଗିଥିବ । I am a man and nothing human is foreign to me - ସେ କାଳର ସେହି ପୁରୁଣା ଗ୍ରୀସ୍‌ର କୋଉ ମତିମାନ୍ ଜଣେ ବ୍ୟକ୍ତି ଏହି କଥାଟିକୁ କହିଥିଲେ । ସିଏ ସକଳ ଯୁଗର ସବୁ ମଣିଷଙ୍କର ଅର୍ଥାତ୍ ଆମ ସମସ୍ତଙ୍କର କଥାଟିକୁ ହିଁ କହିଥିଲେ । ସମଗ୍ର ପୃଥିବୀଟି ଭିତରକୁ ଆମ ସମସ୍ତଙ୍କୁ କେତେ କେତେ ଶ୍ରଦ୍ଧାରେ ହିଁ ମଙ୍ଗୁଳାଇ ଦେଇଥିଲେ ଆମର ସ୍ଥାନୀୟ ଘରଟିକୁ ମଧ୍ୟ ଲକ୍ଷଣଯୁକ୍ତ ଭାବରେ ଗଢ଼ିଆଣିବା ନିମନ୍ତେ ଆମକୁ ଅସଲ ରହସ୍ୟଟିକୁ ହିଁ ବତାଇଦେଲେ । ସ୍ଥାନୀୟ ହୋଇ ମୋଟେ ରହିପାରିଲେ ନାହିଁ । ଆମ ସମସ୍ତଙ୍କୁ ହିଁ ତାଙ୍କର ଛୋଟିଆ ନିଜ ଭୂମିଟି ସହିତ କାଳ କାଳ ଲାଗି ଗଅଁଠାଇ ରଖିଲେ । ନିରନ୍ତରତା ଠିକ୍ ସେହିପରି କାଳେ କାଳେ ହିଁ ମଣିଷମାନଙ୍କୁ ଗଅଁଠାଇ ହୋଇ ରହିବା ଲାଗି ଉଦ୍‌ବୋଧନ ଦେଇ ଆସିଛି । ପୃଥିବୀ ରହିବ ସେହି ଗଅଁଠାଇ ହୋଇ ରହିବା ଦ୍ଵାରା । ସ୍ଥାନୀୟମାନ ପରସ୍ପର ସହିତ ସଙ୍କୋଚ ରହିତ ଭାବରେ ବାନ୍ଧି ହୋଇରହିଥିବେ । ସତ ମାୟାଟି ଦ୍ଵାରା ଆପେ ଆପେ ବାନ୍ଧି ହୋଇଯାଇ ମିଛ ମାୟାଗୁଡ଼ିକର ଦୌରାତ୍ମ୍ୟରୁ ସୁରକ୍ଷିତ ରହିଥିବେ । ସ୍ଥାନୀୟମାନେ ଖୁବ୍ ବେଶୀହେଲେ ଜଗମୋହନର ଭୂମିକାଗୁଡ଼ିକୁ ତୁଲାଉଥିବେ ସିନା ମାତ୍ର, ଗର୍ଭଗୃହରେ ନିରନ୍ତରଟି ହିଁ ରତ୍ନସିଂହାସନ ଉପରେ ଆସୀନ ହୋଇରହିଥିବ । ଏବର ପୃଥିବୀ ଭାରି ଟାଉ ଟାଉ ହୋଇ ସେହି ବେଳାଟି ଲାଗି ଲାଗି ସଜ ହେବାରେ ଲାଗିଛି ।

 

ସମଗ୍ର ବିଶ୍ୱ ହିଁ ପୂର୍ଣ୍ଣ ଅକୃପଣ ଭାବରେ ଆମର ଏହି ସ୍ଥାନୀୟ ଭୂମି ଅର୍ଥାତ୍ ସ୍ଥାନୀୟ ଘରଟିକୁ ସଂକ୍ରମିତ ହୋଇ ଆସୁ । ଆମର ସାହିତ୍ୟ ମୂଳତଃ ତାହାହିଁ କରୁ । ଆମର ରାଜନୀତି, ସମାଜନିର୍ମାଣ ସମ୍ୱନ୍ଧରେ ଆମର ସମସ୍ତ ବ୍ୟବସାୟାତ୍ମିକା ବୁଦ୍ଧି ସେହି ଆଡ଼କୁ ହିଁ ନିର୍ଦ୍ଦେଶିତ ହୋଇ ରହୁ । ଆମର ମାନ ତାହାରି ଦ୍ୱାରା ହିଁ ରହୁ । ଆମ ଭୂମିର ଦେବତାଙ୍କୁ କିଏ କାହିଁକି ଯେ କେଉଁ ଅନ୍ତର୍ବାଣୀ ଦ୍ୱାରା ଉଦ୍‌ବୁଦ୍ଧ ହୋଇ ଜଗନ୍ନାଥ ବୋଲି ଘୋଷଣା କଲେ, ସିଏ ଯିଏ ହୋଇଥାନ୍ତୁ ପଛକେ, ସିଏ ତଦ୍ଦ୍ୱାରା ଆମର ଯଥାର୍ଥ ପଥଟିକୁ ସୂଚିତ କରିଦେଇ ଯାଇଛନ୍ତି । ଯାବତୀୟ ନଶ୍ୱରତାର ଏହି ପୃଥିବୀବ୍ୟାପୀ ବ୍ୟୂହଟି ମଧ୍ୟରେ ଏଣିକି ନିରନ୍ତରତା ହିଁ ସବୁ ମଣିଷଙ୍କ ନିମନ୍ତେ ସ୍ଵୀକୃତତମ ରକ୍ଷାକବଚ ରୂପେ କାମରେ ଲାଗୁଛି । ସେହି ଉଦ୍ଦେଶ୍ୟରେ ବିଶ୍ୱସ୍ତରୀୟ ଏକାଧିକ ଅନୁଷ୍ଠାନରେ ପ୍ରତିଷ୍ଠା ମଧ୍ୟ ହେଉଛି । ସେହିଗୁଡ଼ିକ ଉପରେ କ୍ରମେ ପ୍ରତ୍ୟୟଗୁଡ଼ିକ ମଧ୍ୟ ବୃଦ୍ଧି ପାଉଛି । ପୃଥିବୀର ସଚ୍ଚା ଧର୍ମପ୍ରେରଣାମାନେ ସମ୍ଭବତଃ ସେହି ପ୍ରେରଣାଟି ସହିତ ଆପଣାକୁ ସଂପୃକ୍ତ କରି ରଖିବା ପାଇଁ ଅଧିକରୁ ଅଧିକ ମନ କଲେଣି । ନାସ୍ତିକମାନେ ତଥାପି ଯୁଦ୍ଧରତ ହୋଇ ରହିବାକୁ ସତେ ଅବା ଐହିକ ଜୀବନର ଏକ ଅସଲ ସ୍ଫୂର୍ତ୍ତି ବୋଲି ବିଚାରୁଛନ୍ତି ସିନା, ସମସ୍ତ ପୃଥିବୀର ଅନୁରାଗୀ ଅର୍ଥାତ୍ ସଚ୍ଚା ଅନୁଭବୀମାନେ ନିରନ୍ତତାକୁ ହିଁ ମନ କଲେଣି । ଏହି ବାଡ଼ଗୁଡ଼ାକ ଅବଶ୍ୟ ଉଠିଯିବ– ଆମର ଏହି ନିଜ ଭୂଇଁଟିରେ ମଧ୍ୟ ତାହାହିଁ ଘଟିବ ।

 

 

ପ୍ଲଟ୍ ନଂ- ୮୩ ଏ ବାପୁଜୀ ନଗର, ଭୁବନେଶ୍ଵର

 

***

 

ଓଡ଼ିଆ ସାହିତ୍ୟର ଉତ୍ପତ୍ତି ଓ ଉତ୍ତରଣ

ରାଜକିଶୋର ମିଶ୍ର (ଭରଦ୍ୱାଜ)

 

ଓଡ଼ିଆ ସାହିତ୍ୟରେ ପ୍ରଥମତଃ ଆତ୍ମପ୍ରକାଶ କରିଥିଲା ପଦ୍ୟକୃତି, ଯଥା : ଆଦ୍ୟ ସୋପାନରେ ଲୋକମୁଖରେ କଥିତ ଲୋକଗୀତି ଓ ଦ୍ୱିତୀୟ ସୋପାନରେ ଛାନ୍ଦ, ଚଉତିଶା ଓ କାବ୍ୟ ଆଦି ଲିଖିତ ପଦ୍ୟରଚନା । ଏହାର ବହୁତ ପରେ ଯାଇ ବିକାଶ ଲାଭ କରିଥିଲା ଗଳ୍ପ, ଉପନ୍ୟାସ ଓ ନାଟକ ଆଦି ଗଦ୍ୟସମ୍ଭାର । କେବଳ ଓଡ଼ିଶାରେ କାହିଁକି ସାହିତ୍ୟର ଗତି ପଦ୍ୟରୁ ଗଦ୍ୟକୁ ତଥା କାବ୍ୟରୁ ଉପନ୍ୟାସକୁ ହୋଇଛି ସର୍ବତ୍ର ସର୍ବ ଭାଷାରେ । ପାଶ୍ଚାତ୍ୟ ଭୂଖଣ୍ଡରେ ଉନ୍ନତ ସଭ୍ୟତା ତଥା ସାହିତ୍ୟ ସର୍ବପ୍ରଥମେ ପ୍ରସ୍ଫୁଟିତ ହୋଇଥିଲା ଗ୍ରୀସ୍‌ରେ । ଗ୍ରୀସ୍‌ର ପ୍ରଥମ ସାହିତ୍ୟିକ କୃତି ହେଉଛି କବି ହୋମରଙ୍କର ଦୁଇଟି କାବ୍ୟ- “ଇଲିଅଡ୍” ଏବଂ “ଓଡ଼ିଶି”, ଏବଂ ଏହାର ପରେ ଯାଇ ବିକାଶଲାଭ କରିଥିଲା ଥୁସିଡାଇଡ୍‌ଙ୍କର ଐତିହାସିକ ବିବରଣୀ ଓ ପ୍ଲାଟୋଙ୍କର “ରିପବ୍ଲିକ୍” ଆଦି ଗଦ୍ୟ ଗ୍ରନ୍ଥମାଳା । ଠିକ୍ ସେହିପରି ଇଉରୋପ ମହାଦେଶରେ ବିଭିନ୍ନ ଭାଷାରେ ରଚିତ ହୋଇଥିଲା କାବ୍ୟଗ୍ରନ୍ଥ- ଗଦ୍ୟ ସାହିତ୍ୟ ରଚିତ ହେବା ବହୁ ଆଗରୁ ଏହି କାବ୍ୟମାନଙ୍କ ମଧ୍ୟରେ ରୋମାନ ସାମ୍ରାଜ୍ୟର ପ୍ରଖ୍ୟାତ କବି ଭର୍ଜିଲ୍‌ଙ୍କର ‘‘The Aeneid’’ ନାମକ ଏକ କାବ୍ୟ ଏବଂ ଫ୍ଲରେନ୍‌ସନିବାସୀ ବିଖ୍ୟାତ କବି ଡାଣ୍ଟେଙ୍କର “The Divine Comedy’’ ପ୍ରଧାନ । ଏହି ମହାକାବ୍ୟରେ ଦାନ୍ତେ ସ୍ଵର୍ଗ ଓ ନର୍କର ସୁବିସ୍ତୃତ ବର୍ଣ୍ଣନା କରିଅଛନ୍ତି, ଯାହା ହେଉଛି ଏକ ଚମତ୍କାର ରୂପକୀୟ ଚର୍ଚ୍ଚା- An alegorical demonstration । ହିନ୍ଦୁ ମତବାଦର ନର୍କ ସହିତ ଏ ଗ୍ରନ୍ଥରେ ବର୍ଣ୍ଣିତ ନର୍କର ସାମଞ୍ଜସ୍ୟ ଦୃଷ୍ଟେ Divine comedyର ଗୋଟିଏ ପଦ ଏଠାରେ ଉଦ୍ଧାର କରାଯାଇଅଛି । ନର୍କର ବର୍ଣ୍ଣନା କରିବାକୁ ଯାଇ ଦାନ୍ତେ ଲେଖିଛନ୍ତି-

 

Now again the rueful waiking to be heard

Now am I come where many a plaining voice

Smilēs on my ear Into a place I came

Where light was silent, all there groaned

Blossing a noise, of sea in tempest torn

By warring winds.The stormy blast of Hell.

 

ତା’ର ଭାବାର୍ଥ ହେଲା-

“ଭେଦିଯାଏ କର୍ଣ୍ଣେ ମୋର ଏବେ ପୁନଃପୁନଃ ଉଦ୍‌ଗତ ଆରତ ଚିତ୍‌କାର;

ଆସିଛି ମୁଁ ସେହି ସ୍ଥାନେ, ଯହିଁ ତୀବ୍ର ବେଦନାର ସ୍ୱର

ବିନ୍ଧଇ କର୍ଣ୍ଣ ଗହ୍ୱର ।

ଆସିଛି ମୁଁ ସେହି ସ୍ଥାନେ

ଯହିଁ ଅଛି ନିରନ୍ଧ୍ର ତିମିର

ଶୁଭଇ ବାତ୍ୟା-ବିକ୍ଷୁବ୍ଧ ସାଗର ଗର୍ଜନ

ଆନ୍ଦୋଳିତ ଘୋର ପ୍ରଭଞ୍ଜନର ଆଘାତେ–

ନର୍କର ସେ ଅମାନୁଷୀ ସ୍ଵର ।”

 

ଇଂରାଜୀ ଭାଷାରେ ମଧ୍ୟ ଗଦ୍ୟ ସାହିତ୍ୟର ଆବିର୍ଭାବ ପୂର୍ବରୁ ପ୍ରଥମତଃ ଆତ୍ମପ୍ରକାଶ କରିଥିଲା ପଦ୍ୟ ସାହିତ୍ୟ । ତନ୍ମଧ୍ୟରେ ଲବ୍ଧପ୍ରତିଷ୍ଠ ଲେଖକ ଚସରଙ୍କର “The canterbury Tales” ପ୍ରଧାନ । କାଣ୍ଟରବେରୀ ଚର୍ଚ୍ଚକୁ ଏକତ୍ର ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଦ୍ଵାରା ବର୍ଣ୍ଣିତ କାହାଣୀରାଜିର ଏ ଏକ ସମାବେଶ- ଚସରଙ୍କର ଭାଷାରେ ଏ ତୀର୍ଥଯାତ୍ରୀମାନଙ୍କର ବ୍ୟକ୍ତିତ୍ଵ ଆଉ ଚରିତ୍ର ବିଷୟରେ ଚସର ପ୍ରଥମେ ଏ ପୁସ୍ତକର ଭୂମିକାରେ ସୂଚନା ଦେଇଛନ୍ତି । ସେ ସମୟର ଅର୍ଥାତ୍ ୬୦୦ ବର୍ଷ ତଳର ଇଂରାଜୀ ଭାଷା ଓ ପଦ୍ୟରଚନାର ଶୈଳୀ କିପରି ଥିଲା, ଏହା ପାଠକମାନଙ୍କ ଅବଗତି ନିମିତ୍ତ ନିମ୍ନରେ ଜନୈକ ବୀରପୁରୁଷଙ୍କ (knight)ର ଚରିତ୍ର ବର୍ଣ୍ଣନାର କିୟଦଂଶ ଉଦ୍ଧାର କରାଯାଇଅଛି । (କେତେକ ଇଂରାଜୀ ଶବ୍ଦର ବନାନ ସେ ସମୟରେ କିପରି ଥିଲା ଏହା ଲକ୍ଷ୍ୟ କରିବାର କଥା ।)

 

“A knight there was, and that a worthy man

That from the tyme that he farst bigan

To ryden out, he loved chyvalrye,

Trought and honor, freedom and curtseie.”

 

ଅର୍ଥାତ୍– “ଜଣେ (ନାଇଟ୍) ବୀରପୁରୁଷ ଯେ କି ଥିଲେ ଜଣେ ଅତି ଉତ୍ତମ ଲୋକ । ସେ ଘୋଡ଼ସବାର ହେବା ବେଳରୁ ହିଁ ଜଣେ ମିଷ୍ଟଭାଷୀ ସତ୍ୟବାଦୀ, ସମ୍ମାନସ୍ପଦ, ସ୍ଵାଧୀନଚେତା, ସମ୍ଭ୍ରାନ୍ତ ବ୍ୟକ୍ତି ଥିଲେ ।” ଇଂରାଜୀ ସାହିତ୍ୟରେ ନାଟକ ମଧ୍ୟ ପ୍ରଥମେ ଖ୍ରୀଷ୍ଟୋଫର ମାର୍ଲୋଙ୍କ ଦ୍ୱାରା ରଚିତ ହୋଇଥିଲା ପଦ୍ୟରେ । ଏପରିକି ସେକ୍ସପିୟରଙ୍କର ସମସ୍ତ ନାଟକ ମଧ୍ୟ ରଚିତ ହୋଇଥିଲା ପଦ୍ୟରେ । ଠିକ୍ ସଂସ୍କୃତ ନାଟକ “ଅଭିଜ୍ଞାନ ଶକୁନ୍ତଳାମ୍” ପରି ।

 

ଏ ତ ଗଲା ପାଶ୍ଚାତ୍ୟ ଦେଶର କଥା । ଭାରତରେ ମଧ୍ୟ ଗଦ୍ୟ ସାହିତ୍ୟର ବହୁତ ଆଗରୁ ଜନ୍ମ ନେଇଥିଲା ପଦ୍ୟ ସାହିତ୍ୟ । ଏ ଭୂଖଣ୍ଡର ପ୍ରଥମ କବିତା ନିଃସୃତ ହୋଇଥିଲା ଶରବିଦ୍ଧ କ୍ରୌଞ୍ଚ ପକ୍ଷୀଟିଏ ଦେଖୁ ଦେଖୁ ଆଦିକବି ବାଲ୍ମିକୀଙ୍କର ମୁଖର ବିଷାଦ ଜର୍ଜରିତ ଭାଷାରେ “ମା ନିଷାଦ ପ୍ରତିଷ୍ଠାତ୍ୱମଗମଃ ଶାସ୍ଵତୀ ସମାଃ ଯତ୍ କ୍ରୌଞ୍ଚମିଥୁନାଦେକମବଧୀଃ କାମମୋହିତଂ ।” କହିବା ବାହୁଲ୍ୟ-ମହର୍ଷି ବାଲ୍ମିକୀଙ୍କ ମହାନ୍ କୃତି ସଂସ୍କୃତ ଭାଷାରେ ଲିଖିତ ମହାକାବ୍ୟ “ରାମାୟଣ” ହେଉଛି ଏ ଦେଶର ପ୍ରଥମ କାବ୍ୟ ସମ୍ଭାର । ରାମାୟଣ ମହାକାବ୍ୟର ବହୁତ ପରେ ଏବଂ ଶତାଧିକ କାବ୍ୟ ଓ କାବ୍ୟଚ୍ଛଟାରେ ନାଟକ ରଚିତ ହେବା ପରେ ସଂସ୍କୃତ ସାହିତ୍ୟରେ ଗଦ୍ୟର ସୂତ୍ରପାତ ହୋଇଥିଲା ‘ଚମ୍ପୂ’ ରଚନାରେ, ଯାହା ଥିଲା ଗଦ୍ୟପଦ୍ୟର ଏକ ସମନ୍ୱିତ ରଚନା । ‘ଚମ୍ପୂ’ର ସଂଜ୍ଞା ଦେବାକୁ ଯାଇ ଯଥାର୍ଥରେ କୁହାଯାଇଛି, “ଗଦ୍ୟ ପଦ୍ୟମୟ ବାକ୍ୟଂ ଚମ୍ପୂରିତ୍ୟଭିଧୀୟତେ ।” ତାପରେ ଯାଇ ସମ୍ପୂର୍ଣ୍ଣ ହୋଇଛି- ଯେଉଁ ଗ୍ରନ୍ଥମାନଙ୍କ ଭିତରେ ବାଣଭଟ୍ଟଙ୍କର ‘କାଦମ୍ବରୀ’ ହେଉଛି ଅନ୍ୟତମ । ଅବଶ୍ୟ ଗଦ୍ୟକୃତି ହେଲେହେଁ ଏହାର ଛତ୍ରେ ଛତ୍ରେ କାବ୍ୟଶୈଳୀର ଛାପ ପରିଲକ୍ଷିତ ।

 

ଓଡ଼ିଆ ସାହିତ୍ୟର କ୍ରମବିକାଶ ବିଷୟରେ ଆଲୋଚନା କରିବା ପୂର୍ବରୁ ଏହାର ବିଭିନ୍ନ ଯୁଗ ବିଷୟ ଉଲ୍ଲେଖ କରିବା ଆବଶ୍ୟକ । ଓଡ଼ିଆ ସାହିତ୍ୟକୁ ପାଞ୍ଚଗୋଟି ଯୁଗରେ ବିଭକ୍ତ କରାଯାଇଛି । ଏସବୁ ହେଲା- ଆଦିଯୁଗ, ସାରଳା ଯୁଗ, ପଞ୍ଚସଖା ଯୁଗ, ରୀତିଯୁଗ ଓ ଆଧୁନିକ ଯୁଗ । ଆଦିଯୁଗ ଖ୍ରୀଷ୍ଟୀୟ ନବମ ଶତାବ୍ଦୀଠାରୁ ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ପରିବ୍ୟାପ୍ତ । ଏହି ଯୁଗର ପ୍ରାରମ୍ଭରେ ବୌଦ୍ଧ ଓ ଦୋହା ବିପୁଳ କାୟା ବିସ୍ତାର କରି ରହିଥିଲା । କହିବା ନିଷ୍ପ୍ରୟୋଜନ ଏ ସମସ୍ତ ଥିଲା ପଦ୍ୟ ବିଶେଷ । ଏ ଗୋଷ୍ଠୀର ପ୍ରଥମ ସିଦ୍ଧକବି “ସରହପା”ଙ୍କ ରଚନାର ଗୋଟିଏ ପଦ ଏଠାରେ ଉଦ୍ଧାର କରାହେଲା :

 

“ଜହି ମନ ପବନ ନ ଚଂସରଇ, ରବି ସସି ନାହିଁ ପବେସ

ତହି ବଟଚିତ୍ତ ବିସାମକରୁ ସରେହେ କହିଅ ଭବେସ ।

ଘୋର ଅନ୍ଧାରେ ଚନ୍ଦ୍ରମଣି ଜମି ଉଦ୍‌ଯୋଅ କରଇ

ମରମ ମହାସୁଖ ଏଖୁକଣେ ଦୁରିଅ ଅଶେଷ ହରେଇ ।”

 

ସୂଚନାଯୋଗ୍ୟ ଏହା ହେଉଛି ସଂସ୍କୃତ ଭାଷା ପ୍ରକୃତ ଅର୍ଥାତ୍ ଓଡ଼ିଆ ବଂଗଳା ଆଦି ଭାଷାକୁ ବିବର୍ତ୍ତିତ ହେଉଥିବା ସମୟର ଭାଷା ।

 

ବୈଦ୍ଧଗାନ ଓ ଦୋହର ପରବର୍ତ୍ତୀ କାଳରେ ଓଡ଼ିଶାରେ ବିକାଶଲାଭ କରିଥିଲା “ନାଥ” ସାହିତ୍ୟ । ନାଥ ଧର୍ମର ଯୋଗୀମାନଙ୍କ ମଧ୍ୟରେ ହାଡ଼ିପା (ଯେ’କି ରାଜା ରିପୂଚନ୍ଦ୍ରଙ୍କର ହାଡ଼ି କାର୍ଯ୍ୟ କରୁଥିଲେ) ଥିଲେ ଏକ ମହାନ୍ ସାଧକ । ସେ ଥିଲେ ତଦୀୟ ପୁତ୍ର ଯୁବରାଜ ଗୋବିନ୍ଦଚନ୍ଦ୍ରଙ୍କର ଦୀକ୍ଷାଗୁରୁ, ଯେ କି ରାଜସିଂହାସନ ତ୍ୟାଗ କରି ଯୋଗୀ ହୋଇଯାଇଥିଲେ । ଏହି ଗୋବିନ୍ଦଚନ୍ଦ୍ରଙ୍କ ଜୀବନୀ ଉପରେ ପରବର୍ତ୍ତୀ କାଳରେ ଯଶୋବନ୍ତ ଦାସଙ୍କ ରଚିତ “ଗୋବିନ୍ଦ ଚନ୍ଦ୍ର ଗୀତ” ଓ ଯୋଗୀନ୍ଦ୍ର ବିପ୍ରଙ୍କ ରଚିତ “ଟୀକା ଗୋବିନ୍ଦ ଚନ୍ଦ୍ର” ଆଧାରିତ । ଏହି “ଟୀକା ଗୋବିନ୍ଦ ଚନ୍ଦ୍ର”କୁ ବିଶେଷ କରି ଯୋଗୀମାନେ କେନ୍ଦରା ବଜାଇ ଗାଇଥାନ୍ତି । ଯୋଗୀ ଗୋରେଖନାଥଙ୍କ ଦ୍ୱାରା ରଚିତ “ଶିଶୁବେଦ” ହେଉଛି ଏ କାଳର ନାଥଧର୍ମ ସମ୍ପର୍କୀୟ ସର୍ବଶ୍ରେଷ୍ଠ ରଚନା ଏବଂ ଏହି କାବ୍ୟିକ ରଚନାରୁ ନାଥଧର୍ମର ତତ୍ତ୍ୱ ଓ ତଥ୍ୟର ଅନେକ ସୂଚନା ମିଳିଥାଏ । ଯଥା :

 

“ଏକ ଯେ ହୋଇ ଦୁଇ ଅଲଗ ବିଲଗ

ନରହୁଁ ନିରନ୍ତର ସେହୁ ଅଲଗ

ସିଷୂମୁନା ମଧ୍ୟେ ସଯୋତି ପ୍ରକାଶ

ବଦନ୍ତି ନାଥେ ଯେଟି ସିଦ୍ଧଙ୍କର ବିଶୁଆସ ।”

 

ସିଦ୍ଧପୁରୁଷ ଗୋରେଖନାଥଙ୍କର ନାଥଦର୍ଶନ ପ୍ରଚାର ବିଷୟରେ ଅନେକଙ୍କ ତଥ୍ୟ ସାଧକ “ଚନ୍ଦ୍ର ସିଖର ନାଥ” ତାଙ୍କ ରଚିତ “ଗୋରେଖ ଗୀତା”ରେ ଲିପିବଦ୍ଧ କରିଯାଇଅଛନ୍ତି । “ଗୋରେଖ ଗୀତା” ପୂର୍ବରୁ ନାଥଧର୍ମ ବିଷୟରେ ଆଉ ଦୁଇଗୋଟି ପଦ୍ୟକୃତି “ଅମରକୋଷ ଗୀତା” ଓ “ମତ୍ସ୍ୟେନ୍ଦ୍ର ଗୀତା” ମଧ୍ୟ ରଚିତ ହୋଇଥିଲା । ଏସବୁ ଗୀତା ସାହିତ୍ୟର ରଚନା ତ୍ରୟୋଦଶ ଶତାବ୍ଦୀରେ ହୋଇଥିବାର ଅନୁମାନ କରାଯାଏ । ଏହି ଶତାବ୍ଦୀର ଶେଷାର୍ଦ୍ଧରେ ଅଳଙ୍କାର ଶାସ୍ତ୍ର “ସାହିତ୍ୟ ଦର୍ପଣ” ତଥା ଅନ୍ୟ କେତେକ ସଂସ୍କୃତ କାବ୍ୟ ଓ ନାଟକର ରଚୟିତା ଓଡ଼ିଶାର ସ୍ୱନାମଧନ୍ୟ କବି “ବିଶ୍ଵନାଥ କବିରାଜ” ପ୍ରାକୃତ ଭାଷାରେ ମଧ୍ୟ “କୁବଳାୟାଶ୍ୱ” ନାମକ ଏକ କାବ୍ୟ ରଚନା କରିଥିଲେ ।

 

ଓଡ଼ିଆ କବିମାନଙ୍କ ଦ୍ୱାରା ଏହାପରେ ରଚିତ ହୋଇଥିଲା ସଂସ୍କୃତରେ ଏକାଧିକ ଶୈବ ସାହିତ୍ୟ । ଏହି କାବ୍ୟକୃତି ମଧ୍ୟରେ “ଏକାମ୍ର ପୁରାଣ” ଏକ ମୁଖ୍ୟ ଗ୍ରନ୍ଥ, ଯାହା ଚତୁର୍ଦ୍ଦଶ ଶତାବ୍ଦୀର ରଚନା ବୋଲି କୁହାଯାଉଅଛି । ଏହି ସମୟରେ ନାରାୟଣାନନ୍ଦ ଅବଧୂତ ସ୍ୱାମୀଙ୍କ ଦ୍ଵାରା ପ୍ରଣୀତ “ରୁଦ୍ର ସୁଧାନିଧି”ର ଆବିର୍ଭାବ ଏକ ବିସ୍ମୟ- ଯାହା ଓଡ଼ିଆ ଭାଷାରେ ଗଦ୍ୟ ଶୈଳୀରେ ଲିଖିତ । ସେଥିପାଇଁ “ରୁଦ୍ର ସୁଧାନିଧି”କୁ ପ୍ରଥମ ଓଡ଼ିଆ ଗଦ୍ୟରଚନା ବୋଲି କୁହାଯାଇଥାଏ । ଦିନେ କପିଳାସରେ ଦେବଦେବ ମହାଦେବ ଦେବୀପାର୍ବତୀଙ୍କୁ ସିଦ୍ଧ ରୁଦ୍ରଗଣଙ୍କର ଦୋଷଗୁଣ ପରୀକ୍ଷା କରିବା ଲାଗି ଏକ ଅପୂର୍ବ ସୁନ୍ଦରୀ କନ୍ୟା ମନ ମଧ୍ୟରୁ ଜାତ କରିବା ପାଇଁ ଜିଜ୍ଞାସା କରିଥିଲେ । ଏହି ମାନସ କନ୍ୟାର ରୂପବର୍ଣ୍ଣନା ଗଦ୍ୟ ଶୈଳୀରେ ଅବଧୂତ ସ୍ୱାମୀ କିପରି କରିଛନ୍ତି- ଏହା ନିମ୍ନରେ ଉଲ୍ଲେଖ କରାଗଲା ।

 

“ଜଗତ ମୋହିଲା । ପୃଥିବୀ ମୋହିଲା, ପ୍ରାଣୀ

ମାନଙ୍କ ଧଉର୍ଯ୍ୟ ଉଡ଼ିଲା । ଆ... ଧନ୍ୟ ଧନ୍ୟ

କି ଭୂମି ଗତି ତିଥି । କି ବିଜୁଳିର କାନ୍ତି...” ଇତ୍ୟାଦି ।

 

ବାଣଭଟ୍ଟଙ୍କର ଗଦ୍ୟକୃତି ‘କାଦମ୍ୱରୀ’ର ଛାପ ଏହି ଗଦ୍ୟକୃତି ଉପରେ ପଡ଼ିଥିଲା ବୋଲି କୁହାଯାଇଥାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଯୁଗରେ ଉଦୟଗିରି ଓ ଧଉଳିଗିରି ଆଦି ପାହାଡ଼ର ଗୁମ୍ଫାମାନଙ୍କରେ ଖୋଦିତ ଶିଳାଲେଖ ତଥା ପୁରୀ ବଡ଼ ଦେଉଳରେ ଲିଖିତ ମାଦଳାପାଞ୍ଜି ମଧ୍ୟ ଏ ସମୟର ମହନୀୟ ଗଦ୍ୟ ସମ୍ଭାର ।

 

ଆଦି ଯୁଗ ପରେ ଓଡ଼ିଆ ସାହିତ୍ୟରେ ଆସିଥିଲା ସାରଳା ଯୁଗ । ବସ୍ତୁତଃ ପଞ୍ଚଦଶ ଶତାବ୍ଦୀର କବିମାନଙ୍କ ମଧ୍ୟରେ ସାରଳା ଦାସ ହେଉଛନ୍ତି ଅଗ୍ରଗଣ୍ୟ । ତେଣୁ ଏହି ଯୁଗକୁ ତାଙ୍କ ନାମରେ ନାମିତ କରାଯାଇଅଛି । ସାରଳା ଦାସଙ୍କ ଦ୍ୱାରା ରଚିତ ‘ମହାଭାରତ’ ଦାଣ୍ଡି ବୃତ୍ତରେ ଲିଖିତ । ଏହି ରଚନା ଶୈଳୀକୁ ଦାଣ୍ଡିବୃତ୍ତ ବୋଲି କୁହାଯାଇଥାଏ, ଯେହେତୁ ଏ କାବ୍ୟର ପଦ୍ୟସବୁ ଅସମାନ ସଂଖ୍ୟକ ଅକ୍ଷର ବିଶିଷ୍ଟ । କୁହାଯାଏ ଗଦ୍ୟଗ୍ରନ୍ଥ ‘ରୁଦ୍ର ସୁଧାନିଧି’ର ପ୍ରଭାବ ସାରଳା ଦାସଙ୍କ ଉପରେ ଅନେକାଂଶରେ ପଡ଼ିଥିଲା, ଯେଉଁଥିପାଇଁ ସେ ଦାଣ୍ଡିବୃତ୍ତରେ ମହାଭାରତ ରଚନା କରିଥିଲେ । ଏହି ଯୁଗରେ ଦୁଇଟି ମହତ୍ତ୍ୱପୂର୍ଣ୍ଣ ପଦ୍ୟକୃତି ହେଉଛି ବତ୍ସା ଦାସଙ୍କର ‘କଳସାଚଉତିଶା’ - ଯାହାକୁ ଓଡ଼ିଆ ସାହିତ୍ୟର ପ୍ରଥମ ଚଉତିଶାର ମାନ୍ୟତା ଦିଆଯାଇଛି । ଅନ୍ୟଟି ହେଉଛି କବି ମାର୍କଣ୍ଡ ଦାସଙ୍କର ‘କେଶବ କୋଇଲି’ । ଚଉତିଶା ପରି ‘କ’ଠାରୁ ‘କ୍ଷ’ ଯାଏଁ ୩୪ଟି ଅକ୍ଷରକୁ ଯଥାକ୍ରମେ ପ୍ରତ୍ୟେକ ପଦର ଆଦ୍ୟରେ ରଖି (ଯେଉଁଥିପାଇଁ ଏହାକୁ ଚଉତ୍ରିଶା ବା ଚଉତିଶା କୁହାଯାଇଥାଏ) ‘କୋଇଲି’ ପଦ୍ୟକୃତି ମଧ୍ୟ ଲିଖିତ ।

 

ସାରଳା ଯୁଗ ପରେ ଓଡ଼ିଆ ସାହିତ୍ୟରେ ପ୍ରବେଶ କରିଥିଲା ପଞ୍ଚସଖା ଯୁଗ । ବଳରାମ, ଜଗନ୍ନାଥ, ଅଚ୍ୟୁତ, ଅନନ୍ତ ଓ ଯଶୋବନ୍ତ ଦାସ । ଏହି ପାଞ୍ଚଜଣ କବି ହେଉଛନ୍ତି ଏହି ପଞ୍ଚସଖା । ବଳରାମ ଦାସଙ୍କ କୃତ ‘ଜଗମୋହନ ରାମାୟଣ’ ଓ ଜଗନ୍ନାଥ ଦାସଙ୍କ କୃତ ‘ଶ୍ରୀମଦ୍ ଭାଗବତ’ ତଥା ଅନ୍ୟାନ୍ୟ କୃତି ଓ ଅନ୍ୟ ସଖା କବିମାନଙ୍କର ‘ଶୂନ୍ୟସଂହିତା' ପରି ଏକାଧିକ କାବ୍ୟ ଓ ଚଉତିଶା ଏ ଯୁଗର ସୃଷ୍ଟି ମଧ୍ୟରେ ଅନ୍ୟତମ । ଅବଶ୍ୟ ଉପରୋକ୍ତ ପଞ୍ଚସଖାଙ୍କ ବ୍ୟତୀତ ଆହୁରି ଅନେକ କବି ସେମାନଙ୍କର ପଦ୍ୟକୃତିରେ ଏ ଯୁଗର ସାହିତ୍ୟକୁ ଋଦ୍ଧିମନ୍ତ କରିଥିଲେ- ଭଗବତ୍ ପ୍ରେମ ତଥା ଭକ୍ତି ରସରେ । ଏହି କାଳରେ ମଧ୍ୟ ରଚିତ ହୋଇଥିଲା ଏକ ଗଦ୍ୟଗ୍ରନ୍ଥ ‘ସୋମନାଥ ବ୍ରତକଥା', ଯାହା ଏବେ ବି ସୋମନାଥ ବ୍ରତ ପାଳନ ସମୟରେ ପାଠ କରାଯାଇଥାଏ । କିନ୍ତୁ ଏ ଗଦ୍ୟକୃତିର ଲେଖକ କିଏ ତାହା ଏଯାଏଁ ଜଣାପଡ଼ି ନାହିଁ । ‘ସୋମନାଥ ବ୍ରତକଥା’ ଛଡ଼ା ଏ ଯୁଗର ଆଉ ଦୁଇଟି ଗଦ୍ୟ ରଚନା ହେଉଛି ବଳରାମ ଦାସଙ୍କର ‘ବ୍ରହ୍ମଗୀତା’ ଏବଂ ଜଗନ୍ନାଥ ଦାସଙ୍କର ‘ତୁଳାଭିଣା’ । ଏ ଦୁଇଟି ରଚନାରେ ସୃଷ୍ଟିତତ୍ତ୍ୱ ବିଷୟ ବିଶଦ୍ ଭାବରେ ବର୍ଣ୍ଣିତ ହୋଇଅଛି ।

 

ପଞ୍ଚସଖା ଯୁଗ ପରେ ଓଡ଼ିଆ ସାହିତ୍ୟରେ ବିକାଶଲାଭ କରିଥିଲା ‘ରୀତିଯୁଗ’ – ପ୍ରାୟ ୧୬୫୦ ଖ୍ରୀଷ୍ଟାବ୍ଦରୁ ୧୮୮୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ । ‘ରୀତି’ର ଅର୍ଥ ହେଉଛି ବିଶିଷ୍ଟ ପଦରଚନା । କିନ୍ତୁ କାୟିକ ପଦଶୈଳୀ ବ୍ୟତୀତ ଏକ ବିଶିଷ୍ଟ ଅନ୍ତଃଶୈଳୀ ମଧ୍ୟ ରୀତିଯୁଗ କାବ୍ୟର ଏକ ବିଶେଷତ୍ଵ । ଛନ୍ଦ, ଯମକ ଆଦି ଶବ୍ଦାଳଙ୍କାର ସହିତ ଉପମା, ଉପମେୟ ପରିପୂର୍ଣ୍ଣ ଅର୍ଥାଳଙ୍କାରର ବ୍ୟବହାର ତଥା ଶୃଙ୍ଗାର ରସର ପ୍ରାଧାନ୍ୟ ରୀତିକାବ୍ୟର ବୈଶିଷ୍ଟ୍ୟ । ‘ରସକଲ୍ଲୋଳ’ର ରଚୟିତା ଦୀନକୃଷ୍ଣ ଦାସ ‘ପ୍ରେମ ପଞ୍ଚାମୃତ’ର ରଚୟିତା ଭୂପତି ପଣ୍ଡିତ, ବହୁ କାବ୍ୟର ବିନ୍ଧାଣୀ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ‘ଆଧ୍ୟାତ୍ମ ରାମାୟଣ’ର ରଚୟିତା ହଳଧର ପଟ୍ଟନାୟକ, ‘ବିଦଗ୍ଧ ଚିନ୍ତାମଣି’ର ରଚୟିତା ଅଭିମନ୍ୟୁ ସାମନ୍ତସିଂହାର, ଗଦ୍ୟରେ ଲିଖିତ ଗଳ୍ପସାହିତ୍ୟ ‘ଚତୁର ବିନୋଦ’ ତଥା ହିନ୍ଦୀ ଭାଷାରେ ପ୍ରଣୀତ ଏକ କାବ୍ୟ ସମେତ ‘ସମର ତରଙ୍ଗ' ଓ ଅନ୍ୟାନ୍ୟ ଅନେକ ଓଡ଼ିଆ କାବ୍ୟଗ୍ରନ୍ଥର ରଚୟିତା ବ୍ରଜନାଥ ବଡ଼ଜେନା, ‘ବିଚିତ୍ର ରାମାୟଣ’ର ରଚୟିତା ବିଶ୍ଵନାଥ ଖୁଣ୍ଟିଆ, ‘ମଥୁରା ମଙ୍ଗଳ’ ଏବଂ ‘ମନବୋଧ ଚଉତିଶା’ର ରଚୟିତା ଭକ୍ତଚରଣ ଦାସ, ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ କାବ୍ୟଗ୍ରନ୍ଥର ଲେଖକ ଯଦୁମଣି ମହାପାତ୍ର, ‘କିଶୋର ଚନ୍ଦ୍ରାନନ ଚମ୍ପୂ’ର ରଚୟିତା କବିସୂର୍ଯ୍ୟ ବଳଦେବ ରଥ ଏବଂ ‘ଗୋପାଳ କୃଷ୍ଣ ପଦ୍ୟାବଳି’ର ଲେଖକ କବି ଗୋପାଳକୃଷ୍ଣ ଆଦି ଉଲ୍ଲେଖଯୋଗ୍ୟ । ଶେଷୋକ୍ତ ଦୁଇ କବିଙ୍କ ରଚନାବଳି ଓଡ଼ିଆ ସାହିତ୍ୟରେ ଭରି ଦେଇଥିଲା ବଳିଷ୍ଠ ସଙ୍ଗୀତର ମୂର୍ଚ୍ଛନା-। କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ବାଲ୍ୟଗୁରୁ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ଏ ଯୁଗର ଜନୈକ ପ୍ରସିଦ୍ଧ କବି ଯେ କି ଗୌଡ଼ୀୟ ମତ ପ୍ରଣୋଦିତ ଅନେକ ଛାନ୍ଦ ପୁସ୍ତକ କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଶୈଳୀରେ ରଚନା କରିଥିଲେ; ଯଥା “ପ୍ରେମତରଙ୍ଗିଣୀ”, ଚୋର ଚୁଡ଼ାମଣି, ଯୁଗଳ ରସାମୃତ ଲହରୀ” ଓ ଆହୁରି ଅନେକ । ଏହି ଯୁଗର ଶେଷ ଭାଗରେ ଓଡ଼ିଶାରେ ଆବିର୍ଭୂତ ହୋଇଥିଲେ ଜନୈକ ମହାନ୍ ସାଧକ ମହିମା ଧର୍ମାବଲମ୍ବୀ ଚକ୍ଷୁହୀନ କବି ଭୀମ ଭୋଇ । ତାଙ୍କର ‘ସ୍ତୁତି ଚିନ୍ତାମଣି’ କାବ୍ୟ ଏପରିକି ଏହାର ଗୋଟିଏ ମାତ୍ର ପଦ-

 

“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ

ଦେଖୁ ଦେଖୁ କେ’ବା ସହୁ

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ଜଗତ ଉଦ୍ଧାର ହେଉ ।”

 

ତାଙ୍କୁ ଅମର କରି ରଖିଛି । “କହିବା ବାହୁଲ୍ୟ କେବଳ ‘ଚତୁର ବିନୋଦ’କୁ ବାଦ୍ ଦେଲେ ଉପରୋକ୍ତ ଅନ୍ୟ ସମସ୍ତ ଗ୍ରନ୍ଥରାଜି କେବଳ ହିଁ କାବ୍ୟକୃତି ।)

 

ରୀତିଯୁଗ ପରେ ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ଆବିର୍ଭାବ ହୁଏ ଇଂରେଜମାନେ ଓଡ଼ିଶାରେ ଶାସନ ପ୍ରତିଷ୍ଠା କରି ଇଂରାଜୀ ଭାଷା ଶିକ୍ଷାର ପ୍ରସାର କରିବା ପରେ- ଊନବିଂଶ ଶତାବ୍ଦୀରେ । ତେଣୁ ଆଧୁନିକ ଶିକ୍ଷା ତଥା ଇଂରେଜୀ ସାହିତ୍ୟର ପ୍ରଭାବ ଆଧୁନିକ ଓଡ଼ିଆ ସାହିତ୍ୟ ଉପରେ ସୁସ୍ପଷ୍ଟ । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଏକ ବୃହତ୍ ଛାପାଖାନା ‘ମିଶନ୍ ପ୍ରେସ୍’ କଟକରେ ପ୍ରତିଷ୍ଠା କରି ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶକୁ ଇଂରେଜମାନେ ତ୍ୱରାନ୍ୱିତ କରିଥିଲେ । କବିବର ରାଧାନାଥ ରାୟଙ୍କୁ ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟର ପ୍ରବର୍ତ୍ତକ ତଥା ବ୍ୟାସକବି ଫକୀରମୋହନଙ୍କୁ ଆଧୁନିକ ଗଦ୍ୟ ସାହିତ୍ୟର ପଥ ପ୍ରଦର୍ଶକ ରୂପେ ମାନ୍ୟତା ଦିଆଯାଇଛି । ଅବଶ୍ୟ ରାଧାନାଥଙ୍କର କାବ୍ୟରାଜିର ରଚନା ପୂର୍ବରୁ ଜଗନ୍ମୋହନ ଲାଲାଙ୍କର କାବ୍ୟ ‘ଭ୍ରମଭଞ୍ଜନ’ ତଥା ଗୋବିନ୍ଦ ରଥଙ୍କର ‘କବିତା ବିଳାପ’ ଓ ‘ପଦ୍ୟମଞ୍ଜରୀ’ ଆଦି ଏକାଧିକ କାବ୍ୟକୃତି ଏହି ଯୁଗରେ ରଚିତ ହୋଇଥିଲେହେଁ କବିବର ରାଧାନାଥ ରାୟଙ୍କୁ ଯେପରି ଆଧୁନିକ କାବ୍ୟ ସାହିତ୍ୟର ପ୍ରବର୍ତ୍ତକ ବୋଲି ସ୍ୱୀକାର କରାଯାଇଛି, ଠିକ୍ ସେହିପରି ଫକୀରମୋହନଙ୍କର ଉପନ୍ୟାସ ଓ ଗଳ୍ପରାଜିର ଆବିର୍ଭାବ ପୂର୍ବରୁ ରାଧାନାଥଙ୍କର ଏକ ପ୍ରବନ୍ଧ ‘ବିବେକୀ’ ଓ ଏହାପରେ ଏକ ଗଳ୍ପ ‘ଇତାଲୀୟ ଯୁବା’ ଗଦ୍ୟ ଆକାରରେ ରଚିତ ହୋଇଥିଲେ ହେଁ ଏବଂ ନାଟ୍ୟକାର ଜନନ୍ମୋହନ ଲାଲାଙ୍କର ପ୍ରଥମ ଓଡ଼ିଆ ନାଟକ ‘ବାବାଜି’ ତଥା ରାମଶଙ୍କର ରାୟଙ୍କର ଓଡ଼ିଆ ସାହିତ୍ୟର ଦ୍ୱିତୀୟ ନାଟକ ‘କାଞ୍ଚି କାବେରୀ’ ଏବଂ ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସ ଉମେଶ ଚନ୍ଦ୍ର ସରକାରଙ୍କର ‘ପଦ୍ମମାଳୀ’ ଏବଂ ଏହାପରେ ରାମଶଙ୍କର ରାୟଙ୍କର ଉପନ୍ୟାସ ‘ବିବାସିନୀ’ ରଚିତ ହୋଇଥିଲେ ହେଁ ଫକୀରମୋହନଙ୍କୁ ଓଡ଼ିଆ ଗଦ୍ୟ ସାହିତ୍ୟର ପଥ ପ୍ରଦର୍ଶକ ବୋଲି ସ୍ୱୀକୃତି ଦିଆଯାଇଅଛି – ଯଥାକ୍ରମେ ସେମାନଙ୍କର (ରାଧାନାଥ ଓ ଫକୀରମୋହନଙ୍କର) କାବ୍ୟକୃତି ଓ ଗଦ୍ୟକୃତିର ବିଶାଳତା ତଥା ରଚନାଶୈଳୀର ଉତ୍କର୍ଷ ଯୋଗୁଁ । ପ୍ରକାଶଥାଉ କି ବ୍ୟାସକବି ଫକୀରମୋହନ ଗଦ୍ୟରଚନାରେ ବ୍ରତୀ ହେବା ପୂର୍ବରୁ ପ୍ରଥମତଃ ରଚନା କରିଥିଲେ ଏକାଧିକ କାବ୍ୟକବିତା, ଯଥା- ‘ଉପହାର’ ଓ ‘ପୁଷ୍ପମାଳୀ’ ଆଦି କ୍ଷୁଦ୍ର କବିତା ତଥା ‘ଉତ୍କଳ ଭ୍ରମଣ' ନାମକ ଏକ ଦୀର୍ଘ ପଦ୍ୟକୃତି ଏବଂ ‘ବୌଦ୍ଧାବତାର' ନାମକ ଏକ କାବ୍ୟ ତଥା ‘ରାମାୟଣ’ ଓ ‘ମହାଭାରତ’ର ପଦ୍ୟାନୁବାଦ– ଯେଉଁଥିପାଇଁ ତାଙ୍କୁ ‘ବ୍ୟାସକବି’ ଆଖ୍ୟା ଦିଆଯାଇଥିଲା ।

 

କବିବର ରାଧାନାଥଙ୍କର ଆଦର୍ଶରେ ଯେଉଁ ସ୍ୱନାମଧନ୍ୟ କବିମାନେ ଲେଖନୀ ଚାଳନା କରିଥିଲେ, ସେମାନଙ୍କ ମଧ୍ୟରେ ଭକ୍ତକବି ମଧୁସୂଦନ ରାଓ, ସ୍ଵଭାବକବି ଗଙ୍ଗାଧର ମେହେର, ପଲ୍ଲୀକବି ନନ୍ଦକିଶୋର ବଳ, କବିଶେଖର ଚିନ୍ତାମଣି ମହାନ୍ତି, କବି ବଳଭଦ୍ର ବହିଦାର, ପଣ୍ଡିତ ବୈଷ୍ଣବ ମହାପାତ୍ର (ଢେଙ୍କାନାଳ) ତଥା ଗଦ୍ୟଲେଖକ ଗୋପାଳଚନ୍ଦ୍ର ପ୍ରହରାଜ । ଏହାପରେ ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଥିଲେ ସତ୍ୟବାଦୀ ଯୁଗର ଲେଖକଗଣ- ପଣ୍ଡିତ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର ତଥା ଆଚାର୍ଯ୍ୟ ହରିହର- ପୁନଶ୍ଚ ପଞ୍ଚସଖା । ଉଭୟ ପଦ୍ୟ ଓ ଗଦ୍ୟ ସାହିତ୍ୟକୁ ସେମାନଙ୍କର ଅବଦାନ ଅତୁଳନୀୟ ଏବଂ ପଦ୍ୟସାହିତ୍ୟ ଅପେକ୍ଷା ଗଦ୍ୟ ସାହିତ୍ୟକୁ ସେମାନଙ୍କର ଅବଦାନ ବରଂ ବେଶୀ । ଏହି ପରିପ୍ରେକ୍ଷୀରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ଉପନ୍ୟାସ ‘୧୮୧୭’ ଦୁଇଟି ଇଂରାଜୀ ଉପନ୍ୟାସର ଅନୁସରଣରେ ଲିଖିତ ‘ଘଟାନ୍ତର’ ଓ ‘ଅଭାଗିନୀ’ ତଥା ‘ପାଣୁମିଶ୍ରେ’, ‘ତୋଳାକନ୍ୟା’ ଆଦି ଏକାଧିକ ଗଳ୍ପ ଏବଂ ‘ମୁକୁନ୍ଦଦେବ’ ଓ ‘ପୁରୁଷୋତ୍ତମ ଦେବ’ ନାମକ ଦୁଇଗୋଟି ନାଟକ ତାଙ୍କର ଉତ୍କୃଷ୍ଟ ଗଦ୍ୟକୃତିର ନିଦର୍ଶନ । ଓଡ଼ିଆ ସାହିତ୍ୟର ଏହି ଭିନ୍ନମୋଡ଼, ଅର୍ଥାତ୍ କାବ୍ୟକବିତା ସୃଷ୍ଟିଠାରୁ ଗଳ୍ପ, ନାଟକ ଏବଂ ଉପନ୍ୟାସ ସୃଷ୍ଟିର ବରିଷ୍ଠତା ଏହି ସମୟରୁ ଅବ୍ୟାହତ ରହିଆସିଛି ଏଯାବତ୍ । କହିବା ବାହୁଲ୍ୟ ସେମାନଙ୍କ ଦ୍ୱାରା ରଚିତ ଏକାଧିକ ଅମୂଲ୍ୟ ଲେଖା ମଧ୍ୟରେ ଗୋପବନ୍ଧୁଙ୍କର ‘ବନ୍ଦୀର ଆତ୍ମକଥା’ ଓ ନୀଳକଣ୍ଠଙ୍କର ‘କୋଣାର୍କ’ କାବ୍ୟଦ୍ୱୟ ଅନ୍ୟତମ । ଉପରୋକ୍ତ ପଞ୍ଚସଖାଙ୍କ ବ୍ୟତୀତ ଅନ୍ୟ ଯେଉଁ ସାହିତ୍ୟରଥୀମାନଙ୍କୁ ସେମାନଙ୍କର ଚିନ୍ତାଧାରା ତଥା ରଚନା ପରିପାଟୀ ଦୃଷ୍ଟିରୁ ସତ୍ୟବାଦୀ ଗୋଷ୍ଠୀର ସହଯାତ୍ରୀ ବୋଲି ଧରାଯାଇପାରେ, ସେମାନେ ହେଲେ ‘ଶାନ୍ତିଧାରା’ ପ୍ରବନ୍ଧ ସଙ୍କଳନର ଲେଖକ ବାସୁଦେବ ମହାପାତ୍ର, ପ୍ରାବନ୍ଧିକ ଅଧ୍ୟାପକ ବିପିନ ବିହାରୀ ରାୟ ଏବଂ ଅଧ୍ୟାପକ ରତ୍ନାକର ପତି, ‘ବନ୍ଦେ ଉତ୍କଳ ଜନନୀ’ ଜାତୀୟ ସଙ୍ଗୀତର ରଚୟିତା ତଥା ଓଡ଼ିଶାର ପ୍ରଥମ ହାସ୍ୟରସାତ୍ମକ ଉପନ୍ୟାସ ‘କଣାମାମୁଁ’ର ଲେଖକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟ କବି ବୀରକିଶୋର ଦାସ ଏବଂ ବାଞ୍ଛାନିଧି ମହାନ୍ତି, ‘ନୀଳାଚଳେ ନେତ୍ରେ ନୀର’ ଆଦି ପଦ୍ୟକୃତିର ଲେଖକ ପଦ୍ମଭୂଷଣ ରାଧାନାଥ ରଥ, ‘ବ୍ରହ୍ମଚର୍ଯ୍ୟ’ ଗ୍ରନ୍ଥର ଲେଖକ ପଣ୍ଡିତ ଚନ୍ଦ୍ରଶେଖର ମିଶ୍ର, ‘ଦେବଦେବଙ୍କ ଦୁର୍ଗତି’ ଆଦି ପୁସ୍ତକର ଲେଖକ ଶ୍ରୀଯୁକ୍ତ ଚିନ୍ତାମଣି ମିଶ୍ର, ‘ପ୍ରତିଜ୍ଞା’ ଆଦି ନାନାଦି କାବ୍ୟକବିତା ଏବଂ ପ୍ରବନ୍ଧ ରଚୟିତା ତଥା ପ୍ରବନ୍ଧ ରଚନା ପାଇଁ ଉତ୍କଳ ସାହିତ୍ୟ ସମାଜ ଦ୍ୱାରା ସପ୍ତବାର ପୁରସ୍କୃତ ଖଣ୍ଡପଡ଼ା ନିବାସୀ ପଣ୍ଡିତ ଭୁବନେଶ୍ଵର ମିଶ୍ର, ‘ସାମାଜିକ ମାମଲା’ (ଉପନ୍ୟାସ), ଶ୍ରୀକୃଷ୍ଣ ବିଳାସ (କାବ୍ୟ), ସରଳ ଗୀତା ତଥା ଅନେକ ଶିଶୁଗଳ୍ପ ପୁସ୍ତକର ରଚୟିତା ଏବଂ “Around the world in Eighty days’’ ଓ ‘‘A trip to the Moon’’ ଆଦି ଏକାଧିକ ଇଂରାଜୀ ଉପନ୍ୟାସର ଅନୁବାଦକ ପଣ୍ଡିତ ଗଣେଶ୍ୱର ମିଶ୍ର, ସଂସ୍କୃତ ପଦ୍ୟାବଳି “ଋତୁସଂହାର”ର ଅନୁବାଦ ଏବଂ Walter Scotଙ୍କର ‘‘Lady of the Lake’’ ଅନୁସରଣରେ ଲିଖିତ “କାବ୍ୟ ସରସୁନ୍ଦରୀ” ଏକ (ଗଦ୍ୟ) ରମ୍ୟରଚନା “ବୈଠକ ମହଲ” ତଥା ଏକାଧିକ କବିତାର ରଚୟିତା ତଦୀୟ ଭ୍ରାତା ଶିକ୍ଷାବିତ୍ ଚନ୍ଦ୍ରଶେଖର ମିଶ୍ର ଏବଂ ସର୍ବୋପରି “ବିଦ୍ରୋହ”, “ବନ୍ଦୀର ମାୟା”, “ବୀର ଯୁବକ” ଆଦି ଉପନ୍ୟାସ ତଥା “ଉଠ କଙ୍କାଳ” ପରି ଛନ୍ଦମୟ କବିତାରାଜି ଓ ଏକାଧିକ ଶକ୍ତିଶାଳୀ କ୍ଷୁଦ୍ରଗଳ୍ପର ଲେଖକ କବି ଗୋଦାବରୀଶ ମହାପାତ୍ର ଅନ୍ୟତମ-

 

ସତ୍ୟବାଦୀ ଅଧିଯୁଗ ଓ ସମସାମୟିକ ଅଧିଯୁଗ ମଧ୍ୟ ଭାଗରେ ଯେଉଁ କେତେକ ଲେଖକ ସବୁଜଧର୍ମୀ ବୋଲି ଅଭିହିତ, ସେମାନେ ହେଲେ ଯୁଗାନ୍ତକାରୀ ଉପନ୍ୟାସ ‘ମାଟିର ମଣିଷ’ର ଲେଖକ କାଳିନ୍ଦୀ ଚରଣ ପାଣିଗ୍ରାହୀ, “କାବ୍ୟ ସଞ୍ଚୟନ”ର କବି ବୈକୁଣ୍ଠ ନାଥ ପଟ୍ଟନାୟକ, ଢେଙ୍କାନାଳର ସୁଯୋଗ୍ୟ ସନ୍ତାନ Indian Civil Service ପଦାଧିକାରୀ ଓଡ଼ିଆ ଭାଷାରେ କବିତା ଓ ଗଦ୍ୟର ଏକ ସଙ୍କଳନ “ସବୁଜ ଅକ୍ଷର”ର ରଚୟିତା ତଥା ବଙ୍ଗଳା ସାହିତ୍ୟର ସ୍ୱନାମଧନ୍ୟ ଲେଖକ ଅନ୍ନଦାଶଙ୍କର ରାୟ, ପ୍ରଶାସକ ଶରତ ଚନ୍ଦ୍ର ମୁଖର୍ଜୀ ଏବଂ ନ୍ୟାୟମୂର୍ତ୍ତି ହରିହର ମହାପାତ୍ର । କଟକର ରେଭେନ୍ସା କଲେଜରେ ଅଧ୍ୟୟନ କରୁଥିବା ସମୟରେ ଏମାନେ “ନନ୍‌ସେନ୍‌ସ କ୍ଲବ” ନାମକ ଏକ ସାହିତ୍ୟ ଅନୁଷ୍ଠାନ ଗଠନ କରି ସମସ୍ତେ କିଛି କିଛି ପୃଷ୍ଠା ଲେଖିକରି “ବାସନ୍ତୀ” ନାମକ ଏକ ଉପନ୍ୟାସ ରଚନା କରିଥିଲେ । ଏହି ପଞ୍ଚସଖାଙ୍କ ସମସାମୟିକ ଯେଉଁ କେତେକ ଲେଖକଙ୍କୁ ସେମାନଙ୍କ ଲେଖାର ଧାରା ତଥା ଶୈଳୀ ଓ ଭାବ ଦୃଷ୍ଟିରୁ ଏକ ସବୁଜ ନୂତନ, ଯଥା ପ୍ରାକ୍ ସମସାମୟିକ ନତୁବା ଉତ୍ତର ସବୁଜ ସାହିତ୍ୟ ଗୋଷ୍ଠୀ ନାମରେ ନାମିତ କରାଯାଇପାରେ, ସେମାନେ ହେଲେ ଲେଖିକା ସୁଶ୍ରୀ ସରଳା ଦେବୀ (ଯାହାଙ୍କ ଦ୍ୱାରା ଲିଖିତ କି ପୃଷ୍ଠା ବାସନ୍ତୀ ଉପନ୍ୟାସରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଅଛି), ସୁଶ୍ରୀ ଅନ୍ନପୂର୍ଣ୍ଣା ଦେବୀ, ସୁଶ୍ରୀ କୁନ୍ତଳା କୁମାରୀ ସାବତ ଓ ସୁଶ୍ରୀ ସୀତା ଦେବୀ ଖାଡ଼ଙ୍ଗା ତଥା କବି ପଦ୍ମଚରଣ ପଟ୍ଟନାୟକ, ଗଳ୍ପଲେଖକ ବାଙ୍କନିଧି ପଟ୍ଟନାୟକ, “ପ୍ରତିଭା” ଉପନ୍ୟାସ ତଥା ଏକାଧିକ ପ୍ରବନ୍ଧ ଇତିହାସ ପୁସ୍ତକର ଲେଖକ ଡକ୍ଟର ହରେକୃଷ୍ଣ ମହତାବ, ଏକାଧିକ କାବ୍ୟକବିତାର କବି ଡକ୍ଟର ମାୟାଧର ମାନସିଂହ, ନାଟ୍ୟକାର କବିଚନ୍ଦ୍ର ପଟ୍ଟନାୟକ, ଅଶ୍ୱିନୀ କୁମାର ଘୋଷ ଓ କାର୍ତ୍ତିକ କୁମାର ଘୋଷ, ଗୀତିନାଟ୍ୟ ରଚୟିତା ବୈଷ୍ଣବ ପାଣି, ତଥା ଏକାଧାରରେ ସଙ୍ଗୀତ, ନାଟକ, ଛାନ୍ଦ ଓ ଗଦ୍ୟରଚନା (ଆଖଡ଼ା ଘରେ ବୈଠକ)ର ଲେଖକ କୃଷ୍ଣପ୍ରସାଦ ବସୁ, “କାବ୍ୟନାୟିକା” ଓ “ଉତ୍କଳିକା” ଆଦି ଏକାଧିକ କାବ୍ୟ କବିତା ସଙ୍କଳନର ପ୍ରଣେତା କବି ରାଧାମୋହନ ଗଡ଼ନାୟକ, “ଅଂଶୁପା’’ କାବ୍ୟ ଏବଂ “ମାତୃମୁକ୍ତି ମୁକ୍ତାବଳି” ଆଧୁନିକ ସଂସ୍କୃତ କାବ୍ୟର ରଚୟିତା ଅଧ୍ୟାପକ ଜୟକୃଷ୍ଣ ମିଶ୍ର ଓ କବି ଡକ୍ଟର କୁଞ୍ଜବିହାରୀ ଦାଶ ଆଦି ଲେଖକବୃନ୍ଦ । ତେବେ ସବୁଜ ଅଧିଯୁଗ ଓ ସମସାମୟିକ ଅଧିଯୁଗ ମଧ୍ୟରେ ଥିବା ସୀମାରେଖା ଏତେ ସୂକ୍ଷ୍ମ ଯେ ସମସାମୟିକ ଯୁଗର କେତେକ ଲେଖକଙ୍କୁ ଉଭୟ ଯୁଗର ଲେଖକ ଭାବରେ ଗ୍ରହଣ କରାଯାଇପାରେ । ଏପରିକି “ଚିତ୍ରଗ୍ରୀବ’ ଉପନ୍ୟାସର ଲେଖକ ତଥା “ପାଣ୍ଡୁଲିପି” ସମେତ ବହୁ କାବ୍ୟକୃତିର ବିନ୍ଧାଣୀ ସଚ୍ଚି ରାଉତରାୟ, ଯାହାଙ୍କୁକି ଏ ପ୍ରବନ୍ଧକାର ସମସାମୟିକ (ଅତ୍ୟାଧୁନିକ) କାବ୍ୟ କବିତା ରଚୟିତାଙ୍କର ପଥପ୍ରଦର୍ଶକ ବୋଲି ମନେକରେ ସେ ମଧ୍ୟ ଉପରୋକ୍ତ ଯୁଗ୍ମଗୋଷ୍ଠୀରେ ଅନ୍ତର୍ଭୁକ୍ତ ହୋଇପାରନ୍ତି– ଉପନ୍ୟାସ କ୍ଷେତ୍ରରେ ପ୍ରଶାସକ ଭ୍ରାତୃଦ୍ଵୟ କାହ୍ନୁଚରଣ ଓ ଗୋପୀନାଥ ମହାନ୍ତି, କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ଅଧ୍ୟାପକ ରାଜକିଶୋର ରାୟ, ଅଧିବକ୍ତା ରାଜକିଶୋର ପଟ୍ଟନାୟକ ଓ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ଏବଂ ନାଟକ ତଥା ଏକାଙ୍କିକା କ୍ଷେତ୍ରରେ ନାଟ୍ୟକାର କବିଚନ୍ଦ୍ର ଓ ଅଧ୍ୟାପକ ପ୍ରାଣବନ୍ଧୁ କରଙ୍କ ପରି । ତେବେ କବି ସଚ୍ଚି ରାଉତରାୟଙ୍କର ସମସାମୟିକ ତଥା ପରବର୍ତ୍ତୀ ଲେଖକମାନଙ୍କ ମଧ୍ୟରୁ ଅଧିକାଂଶ ସମ୍ପ୍ରତି ଜୀବିତ ଓ ଲିଖନରତ । ତେଣୁ ସେମାନଙ୍କ ବିଷୟରେ ଏ ପ୍ରବନ୍ଧରେ କିଛି ନ ଲେଖିବା ପାଇଁ ଉଚିତ ମନେକରୁଅଛୁ ।

 

ପରିଶେଷରେ ଏତିକି କୁହାଯାଇପାରେ ଯେ, ଆଦିଯୁଗରୁ ସମସାମୟିକ ଯୁଗ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟର ଯେଉଁ ପ୍ରଗତି ହୋଇଛି, ଏହା ଓଡ଼ିଆ ଜାତି ପାଇଁ ଯେ ଅତୀବ ଗର୍ବ ଓ ଗୌରବର କଥା ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ସଂକ୍ଷେପରେ କୁହାଯାଇପାରେ- ଏ ପ୍ରଗତି ହୋଇଛି ପଦ୍ୟରଚନାରୁ ଗଦ୍ୟରଚନାକୁ, ଶବ୍ଦାଡ଼ମ୍ୱର ତଥା କ୍ଲିଷ୍ଟ ରଚନାଶୈଳୀରୁ ସରଳତା ଆଡ଼କୁ, ନାଟକ କ୍ଷେତ୍ରରେ ସଙ୍ଗୀତରୁ ସଂଳାପକୁ ତଥା ଆତ୍ମିକ ସ୍ତରରେ ପୌରାଣିକ ଗାଥାରୁ ସାମାଜିକ କଥାକୁ, ସମାଜର ରାଜା ଜମିଦାରଙ୍କଠାରୁ ସାଧାରଣ ମଣିଷ ନିକଟକୁ, ପୁଣି ସାମାଜିକ ଜୀବନରୁ ବ୍ୟକ୍ତି ଜୀବନକୁ, ମାତ୍ର ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ବିବର୍ତ୍ତନ ନାମରେ ନିଚ୍ଛକ ଗଦ୍ୟ ଢାଞ୍ଚାରେ କାବ୍ୟ କବିତାର ରଚନା ଏବଂ ସାଙ୍କେତିକତା ଆଳରେ ଅସ୍ପଷ୍ଟ ତଥା କ୍ଲିଷ୍ଟ ରଚନାଶୈଳୀ ଓ ଅଜବ ଚିତ୍ରକଳ୍ପ ଆଦି ପଛରେ ଧାଇଁ ପୁଣି ସରଳତାଠାରୁ ଦୂରକୁ ଦୂରକୁ ଚାଲିଯାଉଛି । ସର୍ବୋପରି ଦୃଶ୍ୟମାନ ଚଳଚ୍ଚିତ୍ର ତଥା ନାଟକରେ ଏବଂ ବିଶେଷ କରି ଗ୍ରାମାଞ୍ଚଳରେ ପ୍ରଦର୍ଶିତ ହେଉଥିବା ଅପେରାରେ ଶାଳୀନତାରୁ ଅଶ୍ଳୀଳତା ଆଡ଼କୁ ଏବଂ ପ୍ରାୟତଃ ସମସ୍ତ ସାହିତ୍ୟିକ ବିଭାବର ଗତି ବାସ୍ତବବାଦ ନାମରେ ଆଦର୍ଶରହିତ ଓ ଅବରୋହଣଗାମୀ ହୋଇଉଠିଛି । ଅବଶ୍ୟ ଅଧିକାଂଶ ସମସାମୟିକ ଔପନ୍ୟାସିକ ଏବଂ ନାଟ୍ୟକାର ଉପନ୍ୟାସ ବା ନାଟକର ଶେଷ ଭାଗରେ ନାଟକ ନ୍ୟୟ (Poetic justice) ନାମରେ ଖଳନାୟକର ପତନ ଓ ଶାସ୍ତିର ବିଧାନ କରି ରଚନାର ଶୀର୍ଷଦୃଶ୍ୟ (climax)ଟିକୁ ଆଦର୍ଶମୟ କରି ଗଢ଼ିତୋଳୁଛନ୍ତି । ତେବେ ଜଣେ ଆଜୀବନ ଦସ୍ୟୁ ଠିକ୍ ମୃତ୍ୟୁ ପୂର୍ବରୁ ତାର ପୁତ୍ରମାନଙ୍କୁ ପାଖକୁ ଡାକି ସେମାନେ ଜୀବନରେ ତା ପରି ଦସ୍ୟୁ ନ ହେବା ପାଇଁ ଉପଦେଶ ଦେବା ପରି ଏହା ମନେହୁଏ । ସତରେ କ’ଣ ଏ ଉପଦେଶ ଦସ୍ୟୁ ପୁତ୍ରମାନଙ୍କର ଜୀବନଧାରାକୁ ପରିବର୍ତ୍ତିତ କରିପାରିବ ? କହିବା ନିଷ୍ପ୍ରୟୋଜନ ଯେ, ଉପନ୍ୟାସ ଓ ନାଟକମାନଙ୍କରେ ଖଳନାୟକର ସ୍ଫୀତ ଭୂମିକା ତଥା ବହୁଧା ଅପକର୍ମର ଚିତ୍ରଣ ଅଧିକାଂଶ ପାଠକ ଆଉ ଦର୍ଶକଙ୍କର ମନକୁ ବିଶେଷ କରି ବିକାଶଶୀଳ କିଶୋର ଓ ଯୁବଗୋଷ୍ଠୀର ମନକୁ ଗ୍ରାସ କରି ଦେଇଥାଏ ଓ ସଂକ୍ଷିପ୍ତ ଶୀର୍ଷଦୃଶ୍ୟର ଆଦର୍ଶମୟ ପ୍ରଭାବ ସମୁଦ୍ରକୁ ଶଙ୍ଖେ ପାଣି ପରି ବାସ୍ତବ କ୍ଷେତ୍ରରେ ଅନ୍ତଃସାରଶୂନ୍ୟ ହୋଇ ପଡ଼ିଥାଏ– ଠିକ୍ ଉପରୋକ୍ତ ଦସ୍ୟୁର ଅନ୍ତିମ ଉପଦେଶ ପରି । ଏହା ପ୍ରଣିଧାନଯୋଗ୍ୟ, ସାହିତ୍ୟ ଶବ୍ଦର ଉତ୍ପତ୍ତି ଦୁଇ ପ୍ରକାରର ବୋଲି ଭାଷାବିଦ୍‌ମାନେ କହିଅଛନ୍ତି । ଗୋଟିଏ ହେଉଛି “ସହ-ଇତ (ସହିତ) + ଯ” ଓ ଅନ୍ୟଟି ହେଉଛି “ସମ+ହିତ+ଯ” । ପ୍ରଥମୋକ୍ତ ଅର୍ଥରେ ସାହିତ୍ୟ ହେଉଛି ସଂଯୋଜନ ବା ମିଳନ କରାଇବାର ଏକ ସେତୁ ଏବଂ ଦ୍ୱିତୀୟ ଅର୍ଥରେ ହେଉଛି ସମ୍ୟକ୍ ହିତସାଧନରତ ରଚନା ବା ଲେଖା – ଅବଶ୍ୟ କୌଣସି ବ୍ୟକ୍ତିବିଶେଷର ନୁହଁ, ସମାଜର । ତେଣୁ ସାହିତ୍ୟର ଧର୍ମ ହେଉଛି ସମାଜ ସହିତ ପାଠକର ମନ ଓ ହୃଦୟର ମିଳନ ତଥା ସମାଜର ସମ୍ୟକ ହିତସାଧନ । ସେହି ଦୃଷ୍ଟିରୁ ସମସାମୟିକ କବି ଓ ଲେଖକ ତଥା ସାହିତ୍ୟ ସ୍ରଷ୍ଟାଗଣ ସାହିତ୍ୟର ଅଗ୍ରଗତିର ସାର୍ଥକତା ପ୍ରତିପାଦନ କରିବା ପାଇଁ ସମାଜର ତଥା ଜନସାଧାରଣଙ୍କର କଲ୍ୟାଣ ତଥା ଉତ୍ତରଣ ପାଇଁ ସତତ ଚେଷ୍ଟିତ ହେବା ଉଚିତ । ଆଉ ଗୋଟିଏ କଥା । ଉପନ୍ୟାସ, ନାଟକ ଓ କାବ୍ୟ କବିତାରେ କଳ୍ପନା ବିଳାସ ନିଶ୍ଚୟ ଅଭିନନ୍ଦନୀୟ ଓ ସେହିଥିରେ ହିଁ ମନଗଢ଼ା (fiction) ସାହିତ୍ୟର ଉତ୍ତରୋତ୍ତର ଉନ୍ନତି ପର୍ଯ୍ୟବସିତ । କିନ୍ତୁ କଳ୍ପନାର ଫାଶରେ ପୌରାଣିକ ଗାଥା ତଥା ଐତିହାସିକ ତଥ୍ୟକୁ ବାନ୍ଧିବାର ଅପଚେଷ୍ଟା କାହିଁକି ? ସେଥିରେ ଗାଥା ଓ ତଥ୍ୟ ବିକୃତ ଓ କଳୁଷିତ ହୋଇ ଉଠିଥାଏ । ତେଣୁ ସମସାମୟିକ କବି ନାଟ୍ୟକାର ଓ ଲେଖକମାନଙ୍କୁ ଅନୁରୋଧ, କଳ୍ପନାର ପରୀକ୍ଷା ନିରୀକ୍ଷା କଲାବେଳେ ପୌରାଣିକ ତଥା ଐତିହାସିକ ଚରିତ୍ରମାନଙ୍କୁ ସେଥିରୁ ବାଦ୍ ଦେବା ଉଚିତ । ଏହା ଉଭୟ ସୃଜନଶୀଳ ସାହିତ୍ୟର ଉତ୍ତରଣ ତଥା ଗାଥା ଓ ତଥ୍ୟର ସତ୍ୟ-ସଂରକ୍ଷଣ ପାଇଁ ଅପରିହାର୍ଯ୍ୟ ।

 

ପ୍ରାକ୍ତନ ଅତିରିକ୍ତ ସଚିବ, ଅର୍ଥ ବିଭାଗ, ଓଡ଼ିଶା

ପ୍ଲଟ୍ ନଂ. ପି. ପି. ୧୦୮

ପାଣ୍ଡବ ନଗର, ଭୁବନେଶ୍ୱର

***

 

ଓଡ଼ିଆ ଲୋକସାହିତ୍ୟରେ ଓଡ଼ିଆଣୀର ବ୍ୟବହୃତ ବସ୍ତ୍ର : ଏକ ଦୃଷ୍ଟିପାତ

ଡକ୍ଟର ସୀମାଞ୍ଚଳ ପ୍ରଧାନ

 

ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ବସ୍ତ୍ରର ବିକାଶ ଯେ ଆଜି ଚରମ ସୀମାରେ ପହଞ୍ଚିଛି କହିବା ଅନାବଶ୍ୟକ । ବସ୍ତ୍ରକୁ ମନୁଷ୍ୟ କେଉଁ ସମୟରୁ ପରିଧାନ କରି ଶିଖିଲା, ତା’ର ନିର୍ଦ୍ଦିଷ୍ଟ ସମୟ କହିବା କଷ୍ଟସାପେକ୍ଷ । ଆଦିମଣିଷ ନିଜକୁ ଖରା, ବର୍ଷା, ଶୀତ, କାକର ଦାଉରୁ ରକ୍ଷା କରିବା ନିମିତ୍ତ ଗଛର ବକ୍‌କଳ କିମ୍ୱା ମୃତ ପଶୁର ଚମଡ଼ାକୁ ବ୍ୟବହାର କରୁଥିଲା । ଆଦିମ ମଣିଷର ପରିଧେୟ ତା’ର ଶାରୀରିକ ସୁରକ୍ଷା ପାଇଁ ଯେ ମୁଖ୍ୟତଃ ଉଦ୍ଦିଷ୍ଟ ଥିଲା, କହିବା ବାହୁଲ୍ୟ ମାତ୍ର ।

 

ପ୍ରାଚୀନ ଭାରତୀୟ ଚିତ୍ରକଳାକୁ ଅନୁଧ୍ୟାନ କଲେ ଉଭୟ ନାରୀ ଓ ପୁରୁଷ ବସ୍ତ୍ର ପରିଧାନ କରୁଥିବା ଦେଖାଯାଏ । ପୁରୁଷ ଓ ନାରୀର ବସ୍ତ୍ର ପରିଧାନ ପରିପାଟୀ ଅବଶ୍ୟ ସମ୍ପୂର୍ଣ୍ଣ ପୃଥକ୍ । ପ୍ରାଚୀନ କାଳରୁ ଆଞ୍ଚଳିକ ଭେଦରେ ନାରୀମାନେ ବିଭିନ୍ନ ଢଙ୍ଗରେ ବସ୍ତ୍ର ପରିଧାନ କରୁଥିବା ଲକ୍ଷ୍ୟ କରାଯାଏ । ଉଦାହରଣ ସ୍ଵରୂପ “ରାବଣଛାୟାର ଭିତ୍ତିଚିତ୍ରରେ ନାରୀର ବସ୍ତ୍ର ପରିଧାନ ସମ୍ପୂର୍ଣ୍ଣ ପୃଥକ୍ ଧରଣର । ଏଥିରେ ଏକ କଟିବସ୍ତ୍ର ଦେଖାଯାଏ ଏବଂ ଉପରିଭାଗ ପାଇଁ ଉତ୍ତରୀୟ ବ୍ୟବହୃତ । ଏହି ବସ୍ତ୍ର ପରିଧାନ ପରିପାଟୀ ଅଜନ୍ତା ଚିତ୍ର ସହିତ ସାମଞ୍ଜସ୍ୟ ରକ୍ଷା କରିଥିବା ପରିଦୃଷ୍ଟ । ମାତ୍ର ଉତ୍କଳୀୟ ଚିତ୍ରକଳାରେ ଏପରି ବସ୍ତ୍ର ପରିଧାନ ଆଉ ଦେଖାଯାଏ ନାହିଁ । (୧) ଉତ୍କଳୀୟ କଳା ଓ ଭାସ୍କର୍ଯ୍ୟର ଶିରୋଭୂଷା କୋଣାର୍କ ଗାତ୍ରରେ ଥିବା ଏକ ବିଧବା ନାରୀର ଶରୀରରେ ଓଢ଼ଣା ଥିବା ଦେଖାଯାଏ । କିନ୍ତୁ କୌଣସି ଚିତ୍ରପଟ ଓ ପୋଥି ମଧ୍ୟରେ ନାରୀର ମସ୍ତକ ବସ୍ତ୍ରଦ୍ୱାରା ଆବୃତ ହେବାର ଦେଖାଯାଏ ନାହିଁ । (୨) ଭାରତୀୟ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ସାହିତ୍ୟରେ ନାରୀମାନଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ ବସ୍ତ୍ର ସମ୍ପର୍କରେ ଉଲ୍ଲେଖ ଅଛି । କିନ୍ତୁ ଏ ସମସ୍ତ ବସ୍ତ୍ରର ନାମ କରଣରୁ ଜଣାଯାଏ ଯେ ଗୋଟିଏ ବସ୍ତ୍ର ଅନ୍ୟବସ୍ତ୍ର ଠାରୁ ନିଶ୍ଚିତ ରୂପେ ସ୍ୱତନ୍ତ୍ର । ଏହା ସମ୍ପର୍କରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇପାରେ ।

 

ଆଧୁନିକ ରମଣୀମାନଙ୍କ ପୋଷାକ ଠାରୁ ପ୍ରାଚୀନ ଓଡ଼ିଶାର ନାରୀମାନଙ୍କର ପୋଷାକରେ କେତେକ ପାର୍ଥକ୍ୟ ପରିଦୃଷ୍ଟ । ଏହା ହେବା ମଧ୍ୟ ସ୍ୱାଭାବିକ । ନାରୀ ଲଜ୍ଜାନିବାରଣ କରିବାଠାରୁ ଆରମ୍ଭ କରି ତା’ର ଶରୀରକୁ ଆକର୍ଷଣୀୟ କରିବା ନିମନ୍ତେ ବିଭିନ୍ନ ବସ୍ତ୍ର ପରିଧାନ କରିଥାଏ । ଏହି ବସ୍ତ୍ର ତା’ର ଶରୀରର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେଣୁ ଚୀନ୍ ଦେଶରେ ଗୋଟିଏ ପ୍ରବାଦ ଅଛି- ନାରୀ- ସୌନ୍ଦର୍ଯ୍ୟର ଏକତୃତୀୟାଂଶ ପ୍ରକୃତିଦତ୍ତ ହେଲାବେଳେ ଅବଶିଷ୍ଟାଂଶ ବିଭିନ୍ନ ପୋଷାକ ଦ୍ୱାରା ହିଁ ହୋଇଥାଏ । (୩) ନାରୀ ଶରୀରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ଯେ ବସ୍ତ୍ର ମୁଖ୍ୟସ୍ଥାନ ଗ୍ରହଣ କରିଅଛି ତା’ ସମ୍ପର୍କରେ ବିଭିନ୍ନ ଲୋକୋକ୍ତି ଥିବା ଜଣାଯାଏ । (୪) ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ବସ୍ତ୍ର ମିଳେ । ନାରୀ ତା’ର ରୁଚି ଅନୁଯାୟୀ ବିଭିନ୍ନ ଅଞ୍ଚଳରୁ ବସ୍ତ୍ର ସଂଗ୍ରହ କରୁଥିବା ଓଡ଼ିଆ ଲୋକସାହିତ୍ୟରୁ ସ୍ପଷ୍ଟ ଉପଲବ୍ଧି କରିହୁଏ ।

 

୧.

ଉତ୍କଳର ଚିତ୍ରକଳା- ବିନୋଦ କାନୁନ‌୍‌ଗୋ, ପୃଷ୍ଠା ୪୫ ।

୨.

ତତ୍ରୈବ- ପୃଷ୍ଠା ୪୫ ।

 

ଏହି ବସ୍ତ୍ର ପରିଧାନ ଶୈଳୀ ଆଞ୍ଚଳିକ ଭେଦରେ ବିଭିନ୍ନ ଧରଣର । ନାରୀର ବସ୍ତ୍ର ପରିଧାନ ପରିପାଟୀରୁ ସେ କେଉଁ ଅଞ୍ଚଳରେ ନାରୀ ତାହା ସହଜରେ ଜାଣିହୁଏ । ଦୃଷ୍ଟାନ୍ତ ସ୍ୱରୂପ ମରହଟ୍ଟା ରମଣୀମାନଙ୍କର କାଣିଆ କଚ୍ଛା ଓ ବସ୍ତ୍ରାଞ୍ଚଳର ଶେଷ ଭାଗରେ ଗଣ୍ଠି ପକାଇଥିବା ଚିତ୍ରରୁ ସେମାନଙ୍କୁ ନିର୍ଦ୍ଦିଷ୍ଟ ସଂପ୍ରଦାୟର ରମଣୀ ବୋଲି ଚିହ୍ନଟ କରିବାରେ ଅସୁବିଧା ହୁଏ ନାହିଁ । ସେହିପରି ଉତ୍କଳୀୟ ରମଣୀମାନଙ୍କର ବିଭିନ୍ନ କିସମର ବସ୍ତ୍ର ଓ ସେଗୁଡ଼ିକର ପରିପାଟୀକୁ ଲକ୍ଷ୍ୟ କଲେ ସେମାନଙ୍କୁ ଖାଣ୍ଟି ଓଡ଼ିଆ ଘରର ନାରୀ ବୋଲି ସହଜରେ ଚିହ୍ନଟ କରିହେବ ।

 

ପ୍ରାଚୀନ ଓଡ଼ିଶାର ମୂର୍ତ୍ତିକଳା, ପଟ୍ଟଚିତ୍ର, ତାଳପତ୍ର ପୋଥି ଓ ପ୍ରାଚୀନ ସାହିତ୍ୟକୁ ଲକ୍ଷ୍ୟ କଲେ ଏ ଦେଶର ନାରୀମାନେ ଯେ ବସ୍ତ୍ରପ୍ରିୟ ଏହା ନିର୍ଦ୍ୱର୍ନ୍ଦ୍ୱରେ କୁହାଯାଇପାରିବ । ଶ୍ରେଣୀ ଭେଦରେ ନାରୀମାନେ ବିଭିନ୍ନ ପ୍ରକାର ବସ୍ତ୍ର ପରିଧାନ କରିଥାନ୍ତି । ଏହି ବସ୍ତ୍ର ଲମ୍ୱା, ଚଉଡ଼ା, ମୋଟା, ପତଳା ଏବଂ ବିଭିନ୍ନ ରଙ୍ଗରେ ରଞ୍ଜିତ । ରୁଚି ଅନୁଯାୟୀ ନାରୀ ଏ ସବୁର ବ୍ୟବହାର କରିଥାଏ । ଓଡ଼ିଆ ଲୋକସାହିତ୍ୟରୁ ମିଳୁଥିବା ବସ୍ତ୍ରଗୁଡ଼ିକ ମୁଖ୍ୟତଃ ପାଞ୍ଚ ଭାଗରେ ବିଭକ୍ତ । ସେଗୁଡ଼ିକ ଯଥାକ୍ରମେ ପାଟ, ଶାଢ଼ୀ, ଲୁଗା, ଛିଟ, ନେତ । ‘ପାଟ’ ସାଧାରଣତଃ ଧନୀ ପରିବାରର ନାରୀମାନେ ବ୍ୟବହାର କରିଥାନ୍ତି । ସାଧାରଣ ପରିବାରର ନାରୀମାନଙ୍କଠାରେ ଅନ୍ୟାନ୍ୟ ଶାଢ଼ୀ ଓ ଲୁଗାର ବ୍ୟବହାର ଦେଖିବାକୁ ମିଳେ ।

 

(୩)

A study of woman of Bengal- page 335

(୪)

(i)

A Sindhi proverb says ‘‘As the wall so painting, as the face so the adornment, However well dressed a woman may be, her nature remains the same.’’

 

(ii)

French says “An ape’s an ape, a varlet’s a varlet through she be dresst in silks and scarlet.’’

(A study of woman of Bengal- page-335)

(୫)

(କ)

“ଆଜି ଗୁରୁବାର କନ୍ଦରାପାରି ହାଟ

ଝିଅ ଜେମାଦେଈ ଓଗାଳୁ ଥିଲେ ବାଟ

ହାଟ ଲେଉଟାଣି ଆଣିବିରେ କଳାମେଘୀ ପାଟ ।”

(ହଳିଆ ଗୀତ- ପ.ଗୀ.ସଂ (୩ୟ ଭାଗ) ପୃଷ୍ଠା ୨୫୧)

 

(ଖ)

ମଣିଷକୁ ବିଶ୍ୱାସ ନାହିଁ – ଲୋ.ଗ.ସଂ. ପୃଷ୍ଠା ୮୫ ।

 

(ଗ)

ଦୁତୀୟା ଓଷା କଥା- ଓ.ଓ.ବ୍ର. କଥା, ପୃଷ୍ଠା ୧୨ ।

 

ଓଡ଼ିଶାର ନାରୀମାନେ ବ୍ୟବହାର କରୁଥିବା ପାଟ ମଧ୍ୟରେ କଳାମେଘୀ ପାଟ (୫), ଦକ୍ଷିଣୀ ପାଟ (୬), ଝିଲିମିଲି ପାଟ (୭), ସମ୍ୱଲପୁରୀ ପାଟ (୮), ସିନ୍ଦୂରା ପାଟ (୯), କଳାପାଟ (୧୦), ଫୁଲପକା ପାଟ (୧୧), ପୀତାମ୍ୱରୀ ପାଟ (୧୨), କ୍ଷୀରୋଦର ପାଟ (୧୩). ଜଉରଙ୍ଗ ପାଟ (୧୪), ବସନ୍ତ ପାଟ (୧୫), ଜୁଗୁଣିପାଟ (୧୬), ବଉଳପାଟ (୧୭), ଚିତ୍ରମୁଖୀ ପାଟ (୧୮), ରଙ୍ଗପାଟ ( ୧୯), ମୁଗେଇ ପାଟ (୨୦), ବରମପୁରି ପାଟ (୨୧), ନେତ୍ରପାଟ ( ୨ ୨), ଚିତ୍ରମେଘୀ ପାଟ (୨୩), ମୁଗୁନି ପାଟ (୨୪), ନୂଆପାଟଣାପାଟ (୨୫) ପ୍ରଭୃତି ଉଲ୍ଲେଖନୀୟ ।

 

(୬)

“କୁମ୍ଭପକା ଶାଢ଼ୀ ଦକ୍ଷିଣୀ ପାଟ ଲୋ ବୋଉ

କାଲିଠାରୁ ଭାଙ୍ଗିଯିବ ମୋ ଆଣ୍ଟ ।”

କାନ୍ଦଣା- ପ.ଗୀ.ସଂ (ପ୍ରଥମ ଭାଗ), ପୃଷ୍ଠା ୮o ।

(୭)

ମେଘ ଅସୁରିଏ ବରଷି ଦେଲା କଟକ ମଝିଦାଣ୍ଡରେ ଲୋ;

ଝିଲିମିଲି ପାଟ କାଦୁଅ ହେଲା ଭାଇ, ସାବେହ ହୁରି ଖେଳରେ ଲୋ ।”

ଦୋଳିଗୀତ- ପ.ଗୀ.ସଂ (ପ୍ରଥମ ଭାଗ) ପୃଷ୍ଠା ୧୭୭ ।

(୮)

“କୂଅରେ ପଡ଼ିଲା ତାଟ

କହି ପଠାଇଲେ ଦେଇ ପଠାଇବୁ

ସମ୍ୱଲପୁରିଆ ପାଟ ।” (ତତ୍ରୈବ, ପୃଷ୍ଠା ୧୭୭)

(୯)

ଲକ୍ଷ୍ମୀ ବନ୍ଦନା- ତତ୍ରୈବ, ପୃଷ୍ଠା ୨୮୬ ।

(୧୦)

“କଳାପାଟ ଯେ ଦେବୀଙ୍କ ଘୋଡ଼ଣି

କଳାଛତି ଯେ ଦେବୀଙ୍କ ଆଢ଼େଣି

କଳାମେଘୀ ଶାଢ଼ୀ ପିନ୍ଧନ୍ତି ନାରୀ

ମଧୁର କଣ୍ଠ କଳାବର୍ଣ୍ଣ ସାରି ।”

କଥାରେ କେ ଯିବ କୃଷ୍ଣଙ୍କୁ ଜିଣି । (ତତ୍ରୈବ- ପୃଷ୍ଠା ୬୧୦)

(୧୧)

“ଯାଇଥିଲି ହାଟ

କହିଥିଲେ ଆଣିଥାଆନ୍ତି, ଫୁଲପକା ପାଟ ।” (ପୁବେଇ ଗୀତ, ତତ୍ରୈବ, ପୃଷ୍ଠା ୫୦୩ ।)

(୧୨)

(କ) “ଛାଡ଼ ଛାଡ଼ ଘରେ ଯିବି ନଣନ୍ଦ ନ କରଗୋ ନାଟ

ତୁମ ପାଇଁ ଆଣିଛି ମୁଁ ପୀତାମ୍ୱରୀ ପାଟ ।” (କଳାଜହ୍ନ- ପ.ଗୀ.ସଂ., ତତ୍ରୈବ, ପୃଷ୍ଠା ୫୨୭)

(ଖ) କାପେତା କାପେତୀ କଥା, ଲୋ.ଗ.ସଂ. - ପୃଷ୍ଠା-୬୨

(୧୩)

ମରିଚା -ପ.ଗୀ.ସଂ (ତୃତୀୟ ଭାଗ), ପୃଷ୍ଠା ୮୭ ।

(୧୪)

ତତ୍ରୈବ, ପୃଷ୍ଠା ୮୭ ।

(୧୫)

ତତ୍ରୈବ, ପୃଷ୍ଠା ୮୭ ।

(୧୬)

ଚହଟ କନିଆଁ କାଇଁ - ତତ୍ରୈବ, ପୃଷ୍ଠା ୩୦୧ ।

(୧୭)

କେମିତି ପାହିବ ଲୋ ଚତୁଃଚାରିମାସ- ପ.ଗୀ.ସଂ (ଦ୍ୱିତୀୟ ଭାଗ) ପୃଷ୍ଠା ୬୯ ।

(୧୮)

ବରକନ୍ୟାଙ୍କୁ ଆଣିବା ମଂଗଳ- ଉ.ଗା.ଗୀ, ପୃଷ୍ଠା ୧୫୩ ।

(୧୯)

ଦୋଳିଗୀତ- ପ.ଗୀ.ସଂ (ଦ୍ୱିତୀୟ ଭାଗ) ପୃଷ୍ଠା ୨୦୧ ।

(୨୦)

ଶହେ ଭେଣ୍ଡିଆରେ ଫୁଲଚାଙ୍ଗୁରି- ପ.ଗୀ.ସଂ (ଦ୍ୱିତୀୟ ଭାଗ) ପୃଷ୍ଠା ୫୦୮ ।

(୨୧)

ଭାତ ଫୁଟୁଥିଲା ଟକର ମକର- ତତ୍ରୈବ, ପୃଷ୍ଠା ୫୦୧ ।

(୨୨)

ସୀତାଙ୍କ ଅଯୋଧ୍ୟା ବିଜେ- ଉ.ଗା.ଗୀ, ପୃଷ୍ଠା ୩୫ ।

(୨୩)

ବରକନ୍ୟାଙ୍କୁ ଆଣିବା ମଙ୍ଗଳ– ତତ୍ରୈବ, ପୃଷ୍ଠା ୧୫୩ ।

(୨୪)

ଲୋକବାଣୀ ସଞ୍ଚୟନ (ଦ୍ୱିତୀୟ ଭାଗ) ପୃଷ୍ଠା ୧୦୧ ।

(୨୫)

ରଜଦୋଳି ଗୀତ- ଉ.ସା.ଗୀ, ପୃଷ୍ଠା ୧୬୯

 

‘ପାଟ’ ସାଧାରଣ ପରିବାରର ନାରୀମାନେ ବ୍ୟବହାର କରୁଥିବା ଓଡ଼ିଆ ଲୋକସାହିତ୍ୟରେ ପରିଦୃଷ୍ଟ ହୁଏ ନାହିଁ । ପାଟବସ୍ତ୍ରର ମୂଲ୍ୟ ସାଧାରଣ ବସ୍ତ୍ରଠାରୁ ଖୁବ୍ ବେଶୀ । ତେଣୁ ସମ୍ଭ୍ରାନ୍ତ ପରିବାରର ନାରୀମାନେ କେବଳ ଏହା ବ୍ୟବହାର କରିଥାନ୍ତି । ସେହି ସମୟରେ ଏହା ଥିଲା ଆଭିଜାତ୍ୟର ସଙ୍କେତ । ‘ପାଟ’ ଦୈନନ୍ଦିନ ବସ୍ତ୍ର ରୂପେ ବ୍ୟବହୃତ ହେବା ଦେଖାଯାଏ ନାହିଁ । ସାଧାରଣତଃ ଏହା ପୂଜା, ପର୍ବ, ଓଷା-ବ୍ରତ, ଯାନିଯାତ୍ରା ପ୍ରଭୃତି ଦିନମାନଙ୍କରେ ପରିଧାନ କରାଯାଇଥାଏ । ଏହା ବିଭିନ୍ନ ରଙ୍ଗ ଓ ବିଭିନ୍ନ ଚିତ୍ରବିଶିଷ୍ଟ ଥିବା ଦୃଷ୍ଟିଗୋଚର ହୁଏ । ନାରୀର ରୁଚି ଓ ପସନ୍ଦ ଅନୁଯାୟୀ ଏହା ବୁଣାଯାଉଥିବା ନିମ୍ନୋକ୍ତ ଲୋକଗୀତରୁ ସ୍ପଷ୍ଟ ହୋଇଥାଏ ।

 

“ବୁଣିବ କ୍ଷୀରୋଦରା ପାଟ ପାଟରା ହୋ ବୁଣିବ ବସନ୍ତପାଟ

ବୁଣିବ ଜଉରଙ୍ଗ ପାଟ ପାଟରା ହୋ, ହୀରା, ନୀଲା ସପତସୁରା ।” (୨୬)

-କିମ୍ୱା-

କଳାମେଘୀ ପାଟର ଦୁଇମୁଣ୍ଡେ ଦଶି

ପାଟ ପାରିଦେବୁ ପାଟରାରେ ଯାଉଁଳି ଆମ୍ୱକଷି ।” (୨୭)

 

ଓଡ଼ିଶାରେ ମୁଖ୍ୟତଃ କଳା, ନୀଳ, ହଳଦିଆ, ଲାଲ ଓ ଧଳାରଙ୍ଗର ପାଟ ଦେଖିବାକୁ ମିଳେ । ଅନ୍ୟାନ୍ୟ ପାଟ ମଧ୍ୟରେ ବ୍ରହ୍ମପୁରୀ ପାଟ ଓ ସମ୍ୱଲପୁରୀ ପାଟ ସର୍ବୋତ୍କୃଷ୍ଟ । ସମ୍ୱଲପୁରୀ ପାଟର ଚାହିଦା ସେ ସମୟର ନାରୀ ସମାଜରେ କିପରି ଆଦୃତ ଥିଲା ତାହା ନିମ୍ନୋକ୍ତ ଲୋକଗୀତିରୁ ଉପଲବ୍ଧି କରିହୁଏ ।

 

“କୂଅଁରେ ପଡ଼ିଲା ତାଟ

କହି ପଠାଇଲେ ଦେଇ ପଠାଇବୁ

ସମ୍ୱଲପୁରିଆ ପାଟ ।”(୨୮)

 

ଏହି ପାଟବସ୍ତ୍ରଗୁଡ଼ିକର ମୁହଁ ସବୁକୁ କୁମ୍ଭ ପ୍ରଭୃତି ଚିତ୍ର ବାନ୍ଧକଳା ସାହାଯ୍ୟରେ ବୁଣାଯାଏ-। ନାରୀ ଦେହର ରଂଗକୁ ନେଇ ସାଧାରଣତଃ ପାଟ ମନୋନୀତ କରାଯାଏ । ଗୋରା ଦେହକୁ ‘ବେଲବରାଇ’ ଓ କଳାଦେହକୁ ‘ମୁଗୁନିପାଟ’ ବେଶ୍ ଆକର୍ଷଣୀୟ ଦେଖାଯାଏ । ଲୋକକବି ମୁଖରେ ଏହାର ସୌନ୍ଦର୍ଯ୍ୟ କିପରି ପ୍ରକାଶିତ ତାହା ନିମ୍ନଲିଖିତ ଲୋକଗୀତିରୁ ଲକ୍ଷ୍ୟ କରାଯାଇପାରେ ।

 

“କାଳି ଗୁରୀ ଦିହେଁ ଚାଲନ୍ତି ବାଟ

କାଳି ପିନ୍ଧିଥିଲା ମୁଗୁନି ପାଟ

ଗୁରୀ ପିନ୍ଧିଥିଲା ବେଲବରାଇ

ଦେଖିଲେ କୁମର ଢଳି ପଡ଼ଇ ।” (୨୯)

 

(୨୬)

ମରିଚା- ପ.ଗୀ.ସଂ. (ତୃତୀୟ ଭାଗ), ପୃଷ୍ଠା ୮୭ ।

(୨୭)

ହଳିଆ ଗୀତ- ତତ୍ରୈବ, ପୃଷ୍ଠା ୨୫୧ ।

(୨୮)

ଦୋଳିଗୀତ- ପ.ଗୀ.ସଂ (ପ୍ରଥମ ଭାଗ) ପୃଷ୍ଠା ୧୭୭

(୨୯)

ଲୋକବାଣୀ ସଞ୍ଚୟନ (ଦ୍ଵିତୀୟ ଭାଗ) ପୃଷ୍ଠା ୧୦୧ ।

 

ପାଟବସ୍ତ୍ର ବ୍ୟତୀତ ସାଧାରଣ ପରିବାରଠାରୁ ଆରମ୍ଭ କରି ସମ୍ଭ୍ରାନ୍ତ ପରିବାରର ନାରୀମାନେ ବିଭିନ୍ନ ପ୍ରକାର ଶାଢ଼ୀ ପରିଧାନ କରିବାରେ ଆଗ୍ରହ ପ୍ରକାଶ କରିଥାନ୍ତି । ଭାରତୀୟ ନାରୀ ହଳଦିଆ ଓ ଗୋଲାପୀ ରଙ୍ଗର ବସ୍ତ୍ର ପରିଧାନ ପ୍ରତି ଅଧିକ ଆକୃଷ୍ଟ ଥିବା ଲକ୍ଷ୍ୟ କରାଯାଏ । (୩୦) ଓଡ଼ିଶାରେ ମଧ୍ୟ ଏହି ରଙ୍ଗ ପ୍ରତି ନାରୀମାନଙ୍କର ଅଧିକ ପ୍ରବଣତା ଦେଖାଯାଏ । ଓଡ଼ିଆ ଲୋକସାହିତ୍ୟରେ ବିଭିନ୍ନ ପ୍ରକାର ଡିଜାଇନ୍ ଓ ବିଭିନ୍ନ ରଙ୍ଗୀନ୍ ବସ୍ତ୍ରର ଉଲ୍ଲେଖ ଦେଖିବାକୁ ମିଳେ-। ନାରୀର ବୟସ ଓ ରୁଚି ଅନୁଯାୟୀ ସେଗୁଡ଼ିକର ବ୍ୟବହାର ମଧ୍ୟ ଏଥିରୁ ସଂଗ୍ରହ କରାଯାଇପାରେ । ଏହି ଶାଢ଼ୀ ମୋଟା ଓ ପତଳା ଭେଦରେ ଦ୍ୱିବିଧ । ଆଲୋଚ୍ୟ ସାହିତ୍ୟରେ ଉଲ୍ଲିଖିତ ଶାଢ଼ୀଗୁଡ଼ିକ ମଧ୍ୟରେ ମେଘଡ଼ମ୍ୱରୁ ଶାଢ଼ୀ (୩୧), କଳାଶାଢ଼ୀ (୩୨), କୁମ୍ଭପକା ଶାଢ଼ୀ (୩୩), କଟକିଆ ଶାଢ଼ୀ (୩୪), ଆଖୁପତରିଆ ଶାଢ଼ୀ (୩୫), ଆଲପକା ଶାଢ଼ୀ (୩୬), କଳାବୋଇତ (୩୭), କଳାମେଘୀ ଶାଢ଼ୀ (୩୮), ନୀଳଶାଢ଼ୀ (୩୯), ଟସର ଶାଢ଼ୀ (୪୦), ମେଘନାଦ ଶାଢ଼ୀ (୪୧), ଦକ୍ଷିଣୀ ଶାଢ଼ୀ (୪୨), ହିନ୍ଦୋଳ ଶାଢ଼ୀ (୪୩), ଫୁଲଫୁଟା ଶାଢ଼ୀ (୪୪), ତଉଁରି ଶାଢ଼ୀ (୪୫), ହରଗଉରୀ ଶାଢ଼ୀ (୪୬), ବ୍ରହ୍ମପୁର ଶାଢ଼ୀ (୪୭), କଳାକୁମ୍ଭ

 

(୩୦)

A study of woman of Bengal- page- 335-336

(୩୧)

(କ) ଯେ ଝିଅ ଲଙ୍କା ଜିତିଲା- ଲୋ.ଗ.ସଂ; ପୃଷ୍ଠା ୨୫୧ ।

 

(ଖ) ଯୋଗୀ ଗୀତ (ପ.ଗୀ.ସଂ) ପ୍ରଥମ ଭାଗ; ପୃଷ୍ଠା-୪୧ ।

(୩୨)

ଲୋକବାଣୀ ସଞ୍ଚୟନ (ତୃତୀୟ ଭାଗ) ପୃଷ୍ଠା ୩୨ ।

(୩୩)

କାନ୍ଦଣା- ପ.ଗୀ.ସଂ (ପ୍ରଥମ ଭାଗ) ପୃଷ୍ଠା ୮o ।

(୩୪)

ତତ୍ରୈବ, ପୃଷ୍ଠା ୧୦୬ ।

(୩୫)

ଦୋଳିଗୀତ- ପ.ଗୀ.ସଂ (ପ୍ରଥମ ଭାଗ), ପୃଷ୍ଠା ୧୪୧ ।

(୩୬)

ତତ୍ରୈବ, ପୃଷ୍ଠା ୧୯୧ ।

(୩୭)

(କ) ପୁଅକୁ ପିନ୍ଧାଏ ପାଟପତନୀ ଲୋ

ଝିଅକୁ ପିନ୍ଧାଏ ନେତ

ଆପେ ପିନ୍ଧିଥାଏ କଳାବୋଇତ ଲୋ

ଉଡ଼େଇ ନେଉଛି ଭୂତ ।” (ପ.ଗୀ.ସଂ) (ପ୍ରଥମ ଭାଗ) ପୃଷ୍ଠା ୨୫୨ ।

 

(ଖ) ଯେହୁଁ ଚିନ୍ତଇ ପରମନ୍ଦ- ଲୋ.ଗ.ସଂ. - ପୃଷ୍ଠା ୪୬୫ ।

(୩୮)

କଥାରେ କେ ଯିବ କୃଷ୍ଣଙ୍କୁ ଜିଣି- ପ.ଗୀ.ସଂ (ପ୍ରଥମ ଭାଗ) ପୃଷ୍ଠା ୬୧୦ ।

(୩୯)

କାନ୍ଦଣା- ପ.ଗୀ.ସଂ

(୪୦)

ଭୁଆସୁଣୀ ପଠାଣିକାନ୍ଦ- ପ.ଗୀ.ସଂ (ତୃତୀୟ ଭାଗ) ପୃଷ୍ଠା- ୯୭ ।

(୪୧)

ଗୋଟି ଗୋଟି ହୋଇ ଝଡ଼େ ଘୁଙ୍ଗୁର- ତତ୍ରୈବ, ପୃଷ୍ଠା ୩୨୯ ।

(୪୨)

ବାରମାସୀ- ତତ୍ରୈବ, ପୃଷ୍ଠା ୩୪୦ ।

(୪୩)

ଅରୁଆ ଚାଉଳ- ତତ୍ରୈବ, ପୃଷ୍ଠା ୩୬୦ ।

(୪୪)

ହାଟୁଆ କାନ୍ଦ- ପ ଗୀ ସଂ (ଦ୍ୱିତୀୟ ଭାଗ) ପୃଷ୍ଠା ୧୭୫ ।

(୪୫)

(କ) ଲୋକବାଣୀ ସଞ୍ଚୟନ (ଦ୍ୱିତୀୟ ଭାଗ), ପୃଷ୍ଠା ୧୮୦

 

(ଖ) ଉତ୍କଳ ଗାଉଁଲି ଗୀତ- ପୃଷ୍ଠା ୧୯୬

(୪୬)

ଲୋକବାଣୀ ସଞ୍ଚୟନ (ଦ୍ୱିତୀୟ ଭାଗ) ପୃଷ୍ଠା ୧୮୦ ।

 

(୪୭) ଭାତ ଫୁଟୁଥିଲା ଟକର ମକର- ପ.ଗୀ.ସଂ (ଦ୍ୱିତୀୟ ଭାଗ) ପୃଷ୍ଠା ୫୦୧ । ଶାଢ଼ୀ (୪୮), କାହ୍ନୁପୁର ଶାଢ଼ୀ (୪୯), ଚିତ୍ରମେଘୀ ଶାଢ଼ୀ (୫୩), ଝଲାଶାଢ଼ୀ (୫୧), ପୋରିହାଁ ଶାଢ଼ୀ (୫୨), ଚନ୍ଦନକୁରା ଶାଢ଼ୀ (୫୩), ମୁଣୋହିଁ ଶାଢ଼ୀ (୫୪), ଜୟପୁର ଶାଢ଼ୀ (୫୫) ପ୍ରଭୃତିର ନାମ ଦେଖିବାକୁ ମିଳେ ।

 

ନାରୀମାନେ ନିଜ ଶରୀରର ରଙ୍ଗ ଓ ରୁଚି ଅନୁଯାୟୀ ଉପର୍ଯ୍ୟୁକ୍ତ ଶାଢ଼ୀ ବ୍ୟବହାର କରିଥାନ୍ତି । ଗୋରା ଦେହକୁ କଳା ଶାଢ଼ୀ ବେଶ୍ ସୁନ୍ଦର ଦେଖାଯାଇଥାଏ । ତେଣୁ ଲୋକକବି କହେ –

 

“ଚହ ଚହ ଚିକ୍‌କଣ ଗୋରୀ

କଳାଶାଢ଼ୀ ପିନ୍ଧିକରି

ବିଡ଼ିଆ ଖାଇଣ ଦାଣ୍ଡେ ଚାଲିଥାଏ

କାଖେ ପୂର୍ଣ୍ଣ କୁମ୍ଭ ଧରି ।” (୫୬)

 

ଉପର୍ଯ୍ୟୁକ୍ତ ଶାଢ଼ୀ ମଧ୍ୟରେ ବ୍ରହ୍ମପୁର ଶାଢ଼ୀ ସମାଜରେ ବିଶେଷ ଆଦୃତ । ସେହି ସମୟରେ ସୁନା ରୂପା ସହ ବ୍ରହ୍ମପୁରୀ ଶାଢ଼ୀର ମୂଲ୍ୟ ନିର୍ଦ୍ଧାରିତ ହେଉଥିଲା । ଏହି ଶାଢ଼ୀ ଓଡ଼ିଶା ବାହାରେ ମଧ୍ୟ ଆଦରଲାଭ କରିଥିବା ଜଣାଯାଏ । ସେଥିରେ ବିଭିନ୍ନ ମନୋହର ଫୁଲ ପଡ଼ିଥିବାରୁ ତାହା ଥିଲା ଅତ୍ୟନ୍ତ ସୁଦୃଶ୍ୟ । ସେଥିପାଇଁ ନାରୀମାନେ କହୁଥିଲେ–

 

“ଖୁପାଁଡ଼ି ଦିଅ ଖୁପାଁଡ଼ି ଦିଅ କାଞ୍ଚନର ବାଡ଼ି

ଚିରିଯାଉ ଚିରିଯାଉ ବରମପୁର ଶାଢ଼ୀ

ବରମପୁର ଶାଢ଼ୀ ଯେଉଁ ମନୋହର ଫୁଲ

ସୁନା ରୂପା ବିକି ଆସିଚି କେ କରିବ ମୂଲ ।” (୫୭)

 

ବ୍ରହ୍ମପୁର ଶାଢ଼ୀ ପରି କାହ୍ନୁପୁର ଶାଢ଼ୀ ପ୍ରତି ଉତ୍କଳୀୟ ନାରୀମାନଙ୍କର ଆଦର ମଧ୍ୟ ଯଥେଷ୍ଟ ଥିବା ଜଣାଯାଏ । କାରଣ ଅନ୍ୟାନ୍ୟ ଶାଢ଼ୀ ଅପେକ୍ଷା ଏହା ପିନ୍ଧିବାକୁ ହାଲୁକା ଓ ସୁନ୍ଦର । ସୂର୍ଯ୍ୟ କିରଣରେ ଏହା ଚିକ୍‌ଚିକ୍ କରିଥାଏ । ତେଣୁ ଲୋକଗୀତିରେ ଏହାର ଆଦର ସମ୍ପର୍କରେ ଉଲ୍ଲେଖ ଅଛି-

 

“ଜୋକ ଗଡ଼ିଆରେ ଜୋକ

କାହ୍ନୁପୁର ଶାଢ଼ୀ ଜଅକ ଜକ

ପିନ୍ଧିଲେ ବହୁତ ସୁଖ ।” (୫୮)

 

(୪୮)

ମୋ ଜୀବନ- ଉ.ଗା.ଗୀ- ପୃଷ୍ଠା ୦୩ ।

(୪୯)

ରଜଦୋଳି ଗୀତ- ତତ୍ରୈବ, ପୃଷ୍ଠା ୧୯୮ ।

(୫୦)

ଚାଷଗୀତ- ତତ୍ରୈବ, ପୃଷ୍ଠା ୪୧୬ ।

(୫୧)

ବାଘଗୀତ- ତତ୍ରୈବ, ପୃଷ୍ଠା ୬୫୨ ।

(୫୨)

ଲୋକବାଣୀ ସଞ୍ଚୟନ- (ତୃତୀୟ ଭାଗ) ପୃଷ୍ଠା ୩୨୯ ।

(୫୩)

ହୁମୋ ଗୀତ- ପ.ଗୀ.ସଂ (ଦ୍ଵିତୀୟ ଭାଗ) ପୃଷ୍ଠା ୨୯୩ ।

(୫୪)

ଦୋଳିଗୀତ- ତତ୍ରୈବ (ତୃତୀୟ ଭାଗ), ପୃଷ୍ଠା ୨୦୮ ।

(୫୫)

ପଲ୍ଲୀ ଅଶ୍ରୁ- ତତ୍ରୈବ (ପ୍ରଥମ ଭଗ), ପୃଷ୍ଠା ୦୩ ।

(୫୬)

ଲୋ.ବା.ସଂ. (ତୃତୀୟ ଭାଗ), ପୃଷ୍ଠା- ୩୨ ।

(୫୭)

ଭାତ ଫୁଟୁଥିଲା ଟକର ମକର, ପ.ଗୀ.ସଂ (ଦ୍ୱିତୀୟ ଭାଗ), ପୃଷ୍ଠା ୫୦୧ ।

(୫୮)

ରଜଦୋଳି ଗୀତ, ଉ.ଗା.ଗୀ, ପୃଷ୍ଠା ୧୬୮ ।

 

ମୋଟା ଧରଣର ଶାଢ଼ୀକୁ ତଉଁରିଶାଢ଼ୀ କୁହାଯାଉଥିଲା । ଏହି ଶାଢ଼ୀ ପ୍ରତି ନାରୀମାନଙ୍କର ଆଦର ନଥିଲେ ମଧ୍ୟ ଗରିବ ଶ୍ରେଣୀର ନାରୀମାନେ ଅର୍ଥାଭାବରୁ ଏହି ଶାଢ଼ୀ ବ୍ୟବହାର କରିଥାନ୍ତି । ଶାଶୁଘରକୁ ଝିଅ ଗଲାବେଳେ ଯଦି ତଉଁରି ଶାଢ଼ୀ ସଂଗରେ ନେଇଥାଏ ତେବେ ତାକୁ ସାହି ପଡ଼ିଶାର ଶରବ୍ୟ ହେବାକୁ ପଡ଼ିଥାଏ । ଏହାର ଦୃଷ୍ଟାନ୍ତ ଗ୍ରାମ୍ୟ ନାରୀ କଣ୍ଠରେ ନିମ୍ନମତେ ପ୍ରକାଶ ପାଇଛି ।

 

“ଭାଡ଼ିର ଉପରେ ଭାଡ଼ି

ବାପା ଦେଇଥିଲେ ତଉଁରି ଶାଢ଼ୀ ଲୋ

ଲୋକେ ପକାଇଲେ ଝାଡ଼ି, ମହାପ୍ରଭୁ ସେ ।” (୫୯)

 

ଉପର୍ଯ୍ୟୁକ୍ତ ଶାଢ଼ୀଗୁଡ଼ିକ ଅପେକ୍ଷାକୃତ କମ୍ ମୂଲ୍ୟର ଥିବା କଳନା କରାଯାଇପାରେ । ପାଞ୍ଚଟଙ୍କିଆ (୬୦) ଶାଢ଼ୀଠାରୁ ଆରମ୍ଭ କରି ବହୁମୂଲ୍ୟ ଶାଢ଼ୀମାନ ପ୍ରାଚୀନ ଓଡ଼ିଶାର ନାରୀମାନେ ବ୍ୟବହାର କରୁଥିବା କେତେକ ଲୋକଗୀତରୁ ଜଣାଯାଏ । କେବଳ ଏତିକି ନୁହେଁ, ରାଜପରିବାରର ରମଣୀମାନେ ଝୀନପାଟଶାଢ଼ୀ (୬୧) ପିନ୍ଧୁଥିବାର ଉଲ୍ଲେଖ ଆଲୋଚ୍ୟ ଲୋକସାହିତ୍ୟରେ ସୁସ୍ପଷ୍ଟ ।

 

ସାଧାରଣ ଓ ସମ୍ଭ୍ରାନ୍ତ ପରିବାରର ନାରୀମାନେ ବିଭିନ୍ନ ପ୍ରକାର ପାଟ ଓ ବିଭିନ୍ନ ପ୍ରକାର ଶାଢ଼ୀ ବ୍ୟବହାର କରିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ଲୁଗା ମଧ୍ୟ ବ୍ୟବହାର କରୁଥିଲେ । ଏହି ଲୁଗା ହେଉଛି ନାରୀର ଦୈନନ୍ଦିନ ବ୍ୟବହୃତ ବସ୍ତ୍ର । ‘ଶାଢ଼ୀ’ ତୁଳନାରେ ‘ଲୁଗା’ ସମ୍ପୂର୍ଣ୍ଣ ମୋଟା । ଏହା ମୁଖ୍ୟତଃ କପା ସୂତାରେ ତିଆରି । ଏହି ଲୁଗାକୁ ଆକର୍ଷଣୀୟ କରିବା ପାଇଁ ସେଥିରେ ବିଭିନ୍ନ ପ୍ରକାର ଧଡ଼ି ଓ ଫୁଲ ପକାଯାଇଥାଏ । ଆଜିକାଲିର ଆଧୁନିକ ନାରୀମାନଙ୍କଠାରେ ମୋଟା ଲୁଗାର ବ୍ୟବହାର ପ୍ରାୟ ଦେଖାଯାଏ ନାହିଁ । କିନ୍ତୁ ଗାଁ ଗହଳରେ ଏହି ଲୁଗା ପ୍ରତି ନାରୀମାନଙ୍କର ଆଦର କମି ନଥିବା ଆଲୋଚ୍ୟ ସାହିତ୍ୟରୁ ଉପଲବ୍ଧ କରିହୁଏ । ସେହି ଲୁଗା ବା ଖଦିଗୁଡ଼ିକ ମଧ୍ୟରେ ପୁରସ୍ତମିଆ ଲୁଗା (୬୨), କୁସୁମ ଖଦି (୬୩), ରଣପୁର ଖଦି (୬୪), ରଙ୍ଗଡାଳିମ୍ୱା (୬୫), ମଣିଆବନ୍ଦୀ (୬୬), ଦକ୍ଷିଣୀ ରଙ୍ଗ (୬୭), ସରସିଆ ଲୁଗା (୬୮), ହଳଦିଆ ଲୁଗା (୬୯),

 

(୫୯)

ଗୋଠବାହୁଡ଼ା ମହାପ୍ରଭୁ ସେ- ଉ.ଗା.ଗୀ, ପୃଷ୍ଠା ୧୯୬ ।

(୬୦)

ମାଆର ଶୋକ- ପ.ଗୀ.ସଂ (ପ୍ରଥମ ଭାଗ) ପୃଷ୍ଠା ୦୫ ।

(୬୧)

ଗୋବିନ୍ଦ ଚନ୍ଦ୍ର- ପ.ଗୀ.ସଂ (ପ୍ରଥମ ଭାଗ), ପୃଷ୍ଠା ୩୧ ।

(୬୨)

ପଲ୍ଲୀ ଅଶ୍ରୁ- ତତ୍ରୈବ, ପୃଷ୍ଠା- ୦୩ ।

(୬୩)

ମାଆର ଶୋକ- ତତ୍ରୈବ, ପୃଷ୍ଠା- ୦୫ ।

(୬୪)

ତତ୍ରୈବ- ପୃଷ୍ଠା ୦୫ ।

(୬୬)

“ହାଟରୁ ଆଣିଥିଲେ ମାଣିଆବନ୍ଦୀ

ମୁଦି ଯେ ଆଣିଥିଲେ ଦର୍ପଣ ଛନ୍ଦି ।”

(ଧନକୁ ବିଦେଶକୁ ଚଳାଇନେଲା, ପ.ଗୀ.ସଂ (ପ୍ରଥମ ଭାଗ), ପଷ୍ଠା ୫୦ ।

(୬୭)

ଅନ୍ତିମ ବିଦାୟ- ତତ୍ରୈବ, ପୃଷ୍ଠା ୫୧ ।

(୬୮)

ତତ୍ରୈବ, ପୃଷ୍ଠା ୫୧ ।

(୬୯)

ଦୋଳିଗୀତ, ପ.ଗୀ.ସଂ. (ପ୍ରଥମ ଭାଗ) ପୃଷ୍ଠା ୧୪୦ ।

 

ଧୋବ ଲୁଗା (୭୦), କଲିକତା ଲୁଗା (୭୧), ପାଣିଲୁଗା (୭୨), କଳାଲୁଗା (୭୩), ହରିପୁର ଲୁଗା (୭୪), କଳାଖଦି (୭୫), ଜରିଲୁଗା (୭୬), ରଙ୍ଗଡାଳିମ୍ୱା ଖଦି (୭୭), ନାଗବନ୍ଧ ଲୁଗା (୭୮), ଫୁଲାମି ଲୁଗା (୭୯), ଛିଟଲୁଗା (୮୦), ବଉଳ ଖଦି (୮୧), ସଅଣ ଖଦି (୮୨), କାହ୍ନୁପୁର ଲୁଗା (୮୩), ରଙ୍ଗଲୁଗା (୮୪), କାନପୁର ଲୁଗା (୮୫), ତଉଁରିଆ ଲୁଗା (୮୬), ଜମ୍ୱୁ ସହର ଲୁଗା (୮୭) ପ୍ରଭୃତି ଅନ୍ତର୍ଭୁକ୍ତ ।

 

ଲୁଗାଗୁଡ଼ିକର ଲମ୍ୱ ପ୍ରାୟ ବାରହାତ ଥିବା ଜଣାଯାଏ । ଏହି ଲୁଗା ନାରୀର ନିତ୍ୟ ବ୍ୟବହୃତ ବସ୍ତ୍ର ଅଟେ । ବିଶେଷ ପରିମାଣରେ ଧଳା ଲୁଗା ରନ୍ଧନ ସମୟରେ ନାରୀମାନେ ବ୍ୟବହାର କରୁଥିବା ଦୃଷ୍ଟିଗୋଚର ହୁଏ । ଦୃଷ୍ଟାନ୍ତ ସ୍ୱରୂପ ନିମ୍ନୋକ୍ତ ପଂକ୍ତିଗୁଡ଼ିକୁ ଗ୍ରହଣ କରାଯାଇପାରେ ।

 

“ତୁଚ୍ଛାକୁ କାଳି

ଧୋବ ଲୁଗା ପିନ୍ଧି ରାନ୍ଧଣା ପାଳି

ଦେଖି ତ ପଡ଼ିବେ ଢଳି ।” (୮୮)

 

ଉପର୍ଯ୍ୟୁକ୍ତ ‘ଖଦି’ ବା ‘ଲୁଗା’ ବ୍ୟତୀତ ପ୍ରାଚୀନ ଓଡ଼ିଶାର ନାରୀମାନେ ‘ମଠା’ ବ୍ୟବହାର କରୁଥିବାର ଉଲ୍ଲେଖ ମଧ୍ୟ ଓଡ଼ିଆ ଲୋକସାହିତ୍ୟରେ ପରିଦୃଷ୍ଟ ହୁଏ ।

 

ରକ୍ଷଣଶୀଳ ଓଡ଼ିଆଣୀ ମନରେ ପବିତ୍ର ଓ ଅପବିତ୍ର ଏପରି ଦୁଇଗୋଟି ଭାବଧାରା ରହିଅଛି । ନାରୀମନର ପବିତ୍ରତା ସହିତ ‘ବସ୍ତ୍ର’ ଯେ ସଂପୃକ୍ତ ଏହାକୁ ଅସ୍ୱୀକାର କରାଯାଇ ନ ପାରେ । ସେହି ଆଶାରେ ନାରୀ ବିଭିନ୍ନ ସମୟରେ ବିଭିନ୍ନ ବସ୍ତ୍ର ପରିଧାନ କରିଥାଏ । ପୂଜା ପର୍ବ ଓ

 

(୭୦)

ତତ୍ରୈବ, ପୃଷ୍ଠା ୧୫୭ ।

(୭୧)

ତତ୍ରୈବ, ପୃଷ୍ଠା ୧୬୩ ।

(୭୨)

ଦୋଳିଗୀତ; (ପ.ଗୀ.ସଂ (ପ୍ରଥମ ଭାଗ) ପୃଷ୍ଠା ୧୭୦ ।

(୭୩)

ଲୋ.ବା.ସଂ (ଦ୍ୱିତୀୟ ଭାଗ), ପୃଷ୍ଠଶ ୨୧ ।

(୭୪)

ଦୋଳିଗୀତ- ପ.ଗୀ.ସଂ ପ୍ରଥମ ଭାଗ), ପୃଷ୍ଠା ୨୦୫ ।

(୭୫)

ପିଲା ଭୁଲାଣିଆ ଓ ପିଲାଙ୍କ ଖେଳଗୀତ, ତତ୍ରୈବ, ପୃଷ୍ଠା ୨୯୭ ।

(୭୬)

ସଜନୀ ଗୀତ- ତତ୍ରୈବ, ପୃଷ୍ଠା ୫୪୩ ।

(୭୭)

ଚଇତି ଘୋଡ଼ା ଗୀତ- ତତ୍ରୈବ, ପୃଷ୍ଠା ୫୬୨ ।

(୭୮)

ଦୋଳିଗୀତ- ପ.ଗୀ.ସଂ (ଦ୍ଵିତୀୟ ଭାଗ), ପୃଷ୍ଠା ୨୩୧ ।

(୭୯)

ତତ୍ରୈବ, ପୃଷ୍ଠା ୨୩୪ ।

(୮୦)

ତତ୍ରୈବ, ପୃଷ୍ଠା ୨୩୪ ।

(୮୧)

ହୁମୋ ଗୀତ, ତତ୍ରୈବ, ପୃଷ୍ଠଶ ୨୬୩ ।

(୮୨)

କରମେ ଥିଲେ ଲୋ ଆସିବି ଫେରି- ତତ୍ରୈବ, ପୃଷ୍ଠା ୫୦୩ ।

(୮୩)

ଉତ୍କଳ ଗାଉଁଲି ଗୀତ, ପୃଷ୍ଠା ୧୯୪ ।

(୮୪)

ତତ୍ରୈବ, ପୃଷ୍ଠା ୧୯୬ ।

(୮୫)

ତତ୍ରୈବ, ପୃଷ୍ଠା- ୩୫୮ ।

(୮୬)

ଲୋ.ବୋ.ସଂ. (ଦ୍ଵିତୀୟ ଭାଗ) ପୃଷ୍ଠା ୩୪ ।

(୮୭)

ଦୋଳିଗୀତ; ପ.ଗୀ.ସଂ (ପ୍ରଥମ ଭଗ), ପୃଷ୍ଠ ୧୫୭ ।

(୮୮)

ତତ୍ରୈବ, ପୃଷ୍ଠା ୧୫୭ ।

 

ଦୈନନ୍ଦିନ ରୋଷେଇ (୮୯) ସମୟରେ ସେ ଶୁକ୍ଳ ଲୁଗା (୯୦) ଓ ମଠା ବ୍ୟବହାର କରିଥାଏ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହି ମଠାର ଆଦର ବେଶୀ । ସାଧାରଣତଃ ବିବାହିତା ଓ ବର୍ଷୀୟସୀ ନାରୀମାନେ ଏହି ମଠା ବ୍ୟବହାର କରିଥାନ୍ତି I (୯୧) ନାରୀ ବ୍ୟବହୃତ ‘ମଠା’ ମଧ୍ୟରେ ବସନ୍ତ ମଠା (୯୨), ଡୋରିଆ ମଠା (୯୩), ନେଳିଆ ମଠା (୯୪), ଟସରମଠା (୯୫), ବରମପୁରିଆ ମଠା (୯୬), ସୋନପୁର ମଠା, (୯୭), କେଶରୀ ମଠା (୯୮) ପ୍ରଭୃତି ପ୍ରସିଦ୍ଧ ।

 

ନାରୀମାନେ ଏକମାତ୍ର ଲୁଗାରେ ତାଳରୁ ତଳିପା ଯାଏଁ ଆବୃତ ହୋଇଥାନ୍ତି । କେହି କେହି ସେହି ପରିଧାନ ବସ୍ତ୍ରରେ ମୁଣ୍ଡରେ ଓଢ଼ଣା (୯୯) ଦେଇଥାନ୍ତି ତ ଅନ୍ୟ କେହି କେହି ଅଲଗା ଏକ ଉତ୍ତରୀୟ ଓଢ଼ଣା ନିମିତ୍ତ ବ୍ୟବହାର କରିଥାନ୍ତି (୧୦୦) । ସାଧାରଣତଃ ଏହି ଉପରାଣ ବସ୍ତ୍ରଟି ପରିଧାନ ବସ୍ତ୍ରଠାରୁ ଲମ୍ୱାରେ ବହୁତ ଊଣା ଥିବା ଲକ୍ଷ୍ୟ କରାଯାଏ । ଏହା ଅନ୍ୟାନ୍ୟ ବସ୍ତ୍ର ପରି ମୋଟା ଧରଣର ନୁହେଁ । ଆଲୋଚ୍ୟ ସାହିତ୍ୟରେ ଉଲ୍ଲିଖିତ ନାରୀର ଉପରାଣ ବସ୍ତ୍ର ମଧ୍ୟରେ ପାଟ (୧୦୧) ଓ ‘ନେତ’ (୧୦୨) ଅନ୍ୟତମ ଅଟେ । ଏଗୁଡ଼ିକ ବିବାହ ଉତ୍ସବାଦି ସମୟରେ ବ୍ୟବହାର ହେଉଥିବା ଉଲ୍ଲେଖ ଅଛି । ସମ୍ଭ୍ରାନ୍ତ ପରିବାରର ନାରୀମାନଙ୍କଠାରୁ ସୁରଙ୍ଗ ନେତ (୧୦୩), ଡାଳିମ୍ୱ ନେତ (୧୦୪), ଚିତ୍ରମେଘୀ ପାଟ ଉପରାଣ (୧୦୫)ର ବ୍ୟବହାର ଦେଖିବାକୁ ମିଳେ ।

 

ଏହା ବ୍ୟତୀତ ପ୍ରାଚୀନ ଭାରତର ମୂର୍ତ୍ତିକଳା ଗୁଡ଼ିକରେ ‘କାଞ୍ଚୁଲା’ର ଚିତ୍ର ଦେଖାଯାଏ (୧୦୬) । ସ୍ତନଯୁଗଳକୁ ସୁସନ୍ନଦ୍ଧ ଭାବରେ ବାନ୍ଧି ରଖିବା ପାଇଁ ଏହାର ଆବଶ୍ୟକତା ଯେ ଯଥେଷ୍ଟ, ଏହାକୁ ଅସ୍ୱୀକାର କରାଯାଇ ନ ପାରେ । (୧୦୭) ପ୍ରାଚୀନ ଓଡ଼ିଶାର ନାରୀମାନେ ଯେ ‘କାଞ୍ଚୁଲା’ ବ୍ୟବହାର କରୁଥିଲେ, ତା’ର ଦୃଷ୍ଟାନ୍ତ ଆଲୋଚ୍ୟ ଲୋକସାହିତ୍ୟରେ ଦୃଷ୍ଟିଗୋଚର ହୁଏ ।

 

(୮୯)

ଦୋଳିଗୀତ, ପ.ଗୀ.ସଂ (ପ୍ରଥମ ଭାଗ) ପୃଷ୍ଠା ୧୫୭ ।

(୯୦)

ଅନନ୍ତ ବ୍ରତ କଥା- ଓ.ଓ.ବ୍ର. କଥା, ପୃଷ୍ଠା ୩୮ ।

(୯୧)

ଦୋଳିଗୀତ- ପ.ଗୀ.ସଂ (ପ୍ରଥମ ଭାଗ), ପୃଷ୍ଠା ୧୮୦ ।

(୯୨)

ତତ୍ରୈବ, ପୃଷ୍ଠା ୧୫୫ ।

(୯୩)

ତତ୍ରୈବ, ପୃଷ୍ଠା ୧୭୯ ।

(୯୪)

ତତ୍ରୈବ, ପୃଷ୍ଠା ୧୭୯ ।

(୯୫)

ଦୋଳିଗୀତ, ପ.ଗୀ.ସଂ (ଦ୍ୱିତୀୟ ଭାଗ), ପୃଷ୍ଠା ୨୩୩ ।

(୯୬)

ଟୁଁ ଭାଇ ଗୀତ; ତତ୍ରୈବ, ପୃଷ୍ଠା ୪୮୫ ।

(୯୭)

ରଜଦୋଳି ଗୀତ, ତତ୍ରୈବ, ପୃଷ୍ଠା ୧୬୮ ।

(୯୮)

ଦୋଳିଗୀତ– ତତ୍ରୈବ, ପୃଷ୍ଠା ୨୨୩ ।

(୯୯)

Folk and Craft- Ed. by Dr. Karunasagar Behera, page- 72

(୧୦୦)

କନ୍ୟା କୋଇଲି ବୁଡ଼ ମଙ୍ଗଳ- ଉ.ଗା.ଗୀ, ପୃଷ୍ଠା ୧୨୨ ।

(୧୦୧)

ହଳିଆ ଗୀତ- ପ.ଗୀ.ସଂ (ପ୍ରଥମ ଭାଗ), ପୃଷ୍ଠା ୩୨୪ ।

(୧୦୨)

କନ୍ୟା କୋଇଲି ବୁଡ଼ ମଙ୍ଗଳ- ଉ.ଗା.ଗୀ., ପୃଷ୍ଠା ୧୨୨ ।

(୧୦୩)

ସିଙ୍ଗାର ମଙ୍ଗଳ- ତତ୍ରୈବ, ପୃଷ୍ଠା ୧୨୬ ।

(୧୦୪)

ଚତୁର୍ମାସ୍ୟା ଗୁରୁବାର- ବ୍ରତ ସାହିତ୍ୟ; ପୃଷ୍ଠା ୨୪ ।

(୧୦୫)

ବିଲଙ୍କା ରାମାୟଣ- ପୃଷ୍ଠା ୩୨ ।

(୧୦୬)

ଉତ୍କଳର ଚିତ୍ରକଳା- ପୃଷ୍ଠା-୪୫ ।

(୧୦୭)

“କୁଚରେ କାଞ୍ଚଲା ଦୃଢ଼େ କଲାକ ବନ୍ଧନ

ବାହୁରେ ବାଜୁବନ୍ଧ ହସ୍ତରେ କଙ୍କଣ ।”

(ବିଲଙ୍କା ରାମାୟଣ, ପୃଷ୍ଠା- ୩୨)

“ବାଆ କଲା ଭାଇରେ ବତାସ ହୋଇଲା

ସେଦିନ ରାଧିକା ବାହାରେ ଶୋଇଲା

ଷୋଳ ପରସ୍ତୀ ଲୁଗା ସତେ କାଞ୍ଚୁଲା ବାଆକୁ ଉଡ଼ିଲା ।” (୧୦୮)

 

 

ଉଲ୍ଲିଖିତ ପର୍ଯ୍ୟାଲୋଚନାରୁ ଓଡ଼ିଶାର ନାରୀମାନେ ପରିଧାନ କରୁଥିବା ପରିଧେୟ ସମ୍ପର୍କରେ ଯେଉଁ ସୂଚନା ମିଳେ, ତାହା ଅତ୍ୟନ୍ତ ନଗଣ୍ୟ ବୋଲି କହିବାକୁ ହେବ । ଓଡ଼ିଆ ଲୋକଗଳ୍ପ ଓ ଲୋକଗୀତି ମଧ୍ୟରେ କେବଳ କେତେଗୁଡ଼ିଏ ବସ୍ତ୍ର ନାମମାତ୍ର ଦେଖିବାକୁ ମିଳେ । କିନ୍ତୁ ସେଗୁଡ଼ିକର ସ୍ଵରୂପ ଓ ବୈଶିଷ୍ଟ୍ୟ ସମ୍ପର୍କରେ ବିଶେଷ ସୂଚନା ଦେବାର ଆବଶ୍ୟକତା ଲୋକମାନେ ଉପଲବ୍ଧି କରିନାହାନ୍ତି । ଫଳରେ ପ୍ରାଚୀନ ଉତ୍କଳରେ ବ୍ୟବହୃତ ବିଭିନ୍ନ ପ୍ରକାର ବସ୍ତ୍ର ସମ୍ପର୍କରେ ସ୍ଥୂଳ ସୂଚନା ଦେବା ଅପେକ୍ଷା ଅଧିକ କିଛି କହିବା ଏ କ୍ଷେତ୍ରରେ ସମ୍ଭବପର ନୁହେଁ । ଲୋକକଳା ଓ ଭାସ୍କର୍ଯ୍ୟ ଗୁଡ଼ିକରେ ନାରୀମାନଙ୍କର ପରିଧେୟ ବସ୍ତ୍ରର ସ୍ଵରୂପ ଓ ପରିପାଟୀ ସମ୍ପର୍କରେ ବହୁ ତଥ୍ୟ ସନ୍ଧାନ କରାଯାଇପାରେ । ଏହାକୁ ଭିତ୍ତି କରି ବର୍ତ୍ତମାନ ବସ୍ତ୍ରଗୁଡ଼ିକର ରୂପରଙ୍ଗ ନିର୍ଦ୍ଧାରଣ କରାଯାଉଛି କହିବା ଅସଂଗତ ନୁହେଁ ।

 

ଉପର୍ଯ୍ୟୁକ୍ତ ଆଲୋଚନାରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ଓଡ଼ିଶାର ନାରୀ ବସ୍ତ୍ରପ୍ରିୟ ଓ ତା’ର ପ୍ରସାଧନଶୀଳ ସୌନ୍ଦର୍ଯ୍ୟବୋଧ ବେଶ୍ ହୃଦ୍ୟ ।

 

 

ଅଧ୍ୟାପକ,

ଓଡ଼ିଆ ସାହିତ୍ୟ, ମା ମାର୍କମା ମହାବିଦ୍ୟାଳୟ

ବିଷମ କଟକ (ରାୟଗଡ଼ା)- ୭୬୫୦୧୯

 

***

 

ସହାୟକ ଗ୍ରନ୍ଥସୂଚୀ :

୧.

କାନୁନ୍‌ଗୋ ବିନୋଦ, ଉତ୍କଳର ଚିତ୍ରକଳା

୨.

ଦାଶ କୁଞ୍ଜବିହାରୀ (ଡଃ), ଲୋକଗଳ୍ପ ସଞ୍ଚୟନ, ଓ.ସା.ଏ ୧୯୬୪

୩.

ଦାଶ କୁଞ୍ଜବିହାରୀ (ଡଃ), ପଲ୍ଲୀଗୀତ ସଞ୍ଚୟନ (ପ୍ରଥମ ଭାଗ), ବିଶ୍ୱଭାରତୀ, ୧୯୫୪

୪.

ଦାଶ କୁଞ୍ଜବିହାରୀ (ଡଃ), ପଲ୍ଲୀଗୀତ ସଞ୍ଚୟନ (ଦ୍ୱିତୀୟ ଭାଗ), ପ୍ରେମଲତା ଦାଶ ୧୯୫୯

୫.

ଦାଶ କୁଞ୍ଜବିହାରୀ (ଡଃ), ପଲ୍ଲୀଗୀତ ସଞ୍ଚୟନ (ତୃତୀୟ ଭାଗ) ପ୍ରେମଲତା ଦାଶ ୧୯୭୪

୬.

ଦାଶ କୁଞ୍ଜବିହାରୀ (ଡଃ), ଲୋକବାଣୀ ସଞ୍ଚୟନ (ଦ୍ୱିତୀୟ ଭାଗ) ପ୍ରେମଲତା ଦାଶ

୭.

ଦାଶ କୁଞ୍ଜବିହାରୀ (ଡଃ), ଲୋକବାଣୀ ସଞ୍ଚୟନ (ତୃତୀୟ ଭାଗ), ପ୍ରେମଲତା ଦାଶ, ୧୯୭୮

୮.

ଦାଶ ପ୍ରେମଲତା, ଓଡ଼ିଶାର ଓଷା ବ୍ରତ କଥା, ନାଳନ୍ଦା, ୧୯୮୧

୯.

ଦାସ ସାରଳା, ବିଲଙ୍କା ରାମାୟଣ

୧୦.

ପଟ୍ଟନାୟକ ଅରବିନ୍ଦ, ବ୍ରତସାହିତ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୮୨

୧୧.

ମହାପାତ୍ର ଚକ୍ରଧର, ଉତ୍କଳ ଗାଉଁଲି ଗୀତ, ସୁରମା ମହାନ୍ତି, ୧୯୫୯

୧୨.

Behera Karuna Sagar (Ed), Folk Art & Craft

୧୩.

Gupta Sankarasan, A Study of Women of Bengal, Indian Publication, Calcutta, 1970

 

(୧୦୮) ହଳିଆ ଗୀତ- ପ.ଗୀ.ସଂ (ତୃତୀୟ ଭାଗ), ପୃଷ୍ଠା ୨୫୩ ।

 

ସାନ୍ତାଳୀ ଲୋକ କବିତା

ଅଧ୍ୟାପିକା ଦମୟନ୍ତୀ ବେଶ୍ରା

 

ଆଦିମ କାଳରୁ ଯେଉଁମାନେ ଆରଣ୍ୟକ ପରିବେଶକୁ ନିଜର ସମସ୍ତ ଚେତନା ସହିତ ସଂଶ୍ଳିଷ୍ଟ କରିଛନ୍ତି ସେମାନେ ଆଦିବାସୀ ଭାବରେ ପରିଚିତ । ଘନ ଅରଣ୍ୟଠାରୁ ଆରମ୍ଭ କରି ଜଙ୍ଗଲ ପାଖାପାଖି ସ୍ଥାନମାନଙ୍କର ସେମାନେ ବସବାସ କରନ୍ତି । ସଭ୍ୟତାଠାରୁ ଦୂରରେ ରହୁଥିବାରୁ ସେମାନେ ଖୁବ୍‌କମ୍ ପ୍ରଗତିଶୀଳ । ତାଙ୍କୁ ବିଶ୍ୱର ମହାସ୍ରୋତରେ ସାମିଲ କରିବା ପାଇଁ ବିଦ୍ୱାନ ଓ ଗୁଣୀ ବ୍ୟକ୍ତିମାନଙ୍କ ମଧ୍ୟରେ ବିଶେଷ ମମତା ପ୍ରକାଶ ପାଇଛି । ଓଡ଼ିଶାରେ ସଂପ୍ରଦାୟ ଦୃଷ୍ଟିରୁ ୬୨ ପ୍ରକାର ଆଦିବାସୀ ଦୃଷ୍ଟିଗୋଚର ହୁଅନ୍ତି । ସେମାନଙ୍କ ମଧ୍ୟରୁ ସାନ୍ତାଳ ଆଦିବାସୀ ଅନ୍ୟତମ । ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ବ୍ୟତୀତ ପଶ୍ଚିମବଙ୍ଗ, ବିହାର, ଆସାମ, ଝାଡ଼ଖଣ୍ଡ ରାଜ୍ୟରେ ମଧ୍ୟ ଏମାନଙ୍କର ଘନବସତି ଅଛି । ବାଂଲାଦେଶ ଓ ନେପାଳର କେତେକାଂଶରେ ମଧ୍ୟ ସାନ୍ତାଳ ଜନଜାତି ବସବାସ କରନ୍ତି । ସେହି ସାନ୍ତାଳ ଆଦିବାସୀମାନଙ୍କର ଲୋକ କବିତା ସମ୍ପର୍କରେ ଯତ୍ କିଞ୍ଚିତ୍ ଧାରଣା ଦେବା ହେଉଛି ଏହି ପ୍ରବନ୍ଧର ମୁଖ୍ୟ ଉଦ୍ଦେଶ୍ୟ ।

 

ପ୍ରତ୍ୟେକ ଭାଷାକୁ ଅନୁସନ୍ଧାନ କଲେ ଦେଖାଯାଏ ଯେ ତା’ର ଆଦ୍ୟ ଉତ୍ସ ହେଉଛି କବିତା । କ୍ରମେ ସେଗୁଡ଼ିକ ଗଦ୍ୟରେ ରୂପାନ୍ତରିତ ହେଲା ଏବଂ ପ୍ରାଥମିକ ପର୍ଯ୍ୟାୟରେ ଥିବା ଗୀତଗୁଡ଼ିକୁ ଲୋକକବିତା ଭାବରେ ନାମିତ କରାଗଲା । ତା’ର ଭିନ୍ନ ଏକ ସାହିତ୍ୟିକ ମୂଲ୍ୟବୋଧ ରହିଥିବାରୁ ଲୋକସାହିତ୍ୟ ବା ଲୋକକବିତା ଭାବରେ ସେଗୁଡ଼ିକ ମୁଦ୍ରିତ କରାଗଲା । କିନ୍ତୁ ଆଦିବାସୀ ଲୋକ କବିତା ଏପର୍ଯ୍ୟନ୍ତ ଅବହେଳିତ ହୋଇ ରହିଅଛି । ବିବର୍ତ୍ତନ ବାଦର ତାଳେ ତାଳେ ସବୁ କିଛିର ପରିବର୍ତ୍ତନ ହୋଇ ଯାଇଥିଲେ ମଧ୍ୟ ଆଦିବାସୀମାନଙ୍କର ମାନସିକ, ସାମାଜିକ ତଥା ସାହିତ୍ୟ କ୍ଷେତ୍ରରେ ଏ ପର୍ଯ୍ୟନ୍ତ କୌଣସି ଉନ୍ନତି କିମ୍ୱା ଆଖି ଦୃଶିଆ ପରିବର୍ତ୍ତନ ଦେଖାଯାଇ ନାହିଁ । ତେଣୁ ତାଙ୍କୁ ଜାଣିବା ନିତାନ୍ତ ଆବଶ୍ୟକ । ଆଦିବାସୀମାନଙ୍କୁ ଜାଣିବା ପାଇଁ ହେଲେ ତାଙ୍କର ସାମାଜିକ ଚଳଣି, ରୀତିନୀତି ଓ ସାହିତ୍ୟକୁ ଜାଣିବାକୁ ହେବ । ସେହି ପରିପ୍ରେକ୍ଷୀରେ ଆଦିବାସୀ ଲୋକ କବିତାକୁ ଲୋକଲୋଚନକୁ ଆଣିବାର ଏହା ଏକ ଅଭିନବ ପ୍ରୟାସ ମାତ୍ର ।

 

ସାନ୍ତାଳ ଆଦିବାସୀ ଲୋକ କବିତା କହିଲେ ମୁଖ୍ୟତଃ ଅଶିକ୍ଷିତ- ଅଲିଖିତ-ଅପ୍ରକାଶିତ ଗୀତ ଗୁଡ଼ିକୁ ହିଁ ବୁଝାଯାଏ । ଗରିବ କୃଷକ, ଖଟିଖିଆ ମୂଲିଆ, ପରିଶ୍ରମୀ ବ୍ୟକ୍ତିର ସୁଖ-ଦୁଃଖର କଥା ହେଉଛି ଆଦିବାସୀ କବିତା । ମନରେ ଛନ୍ଦ ନାହିଁ, କପଟ ନାହିଁ, ଅଛି କେବଳ ପେଟ ପୋଷି ବଞ୍ଚିବାର ଲାଳସା । ବଞ୍ଚି ରହିବାର ଅଭିନବ ଲାଳସାରେ ଲାଳାୟିତ ମଣିଷ ତା’ ଜୀବନର ଅଙ୍ଗେ ନିଭାଇଥିବା ଅନୁଭୂତିର ଗୀତ ଗାଏ । ଅତୀତକୁ ସ୍ମରଣ କରି ଗୀତ ଗାଏ, ବର୍ତ୍ତମାନକୁ ଉପଭୋଗ କରିବାର ଗୀତ ଗାଏ । ଏଠାକାର କବିର ହାତରେ କାଗଜ କଲମ ନାହିଁ କିମ୍ୱା ଅକ୍ଷର ପଢ଼ିବା ପାଇଁ ଅବକାଶ ସେ ପାଇ ନାହିଁ । କିନ୍ତୁ ମାଟି-କୋଦାଳ ଓ ଶାଗ ପଖାଳ ଭିତରେ ଯେଉଁ ଆତ୍ମ ସନ୍ତୋଷ ଚହଲି ଉଠିଛି ତାକୁ ସେ କବିତା କରି ଗାଇଛି । ଗୁପ୍ତଧନକୁ ସାଇତି ରଖିଲା ପରି ସାଇତିଛି କେବଳ ମନରେ, ତୁଣ୍ଡରେ ପୁଣି ସମ୍ପତ୍ତିର ଉତ୍ତରାଧିକାରୀ ସୂତ୍ରରେ ପିତା ପରେ ପୁତ୍ର ତା’ପରେ ତା’ପୁତ୍ର ଏହିପରି ଗୁନ୍ଥି ଚାଲିଛି କବିତାକୁ, ତା’ର ସ୍ୱରକୁ, କବିର ଭାବୋଚ୍ଛ୍ୱାସକୁ ଯାହା ଲମ୍ୱି ଆସିଛି ବର୍ତ୍ତମାନକୁ ।

 

ସାନ୍ତାଳୀ ଲୋକ କବିତା ଭିତରେ ସେହି ଜାତିର ସୃଷ୍ଟି ଉତ୍ସ, ତାଙ୍କ ଅତୀତ ଐତିହ୍ୟ, ଇତିହାସର ବ୍ୟାପକତା, ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଓ ତା’ର ପତନ ସହିତ ଧାର୍ମିକ, ସାମାଜିକ ଓ ସଂସ୍କୃତିର ପାମ୍ପପରିକ ଗାଥାମାନ ଗ୍ରଥିତ ହୋଇଅଛି । ଏଗୁଡ଼ିକ ନିଶ୍ଚିତ ଭାବରେ ବିଶ୍ୱ ସାହିତ୍ୟ ରାଜ୍ୟର ଅମୂଲ୍ୟ ସମ୍ପଦ । କିନ୍ତୁ ଦୁଃଖର ବିଷୟ, ଆଦିବାସୀ ନିଜେ ସାହିତ୍ୟର ଚରିତ୍ର ହୋଇଯାଇଛି ସିନା, ନିଜ ସାହିତ୍ୟକୁ ମୌଖିକ ଭାବେ ସୁରକ୍ଷିତ ରଖିଛି ସିନା, ସାହିତ୍ୟର ଗୁରୁତ୍ୱକୁ ଉପଲବ୍‌ଧି କରିପାରିନାହିଁ । ସାନ୍ତାଳ ଲୋକ କବିତାକୁ ଦେଖିଲେ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ପଡ଼େ ଯେ ତାଙ୍କର ଲୋକ କବିତାରେ କୃଷକଗୀତ, ମଇଁଷିଆଳ ଗୀତ, ଶିଶୁ ଗୀତ, ପ୍ରବାଦ, ପ୍ରବଚନ, ନୀତିବାକ୍ୟ, ନାରୀ ଜୀବନର କରୁଣ ଚିତ୍ର, ରସ, ଅଳଙ୍କାର ସବୁ ନିହିତ ହୋଇ ରହିଛି । ସାନ୍ତାଳ ସମାଜର ପ୍ରତ୍ୟେକ ନାରୀ ଓ ପୁରୁଷ ଜଣେ ଜଣେ ଦକ୍ଷ ଆଶୁକବି । ପ୍ରତ୍ୟେକ ତରୁଣ ପ୍ରାଣରେ ଭରି ରହିଛି ନାଟକୀୟ ମାଦକତା । ନାଟକ ରଚନା କରିବାରେ ସାନ୍ତାଳ ଯୁବକ ପ୍ରବୀଣ ଅଟେ । ସେହିପରି ସାନ୍ତାଳ ରମଣୀ ମଧ୍ୟ ଗୀତ ଛନ୍ଦିବାରେ ବେଶ୍ ପାରଙ୍ଗମ ।

 

ସାନ୍ତାଳମାନେ କେଉଁଠାରେ ପ୍ରଥମେ ସୃଷ୍ଟି ହୋଇଥିଲେ ସେ ସମ୍ପର୍କରେ ସାନ୍ତାଳ ଲୋକଗୀତ କହେ-

 

“ହିହିଳି ପିପିଳି ରେବନ୍ ବାନାମ୍ ଲେନ୍

ଖଜ କାମାଣ୍ ରେବନ୍ କଜ୍ ଲେନ୍

ହାରତା ରେବନ୍ ହାରାଲେନ୍

ସାସାଂବେଡ଼ା ରେବନ୍ ଜାତ୍ ଲେନ୍ ।”

ତା’ର ଓଡ଼ିଆ ରୂପାନ୍ତର ଏହିପରି-

‘ହିହିଳି ପିପିଳି’ରେ ଜନ୍ମ ହୋଇଥିଲୁ

‘ଖଜ୍‌କମାଣ୍’ରେ ନିଜକୁ ଖୋଜିଥିଲୁ ।

‘ହାରାଣ’ରେ ଆମର ବଂଶବୃଦ୍ଧି ହୋଇଥିଲା

‘ସାସାଂବେଡା’ରେ ଆମେ ଜାତି ପାଇଥିଲୁ ।”

 

ଉପର ଲିଖିତ ପଦରେ ‘ହିହିଳି ପିପିଳି’ର ଅର୍ଥ ହେଉଛି ସମତଳ ଓ ପ୍ରାକୃତିକ ସବୁଜିମା ଭରା ଅଞ୍ଚଳ । ‘ସାସାଂବେଡା’ର ଅର୍ତ ହଳଦୀଗଛରେ ପରିପୂର୍ଣ୍ଣ ସ୍ଥାନ । ସେହି ଅଞ୍ଚଳରେ ସାନ୍ତାଳମାନେ ନିଜକୁ ସାନ୍ତାଳ ଭାବରେ ପରିଚିତ କରିଥିବାରୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେମାନେ ହଳଦୀର ବ୍ୟବହାର କରିଥାଆନ୍ତି । ଶିଶୁ ଜନ୍ମ ହେଲେ ପ୍ରଥମସ୍ନାନ ସମୟରେ ହିଁ ଶିଶୁକୁ ହଳଦୀ ମଖାଇ କିଛି ହଳଦୀକୁ ତାଳୁରେ ଥାପି ଦିଆଯାଏ । ନୂତନ ବସ୍ତ୍ର କିଣି ଆଣିଲେ ଗୋଟାଏ କାନିରେ ଟିକିଏ ହଳଦୀ ଲଗାଇଲା ପରେ ବ୍ୟବହାର କରାଯାଏ । ବିବାହର ଚୂଡ଼ାନ୍ତ ନିଷ୍ପତ୍ତି ପରେ ନିମନ୍ତ୍ରଣ ପଠାଇବା ପାଇଁ ମଧ୍ୟ ସୂତାରେ ଗଣ୍ଠି ପକାଇ ଅରୁଆ ଚାଉଳ ଓ ହଳଦୀରେ ଗୋଳାଇ ବନ୍ଧୁଘରକୁ ଗୁଆ ପଠାଯାଏ । ବିବାହ ସମୟରେ ସାନ୍ତାଳମାନେ ହଳଦିଆ ବସ୍ତ୍ର ବ୍ୟବହାର କରିଥାଆନ୍ତି । ଏହି ବସ୍ତ୍ରଗୁଡ଼ିକ ମଧ୍ୟ ହଳଦୀ ପାଣିରେ ବୁଡ଼ାଇ ହଳଦିଆ ରଙ୍ଗ କରାଯାଇଥାଏ । ବିବାହ ସମୟରେ ବରକନ୍ୟାକୁ ମଖାଇବା ପାଇଁ ସଳଖ ସୁନ୍ଦର ଥିବା ହଳଦୀ ବ୍ୟବହୃତ ହୁଏ । ନୂଆ କରି ଶଗଡ଼ ତିଆରିଲେ କିମ୍ବା ଚାଷ ନିମିତ୍ତ ବଳଦ କିଣା ହୋଇ ଆସିଲେ ମଧ୍ୟ ପ୍ରଥମେ ତାକୁ ହଳଦୀ ପାଣିରେ ଧୋଇ ଦେବାର ପ୍ରଥା ଅଛି । ଓଡ଼ିଆମାନେ ହୋଲି ଉତ୍ସବରେ ରଙ୍ଗ ଖେଳିଥାଆନ୍ତି, କିନ୍ତୁ ସାନ୍ତାଳମାନେ ହଳଦୀ ପାଣିରେ ହୋଲି ଉତ୍ସବକୁ ପାଳନ କରନ୍ତି । ମୃତ୍ୟୁ ପରେ ଶବକୁ ହଳଦୀ ଲଗାଇ ବିଦାୟ ଦେବାର ମଧ୍ୟ ବିଧି ଅଛି ।

 

ସାନ୍ତାଳମାନଙ୍କର ପୁରାତନ ସଭ୍ୟତା ଥିଲା ଅତ୍ୟନ୍ତ ବୈଭବପୂର୍ଣ୍ଣ । ‘ହିହିଳି, ପିପିଳି’ଠାରୁ ‘ଆହିନ୍‌ଦୁଆର’, ‘ବାହିନ୍‌ଦୁଆର’ ବାଟ ଦେଇ ଯିବା ପରେ ସେମାନେ ‘ଚାଇଗାଳ୍’ ଓ ‘ଚାମ୍ପାଗାଳ୍’ ପ୍ରତିଷ୍ଠା କରିଥିଲେ । ତାହା ଅତ୍ୟନ୍ତ ସମୃଦ୍ଧଶାଳିନୀ ଥିଲା । ସେଠାକାର ପ୍ରଜାମାନେ ସର୍ବଦା ସୁଖଶାନ୍ତି ଆନନ୍ଦରେ କାଳାତିପାତ କରୁଥିଲେ । ସେହି ରାଜ୍ୟର ଐତିହ୍ୟ ସମ୍ପର୍କରେ ସୁନ୍ଦର ସାନ୍ତାଳ ଲୋକ କବିତା ଅଛି ।

 

“ଚେତେ ତେଦ ଛିତାନାମ୍ ଗୁଗୁରିଜ୍ କାନ୍

ଚେତେ ତେଦ ଛିତାନାମ୍ ଲାଲାମାଃ କାନ୍

ତୱାତେଦ ଛିତାନାମ୍ ଗୁଗୁରିଜ୍‌କାନ୍

ଦାହେ ତେଦ ଛିତାନାମ୍ ଲାଲମାଃକାନ୍ ।”

 

ଏଠାରେ ପ୍ରଶ୍ନଛଳରେ ସଖୀଟିଏ ଅପର ସଖୀକୁ ପଚାରୁଛି : ଛିଡ଼ା ଲୋ ! କେଉଁ ଦ୍ରବ୍ୟରେ ତୁମେ ଗୃହାଙ୍ଗନକୁ ଲେପନ କରୁଛ ଏବଂ କେଉଁ ଦ୍ରବ୍ୟରେ କାନ୍ଥକୁ ମସୃଣ କରୁଛ ? ପୁଣି ନିଜେ ତା’ର ଉତ୍ତର ଦେଇ କହୁଛି – ଓହୋ, ତୁମେ ପରା ଗୃହାଙ୍ଗନକୁ ଦୁଗ୍‌ଧରେ ଲେପନ କରୁଛ ଏବଂ ଗୃହକାନ୍ଥକୁ ଦହିରେ ଲେପି ମସୃଣ କରୁଛ । ଏହି ଗୀତରୁ ସାନ୍ତାଳମାନଙ୍କର ରାଜ୍ୟର ଐତିହ୍ୟ ଓ ସମୃଦ୍ଧ ସମ୍ପର୍କରେ ଜଣା ପଡ଼ିଥାଏ ।

 

ସାନ୍ତାଳମାନେ ଲଢ଼ୁଆ ଜାତି ଥିଲେ ମଧ୍ୟ ଶାନ୍ତି ପ୍ରିୟ ଥିଲେ । ତେଣୁ କାହାରି ଆକ୍ରମଣକୁ ପ୍ରତିରୋଧ କରୁଥିଲେ ସତ, ମାତ୍ର ବିବାଦିତ ସ୍ଥାନକୁ ପରିତ୍ୟାଗ କରି ଚାଲି ଯାଉଥିଲେ । ଏହି ସରଳ ନିରୀହ ସ୍ୱଭାବ ଯୋଗୁଁ ହିଁ ସେମାନେ ସମସ୍ତ ସମୃଦ୍ଧ ରାଜ୍ୟକୁ ହରାଇ ବସିଥିଲେ । ମୁସଲମାନ ଆକ୍ରମଣ ଫଳରେ ସେମାନେ ଚାମ୍ପା ରାଜ୍ୟକୁ ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲେ ।

 

“ସିଞ୍ଜ୍ ଉଡୁକ୍ ଧଡୁକ୍ ଞ୍ଜିନ୍ଦା ଉଡୁକ୍ ଧୁଡୁକ୍

ବାଲାଞ୍ଜ୍, ତୁଳୁକ୍ ଯାୟ ସେଟେରାକାନ୍ ।”

 

ଅର୍ଥାତ୍ ସମୁଦି ! ନିଷ୍ଠୁର ଅତ୍ୟାଚାରୀ ତୁର୍କ ମୁସଲମାନମାନଙ୍କ ଆକ୍ରମଣ ଫଳରେ ଦିବାରାତ୍ରି ଆତଙ୍କର ଛାତି ଧଡ଼ଧଡ଼ କରୁଛି ।

 

ଚାମ୍ପା ରାଜ୍ୟ ଛାଡ଼ିଲା ପରେ ସାନ୍ତାଳମାନଙ୍କର ସୌନ୍ଦର୍ଯ୍ୟମୟୀ, ସମୃଦ୍ଧବନ୍ତ, ଐତିହାସିକ ରାଜ୍ୟର କିପରି ପତନ ଘଟିଥିଲା ତାହା ନିମ୍ନ ଲୋକ କବିତାରୁ ଜଣାଯାଏ ।

 

“ଚାମ୍ପା ଗାଳ୍‌ଦ ଲିଲିବିଛି

ବାଦଲି କଏଁଡା ଲିଖନ୍ ଗଳହନ୍

ଦାୟାଗେ ଚାମ୍ପା, ବାଦଲି, କଏଁଡା

ଦାୟାଗେ ଗାଳ୍‌ବନ୍ ବାଗିୟାଦ୍ ଦ ।”

 

ଚାମ୍ପା ରାଜ୍ୟ ଅତି ସୁନ୍ଦର, ସମୃଦ୍ଧ ଏବଂ ବୈଚିତ୍ର୍ୟ ପରିପୂର୍ଣ୍ଣ ରାଜ୍ୟ ଥିଲା । ବାଦଲି, କଏଁଡ଼ା ରାଜ୍ୟ ମଧ୍ୟ ଶିଳ୍ପ କାରୁକାର୍ଯ୍ୟରେ ଅତୁଳନୀୟ ଥିଲା । ଏହିଭଳି ଗୌରବମୟ, ଐତିହାସିକ ରାଜ୍ୟତ୍ରୟକୁ ଅତ୍ୟନ୍ତ ଦୁଃଖର ସହିତ ତ୍ୟାଗ କରିବାକୁ ବାଧ୍ୟ ହେଲୁ ।

 

ଧାର୍ମିକ ଲୋକ କବିତା

ସାନ୍ତାଳମାନେ ବିଭିନ୍ନ ପର୍ବପର୍ବାଣିରେ ଗାନ କରୁଥିବା ଗୀତଗୁଡ଼ିକ ଧାର୍ମିକ ଲୋକକବିତାର ପର୍ଯ୍ୟାୟଭୁକ୍ତ ଅଟେ । ତାଙ୍କ ମୁଖ୍ୟ ଦେବଦେବୀ ଯଥା- ‘ମାରାଂବୁରୁ’, ‘ଜାହେରଏରା’, ‘ମଣେକ’ଙ୍କ ଉଦ୍ଦେଶ୍ୟରେ ‘ବାହାପର୍ବ’ରେ ବିଭିନ୍ନ ଗୀତମାନ ବୋଲାଯାଇଥାଏ । ଦୀପାବଳୀ ଅବସରରେ ‘ସାଲୟରାନୀ’ (ଲକ୍ଷ୍ମୀ ଠାକୁରାଣୀ)ଙ୍କ ଉଦ୍ଦେଶ୍ୟରେ ଆବହମାନ କାଳରୁ ଗୀତସବୁ ବୋଲା ହୋଇ ଆସୁଅଛି । ଏତଦ୍ ବ୍ୟତୀତ ଦେବତାଙ୍କର ଆବାହନ ଏବଂ ଉଦ୍‌ଯାପନୀ ନୃତ୍ୟ ପାଇଁ ମଧ୍ୟ ‘ମାରାଂବୁରୁ’ଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ଗୀତ ବହୁଳ ପରିମାଣରେ ବିଭିନ୍ନ ଅବସରରେ ଦେଖିବାକୁ ମିଳେ ।

 

ବାହାପର୍ବରେ ‘ମାରାଂବୁରୁ’ ଓ ‘ଜାହେରଏରା’ଙ୍କ ଉଦ୍ଦେଶ୍ୟରେ ବୋଲା ଯାଉଥିବା ଗୀତ-

 

“ଯା ଗସାଁୟ ତକୟ ମେଦୟ ବେରେଲା ହ ବୀର ଦିଶମ୍‍ ଦ

ଯା ଗସାଁୟ ତକୟ ମାୟ ଦହୟା ଦ ନାତୁ ମାର୍ ମାର୍ ?

ଯା ଗସାଁୟ ମାରାଂ ଦେୱାୟ ବେରେଲା ହ ବିର ଦିଶମଦ ।

ଯା ଗସାଁୟ ଜାହେର ନେରାୟ ଦହୟା ହ ନାତୁ ମାରୁ ମାର୍ ।”

 

ଅର୍ଥାତ୍ ହେ ଗୋସାଇଁ । ଏହି ଜଙ୍ଗଲ ଇଲାକାକୁ କିଏ ପ୍ରତିଷ୍ଠିତ କରିବେ ? ଏ ଜଙ୍ଗଲ ଘେରା ଗ୍ରାମକୁ କିଏ ସୁରକ୍ଷା ଦେବେ ? ଗୋସାଇଁ ! ଆମର ବଡ଼ ଦେବତା ଏହି ଜଙ୍ଗଲ ଇଲାକାକୁ ପ୍ରତିଷ୍ଠିତ କରିବେ ଏବଂ ଆମେ ଜାହିରାମାତା ଗ୍ରାମକୁ ସମସ୍ତ ପ୍ରକାର ଦୁଃଖ ବିପଦରୁ ରକ୍ଷା କରିବେ ।

 

‘ବାହାପର୍ବ’ରେ ହିଁ ‘ମାରାଂବୁର', ‘ଜାହେର ଏରା’, ‘ମଣେକ’ ଏହି ତିନି ଠାକୁରଙ୍କୁ ପଞ୍ଜପୁଷ୍ପ ଅର୍ପଣ କରିବା ପରେ ତେଲ, ସିନ୍ଦୂର, କଜ୍ଜଳ ଓ ବଳି ଦିଆଯାଏ । ସେତେବେଳେ ନିମ୍ନ ଲିଖିତ ଗୀତ ଗାନରେ ଜାହିରା ପୀଠ ମୁଖରିତ ହୁଏ-

 

‘‘ଜହାର ଗସାଁୟ ମାରାଂ ଦେୱା ନାତାଂ ତାଲାଂ ସୁନୁମେ ସିନ୍ଦୂର

ତେଲାୟ ତାଲାଂ ଆୟନମ୍ କାଜଲ ।

ଜହାର ଗସାଁୟ ମାରାଂ ଦେୱା ନାତାଂ ତାଲାଂ ପୁଣ୍ଡେଘର ବଦା

ତେଲାୟ ତାଲାଂ ଆୟନମ୍ କାଜଲ ।

 

ଯା ଗସାଁୟ ଜାର୍‌ଗେ ଦାଃମା ମୁତୁଲେ ମୁତୁଲେ

ସିତା ନାକା ହାଲାୟେ ହାଲାୟ ।

ଜହାର ଗସାଁୟ ଜାହେର ନେରା ନାତାଂ ତାଲାଂ ସୁନୁମେ ସିନ୍ଦୂର

ତେଲାୟ ତାଲାଂ ଆୟନମ୍ କାଜଲ

ଜହାର ଗସାଁୟ ଜାହେର ନେରା ନାତାଂ ତାଲାଂ ନାରାଃପାଠି

ତେଲାୟ ତାଲାଂ ଆୟନମ୍ କାଜଲ ।

ଯା ଗସାଁୟ ଜାରଗେ ଦାଃମା ମୁତୁଲେ ମୁତୁଲେ

ସିତା ନାକା ହାଲାୟେ ହାଲାୟ ।

 

ଜହାର ଗସାଁୟ ମଣେକ ନାତାଂ ତାଲାଂ ସୁନୁମେ ସିନ୍ଦୂର

ତେଲାୟ ତାଲାଂ ଆୟନମ୍ କାଜଲ ।

ଜହାର ଗସାଁୟ ମଣେକ ନାତାଂ ତାଲାଂ ନାରାଃ ବଦା

ତେଲାୟ ତାଲାଂ ଆୟନମ୍ କାଜଲ ।

ଯା ଗସାଁୟ ଜାରଗେ ଦାଃମା ମୁତୁଲେ ମୁତୁଲେ

ସିତା ନାକା ହାଲାୟେ ହାଲାୟ ।”

 

ହେ ବଡ଼ ଦେବତା ! ତୁମକୁ ଜୁହାର । ତେଲ, ସିନ୍ଦୂର, କଜ୍ଜ୍ୱଳ ସାଥେ ଧଳାବୋଦା ବଳିରୂପେ ପ୍ରଦାନ କରୁଛୁ – ତାକୁ ସ୍ୱୀକାର କର । ହେ ଜାହିରା ଠାକୁରାଣୀ । ତୁମକୁ ଜୁହାର । ତେଲ, ସିନ୍ଦୂର କଜ୍ଜ୍ୱଳ ଏବଂ ନାଲିପେଣ୍ଠୀ ବଳିରୂପେ ଅର୍ପଣ କରୁଛୁ ତାକୁ ଗ୍ରହଣ କର । ହେ ମଣେକ ଦେବତା ! ତୁମକୁ ମଧ୍ୟ ଜୁହାର । ତେଲ, ସିନ୍ଦୂର, କଜ୍ଜ୍ୱଳକୁ ଗ୍ରହଣ କରିବା ସହିତ ନାଲି ବୋଦା ମଧ୍ୟ ଗ୍ରହଣ କର । ହେ ଠାକୁର, ତୁମ ଗୃହ ଚତୁଃପାର୍ଶ୍ଵରେ ଆଷାଢ଼ର ଅସରା ବର୍ଷା ଧାରା ଝରୁଥାଉ । ସୀତାଙ୍କ ପରିପାର୍ଶ୍ୱରେ ମଧ୍ୟ ଠିକ୍ ସେହିପରି ମୂଷଳ ଧାରାରେ ବାରିପାତ ହେଉ ।

 

ଦୀପାବଳୀ ଅବସରରେ ସାନ୍ତାଳମାନେ ‘ସାଲୟରାନୀ’ (ଲକ୍ଷ୍ମୀ ଠାକୁରାଣୀ)ଙ୍କୁ ତଳ ଲିଖିତ ଗୀତ ଗାଇ ଅତି ଆନନ୍ଦର ସହିତ ସ୍ୱାଗତ ଜଣାନ୍ତି ।

 

“ତୁଳି ତିଲ୍‌ମିଞ୍ଜ୍ ତାଲାତେ

ସାଲୟରାନୀଦ ଦାରାୟକାନ୍

ସାଲୟ ରାନୀ,

ସାଲୟ ରାନୀଦ

ତକୟ ଜବାବାୟ ।

ଗାଳ୍‌ରେମା ରାଜ୍ ମେନାୟ

କୁଚ୍‌ରୀ ଚରମା ରାନୀ ମେନାୟ

ସାଲୟ ରାନୀ,

ସାଲୟ ରାନୀଦ

ତକୟ ଜବାଦାୟ ।”

 

ସୋରିଷ ଓ ଅନ୍ୟାନ୍ୟ ସୁନେଲୀ ଶସ୍ୟ କ୍ଷେତ୍ର ମଧ୍ୟ ଦେଇ ଲକ୍ଷ୍ମୀ ଠାକୁରାଣୀ ଆସୁଛନ୍ତି । ତାଙ୍କୁ କିଏ ସ୍ୱାଗତ ସମ୍ଭାଷଣ ଜଣାଇବ ? ଗଡ଼ ଭିତରେ ରାଜା ରହିଲେ, କଚେରୀରେ ରାଣୀ । ତେଣୁ ଲକ୍ଷ୍ମୀ ଠାକୁରାଣୀଙ୍କୁ କିପରି ସ୍ୱାଗତ ଜଣାଇବା ।

 

ଏହି ଦୀପାବଳୀରେ ସାନ୍ତାଳମାନେ ଗୋ ସମ୍ପଦର ଅଭିବୃଦ୍ଧି ନିମନ୍ତେ ଗୋରୁଗାଈମାନଙ୍କୁ ପୂଜା କରନ୍ତି । ସ୍ତ୍ରୀ ଲୋକମାନେ ତିନିଦିନ ଧରି ଗୁହାଳରେ ଦୀପ ଲଗାଇ ଅରୁଆଚାଉଳ, ଦୂବଘାସ ସେମାନଙ୍କ ଉପରକୁ ପକାଇ ନିମ୍ନ ପ୍ରକାରେ ଗୀତ ଗାଇ ବନ୍ଦାନ୍ତି ।

 

“ନେ ସୁଗୀ, ଆମ୍ ସୁଗୀତେ ଶାୟସୁଗୀ

ଆମ୍ ହେୱେଲେକ, ହତାନ୍ ଲେକଦ

ଆୟୁର ଆଗୁ ସୁତୁଃ ଆଗୁ

ନିୟାଗଳା ନିୟା ଯାତରା

ପେରେଜ୍‌କାଃ ଚଳାଙ୍ କାଃମେ ।”

 

ହେ ସୁଗୀ ! (ସୁଗୀ ଗାଈର ନାମ) ତୁ ଗୁହାଳରେ ଥିଲେ ମୋର ଶହେ ସୁଗୀ ବୃଦ୍ଧି ହେବେ । ତୁ ସେମାନଙ୍କୁ କୋଳେଇ କାଖେଇ ବଢ଼ାଇବୁ । ସେମାନଙ୍କୁ ତୋ ସାଥିରେ ଚରିବାକୁ ନେବୁ, ପୁଣି ସାଥୀରେ ଘରକୁ ଆଣିବୁ । ସମସ୍ତଙ୍କ ସାଥୀରେ ରହି ଏ ଗୁହାଳକୁ ଯାତ୍ରା ପରି ଭିଡ଼ କରିଦେବୁ ।

 

ନାରୀମାନଙ୍କ ପରି ପୁରୁଷମାନେ ମଧ୍ୟ ରାତିରେ ଗୁହାଳ ସମ୍ମୁଖରେ ଗାଈ ବଦଳ ଉଦ୍ଦେଶ୍ୟରେ ଗୀତ ବୋଲନ୍ତି ।

 

“ଅକୟ ଗାଈୟେ ଢିଲାଉଏୟା

ଲଶୁଖି ବାୟ ସାହାଓ ଏୟା

ଅକୟ ବିତ୍‌କିଲ୍ ଢିଲାଉ ଏୟା

ଦୁକେ ଭୁଞ୍ଜାଉ-ୱା

ଗାଈଦୟ ନେହରାଦ

ଜାହେର ଲୁଖିଠେନ୍

ବିତ୍‌କିଲ ଦୟ ନେହରାଦ

ମାରାଂବୁରୁ ଠେନ୍

ସିରା ଗାଈ ଦିପିଲ କାତେ

ଲୁଖି ଦୟ ଆଶୁ ଲେଦେ

ଅନାତେବ ତଲ କୱା

ବହଃରେ ହୁଳୁ ଗେଲେଦ ।”

 

ଅର୍ଥାତ୍ ଯେଉଁ ବ୍ୟକ୍ତି ଗାଈକୁ ଅବହେଳା କରନ୍ତି ତାଙ୍କୁ ଲକ୍ଷ୍ମୀ ଠାକୁରାଣୀ ସହି ପାରନ୍ତି ନାହିଁ । ସେହିପରି ଯେଉଁ ବ୍ୟକ୍ତି ମଇଁଷିକୁ ଅବହେଳା କରେ ସେ ଦୁଃଖ ଭୋଗ କରେ । କାରଣ ଧନ-ଜନ-ଗୋ ସମ୍ପଦର ଅଭିବୃଦ୍ଧି ନିମନ୍ତେ ଗାଈ ଲକ୍ଷ୍ମୀଠାକୁରାଣୀଙ୍କ ନିକଟରେ ଏବଂ ମଇଁଷି ‘ମାରାଂବୁରୁ’ଙ୍କ ଠାରେ ପ୍ରାର୍ଥନା କରିଥାଏ । ‘ସିରା’ ଗାଈ ନିଜେ ଲକ୍ଷ୍ମୀଠାକୁରାଣୀଙ୍କୁ ଜାହିରାପୀଠକୁ ମୁଣ୍ଡେଇ ଆଣିଥିଲା ବୋଲି କିମ୍ୱଦନ୍ତୀ ରହିଛି । ସେଥିପାଇଁ ‘ସହରାୟ’ (ଦିପାବଳୀ)ରେ ଗାଈମାନଙ୍କ ମୁଣ୍ଡରେ ଧାନ କେଣ୍ଡା ବାନ୍ଧି ଦିଆଯାଏ ।

 

ସାନ୍ତାଳମାନଙ୍କର ସଙ୍ଗୀତ ଯେପରି ପ୍ରିୟ ନୃତ୍ୟ ମଧ୍ୟ ତତୋଽଧିକ ପ୍ରିୟ ଅଟେ । ତାଙ୍କ ଜୀବନଯାପନ ପ୍ରଣାଳୀକୁ ଅନୁଧ୍ୟାନ କଲେ ମନେ ହୁଏ ସତେ ଯେପରି ସେମାନେ ନୃତ୍ୟ ଓ ସଙ୍ଗୀତ ବିନା ବଞ୍ଚି ପାରିବେ ନାହିଁ । ପାରମ୍ପରିକ ନୃତ୍ୟଗୁଡ଼ିକ ତାଙ୍କର ‘ଧରମ ଆଖାଳା’ରେ ପରିବେଷିତ ହୋଇଥାଏ । ଆଖାଡ଼ାରେ ନୃତ୍ୟ ଭଙ୍ଗ କରିବା ପୂର୍ବରୁ ଉଦ୍‌ଯାପନୀ ଗୀତ ନିମ୍ନ ମତେ ବୋଲାଯାଏ-

 

“ଏନେଜ୍ କେଦ୍‌ବନ୍ ସେରେଞ୍ଜ କେଦବନ୍

ଆବ ଆତୁ ଧରମ୍ ଆଖାଳାରେ

ନୱାହଳ୍ମ ନୱାଜିୱା ଦନ୍

ହୁଲାସ ଦହ କେଦ୍

ଜହାର ଆୟବନ୍ ସିସିରଜୀଉୱିଜ୍

ଗଡ୍ ଆୟବନ ମାଝୀବାବା

ଯାୟଯୁଗ ନଙ୍କା ନୱା ଆଖାଳା

ଗମ୍ ହେଳ୍ ତାହେଁନ୍‌ମା ।”

 

ଅର୍ଥାତ୍ ଆମ ଗ୍ରାମର ଧରମ ଆଖଡ଼ାରେ ଆମେ ନୃତ୍ୟ କରି ଗୀତ ଗାଇ ଦେହ ମନକୁ ଉଲ୍ଲସିତ କଲୁ । ତେଣୁ ସୃଷ୍ଟିକର୍ତ୍ତାଙ୍କୁ ପ୍ରଣାମ କରୁଛୁ । ତତ୍‌ସଙ୍ଗେ ମାଝୀବାବାଙ୍କୁ ମଧ୍ୟ ଜୁହାର କରୁଛୁ-। ଏହି ନୃତ୍ୟ ପ୍ରାଙ୍ଗଣ ଯୁଗଯୁଗ ଧରି ଏହିପରି ଆମକୁ ପ୍ରଫୁଲ୍ଲ କରି ରଖୁ ।

 

ସାମାଜିକ ଲୋକ କବିତା

ସାନ୍ତାଳ ସମାଜରେ ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ବିଭିନ୍ନ ସାମାଜିକ କ୍ରିୟାମାନ ରହିଛି । ସେହି ସମୟରେ ଗାନ କରାଯାଉଥିବା ଗୀତଗୁଡ଼ିକୁ ସାମାଜିକ ଲୋକ କବିତା ଭାବରେ ଗ୍ରହଣୀୟ । ଶିଶୁ ଜନ୍ମ ହେଲେ ତା’ର ନାମକରଣ କରାଯାଏ, ସେତେବେଳେ ସାନ୍ତାଳ ଲୋକ କବି ଗାଏ-

 

“ହାୟରେ ସିରାମ୍ ଗେଲେଦ ଗେଲେ ଲେନ୍‌ଦ

ବୟଲେ ଆମ୍ କିଦ ହୟ୍ ବୁସାଳ ଲେନ୍‌ଦ

ହାୟରେ ମାରାଳ ବାହାଦ ବାହାଲେନ୍‌ଦ

ବାବୁ ଆତ୍ମକାଦୟ ଜାନାମ ଲେନ୍‌ଦ ।”

 

ଗୀତଟିର ଅର୍ଥ ଏହିପରି- କୁଶତୃଣରେ ପ୍ରଥମ ଫୁଲ କଷି ଉଦ୍‌ଗମ ହେଲାପରି, ‘ମାରାଳ’ ପୁଷ୍ପ ବିକଶିତ ହେଲାପରି ଆମ ବାବୁର ଜୀବନ ପୁଷ୍ପ ମଧ୍ୟ ବିକଶିତ ହେଲା ବା ଜନ୍ମ ନେଲା ।

 

ବିବାହ ଅଭିମୁଖେ ବରଯାତ୍ରୀମାନେ ଯିବା ପାଇଁ ବାହାରିଲେ ନିମ୍ନଗୀତ ମାଧ୍ୟମରେ ସମସ୍ତଙ୍କୁ ଏକତ୍ରିତ କରିବାର ବିଧି ରହିଛି ।

 

“ହହଆକମେହ ଗଡେତ୍ ଗରାମ୍ ରିନ୍ ମାପାଞ୍ଜିକ

ମାପାହଞ୍ଜିକ ପାରାନିକ୍‌କ,

ଦେଲା ଆକମେହ ଗଡେତ୍ ଆତୁରିନ୍ ବୁଢ଼ିଏ ରାକ

ଟଲାପାଳାରିନ୍ ପାଞ୍ଚେତ୍‌କ,

ଞ୍ଜେଲ ଆବନ୍ ଲେଖାୟାବନ୍ ଗନ୍‌ପନ୍‌କ

ଞ୍ଜେଲ ଗଦ୍‌କାକ ଆବନ୍ ବାରୟାତ୍‌କା ।”

 

ଉକ୍ତ ଗୀତରେ ବରର ପିଲା ଗ୍ରାମର ଡାକୁଆକୁ କହୁଛନ୍ତି ଯେ ଗ୍ରାମର ମୁଖିଆ, ଉପମୁଖିଆ, ବୃଦ୍ଧା, ଗ୍ରାମପଞ୍ଚ ସହିତ ପାଖ ପଡ଼ୋଶୀଙ୍କୁ ଡାକି ଆଣ । ସମସ୍ତେ ସମବେତ ହୋଇ କନ୍ୟାଘରକୁ ଯାଉଥିବା ପଣକୁ ଗଣିବା ତା’ପରେ ବରଯାତ୍ରୀଙ୍କୁ ବାଟେଇ ଦେବା ।

 

ଝିଅ ଘରେ ମଧ୍ୟ ଲଗ୍ନବେଳ ଉପସ୍ଥିତ ହେଲେ ଘରେ, ବାହାରେ ଝିଅ ଉଦ୍ଦେଶ୍ୟରେ ସଙ୍ଗୀତର ସୁଅ ଛୁଟେ ।

 

“ଚାନ୍ଦ ସୁରୁଜୁମୁନୀ କୁନାମୀୟେନ୍

ନେଣ୍ଡା ସୁରୁଜ୍ ମୁନୀ ସେଟେରେନ୍ ତାମ୍

ତେହେଞ୍ଜ୍ ଞ୍ଜନ୍ଦା ଦଲେ ସୁନୁମ୍ ସାସାଂ ମେୟା

ଗାପା ସିଙ୍ଗାଳ ଚରଲେ ବିଦାୟ ମେଦ ।”

 

ସୁରଜ୍‌ମୁନୀ ! ଚାନ୍ଦ ପୂର୍ଣ୍ଣିମା ହେବା ସହିତ ତୋର ଲଗ୍ନ ଦିନ ମଧ୍ୟ ପହଞ୍ଚି ଗଲାଣି । ଆଜି ରାତିରେ ତୋତେ ତେଲ ହଳଦୀ ମଖାଇ ଦେବୁ । ଆସନ୍ତା ରାତ୍ରିର ପ୍ରଥମ ପ୍ରହରରେ ତୋତେ ବିଦାୟ ଦେଇଦେବୁ ।

 

ସାନ୍ତାଳମାନଙ୍କର ମୁଖ୍ୟ ବୃତ୍ତି ହେଲା ଚାଷ । ଚାଷ ଉପରେ ନିର୍ଭର କରି ସେମାନେ ବର୍ଷ ସାରା ଚଳିଥାଆନ୍ତି । ଚାଷ କାର୍ଯ୍ୟ ସହିତ ବଳଦ ଓ ପଣ୍ଡା (ପୋଢ଼)ର ସମ୍ପର୍କ ଅତି ନିବିଡ଼ । ବିଲରେ ବିହିଡ଼ା କାମର ଆବଶ୍ୟକ ଥିଲା ବେଳେ ହଠାତ୍ ପଣ୍ଡା ଅସୁସ୍ଥ ହୋଇ ପଡ଼ିବାରୁ କୃଷକ ତା’ ଦୁଃଖକୁ ଗୀତ ମାଧ୍ୟମରେ ପ୍ରକାଶ କରିଛି ।
 

‘କାଢ଼ାନ୍ ସେଟେରେନା

କାଡ଼ାୟ ଥାକାଅ ଏନା

ବାଦ୍ ବାଇହାଳ ଗଟା ଢିଲାଉ ଏନା ।”

 

ଅର୍ଥାତ୍ ବିହିଡ଼ା କାମ ପହଞ୍ଚିଲାଣି । ଏ ସମୟରେ ପଣ୍ଡାଟି ମୋର ଅସୁସ୍ଥ ହେବାରୁ ବିଲକାମ ସବୁ ହେଳା କରିଦେଲି ।

 

ସାନ୍ତାଳ ମଇଁଷିଆଳ ଖରା, ବର୍ଷା, ଶୀତ ସର୍ବଦା ବାହାରେ ରହିଥାଏ । ତେଣୁ ସାମାଜିକ ଅନୁଷ୍ଠାନମାନଙ୍କରେ ଯୋଗ ଦେଇ ପାରେ ନାହିଁ କିମ୍ୱା ସାମୂହିକ ନୃତ୍ୟଗୀତରେ ମଧ୍ୟ ଅଂଶ ଗ୍ରହଣ କରିପାରେ ନାହିଁ । ଆମୋଦ ପ୍ରମୋଦଠାରୁ ବଞ୍ଚିତ ଥିବା ମଇଁଷିଆଳର ବେଦନା ନିମ୍ନ ଗୀତରେ ପ୍ରକାଶିତ ହୋଇଛି ।

 

“ଚେତାନ୍ ଟଲାରେମା ଦଂକ ଏନେଜ୍ କାନା

ଇଞ୍ଜମା କାଡାଞ୍ଜ ଗୁପି ଗାଡା ଆଳେ

ଏହିଲି ଦାଦାଦ ମେପୟ ମେସେ

କାଡା ଗୁପି ଦୟ ପାରିୟାଞ୍ଜ ମା ।”

 

ଅର୍ଥାତ୍ ଆମ ଗାଆଁର ଉପର ସାହିରେ ‘ଦି’ ନୃତ୍ୟ ହେଉଅଛି । କିନ୍ତୁ ମୁଁ ନଦୀ ଧାରେ ମଇଁଷି ଜଗିଛି । ଭାଉଜ ! ଭାଇଙ୍କୁ କୁହ । ସେ କିଛି ସମୟ ପାଇଁ ମଇଁଷି ଜଗିଲେ ମୁଁ ମଧ୍ୟ ନୃତ୍ୟ ଗୀତରେ ଯୋଗଦେଇ ପାରନ୍ତି ।

 

ସାନ୍ତାଳ ଲୋକ କବିତାରେ ଅନେକ ମନୋମୁଗ୍‌ଧକର ଶିଶୁଗୀତ ରହିଛି । ଶିଶୁମାନେ ଦାଣ୍ଡଧୂଳିରେ ଖେଳିଲାବେଳେ ନିଜର ଆନନ୍ଦ ପାଇଁ ବିଭିନ୍ନ ପ୍ରକାର ଗୀତ ବୋଲନ୍ତି । ଗୀତଗୁଡ଼ିକ ସମ୍ପୂର୍ଣ୍ଣ ଅର୍ଥବୋଧକ ନ ହେଲେ ମଧ୍ୟ ଶିଶୁ କବିତା ବୟସ୍କମାନଙ୍କୁ ଆନନ୍ଦ ଦିଏ । କିନ୍ତୁ ଶିଶୁମାନେ ଅଝଟ ହେଲେ ସେମାନଙ୍କୁ ପ୍ରବୋଧନା ଦେବା ପାଇଁ ମାଆମାନେ ବିଭିନ୍ନ ଗୀତମାନ ବୋଲନ୍ତି । ଏଥିରେ ଶିଶୁଙ୍କ ମାତା ବ୍ୟତୀତ ଜେଜେମାଆ, ଜେଜେବାପାମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶିଶୁଙ୍କୁ ଖୁଆଇବା, ଶୁଆଇବା, ଗାଧୋଇବା ଏବଂ ହସାଇବା ପାଇଁ ଗୀତମାନ ରହିଛି । ଏଥିରେ ମାଆ ଓ ଶିଶୁ ଉଭୟଙ୍କର ଆତ୍ମସନ୍ତୋଷ ରହିଛି ।

 

ଶିଶୁ ଖାଇଲା ବେଳେ ଅଝଟ କଲେ ମାଆ । ଜହ୍ନକୁ ଦେଖାଇ କହେ-

 

“ଦା ଚାନ୍ଦ ମାମ, ଥାରିରେ ତୱାଦାକା

ଗୀନାରେ ଜିଲ୍ ଉତୁ

ଆଲେ ବାବୁଦୟ ଜମ୍ ଗଦା

ପାକୁଃ ପାକୁଃ... ।”

ଏହାର ଓଡ଼ିଆ ରୂପ-

ଦେ ଚାନ୍ଦ ମାମୁଁ

ଥାଳିରେ ଦୁଧ ଭାତ

ଗୀନାରେ ମାଂସ ତରକାରୀ

ଆମ ପୁଅ ଖାଇଦେବ

ପାକୁ ପାକୁ କରି ।

 

ଶୁଆଇବା ବେଳେ ଜେଜେମା ନାତି ନାତୁଣୀଙ୍କୁ କୋଳରେ ଝୁଲାଇ ଗୀତ ବୋଲନ୍ତି –

 

କୁ- କୁ – ଡୁବୁର

କୁ- କୁ- କୁ

ନି ତାପେ ହାଁସ ଗୁଟି

ଦାନି ତାଲେ ହୀରା ପାରୱା,

କୁ- କୁ- କୁ- ଡୁବୁର

କୁ- କୁ- କୁ ।

 

ଉଚ୍ଚ ପିଣ୍ଡାରେ ବସି ଗୋଡ଼ ତଳକୁ ଓହଳାଇ ଦ୍ୱିପାଦ ଉପରେ ଶିଶୁକୁ ବସାଇ ତା’ ହାତ ଦୁଇଟା ଧରି ପାଦ ଦୋଳିରେ ଝୁଲାଇ ଏପରି ସଙ୍ଗୀତର ଆନନ୍ଦକୁ ଉପଭୋଗ କରନ୍ତି । ‘କୁ-କୁ-କୁ’ ହେଉଛି କପୋତ ବାହୁନିବା ଧ୍ୱନି । ଏଇ ତାଳରେ ଶିଶୁକୁ ଝୁଲାଇ ଜେଜେମା ଅତି ଶରଧାରେ କହନ୍ତି ହେ କପୋତ ! ନିଅ ତୁମ ହଂସଟିକୁ, ଦିଅ ଆମ ହୀରାର ପାରାକୁ ।

 

ଗାଧୋଇଲା ବେଳେ ଶିଶୁ ମୁଣ୍ଡ ଧୋଇବା ପାଇଁ ବାରଣ କଲେ ମାଆ ତାକୁ ନିମ୍ନୋକ୍ତ ପ୍ରକାରେ ପ୍ରବୋଧନା ଦିଏ-

 

‘‘ଜିୟାଙ୍‌ପାଃ, ଜିୟାଙ୍ ପାଃ,

ସିମ୍ ବିଲି ରାପାଃ

ମା ରଟେ ହରାସି କାୟପେ

ଆଲେ ଦିଟୀ ଦ ।”

 

ଏଠାରେ ‘ଜିୟାଙ୍‌’ର ଅର୍ଥ ହେଲା ନଦୀ କିମ୍ୱା ପୋଖରୀ ପାଣିରେ ଶିଶୁକୁ ଶୁଆଇ ତା’ ମୁଣ୍ଡ ବାଳକୁ ସାଉଁଳି ଦେବା । ମାଆ ଶିଶୁର ମୁଣ୍ଡ ବାଳକୁ ସାଉଁଳି ଧୋଇଲା ବେଳେ କହେ- ହେ ବେଙ୍ଗମାନେ, ମୋ ଝିଅର ମୁଣ୍ଡରେ ଯଥାଶୀଘ୍ର ସିନ୍ଧା କାଟିଦିଅ । ସେ ଗାଧୋଇ ସାରିଲେ କୁକୁଡ଼ା ଅଣ୍ଡା ପୋଡ଼ା ସହିତ ଭାତ ଖାଇବ ।

 

ସନ୍ଧ୍ୟା ସମୟରେ ଜେଜେବାପା, ଜେଜେମାଆମାନେ ଶିଶୁମାନଙ୍କୁ କାହାଣୀ କହନ୍ତି । ବେଳେ ବେଳେ ଶିଶୁମାନଙ୍କୁ ହସାଇବା ପାଇଁ ବିଭିନ୍ନ ଗୀତ ଛନ୍ଦି ଥାଆନ୍ତି । ଯଥା-

 

“କଃ ମାଲେ ଟୁଟି କେବେ

ସୁନୁମ୍, ବୁଲୁଡ୍ ବାନୁଃ ତାଲେ

ଚେଦ୍ ତେଲେଶ ଉତୁ ଜମେୟା

ଖାଡାର ଖଡର... ।

ଅର୍ଥ- ବଗକୁ ଆଣିଲୁ ମାରି

ତେଲ ନାହିଁ କି ଲୁଣ ନାହିଁ

କେମିତି ରାନ୍ଧି ଖାଇବୁ ?

ଖାଡାର... ଖଡର ।”

 

ବଡ଼ମାନେ ଖାଡାର-ଖଡର କହି ଶିଶୁର ବେକରେ କୁତୁ କୁତୁ କରି ହସାଇ ଥାଆନ୍ତି । ସେହିପରି ଶିଶୁର ପାଞ୍ଚ ଆଙ୍ଗୁଠିର କାମ ବତାଇ କହନ୍ତି-

 

“ନୱାହ ତେଦ ଦାକାମ୍ ଜମା

ନୱାତେଦ ଉତୁମ୍ ଜମା

ନୱା ତେଦ ଦାଃଏମ୍ ଞ୍ଜୁୟା

ନୱା ତେଦ ସିୟୁଃଆମ୍

ନୱା ତେଦ କାମିୟାମ୍

ନଣ୍ଡେ ତୱା ଦାକା ତାହେଁକାନ୍

ଅକୟ ଜମ୍ କେଆ ?

ପୁସି ।

ହୟଦାଃ ହୁଡ଼ୁର ଦାଃ ବୁଢ଼ୀ

ଟୁକୁଜ୍ ଚେଲାଙ୍ ବାୟପେବୁଢ଼ୀ

ହାଡ୍ ହୁଡ୍ ହାଡ୍ ହୁଡ୍ ।”

ଅର୍ଥାତ୍ ଏଥିରେ ଭାତ, ଖାଇବୁ

ଏଇଥିରେ ତରକାରୀ ଖାଇବୁ

ଏଇଥିରେ ପାଣି ପିଇବୁ

ଏଇଥିରେ ହଳ କରିବୁ

ଏଇଥିରେ ଅନ୍ୟକାମ କରିବୁ

ହାତ ପାପୁଲିକୁ ଦେଖାଇ

ଏଇଠି ଦୁଧ ଭାତ ଥିଲା

କିଏ ଖାଇଲା ?

 

ଉତ୍ତର- ପୁସି । ତା’ପରେ ଶିଶୁର ହାତପାପୁଲିରୁ ଆଙ୍ଗୁଠି ଚଢ଼ିଯିବାର ଦେଖାଇ କହନ୍ତି-

 

ମେଘ ପବନ ସାଥେ ଝଡ଼ ତୋଫାନ୍ ଆସିଲା ବୁଢ଼ୀ

ହାଣ୍ଡି କରେଇ ସବୁ ପୁରାଇ ଦିଅ ମୋ ବୁଢ଼ୀ-

କହି କାଖରେ ହାଡ୍ -ହୁଡ୍ କରି ଶିଶୁକୁ ହସାନ୍ତି ।

 

ସାନ୍ତାଳ ଲୋକ କବିତାରେ ପ୍ରବାଦ ଏବଂ ନୀତିବାକ୍ୟ ମଧ୍ୟ ରହିଛି । ଏଗୁଡ଼ିକ ସାମାଜିକ ଜୀବନକୁ ସୁସ୍ଥ ସୁନ୍ଦର କରିବାରେ ସହାୟକ ହୋଇଥାଏ । ସାନ୍ତାଳରେ ଚମତ୍କାର ପ୍ରବାଦଟିଏ ଅଛି ।

 

“କାମି ଗୁନୁଃ ଜମ୍ ଗୁଜୁଃ

ଗାଳୟା ଗୁଜୁଃ ଉପାସ ଗୁଜୁଃ ।”

 

ଅର୍ଥାତ୍ ଯେଉଁ ବ୍ୟକ୍ତି କର୍ମତତ୍ପର ତା’ର ପେଟ ଅପୋଷା ରହେ ନାହିଁ । କିନ୍ତୁ ଯିଏ ଅଳସୁଆ, ଠକ – ସେହି ବ୍ୟକ୍ତି ଭୋକ ଉପାସରେ ମୃତ୍ୟୁବରଣ କରେ ।

 

ସତ୍ୟରେ ଜୟ ଓ ପାପରେ ପତନ ଏହି ନୀତିବାକ୍ୟ ସାନ୍ତାଳୀରେ ଅତି ନିଖୁଣ ଭାବରେ ରହିଛି-

 

“ଜିୟାଳମନେ ଜିୱିଦ୍ ଧିରୀ

ଚେଦ୍‌ତେହଁ ବାୟ ସେଟେଜ୍ ସାରି

ପାପ୍‌ମନେ ପଦ୍‌ଗା ଧିରୀ

ଡାଁନ୍ ଭୂତ୍‌କ ମାଟୁଜ୍ ସାରି ।”

 

ଏହି ନୀତି ବାକ୍ୟରେ ଦୃଢ଼ପ୍ରତିଜ୍ଞ ମନକୁ ଜୀଅନ୍ତା ପଥର ସହିତ ଏବଂ ଦୁର୍ବଳ ମନକୁ ମସକା ପଥର ସହିତ ତୁଳନା କରାଯାଇଛି । ଉକ୍ତ ପଦଟିର ଅର୍ଥ ହେଲା ଯାହା ମନରେ ଦୃଢ଼ ବିଶ୍ୱାସ ଥାଏ ସେ ସମସ୍ତ ପ୍ରକାର ସଫଳତାର ଅଧିକାରୀ ହୋଇଥାଏ । ମାତ୍ର ଯାହା ମନରେ ପାପ ଚିନ୍ତା ଭରି ରହିଥାଏ ସେ ବ୍ୟକ୍ତି ଭୟାଳୁ । ତା’ର ମନ ଦୁର୍ବଳ ଥିବାରୁ ଡାଆଣୀ ଭୂତ ପରି ଦୁଷ୍ଟ ଶକ୍ତି ତାକୁ ସମାପ୍ତ କରିବାକୁ ପଛାନ୍ତି ନାହିଁ ।

 

ଏତଦ୍ ବ୍ୟତୀତ ସାନ୍ତାଳୀ ଲୋକ କବିତାରେ ପ୍ରବଚନ, ନାରୀ ଜୀବନର କରୁଣ ଚିତ୍ର, କିଶୋର କିଶୋରୀ ଗୀତ, ପ୍ରେମ ସଙ୍ଗୀତ, ରସ, ଅଳଙ୍କାର ଆଦି ଏ ଯାବତ୍ ଲୋକମୁଖରେ ପ୍ରବାହିତ । ସାନ୍ତାଳ ଆଦିବାସୀ ଲୋକ କବିତାର ସମ୍ପୂର୍ଣ୍ଣ ଆକଳନ କରିବାକୁ ହେଲେ ସଂଗ୍ରହ ଓ ଆଲୋଚନାର ଯଥେଷ୍ଟ ଆବଶ୍ୟକତା ରହିଛି । ସେମାନଙ୍କ ଲୋକ କବିତା ଗୁଡ଼ିକ ସମସ୍ତଙ୍କ ଦୃଷ୍ଟିକୁ ଆସିପାରିଲେ ତାଙ୍କ ସମାଜ ଓ ସଂସ୍କୃତିକୁ ଜାଣି ହେବ । ସୁଖର କଥା, ଦେଶର ଗୁଣୀ ଓ ବିଦ୍ଵାନମାନେ ସେମାନଙ୍କୁ ବିଶ୍ୱ ସାହିତ୍ୟର ସ୍ରୋତରେ ସାମିଲ କରିବା ପାଇଁ ଯେଉଁ ତତ୍ପରତା ଦେଖାଇଛନ୍ତି, ସେଥିପାଇଁ ସେମାନେ ପ୍ରଶଂସାର୍ହ ।

 

 

ଓଡ଼ିଆ ଅଧ୍ୟାପିକା,

ଏମ୍.ପି.ସି. ଅଟୋନମାସ୍ କଲେଜ

ତକତ୍‌ପୁର, ବାରିପଦା, ମୟୂରଭଂଜ-୭୫୭୦୦୩

 

***

 

Unknown

ଗୀତି କବିତାର ରୂପବୈଚିତ୍ର୍ୟ

ଡକ୍ଟର ସୁରେନ୍ଦ୍ର କୁମାର ମହାରଣା

 

କବିତାର ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ନିର୍ଣ୍ଣୟ କରିବା ସହଜ ନୁହେଁ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ଗବେଷକଗଣ ବିଭିନ୍ନ ଦୃଷ୍ଟିକୋଣରୁ କବିତାର ସଂଜ୍ଞା ନିର୍ଦ୍ଧାରଣ କରିଛନ୍ତି । ସର୍ବସମ୍ମତ ହେଉ ବା ନ ହେଉ, ଏହାର ପାଖାପାଖି ଏକ ସଂଜ୍ଞା ନିର୍ଦ୍ଧାରଣ କରି କୁହାଯାଇପାରେ ଯେ, ମଣିଷ ତା’ ହୃଦୟର ଭାବରାଜିକୁ ଭାଷାର ସୌନ୍ଦର୍ଯ୍ୟରେ ମଣ୍ଡିତ କରି ପ୍ରକାଶ କରିବା ଦ୍ଵାରା ଯେଉଁ ସାରସ୍ୱତ ଶିଳ୍ପ ଗଢ଼ିଉଠେ, ତାହାର ନାମ କବିତା ।

 

ବିଷୟବସ୍ତୁ ବା ପ୍ରକୃତି ଦୃଷ୍ଟିରୁ କବିତାକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ- (କ) ମନ୍ମୟ କବିତା ବା ବ୍ୟକ୍ତିନିଷ୍ଠ କବିତା (subjective poetry) ଓ (ଖ) ତନ୍ମୟ କବିତା ବା ବସ୍ତୁନିଷ୍ଠ କବିତା (objective poetry) । ବ୍ୟକ୍ତିନିଷ୍ଠ କବିତା ବା ମନ୍ମୟ କବିତାର ଅନ୍ୟନାମ ଗୀତିକବିତା (lyric poetry) ।

 

ଗୀତିକବିତାରେ କବିର ବ୍ୟକ୍ତିଗତ ଆବେଗ-ଅନୁଭୂତି, ଆଶା-ନିରାଶା, ହର୍ଷ-ବିଷାଦ ଆଦିର କଳାତ୍ମକ ପରିପ୍ରକାଶ ଘଟିଥାଏ । କବି ଏହା ଭିତରେ ପ୍ରତ୍ୟକ୍ଷ ଭାବରେ ଆତ୍ମପ୍ରକାଶ କରିବାର ସୁଯୋଗ ପାଏ । କେବଳ ଭାରତୀୟ ସାହିତ୍ୟରେ ନୁହେଁ, ସମଗ୍ର ବିଶ୍ୱସାହିତ୍ୟ ଗୀତିକବିତା ଦ୍ଵାରା ବିପୁଳ ଭାବେ ପରିପୁଷ୍ଟ । ଇଂରାଜୀ lyric poetryର ସମାର୍ଥକ ଭାବେ ଭାରତୀୟ ସାହିତ୍ୟରେ ଗୀତିକବିତାକୁ ଗ୍ରହଣ କରାଯାଇଥାଏ । କାରଣ ଇଂରାଜୀରେ- “Lyric is a short personal expression of feelings” ବୋଲି କୁହାଯାଇଥିବା ବେଳେ କବିତାର ଭାବୋଚ୍ଛ୍ୱାସ ପ୍ରଣୋଦିତ ଆତ୍ମାନୁଭୂତିମୂଳକ ସଂକ୍ଷିପ୍ତ ପରିପ୍ରକାଶ ହିଁ ଭାରତୀୟ ସାହିତ୍ୟରେ ଗୀତିକବିତା ।

 

ପୂର୍ବେ lyre ବା ବୀଣାଜାତୀୟ ଏକ ବାଦ୍ୟଯନ୍ତ୍ର ସାହାଯ୍ୟରେ ଯେଉଁ ଗୀତ ଗାନ କରାଯାଉଥିଲା, ତାହାର ନାମ ଥିଲା ଲିରିକ୍ (lyric) । ଏହାର ସୃଷ୍ଟି ପ୍ରଥମେ ଗ୍ରୀସ୍‌ରୁ । ଗ୍ରୀସ୍ ଓ ରୋମ୍‌ରେ lyricର ସଂଜ୍ଞା ହେଉଛି- “...the lyric proper is a poem with a musical setting, in other words, a song (Collier’s Everyclopedia, gol. 15, p. 39) ଅର୍ଥାତ୍ ବାଦ୍ୟଯନ୍ତ୍ର ସାହାଯ୍ୟରେ ଗାନଯୋଗ୍ୟ କବିତା । ଅବଶ୍ୟ ସଂପ୍ରତି ଗୀତିକବିତା ବା lyricକୁ lyre ବାଦ୍ୟଯନ୍ତ୍ର ସାହାଯ୍ୟରେ ଗାନ କରାଯାଉ ନଥିଲେ ହେଁ ଏହାର ସଙ୍ଗୀତମୟତା ଲୋପ ପାଇ ନାହିଁ । ତେଣୁ ସ୍ଥୂଳ ଅର୍ଥରେ ‘ଗୀତ ହେବା ଉଦ୍ଦେଶ୍ୟରେ ରଚିତ କବିତା’କୁ ଗୀତିକବିତା ବୋଲି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ (ଦ୍ଵିତୀୟ ଖଣ୍ଡ, ପୃ. ୨୨୨୫)ରେ ଉଲ୍ଲେଖ ରହିଛି ।

 

ବାଦ୍ୟଯନ୍ତ୍ର ସହଯୋଗରେ ଗାନ କରାଯାଉଥିବା ପରମ୍ପରାରୁ ସୃଷ୍ଟି ହେତୁ, ଗାନଯୋଗ୍ୟତା ଗୀତିକବିତାର ମୁଖ୍ୟ ଉତ୍ପାଦନ । ଏହାର ଅନ୍ୟାନ୍ୟ ଉପାଦାନର ସୂଚନା ନିମ୍ନୋକ୍ତ ଉଦ୍ଧୃତି ପ୍ରଦାନ କରେ-

 

‘‘Lyric poetry, one of the basic orders of poetry, concerned primarily with the subjective in human experience, with emotion on thought, rather than with persons and events in the external world. A lyric poem ordinarily sustains and expresses a single deeply felt emotion or complex of emotions and is, therefore, usually brief.’’ (Collier’s Encyclopedia, vol. 15, pg- 138)

 

ବର୍ତ୍ତମାନ ଗୀତିକବିତାର ସଂଜ୍ଞା ନିର୍ଦ୍ଦେଶ କରାଯାଇ ଏତିକି କୁହାଯାଇପାରେ ଯେ, କବି ହୃଦୟର ଆବେଗ ଓ ଅନୁଭୂତିର ସ୍ଵତଃସ୍ଫୂର୍ତ୍ତ, ଗୀତିମୟ ତଥା ସଂକ୍ଷିପ୍ତ ପରିପ୍ରକାଶ ହିଁ ଗୀତିକବିତା । ଆତ୍ମାଭିବ୍ୟକ୍ତି ଗୀତିକବିତାର ପ୍ରାଣ । ଏଣୁ ଆତ୍ମାଭିବ୍ୟକ୍ତି ଯେତେ ତୀବ୍ର ଓ ସାନ୍ଦ୍ର ହୁଏ, ଗୀତିକାବ୍ୟ ସେତେ ସରସ ଓ ସୁନ୍ଦର ହୁଏ । ଏଥିରେ କବିଙ୍କ ଅନ୍ତର୍ଜଗତର ଅଭିବ୍ୟକ୍ତି ମୁଖ୍ୟ ଓ ଜୀବନର ବାହ୍ୟ କ୍ରିୟାକଳାପାଦିର ସ୍ଥାନ ଗୌଣ । ଅନ୍ୟ ଭାଷାରେ, ଗୀତିମୟତା, ଆତ୍ମାନୁଭୂତିମୂଳକତା, ସ୍ୱତଃସ୍ଫୂର୍ତ୍ତତା ଓ ସଂକ୍ଷିପ୍ତତା, ଏଇ ଚାରିଗୋଟି ପ୍ରଧାନ ଉପାଦାନରେ ଗୀତିକବିତାର ଶରୀର ଗଢ଼ା ।

 

ବେଳେବେଳେ କବି ତନ୍ମୟ ହୋଇ କାଳ୍ପନିକ ଚରିତ୍ରମାନଙ୍କର ଅନୁଭୂତିକୁ ଛନ୍ଦୋବଦ୍ଧ କ୍ଷୁଦ୍ର କବିତାରେ ପ୍ରକାଶ କରିଥାନ୍ତି । ଏଠାରେ ତାଙ୍କ ବ୍ୟକ୍ତିଗତ ଅନୁଭୂତି ହିଁ କାଳ୍ପନିକ ଚରିତ୍ରର ଅନୁଭୂତି ରୂପେ ଫୁଟିଉଠେ । ଏ ପ୍ରକାରର ଛନ୍ଦୋବଦ୍ଧ କ୍ଷୁଦ୍ରକବିତା ମଧ୍ୟ ଗୀତିକବିତାର ପର୍ଯ୍ୟାୟଭୁକ୍ତ । ଏ ଦୃଷ୍ଟିରୁ ଏହି ଭାବଧାରାରେ ରଚିତ ଗାଥାକବିତା ଓ ରାଧାକୃଷ୍ଣ ଲୀଳାତ୍ମକ ପଦାବଳୀ ମଧ୍ୟ ଗୀତିକବିତାର ଯୋଗ୍ୟତା ଲାଭ କରନ୍ତି ।

 

ଓଡ଼ିଆ ଗୀତିକବିତାର ସୃଷ୍ଟି ଓ ବିକାଶଧାରା : ବୈଦିକ ସାହିତ୍ୟରେ ଗୀତିକବିତାର ପ୍ରଥମ ନିଦର୍ଶନ ମିଳେ । ତାପରେ ପ୍ରାକୃତ ଓ ଅପଭ୍ରଂଶ ଦେଇ ଏହାର କ୍ରମବିକାଶ ଘଟେ । ଅପଭ୍ରଂଶ ଚର୍ଯ୍ୟାସାହିତ୍ୟ ଓଡ଼ିଆ ଲିଖିତ ସାହିତ୍ୟର ଆଦି ନିଦର୍ଶନ ରୂପେ ଗୃହୀତ । ଚର୍ଯ୍ୟାସାହିତ୍ୟ ଅନ୍ତର୍ଗତ ବହୁ ଚର୍ଯ୍ୟାଗୀତି ଓ ଦୋହାକୁ ଗୋଟିଏ ଗୋଟିଏ ରସଘନ ଗୀତିକବିତା ଭାବରେ ଗ୍ରହଣ କରାଯାଇପାରେ । ଖ୍ରୀଷ୍ଟ୍ରୀୟ ଅଷ୍ଟମ-ନବମ ଶତାବ୍ଦୀଠାରୁ ଏକାଦଶ ଶତାବ୍ଦୀ ମଧ୍ୟରେ ଏଗୁଡ଼ିକର ଉଦ୍ଭବ ଓ ବିକାଶ । ଲିଖିତ ସାହିତ୍ୟ ପୂର୍ବରୁ କଥିତ ସାହିତ୍ୟ ବା ଲୋକସାହିତ୍ୟର ପ୍ରଚଳନ ଥିଲା । ଏଣୁ ଗାନଯୋଗ୍ୟ ଲୋକଗୀତ ହିଁ ଗୀତିକବିତା ସୃଷ୍ଟିର ଉତ୍ସ । ଲୋକଗୀତ ଓ ଚର୍ଯ୍ୟାସାହିତ୍ୟ ପରେ ଓଡ଼ିଆ ଗୀତିକବିତାର ବିକାଶ ସାଧିତ ହୁଏ ଷୋଡ଼ଶ ଶତାବ୍ଦୀର ପଞ୍ଚସଖା-ସାହିତ୍ୟରେ । ଏହି ସମୟରୁ ହିଁ ଓଡ଼ିଆ ଗୀତିକବିତାର ଏକ ବିଧିବଦ୍ଧ ଭିତ୍ତିଭୂମି ସ୍ଥାପିତ ହୁଏ ଏବଂ ଗୀତିକବିତା ପରିଚ୍ଛନ୍ନ ଦୃଷ୍ଟିକୋଣ, ଭାବାନୁଭୂତିର ସୂକ୍ଷ୍ମତା ଓ ସ୍ଵଚ୍ଛନ୍ଦ ଭାଷାବିଳାସ ସହିତ ପରିମାର୍ଜିତ ରୂପ ଗ୍ରହଣ କରେ ।

 

ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରୁ ଊନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଦୀର୍ଘ ତିନିଶତ ବର୍ଷ ମଧ୍ୟରେ ଓଡ଼ିଶାର ସାମାଜିକ, ସାଂସ୍କୃତିକ ତଥା ସାହିତ୍ୟିକ ଜୀବନଧାରାରେ ଗୀତିକବିତାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ରଚିତ ଗୀତିକବିତା ବହୁବିଧ । ଯଥା- ଭକ୍ତିକବିତା (ଭଜନ, ଜଣାଣ ଇତ୍ୟାଦି), ଚଉପଦୀ, ଚଉତିଶା, କୋଇଲି, ବୋଲି, ପୋଇ, ଚମ୍ପୂ, ଚିଟାଉ, ମଙ୍ଗଳଗୀତ ଇତ୍ୟାଦି ।

 

ଭକ୍ତିମୂଳକ ଗୀତିକବିତା : ଭକ୍ତିମୂଳକ କବିତା ବାସ୍ତବରେ ଭଗବତ୍ ବିଶ୍ୱାସର କମନୀୟ ଅଭିବ୍ୟକ୍ତି । ଏଥିରେ ଗୀତିକବିତାର ପ୍ରଥମ ପ୍ରକାଶ ଘଟେ । ଭକ୍ତିକବିତା କହିଲେ ସାଧାରଣତଃ ଭଜନ ଓ ଜଣାଣକୁ ବୁଝାଏ । ଭଜନରେ ଉପାସ୍ୟ ଦେବଦେବୀଙ୍କର ନାମ, ରୂପ, ଗୁଣ ଓ ଲୀଳାର ବର୍ଣ୍ଣନା ସ୍ଥାନ ପାଇବା ବେଳେ ଜଣାଣରେ ସେମାନଙ୍କ ମହିମା ବର୍ଣ୍ଣନା ସହିତ ଭକ୍ତର ଆଶା, ଅଭିଳାଷ ବ୍ୟକ୍ତ ହୋଇଥାଏ । ଷୋଡ଼ଶ ଶତାବ୍ଦୀର ବହୁ ଭକ୍ତକବି ଭକ୍ତିକବିତାମାନ ରଚନା କରି ଓଡ଼ିଆ ଗୀତିକବିତାର ସ୍ଥିତିକୁ ସୁଦୃଢ଼ କରିଛନ୍ତି । ପରବର୍ତ୍ତୀ କାଳରେ ମଧ୍ୟ ବହୁସଂଖ୍ୟାରେ ଭଜନ-ଜଣାଣ ରଚିତ ହୋଇ ଗୀତିକବିତାର ଆଶାନୁରୂପ ବିକାଶ ହୋଇଛି । କେତେକ କବି ଦେବୀଭଜନମାନ ରଚନା କରି ସେସବୁକୁ ମାଳଶ୍ରୀ ନାମରେ ନାମିତ କରିଛନ୍ତି । ସ୍ତୁତି ମଧ୍ୟ ଭକ୍ତିଗୀତିକାର ଅନ୍ୟ ଏକ ରୂପ । ଏ ପ୍ରକାର ରଚନା ଅଧିକ ସଂଖ୍ୟାରେ ଉପଲବ୍ଧ ହୁଏ ନାହିଁ । ଏଠାରେ ମନେରଖିବା ଉଚିତ ଯେ, ପ୍ରତ୍ୟେକ ଭକ୍ତିକବିତା ଗୀତିକବିତା ନୁହେଁ । ଗୀତିକବିତାର ପୂର୍ବାଲୋଚିତ ଲକ୍ଷଣଯୁକ୍ତ ଭକ୍ତିକବିତା ହିଁ ଗୀତିକବିତା ପଦବାଚ୍ୟ । ଯେଉଁ ଭକ୍ତିକବିତାରେ କବିର ବ୍ୟକ୍ତିସତ୍ତାର ପରିଚୟ ନଥାଏ, ନିଜସ୍ୱ ସ୍ଵରଟି ଫୁଟିଉଠି ନଥାଏ, ବରଂ ଲୋକୋତ୍ତର ଧାରଣାର ପ୍ରାବଲ୍ୟ ଅନୁଭୂତ ହୁଏ, ତାହା ଗୀତିକବିତାର ପର୍ଯ୍ୟାୟଭୁକ୍ତ ନୁହେଁ ।

 

ଚଉପଦୀ : ଚଉପଦୀ ଶବ୍ଦ ସଂସ୍କୃତ ଚତୁଷ୍ପଦୀର ଭାଷାନ୍ତର । ଚାରି ବା କ୍ଵଚିତ୍ ତତୋଽଧିକ ପଦବିଶିଷ୍ଟ ସଙ୍ଗୀତ ବା କବିତାକୁ ଚଉପଦୀ କୁହାଯାଏ । ଏହା ଆକାରରେ କ୍ଷୁଦ୍ର ଓ ଏହାର ଗାନଯୋଗ୍ୟତା ରହିଛି । ଆଧୁନିକ କାଳରେ ଓଡ଼ିଶୀ ସଙ୍ଗୀତ ବୋଲି ଯାହାକୁ କୁହାଯାଏ, ପ୍ରାଚୀନ କାଳରେ ତାହା ଚଉପଦୀ ନାମରେ ପରିଚିତ ଥିଲା । ଚଉପଦୀଗୁଡ଼ିକ ସାଧାରଣତଃ ଧର୍ମମୂଳକ । ରାଧାକୃଷ୍ଣଙ୍କ ପ୍ରେମତତ୍ତ୍ୱ ଉପଜୀବ୍ୟରେ ରଚିତ ଚଉପଦୀ ସଂଖ୍ୟାରେ ଅଧିକ । ଚଉପଦୀ ରଚୟିତାମାନଙ୍କ ମଧ୍ୟରେ ଦୀନକୃଷ୍ଣ ଦାସ, ଧନଞ୍ଜନ ଭଞ୍ଜ, ଉପେନ୍ଦ୍ର ଭଞ୍ଜ, ବନମାଳୀ ଦାସ, କବିସୂର୍ଯ୍ୟ ବଳଦେବ, ଗୋପାଳକୃଷ୍ଣ, ଗୌରଚରଣ ଅଧିକାରୀ, ଗୌରହରି ପରିଚ୍ଛା ପ୍ରଭୃତିଙ୍କ ନାମ ସ୍ମରଣୀୟ ।

 

ଚଉତିଶା : ଏହା ଓଡ଼ିଆ ଗୀତିକାବ୍ୟର ଅନ୍ୟତମ ଜନପ୍ରିୟ ବିଭାବ । ‘କ’ଠାରୁ ‘କ୍ଷ’ ପର୍ଯ୍ୟନ୍ତ ବ୍ୟଞ୍ଜନ ବର୍ଣ୍ଣମାଳାର ଚଉତିରିଶଟି ଅକ୍ଷରକୁ ଆଦ୍ୟରେ ରଖି ଚଉତିଶା ରଚିତ ହୁଏ । କେତେକ କବି ବିପରୀତ କ୍ରମରେ ‘କ୍ଷ’ଠାରୁ ‘କ’ ପର୍ଯ୍ୟନ୍ତ ବର୍ଣ୍ଣମାଳାଦ୍ୟ ଶବ୍ଦାବଳୀର ବ୍ୟବହାରରେ ଚଉତିଶା ରଚନା କରିଥାନ୍ତି । ଏହାକୁ ଓଲଟ ଚଉତିଶା ବା ବିପରୀତ ଚଉତିଶା କୁହାଯାଏ । କେହି କେହି ଆଦ୍ୟ ଓ ପ୍ରାନ୍ତ ଅକ୍ଷରକୁ କ୍ରମାନ୍ୱୟରେ ପ୍ରୟୋଗ କରି ଚଉତିଶା ରଚନା କରିବାର ଦେଖାଯାଏ । ଏହି ପ୍ରଚାର ଚଉତିଶା ‘ଦ’ ଆଦ୍ୟ ଶବ୍ଦ ବ୍ୟବହାରରେ ସମାପ୍ତ ହୁଏ । ଏହାକୁ ମେଷ-ଯୁଦ୍ଧ ଚଉତିଶା କୁହାଯାଏ । ନାନା ଛନ୍ଦ ବା ବୃତ୍ତର ବ୍ୟବହାରରେ ଚଉତିଶା ରଚିତ ହୋଇଥାଏ । ଉପଜୀବ୍ୟ ବିଷୟବସ୍ତୁ ବା ଭାବଦୃଷ୍ଟିରୁ ଚଉତିଶାକୁ ଭକ୍ତିମୂଳକ, ପ୍ରୀତିମୂଳକ, ପୌରାଣିକ, ଆଖ୍ୟାନ ମୂଳକ, ଦାର୍ଶନିକ ତତ୍ତ୍ୱପ୍ରଧାନ ଇତ୍ୟାଦି ଭେଦରେ ପାଞ୍ଚ ଭାଗରେ ବିଭକ୍ତ କରାଯାଏ ।

 

ଷୋଡ଼ଶା : ଚଉତିଶା ଭଳି ବିଭିନ୍ନ ରାଗରାଗିଣୀଯୁକ୍ତ ଓ ସଂଖ୍ୟାସୂଚକ ଗୀତମାନ ଆଲୋଚ୍ୟ କାଳରେ ରଚିତ ହେଉଥିଲା । ସ୍ଵରବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷରକୁ କ୍ରମାନ୍ୱୟରେ ଆଦ୍ୟରେ ରଖି ରଚିତ ଗୀତିକୁ ଷୋଡ଼ଶା କୁହାଯାଉଥିଲା । ଓଡ଼ିଆରେ ସ୍ଵରବର୍ଣ୍ଣାଦ୍ୟ ଶବ୍ଦାବଳୀର ଅଭାବ ହେତୁ ଏହି କାବ୍ୟରୂପ ସେତେ ଜନପ୍ରିୟ ହୋଇପାରିଲା ନାହିଁ । ଏହି କାରଣରୁ ବୋଧହୁଏ, ଓଡ଼ିଆ ସାହିତ୍ୟରେ ଷୋଡ଼ଶା ଜାତୀୟ ରଚନାର ଅଭାବ ଅନୁଭୂତ ହୁଏ । ପ୍ରାଚୀନ କବିମାନଙ୍କ ଷୋଡ଼ଶା ଜାତୀୟ ରଚନା ମଧ୍ୟରୁ ଉପେନ୍ଦ୍ର ଭଞ୍ଜଙ୍କ ‘ଷୋଡ଼ଶେନ୍ଦୁ’ ଏବଂ ଦିନମଣିଙ୍କ ‘ରାଧାକୃଷ୍ଣ ଷୋଡ଼ଶା’ର ନାମ ଉଲ୍ଲେଖଯୋଗ୍ୟ ।

 

କୋଇଲି : ଓଡ଼ିଆ ସାହିତ୍ୟରେ ରଚିତ ସଂସ୍କୃତ ସାହିତ୍ୟରେ ରଚିତ ସନ୍ଦେଶ କାବ୍ୟ ବା ଦୂତକାବ୍ୟ ସଦୃଶ । ଅତୀତରେ ଏହା ଓଡ଼ିଆ ସାହିତ୍ୟରେ ଖୁବ୍ ଲୋକପ୍ରିୟ ଥିଲା । ଏଥିରେ କୋଇଲିକୁ ସମ୍ୱୋଧନ କରାଯାଇ ପଦମାନ ରଚିତ ହୋଇଥାଏ । ଅଧିକାଂଶ କୋଇଲି ଚଉତିଶା ରୀତିରେ ରଚିତ । ମାର୍କଣ୍ଡ ଦାସଙ୍କ ‘କେଶବ କୋଇଲି’, ବଳରାମ ଦାସଙ୍କ ‘କାନ୍ତକୋଇଲି’, ଜଗନ୍ନାଥ ଦାସଙ୍କ ‘ଅର୍ଥକୋଇଲି’, ଶଙ୍କର ଦାସଙ୍କ ‘ବାରମାସୀ କୋଇଲି’ ଆଦି କେତୋଟି ପ୍ରାଚୀନ ଯୁଗର କୋଇଲିକୁ ଉଦାହରଣ ଭାବରେ ଗ୍ରହଣ କରାଯାଇପାରେ । ପରବର୍ତ୍ତୀ କାଳରେ ମଧ୍ୟ କୋଇଲି ଜାତୀୟ ରଚନା ଲେଖାଯାଇଛି । ଗୋବିନ୍ଦ ଦାସଙ୍କ ‘ଗୋପିକା କୋଇଲି’, ଗୋପାଳକୃଷ୍ଣଙ୍କ ‘ଯଶୋଦା କୋଇଲି’, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ‘କମଳମୁଖ କୋଇଲି’ ଇତ୍ୟାଦି ଏସବୁ ମଧ୍ୟରୁ କେତୋଟି । ଆଧୁନିକ ଓଡ଼ିଆ ସାହିତ୍ୟରେ ମଧ୍ୟ ବିଭିନ୍ନ କବିଙ୍କ ଦ୍ଵାରା କୋଇଲି ରଚିତ ହୋଇଛି । ନନ୍ଦକିଶୋର ବଳ, ପଦ୍ମଚରଣ ପଟ୍ଟନାୟକ, ବାଳକୃଷ୍ଣ ପଟ୍ଟନାୟକ, ବାବାଜୀ ବୈଷ୍ଣବ ଚରଣ ଦାସ, ମଧୁସୂଦନ ସ୍ୱାଇଁ, ବିଚ୍ଛନ୍ଦ ଚରଣ ପଟ୍ଟନାୟକ, ମନୋହର ମେହେର ପ୍ରଭୃତିଙ୍କ ନାମ ଏ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ।

 

ବୋଲି : ଓଡ଼ିଆ କାବ୍ୟଧାରାରେ ‘ବୋଲି’ ଅନ୍ୟତମ ଲୋକପ୍ରିୟ ବିଭାବ । ସହଜରେ ବୋଲାଯାଇପାରୁଥିବାରୁ ଏହାର ନାମ ‘ବୋଲି’ । ଏକମାତ୍ର ସରଳ ଛାନ୍ଦବୃତ୍ତରେ ଓ ଲୋକପ୍ରଚଳିତ ଭାଷାରେ ରଚିତ ରଚନାକୁ ବୋଲି କୁହାଯାଏ । ଏକ କ୍ଷୁଦ୍ର ଉପାଖ୍ୟାନକୁ ନେଇ ଏହା ରଚିତ ହୋଇଥାଏ । ପୌରାଣିକ, କାଳ୍ପନିକ, ବର୍ଣ୍ଣନାତ୍ମକ, ତତ୍ତ୍ୱ ଓ ଉପଦେଶମୂଳକ ଓ ଆତ୍ମାନୁଭୂତିମୂଳକ ଭେଦରେ ଏହାକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇପାରେ । ନୃସିଂହ ଭ୍ରମରବରଙ୍କ ‘ଦଶବୋଲି’, ଗୋବିନ୍ଦ ଦାସଙ୍କ ‘ଅକ୍ରୂର ବୋଲି’, ମହାଦେବ ଦାସଙ୍କ ‘କାଚବୋଲଇ’, କେଶବ ଦାସଙ୍କ ‘ବିଶିକେଶନ ବୋଲି’, ବ୍ରଜନାଥ ବଡ଼ଜେନାଙ୍କ ‘ଗୋପୀବୋଲି’, ଦୀନକୃଷ୍ଣ ଦାସଙ୍କ ‘ଅଳଙ୍କାର ବୋଲି’ ଇତ୍ୟାଦି ଓଡ଼ିଆ ବୋଲିର ଏକ ଏକ ସୁନ୍ଦର ଉଦାହରଣ । ବଳରାମ ଦାସଙ୍କ ଭଣିତା ଥିବା ‘ ଶ୍ରୀପଞ୍ଚମୀ ବୋଲି’ ଏକଦା ଚାଟଶାଳୀର ଚାଟମାନଙ୍କର ମଧ୍ୟରେ ବହୁ ଆଦୃତ ଥିଲା । ଏହାକୁ ଗାଇ ଗାଇ ସେମାନେ ଶ୍ରୀପଞ୍ଚମୀ ବେଳେ ମାଗୁଣି କରୁଥିଲେ । ଏହାଛଡ଼ା କେତେଜଣ ଅଜ୍ଞାତ କବିଙ୍କ ‘କଂସମାରଣ ବୋଲି’, ‘ମୁକୁତା ବୋଲି’, ‘ବାଘବୋଲି’, ‘ଶାଢ଼ିବୋଲି, ‘ସୁବର୍ଣ୍ଣ କେତକୀ ବୋଲି’, ‘ସଞ୍ଜ ବୋଲି’, ‘ହାଟବୋଲି’, ‘ଚାଟବୋଲି’ର ସନ୍ଧାନ ଓଡ଼ିଆ ସାହିତ୍ୟରେ ମିଳେ । ଅଧିକାଂଶ ବୋଲି ଏଗାର ଅକ୍ଷର ବିଶିଷ୍ଟ ହେଲେହେଁ ‘ମୁକୁତା ବୋଲି’ ଓ ‘ଅକ୍ରୂର ବୋଲି’ ଯଥାକ୍ରମେ ବଂଗଳାଶ୍ରୀ ଓରାମକେରୀ ବୃତ୍ତରେ ରଚିତ୍ର ।

 

ପୋଈ : ‘ପୋଈ’ର ସଂସ୍କୃତ ଶବ୍ଦ ‘ପଦୀ’ର ଅପଭ୍ରଂଶ ରୂପ ବୋଲି ମନେହୁଏ । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ପୋଈର ପ୍ରଚଳନ ଥିଲା । ଏହା ଗୀତିକାବ୍ୟର ଏକ ସ୍ଵତନ୍ତ୍ର ଓ ବିଶିଷ୍ଟ ରୂପ । ଏହା ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଗୀତିଗୁଚ୍ଛ ହୋଇଥିବାରୁ ଏହାର ନାମକରଣ ସେହି ସଂଖ୍ୟା ଅନୁସାରେ ହୋଇଥାଏ । ଯେପରି- ଦଶଗୋଟି ଗୀତିସମ୍ୱଳିତ ରଚନାର ନାମ ଦଶପୋଈ । ଏହାର ଅନ୍ୟ ଏକ ରୂପବୈଚିତ୍ର୍ୟ ହେଉଛି, ଏହାର ପ୍ରତ୍ୟେକଟି ଗୀତ ଦଶପଦ ବିଶିଷ୍ଟ । ଏହିପରି ଭାବରେ ଓଡ଼ିଆରେ ଛଅପୋଈ, ସପ୍ତପୋଈ, ବାରପୋଈ, ଷୋଳପୋଈ, ପଚିଶ ପୋଈ ପ୍ରଭୃତି ରଚନା ଦେଖିବାକୁ ମିଳେ । ଏସବୁ ମଧ୍ୟରେ ଉପେନ୍ଦ୍ର ଭଞ୍ଜଙ୍କ ‘ଦଶପୋଈ', ଓ ‘ଷୋଳପୋଈ’, ବ୍ରଜନାଥ ବଡ଼ଜେନାଙ୍କ ‘ଦଶପୋଈ' ଓ ‘ବାରପୋଈ’ର ନାମ ଉଲ୍ଲେଖନୀୟ ।

 

ପଦୀ ବା ପଦିଆ : ସଂସ୍କୃତ ସାହିତ୍ୟର ଚତୁଷ୍ପଦୀ, ପଟ୍‌ପଦୀ, ଅଷ୍ଟପଦୀ ଇତ୍ୟାଦି ଭଳି ଓଡ଼ିଆ ସାହିତ୍ୟରେ ପଦୀ ବା ପଦିଆ ଜାତୀୟ ଗୀତିକାବ୍ୟର ସୃଷ୍ଟି । ସଂସ୍କୃତ ‘ପଦୀ’ ଶବ୍ଦରେ ଅନାଦର ବା କ୍ଷୁଦ୍ର ଅର୍ଥରେ ଓଡ଼ିଆ ‘ଆ’ ପ୍ରତ୍ୟୟ ଯୁକ୍ତ ହୋଇ ‘ପଦିଆ’ ଶବ୍ଦର ସୃଷ୍ଟି । ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ବିଶେଷତଃ ବିରହାନୁଚିନ୍ତାକୁ ନେଇ ରଚିତ ଗୀତିକବିତା ଓଡ଼ିଆରେ ପଦୀ ବା ପଦିଆ ନାମରେ ପରିଚିତ । ଏଥିରେ ଥିବା ଗୀତର ସଂଖ୍ୟାନୁସାରେ ଏହାର ନାମକରଣ । ଯଥା- ‘ଶହେ ପଦିଆ’, ଷାଠିଏ ପଦିଆ, ଛପନ ପଦିଆ, ପଚାଶ ପଦିଆ, ଛବିଶ ପଦିଆ ଇତ୍ୟାଦି । କୃଷ୍ଣ ସିଂହଙ୍କ ‘ଛପନ ପଦିଆ’, କୃପାସିନ୍ଧୁଙ୍କ ‘ଛପନ ପଦିଆ’ ଓ ‘ଛବିଶ ପଦିଆ’ ବାମଦେବ ପଟ୍ଟନାୟକଙ୍କ ‘ପଞ୍ଚାଶ ପଦିଆ’ ଇତ୍ୟାଦିର ନାମ ଉଦାହରଣ ସ୍ଵରୂପ ଗ୍ରହଣ କରାଯାଇପାରେ ।

 

ଚମ୍ପୂ : ଚମ୍ପୂ ଗଦ୍ୟ-ପଦ୍ୟ ମିଶ୍ରିତ ରଚନା । ସଂସ୍କୃତ ସାହିତ୍ୟରେ ଏହା ବହୁ ପ୍ରାଚୀନ । ସଂସ୍କୃତ ଗଦ୍ୟ ସହିତ ଓଡ଼ିଆ ଗୀତ ସଂଯୋଜନା କରି ବୋଧହୁଏ ସର୍ବପ୍ରଥମେ ଚମ୍ପୂ ରଚନା କଲେ କବିସୂର୍ଯ୍ୟ ବଳଦେବ ରଥ । ଏଥିରେ ଚଉତିରିଶଟି ବ୍ୟଞ୍ଜନ ବର୍ଣ୍ଣକୁ କ୍ରମାନ୍ୱୟରେ ବ୍ୟବହାର କରଯାଇ ପ୍ରତ୍ୟେକ ଅକ୍ଷରରେ ଗୋଟିଏ ଗୋଟିଏ କରି ଉକ୍ତି-ପ୍ରତ୍ୟୁକ୍ତି ମୂଳକ ଚଉତିରିଶଟି ଗୀତ ରଚିତ ହୋଇଛି । ଏହା ଚଉତିରିଶଟି ଗୀତ ବା ଚଉପଦୀର ଏକ ମନୋରମ ଗୁଚ୍ଛ । ଓଡ଼ିଆ ପାଠକଗୋଷ୍ଠୀ ସଂସ୍କୃତି ନିୟମାନୁସାରେ ରଚିତ ଏହି ରଚନା ପ୍ରତି ଆଗ୍ରହୀ ନ ହୋଇ ଚଉତିଶା ରୀତିରେ ରଚିତ ଚଉପଦୀଗୁଡ଼ିକୁ ଚମ୍ପୂ ଭାବରେ ଗ୍ରହଣ କରିନେଇଛନ୍ତି । ପ୍ରତ୍ୟେକ ଗୀତରେ ଉଦ୍ଦିଷ୍ଟ ବ୍ୟଞ୍ଜନ ବର୍ଣ୍ଣଟିକୁ ପ୍ରତି ପାଦର ଆଦ୍ୟରେ ବ୍ୟବହାର କରିବା ଏହାର ରଚନାବିଧି । ଏହି ରୀତି ଅନୁସରଣ କରି କବିସୂର୍ଯ୍ୟଙ୍କ ପରବର୍ତ୍ତୀ କାଳରେ ରଚିତ ଚମ୍ପୂଗୁଡ଼ିକ ମଧ୍ୟରେ ଗୋବିନ୍ଦ ରାୟଗୁରୁଙ୍କ ‘ବୃନ୍ଦାବନ ଚନ୍ଦ୍ରାନନ୍ଦ ଚମ୍ପୂ’, ରଘୁନାଥ ରାୟଗୁରୁଙ୍କ ‘ଚମ୍ପୂ’, ବିଶ୍ୱନାଥ ଦେବବର୍ମାଙ୍କ ‘ରାଧାଗୋବିନ୍ଦ ଚମ୍ପୂ’ ଇତ୍ୟାଦିର ନାମ ଉଲ୍ଲେଖ କରାଯାଇପାରେ । ଏସବୁ ଚମ୍ପୂରେ କବିସୂର୍ଯ୍ୟଙ୍କ ପ୍ରଭାବ ପରିଲକ୍ଷିତ ହୁଏ ।

 

ଏସବୁ ବ୍ୟତୀତ ଚିଟାଉ ବା ପତ୍ର ଆକାରରେ ଲିଖିତ ସନ୍ଦେଶମୂଳକ ରଚନା, ବାରମାସର ଅନୁଭୂତିବର୍ଣ୍ଣିତ ବାରମାସୀ ଗୀତ, ବିବାହାଦି ଶୁଭକର୍ମରେ ଗାନ କରାଯାଉଥିବା ‘ମଙ୍ଗଳଗୀତି' ଇତ୍ୟାଦି ଗୀତିକାବ୍ୟ ଭାବରେ ଗୃହୀତ । କୌତୁକ ପ୍ରଶ୍ନ-ଗୀତ, ଢମଢମାଳି, ଅଳଙ୍କାର ଗୀତ, ମନାସ ଗୀତ, ଗଣିତ ଗୀତ, କେତେକ ସଂକୀର୍ତ୍ତନ ଓ ବାଦ୍ୟଗୀତିକା ଆଦିକୁ ମଧ୍ୟ କେହି କେହି ଆଲୋଚକ ଗୀତିକବିତାର ମାନ୍ୟତା ଦିଅନ୍ତି ।

 

କିନ୍ତୁ ସେ ଯାହା ହେଉ, ଯେଉଁ ଗୀତିକାରେ ପୂର୍ବୋକ୍ତ ଲକ୍ଷଣମାନ ପ୍ରକାଶିତ ନ ହୁଏ, ତାହା ଗୀତିକବିତା ପର୍ଯ୍ୟାୟଭୁକ୍ତ ନୁହେଁ । ଏ ଦୃଷ୍ଟିରୁ ପୂର୍ବାଲୋଚିତ ପ୍ରାଚୀନ ଓ ମଧ୍ୟଯୁଗୀୟ ବିଭାବଗୁଡ଼ିକର ସମସ୍ତ ଗୀତି ଗୀତିକବିତା ନୁହେଁ । ଗୀତିକବିତା ସଂଜ୍ଞା ଦୃଷ୍ଟିରୁ ଏ ସମସ୍ତ କବିତାଗୁଡ଼ିକୁ ପରୀକ୍ଷା କରି ସାବଧାନତାର ସହିତ ଗୀତିକବିତା-ବିଭାଗ ମଧ୍ୟକୁ ଆଣିବାକୁ ହେବ ।

 

ଏହି ଆଲୋଚନା ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ଗୀତିକାବ୍ୟ ବା କବିତାର ରୂପବୈଚିତ୍ର୍ୟ ସମ୍ୱନ୍ଧରେ ସମ୍ୟକ୍ ଧାରଣା ଜନ୍ମାଏ ।

 

ଗୀତିକବିତା ପ୍ରାଚୀନ କବିମାନଙ୍କର ଭାବ ଅଭିବ୍ୟକ୍ତିର ପ୍ରକୃଷ୍ଟ ମାଧ୍ୟମ ଥିଲା । ସେହି କବିଗଣ ବ୍ୟକ୍ତିକ ଅଭିବ୍ୟକ୍ତି ଓ ପୌରାଣିକ ଚରିତ୍ରର ଅନୁଭୂତିକୁ ବହୁବିଧ ଗୀତିକବିତା ମାଧ୍ୟମରେ ରୂପ ଦେଉଥିଲା । ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ଗୀତିକାବ୍ୟ-କବିତାର ସହଚର ଓ ପରିପୂରକ ଥିଲା । ଏହି କାରଣରୁ ଏହା ସମାଜର ବିଭିନ୍ନ ସ୍ତରକୁ ସ୍ୱାଭାବିକ ରୀତିରେ ସଞ୍ଚରି ଯାଇଥିଲା ଏବଂ ଲୋକପ୍ରିୟତା ଲାଭ କରିଥିଲା ।

 

ମଧ୍ୟଯୁଗୀୟ କେତେକ କବିଙ୍କ ଦାନରେ ଓଡ଼ିଆ ଗୀତିକବିତାର ଉନ୍ନତି ସାଧିତ ହୋଇଥିଲେ ହେଁ ଏହି ସମୟରେ ହିଁ ଏହାର ପ୍ରଗତି ବାଧାପ୍ରାପ୍ତ ହୋଇଥିଲା । ମଧ୍ୟଯୁଗର କୃତ୍ରିମତା, ଆଙ୍କକାରିକ-ପ୍ରୀତି ଗୀତିକାବ୍ୟର ପ୍ରଭାବ ଇତ୍ୟାଦି ଗୀତିକାବ୍ୟର ଧାରାକୁ ଦୁର୍ବଳ କରିବାକୁ ଲାଗିଲା । ଏହା ହିଁ ଗୀତିକବିତାର ଅବକ୍ଷୟକାଳ । ମନେହୁଏ, ଗୀତିକବିତା ରୂପେ ବିବେଚିତ ପୂର୍ବୋକ୍ତ ଗଣିତ ଗୀତ, ବାଦ୍ୟଗୀତ, ଜମଢମାଳି ଇତ୍ୟାଦି ଏହି ଅବକ୍ଷୟକାଳୀନ ରଚନା (ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି, କବିତାର ମାନଚିତ୍ର, ପୃ ୮୮)

 

ଊନବିଂଶ ଶତାବ୍ଦୀର ଶେଷ ପାଦରେ ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାର ବିସ୍ତାର ଫଳରେ ସମଗ୍ର ଭାରତବର୍ଷର ସାମାଜିକ ଓ ସାଂସ୍କୃତିକ ଜୀବନରେ ବିପୁଳ ପରିବର୍ତ୍ତନ ଦେଖାଦେଲା । ବହୁ ପ୍ରାଚୀନ ଓ ପାରମ୍ପରିକ ମୂଲ୍ୟବୋଧର ବିଲୟ ଘଟି ଅନେକ କ୍ଷେତ୍ରରେ ନୂତନ ଦୃଷ୍ଟିକୋଣ ଓ ଭାବଧାରାର ବିକାଶ ଘଟିଲା । ସାହିତ୍ୟ କ୍ଷେତ୍ରରେ ମଧ୍ୟ ନବଜାଗରଣର ସୂତ୍ରପାତ ହେଲା । ଗ୍ରାମ୍ୟ ଜୀବନର ଶାନ୍ତ ବାତାବରଣ, ଶୃଙ୍ଖଳା, ନିରପେକ୍ଷତା ଓ ଐକ୍ୟ ନଷ୍ଟ ହୋଇଗଲା । ନଅଙ୍କ ଦୁର୍ଭିକ୍ଷ, ପାରିପାର୍ଶ୍ୱିକ ଅଶାନ୍ତି ଓ ଅସ୍ଥିରତା, ଶିଳ୍ପ ସଭ୍ୟତାର ବିକାଶ ଆଦିରୁ ସୃଷ୍ଟ ପରିବର୍ତ୍ତନ କବିକୁ ଅଧିକ ବ୍ୟକ୍ତିନିଷ୍ଠ ଓ ଆତ୍ମକୈନ୍ଦ୍ରିକ କଲା । ତା ରଚନାରେ ସ୍ଵର ଅପେକ୍ଷା ଭାବର ପ୍ରାଧାନ୍ୟ ପରିଦୃଷ୍ଟ ହେଲା । ଇଂରାଜୀ ଶିକ୍ଷାର ପ୍ରଚଳନ, ମୁଦ୍ରଣ ଯନ୍ତ୍ରଣ ପ୍ରତିଷ୍ଠା ଓ ବିଭିନ୍ନ ପତ୍ରପତ୍ରିକାର ପ୍ରକାଶନ ଆଧୁନିକ ସାହିତ୍ୟର ବିକାଶଧାରାକୁ ତ୍ୱରାନ୍ୱିତ କଲା । ପୂର୍ବୋକ୍ତ ପାରମ୍ପରିକ ଗୀତିକବିତାର ପ୍ରଚଳନ କ୍ରମଶଃ ହ୍ରାସ ପାଇବାକୁ ଲାଗିଲା ଏବଂ ସେସବୁର ସ୍ଥାନରେ ଇଂରାଜୀ ଗୀତିକବିତାର ବିଭିନ୍ନ ରୂପ ଅନୁସୃତ ହେଲା । ଓଡ଼ିଆରେ ରଚିତ ହେଲା ସନେଟ୍, ସମ୍ୱୋଧନ ଗୀତି, ଶୋକଗୀତି, ଗାଥାକବିତା ଇତ୍ୟାଦି ଇଂରାଜୀ ଗୀତିକବିତାର ଅନୁକରଣରେ । ରାଧାନାଥ, ମଧୁସୂଦନ ପ୍ରମୁଖ ଇଂରାଜୀ ଶିକ୍ଷାପ୍ରାପ୍ତ ବିଦ୍ୱାନ ପାରମ୍ପରିକ ସାହିତ୍ୟ ସୃଷ୍ଟିରେ ପରିବର୍ତ୍ତନ ଆଣି ନୂତନଯୁଗର ଭିତ୍ତି ସ୍ଥାପନ କଲେ । ଇଂରାଜୀ ଲିରିକ୍‌ର ପ୍ରଭାବ ସେମାନଙ୍କ ରଚନାରେ ପରିଲକ୍ଷିତ ହେଲା । ଫଳରେ ଆରମ୍ଭ ହେଲା ଇଂରାଜୀ ପ୍ରଭାବିତ ଆଧୁନିକ ଗୀତିକବିତାର ଯୁଗ ।

 

ଚତୁର୍ଦ୍ଦଶପଦୀ କବିତା (Sonnet) : ସନେଟ୍ ଇଂରାଜୀ ଶବ୍ଦଟି ଇତାଲୀୟ ସନେଟୋ (sonnetto-ମୃଦୁଧ୍ୱନି) ଶବ୍ଦର ରୂପାନ୍ତର । ଏ ପ୍ରକାର କବିତା ଚତୁର୍ଦ୍ଦଶ ପାଦ, ଚରଣ ବା ପଙ୍‌କ୍ତି ବିଶିଷ୍ଟ । ତେଣୁ ଏହା ଓଡ଼ିଆରେ ଚତୁର୍ଦ୍ଦଶପାଦୀ ବା ଚତୁର୍ଦ୍ଦଶପଦୀ କବିତା ଭାବରେ ସୁବିଦିତ । ଆଙ୍ଗିକ ଶୃଙ୍ଖଳା, ଭାବସଂହତି, ସଂକ୍ଷିପ୍ତତା ଇତ୍ୟାଦି ଦୃଷ୍ଟିରୁ ଏହା ସର୍ବାପେକ୍ଷା ସୁନ୍ଦର ଓ ପରିଚ୍ଛନ୍ନ କାବ୍ୟରୀତି । ଇଂରାଜୀ ସାହିତ୍ୟରେ ସନେଟ୍ ରଚନା କ୍ଷେତ୍ରରେ ଖ୍ୟାତିଲାଭ କରିଥିବା କବିମାନଙ୍କ ମଧ୍ୟରେ ସେକ୍‌ସପିୟର ସର୍ବଶ୍ରେଷ୍ଠ । ତାଙ୍କ ସନେଟ୍‌ର ଆଙ୍ଗିକ ରୀତି ପୂର୍ବବର୍ତ୍ତୀ ସନେଟ୍ ରଚୟିତାମାନଙ୍କଠାରୁ ଭିନ୍ନ । ତାଙ୍କ ସନେଟ୍ ଚାରିପାଦ ବିଶିଷ୍ଟ ତିନିଗୋଟି ସ୍ତବକ ଓ ଦୁଇପାଦ ବିଶିଷ୍ଟ ଗୋଟିଏ ସ୍ତବକର ସମଷ୍ଟି । “ଏହାର ପ୍ରଥମ ତିନୋଟି ସ୍ତବକରେ ବିଷୟ ବା ଘଟଣାର ଉପସ୍ଥାପନା, ବିସ୍ତାର, ବିଶ୍ଳେଷଣ ଓ ଶେଷ ଦୁଇ ଚରଣରେ ଉପସଂହାର ଓ କବିତାର ନିଷ୍କର୍ଷ ବର୍ଣ୍ଣିତ । ଏହାର ପରିବର୍ତ୍ତିତ ପ୍ରାନ୍ତମିଳନ ରୀତି ଅନୁଯାୟୀ ପ୍ରଥମ- ତୃତୀୟ, ଦ୍ୱିତୀୟ-ଚତୁର୍ଥ । ପଞ୍ଚମ-ସପ୍ତମ, ଷଷ୍ଠ-ଅଷ୍ଟମ, ନବମ-ଏକାଦଶ, ଦଶମ-ଦ୍ୱାଦଶ ଓ ତ୍ରୟୋଦଶ ଚରଣ ମଧ୍ୟରେ ଧ୍ୱନି ମିଳନ ସମ୍ପାଦିତ ହୋଇଥାଏ । (ନିବଦ୍ଧ ବିଭୁଦତ୍ତ; ପୃ-୪୯)

 

ଚତୁର୍ଦ୍ଦଶପଦୀ କବିତାରେ ପ୍ରଥମ ଅବସ୍ଥାରେ ମୁଖ୍ୟତଃ ବ୍ୟକ୍ତିଗତ ପ୍ରେମ-ପ୍ରଣୟାନୁଭୂତି ବିବୃତ ହେଉଥିଲା । ପରବର୍ତ୍ତୀ କାଳରେ କିନ୍ତୁ ଏହାର ବିଷୟବସ୍ତୁରେ ବିବିଧ ଓ ବ୍ୟାପକ ଜୀବନଧାରାକୁ ଗ୍ରହଣ କରାଗଲା; ଫଳରେ ଏହା ଯେକୌଣସି ଭାବପ୍ରକାଶ ନିମନ୍ତେ ଏକ ଅନୁକୂଳ ମାଧ୍ୟମ ହୋଇଉଠିଲା । ଓଡ଼ିଆ ଚତୁର୍ଦ୍ଦଶପଦୀ କବିତା ରଚନାରେ ଭକ୍ତକବି ମଧୁସୂଦନ ପ୍ରଥମ ପ୍ରତିଭା । ସେ ଇଂରାଜୀ ସନେଟ୍ ଅନୁସରଣରେ ବହୁ ଚତୁର୍ଦ୍ଦଶପଦୀ କବିତା ରଚନା କରିଥିଲେ । ସେଗୁଡ଼ିକ ପ୍ରକୃତି, ସୌନ୍ଦର୍ଯ୍ୟବୋଧ ଓ ଜୀବନାନୁଭୂତି ଆଧାରିତ ଥିଲା । ନିର୍ଦ୍ଦିଷ୍ଟ ପରିସର ମଧ୍ୟରେ ଜୀବନାନୁଭୂତିର ସୁନ୍ଦର ଓ ସଂଯତ ପରିପ୍ରକାଶ ଏଥିରେ ହୋଇପାରୁଥିବାରୁ ପରବର୍ତ୍ତୀ କାଳୀନ କେତେଜଣ କବି ଏ ପ୍ରକାର ରଚନାରେ ହାତ ଦେଇ ଏହାକୁ ଜନପ୍ରିୟ କରାଇପାରିଛନ୍ତି । ଏହି କବିମାନଙ୍କ ମଧ୍ୟରେ ଗଙ୍ଗାଧର ମେହେର, ନନ୍ଦକିଶୋର ବଳ, ବୈକୁଣ୍ଠନାଥ ପଟ୍ଟନାୟକ, ମାୟାଧର ମାନସିଂହ, କୁଞ୍ଜିବିହାରୀ ଦାଶ, ରାଧାମୋହନ ଗଡ଼ନାୟକ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ଗୁରୁପ୍ରସାଦ ମହାନ୍ତି, ବିଭୁଦତ୍ତ ମିଶ୍ର ଇତ୍ୟାଦିଙ୍କ ନାମ ଉଲ୍ଲେଖଯୋଗ୍ୟ ।

 

ସମ୍ୱୋଧନ ଗୀତି (Ode) : ଓଡ୍ ଏକ ଗ୍ରୀକ୍ ଶବ୍ଦ, ଯାହାର ଅର୍ଥ ସଙ୍ଗୀତ । ପ୍ରାଚୀନ ଗ୍ରୀସ୍‌ରେ ସାର୍ବଜନୀନ ଉତ୍ସବରେ ବା ରଙ୍ଗମଞ୍ଚରେ ନୃତ୍ୟ ଓ ନିର୍ଦ୍ଦିଷ୍ଟ ଛନ୍ଦରେ ଯେଉଁ କୋରସ୍ ଗାନ କରାଯାଉଥିଲା, ତାହାର ନାମ ଥିଲା ଓଡ୍ । ପରବର୍ତ୍ତୀ କାଳରେ ଗ୍ରୀକ୍ ଓଡ୍ ରଚନା ରୀତିକୁ ଅନୁସରଣ କରି ଇଂରାଜୀ ସାହିତ୍ୟରେ ଓଡ୍ ରଚିତ ହୁଏ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବା ବିଷୟକୁ ଉପଜୀବ୍ୟ କରି ରଚିତ ହୋଇଥାଏ ଏବଂ ଏଥିରେ ପ୍ରଥମେ କୌଣସି ବ୍ୟକ୍ତି ବା ବସ୍ତୁକୁ ସମ୍ୱୋଧନ କରାଯାଇ ଆତ୍ମାନୁଭୂତି ପ୍ରକାଶ କରାଯାଇଥାଏ । ଏଣୁ ଓଡ୍ କହିଲେ ଆତ୍ମାନୁଭୂତି ପ୍ରଖ୍ୟାପକ ଏକ ସମ୍ୱୋଧନାତ୍ମକ ଓଡ଼ିଆ ଗୀତିକବିତାକୁ ବୁଝାଏ । ବିଭିନ୍ନ ସମୟରେ ପାଶ୍ଚାତ୍ୟ କବିମାନେ ଏହାର ଆଙ୍ଗିକ ଓ ଆତ୍ମିକରେ ବହୁବିଧ ପରୀକ୍ଷା ଓ ପ୍ରୟୋଗ କରିଯାଇଛନ୍ତି । ଇଂରାଜୀ ସାହିତ୍ୟରେ ଜନ୍ କିଟ୍‌ସ୍, ଲର୍ଡ ଟେନିସନ୍ ପ୍ରଭୃତି କବି ଓ ରଚନାରେ ସିଦ୍ଧହସ୍ତତା ପ୍ରଦର୍ଶନ କରିଛନ୍ତି-

 

ଇଂରାଜୀ ଓଡ୍‌ର ପ୍ରଭାବରେ ଆଧୁନିକ ଓଡ଼ିଆ ସମ୍ୱୋଧନାତ୍ମକ ଗୀତିକବିତାର ବିକାଶ ଘଟିଥିଲେହେଁ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମଧ୍ୟ ଏ ଧରଣର ଗୀତିକବିତାର ସ୍ୱରୂପ ପରିଲକ୍ଷିତ ହୁଏ । କୋଇଲି, ମଧୁପ, ହଂସ, ସଖୀ ବା ମନ ପ୍ରଭୃତିଙ୍କୁ ସମ୍ୱୋଧନ କରି ଅନ୍ତରଙ୍ଗ ଭାବର ଅନାବିଳ ପରିପ୍ରକାଶ କରିବା ଏହି କାବ୍ୟରୀତିର ମୂଳ ଉଦ୍ଦେଶ୍ୟ । ବିଚ୍ଛେଦଜନିତ ବେଦନାବୋଧର ଜୀବନ୍ତ ପରିପ୍ରକାଶ ଏଥିରେ ଘଟିଥାଏ । ବାତ୍ସଲ୍ୟ ମମତା ଫୁଟିଉଠିଥିବା ମାର୍କଣ୍ଡ ଦାସଙ୍କ ‘କେଶବ କୋଇଲି’ ଏବଂ ରାଧାଙ୍କ କୃଷ୍ଣ ବିରହଜନିତ ଶୋକାନୁଭୂତି ସମ୍ୱଳିତ ବହୁ ରଚନା ଏହାର ଏକ ଏକ ଉଦାହରଣ । ବୈରାଗ୍ୟ ଉଦ୍ଦୀପକ ଓ ତତ୍ତ୍ୱସମ୍ୱଳିତ ଭକ୍ତଚରଣଙ୍କ ‘ମନବୋଧ ଚଉତିଶା’ଟିର ଅନ୍ତଃସ୍ଵରରେ ଗାମ୍ଭୀର୍ଯ୍ୟ ଓ ସାର୍ବଜନୀନତା ନିହିତ । ଏହିସବୁ କବିତାକୁ ପ୍ରାଚୀନ ରୀତିର ସମ୍ୱୋଧନ ଗୀତି ଭାବରେ ଗ୍ରହଣ କରାଯାଇପାରେ । କିନ୍ତୁ ଆଧୁନିକ ଗୀତିକବିତାର ମାପକାଠିରେ ଏଗୁଡ଼ିକ କେତେଦୂର ରସଘନ ଗୀତିକବିତା ପଦବାଚ୍ୟ ତାହା ଆଲୋଚନା ସାପେକ୍ଷ-

 

ଇଂରାଜୀ ସମ୍ୱୋଧନ କବିତାନୁକରଣରେ ଆଧୁନିକ ଓଡ଼ିଆ ସାହିତ୍ୟରେ ନଦୀ, ପଦ୍ମ, ଆତ୍ମା ପ୍ରଭୃତିକୁ ସମ୍ୱୋଧନ କରାଯାଇ ଗୀତିକବିତାମାନ ଲେଖାଯାଇଛି ଏବଂ ଏହିପ୍ରକାର ସମ୍ୱୋଧନ ଗୀତି ରଚନାରେ ଭକ୍ତକବି ମଧୁସୂଦନ ହିଁ ପ୍ରଥମ କବି । ‘ନଦୀ ପ୍ରତି’, ‘ଆକାଶ ପ୍ରତି’, ‘ଜୀବନଚିନ୍ତା, ‘ପଦ୍ମ’ ଇତ୍ୟାଦି ତାଙ୍କର ଗୋଟିଏ ଗୋଟିଏ ଉଲ୍ଲେଖନୀୟ ସମ୍ୱୋଧନ ଗୀତି । ଏଗୁଡ଼ିକର କବିଙ୍କ ଆଧ୍ୟାତ୍ମିକତା, ଦାର୍ଶନିକ ଦୃଷ୍ଟିଭଙ୍ଗୀ, ବିଭୁପ୍ରୀତି ଓ ସୌନ୍ଦର୍ଯ୍ୟବୋଧର ମନୋଜ୍ଞ ପରିପ୍ରକାଶ ଘଟିଛି । ଗଙ୍ଗାଧରଙ୍କ ‘ମନ ପ୍ରତି’, ନନ୍ଦକିଶୋରଙ୍କ ‘କାକ ବାରତା’, ‘କୋକିଳ ପ୍ରତି’ ଓ ‘ସିନ୍ଧୁ ପ୍ରତି’, ଗୋପବନ୍ଧୁଙ୍କ ‘ଭାର୍ଗବୀ ପ୍ରତି’, ପଦ୍ମଚରଣଙ୍କ ‘ଧଉଳି ପାହାଡ଼’, ମାନସିଂହଙ୍କ ‘ଦକ୍ଷିଣା ପ୍ରତି’ ଇତ୍ୟାଦିକୁ ସମ୍ୱୋଧନ ଗୀତିକବିତାର ଉଦାହରଣ ଭାବେ ଗ୍ରହଣ କରାଯାଇପାରେ । କୁନ୍ତଳାକୁମାରୀଙ୍କ ‘ଉଚ୍ଛ୍ୱାସ’ ଶୀର୍ଷକ କବିତା ଗ୍ରନ୍ଥରେ ଛଅଟି ସମ୍ୱୋଧନ ଗୀତି ସଙ୍କଳିତ । ଯଥା- ‘ଶେଫାଳୀ ପ୍ରତି', ‘ଚନ୍ଦ୍ର ପ୍ରତି’, ‘କାମିନୀ ପ୍ରତି’, ‘କମଳ ପ୍ରତି’, ‘ତାରା ପ୍ରତି’ ଓ ‘ସହକାର ପ୍ରତି’ । ଏହା ଓଡ଼ିଆ ସାହିତ୍ୟର ସର୍ବପ୍ରଥମ ଓ ଏକମାତ୍ର ପୂର୍ଣ୍ଣାଙ୍ଗ ସମ୍ୱୋଧନ ଗୀତିର ସଙ୍କଳନ ।

 

“ବହୁସ୍ଥଳରେ ସମ୍ୱୋଧନାତ୍ମକ କବିତା ଉଦ୍‌ବୋଧନ ମୂଳକ ହୋଇଥାଏ । ଦେଶବାସୀ, ସମଧର୍ମୀ ବା ବନ୍ଧୁମାନଙ୍କୁ ସମ୍ୱୋଧନପୂର୍ବକ ନୂତନ କର୍ମପ୍ରବଣତା, ଆଦର୍ଶ, ତ୍ୟାଗ ବା ଜାତୀୟ ଚେତନା ଆଦିରେ ଉଦ୍‌ବୁଦ୍ଧ ହେବାକୁ ଏହା ପ୍ରେରଣା ଦେଇଥାଏ । ରାଧାନାଥଙ୍କ ରଚିତ ‘ଶିବାଜୀଙ୍କ ଉତ୍ସାହବାଣୀ’, ପଦ୍ମଚରଣ ପଟ୍ଟନାୟକଙ୍କ ‘ଧଉଳି ପାହାଡ଼’, ‘ପୃଥ୍ୱୀରାଜଙ୍କ ପତ୍ର’, ମଦୁସୂଦନଙ୍କ ‘ଉତ୍କଳ ସନ୍ତାନ’ ପ୍ରଭୃତି କବିତାର ନାମ ଏ ସଂକ୍ରାନ୍ତରେ ସ୍ମରଣୀୟ ।” (ନିବନ୍ଧ ବିଭୁଦତ୍ତ, ପୃ ୫୧)

 

ଶୋକଗୀତି (Elegy) : ଇଂରାଜୀରେ ଶୋକଗୀତିକୁ ଏଲିଜି (elegy) କୁହାଯାଏ । ଏହା ଗ୍ରୀକ୍ ଶବ୍ଦ ଏଲିଗସ୍‌ରୁ ଆଗତ । ପ୍ରାଚୀନ ଇଂରାଜୀ ସାହିତ୍ୟରେ elegiac ନାମକ ଏକ ନିର୍ଦ୍ଦିଷ୍ଟ ଛନ୍ଦରେ ରଚିତ ଯେକୌଣସି ବିଷୟବସ୍ତୁ ଆଧାରିତ କବିତାକୁ ଏଲିଜି କହନ୍ତି । ଷୋଡ଼ଶ ଶତାବ୍ଦୀରୁ ଏହି ମତରେ ପରିବର୍ତ୍ତନ ଦେଖାଗଲା । ଛନ୍ଦ ଉପରେ ଗୁରୁତ୍ୱ କମିଗଲା, ବିଷୟବସ୍ତୁରୁ ପ୍ରାଧାନ୍ୟ ବଢ଼ିଲା । ଫଳରେ ଯେକୌଣସି ରାଗରେ ରଚିତ ଶୋକାତ୍ମକ ଗୀତିକବିତା ଅର୍ଥରେ ଏଲିଜିର ବ୍ୟବହାର କରାଗଲା । ଏହା କୌଣସି ପ୍ରିୟ ଓ ସମ୍ମାନିତ ବ୍ୟକ୍ତିର ବିୟୋଗରେ ରଚିତ ହେଲା । ଏଥିରେ ମାନବଜୀବନର ଦୁଃଖଶୋକ, ନଶ୍ୱରତା, ମୃତ୍ୟୁର ଶୀତଳ ନିଷ୍ଠୁରତା, ଅଶ୍ରୁସଜଳ ସହାନୁଭୂତି, ଦାର୍ଶନିକ ତତ୍ତ୍ୱଜିଜ୍ଞାସା ଆଦି ଫୁଟିଉଠିବା ଦ୍ଵାରା କରୁଣ ରସର ପ୍ରାବଲ୍ୟ ରହିଲା । ଏଣୁ ସଂକ୍ଷେପରେ, କୌଣସି ପ୍ରିୟଜନ ବା ସମ୍ମାନନକ ବ୍ୟକ୍ତିବିଶେଷଙ୍କ ବିୟୋଗରେ ଶୋକସମ୍ୱଳିତ ତଥା କରୁଣ ରସାଶ୍ରିତ ଗୀତ ହିଁ ଶୋକଗୀତି ଇଂରାଜୀରେ ମିଲ୍‌ଟନ୍, ଟେନିସନ୍, ଟମାସ୍ ଗ୍ରେ’, ସେଲି ଇତ୍ୟାଦି ପ୍ରସିଦ୍ଧ ଶୋକଗୀତିକାର । ଟେନିସନ୍‌ଙ୍କ ‘In Memoriam’ ଇଂରାଜୀ ସାହିତ୍ୟରେ ବିଖ୍ୟାତ ଶୋକଗୀତି । କରୁଣ ରସ ହୃଦୟକୁ ଶୀଘ୍ର ସ୍ପର୍ଶ କରୁଥିବାରୁ ସାହିତ୍ୟରେ ଶୋକାତ୍ମକ ଗୀତିକବିତା ଏକ ବଳିଷ୍ଠ ଓ ପ୍ରଭାବଶାଳୀ କାବ୍ୟିକ ଅଭିବ୍ୟକ୍ତି ।

 

ଓଡ଼ିଆ ସାହିତ୍ୟରେ ଶୋକଗୀତିର ପ୍ରାଚୀନତମ ନିଦର୍ଶନ ହେଉଛି ଲୋକସାହିତ୍ୟ ଅନ୍ତର୍ଗତ କାନ୍ଦଣା । ଏହା ବିବାହ ସମ୍ପନ୍ନ ହେବା ପରେ ପରେ କନ୍ୟାର ପିତୃଗୃହ ତ୍ୟାଗ କାଳୀନ ଗଭୀର ଦୁଃଖର ସଫଳ ପରିପ୍ରକାଶ । ଓଡ଼ିଆ ଲୋକସାହିତ୍ୟରେ ଏହି ପ୍ରକାର ରଚନାର ବହୁଳତା ଲକ୍ଷ୍ୟ କରାଯାଏ । ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ପୌରାଣିକ ଚରିତ୍ରମାନଙ୍କୁ ଆଶ୍ରୟ କରି ଶୋକ, ବିଳାପ ଆଦି ନାମରେ ଶୋକଗୀତିମାନ ଅଭିବ୍ୟକ୍ତି ଲାଭ କରିଥିଲା । ମଧ୍ୟଯୁଗୀୟ ବିଭିନ୍ନ ଚଉତିଶା ଜାତୀୟ ରଚନା ଏହାର ଉଦାହରଣ ।

 

ଆଧୁନିକ ଓଡ଼ିଆ ସାହିତ୍ୟରେ ଭକ୍ତକବି ମଧୁସୂଦନଙ୍କୁ ପ୍ରଥମ ଶୋକଗୀତି ରଚୟିତାର ମର୍ଯ୍ୟାଦା ମିଳେ । ପାଶ୍ଚାତ୍ୟ କାବ୍ୟରୂପଟିକୁ ସେ ଆଧୁନିକ ରୀତିରେ ପ୍ରତିଷ୍ଠା ଦେଲେ । ରାଣୀ ଭିକ୍ଟୋରିଆଙ୍କ ବିୟୋଗରେ ମହାଦେବୀ ଭିକ୍ଟୋରିୟା’, ବାମଣ୍ଡା ରାଜା ସୁଢ଼ଳଦେବଙ୍କ ବିୟୋଗରେ ‘ଶୋକଲହରୀ’ ଓ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ ବିୟୋଗରେ ‘ଶୋକଶ୍ଳୋକ’ ସେ ରଚନା କରିଥିଲେ । ଫକୀରମୋହନ ମଧ୍ୟ ସେହିପରି ‘ଅଶ୍ରୁଧାରା’, ‘ଶୋକସପ୍ତକ’, ‘ବିଷାଦବଂଶୀ’ ଶୋକସଙ୍ଗୀତ ଇତ୍ୟାଦି ରଚନା କରିଥିଲେ । ପରବର୍ତ୍ତୀ କାଳରେ ଗୋପବନ୍ଧୁ ଦାସ, ଗୋଦାବରୀଶ ମିଶ୍ର, ମାୟାଧର ମାନସିଂହ, ରାଧାମୋହନ ଗଡ଼ନାୟକ, କୁଞ୍ଜବିହାରୀ ଦାଶ, ଅନନ୍ତ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରଭୃତି କବିଗଣ ନିଜ ନିଜ ରଚନାରେ ଓଡ଼ିଆ ଶୋକଗୀତି ବିଭାଗଟିକୁ ସମୃଦ୍ଧ କରିଛନ୍ତି । କେତେଜଣ ସାମ୍ପ୍ରତିକ କବିଙ୍କର ଏ ପ୍ରକାର ରଚନା ମଧ୍ୟ ଦୃଷ୍ଟିକୁ ଆସିଥାଏ; କିନ୍ତୁ ଏଥିମଧ୍ୟରୁ ଅନେକର ଅନ୍ତଃସ୍ୱର କାରୁଣ୍ୟ ନୁହେଁ ଏବଂ ଆବେଗ ଅପେକ୍ଷା ବୌଦ୍ଧିକ ମନନଶୀଳତର ଆଧିକ୍ୟ ଏଥିରେ ପରିଲକ୍ଷିତ । ତେଣୁ ଏସବୁ ଠିକ୍ ଅର୍ଥରେ ଗୀତିକବିତା ପଦବାଚ୍ୟ ନୁହେଁ ।

 

ଗାଥାକବିତା (Ballad) : ଫରାସୀ Baller (ନୃତ୍ୟ) ଶବ୍ଦରୁ Ballad ଶବ୍ଦର ଉତ୍ପତ୍ତି-। ପ୍ରାଚୀନ କାଳରେ ବାଲାଡ୍ କହିଲେ ବୁଝାଯାଉଥିଲା ନୃତ୍ୟରୀତି ମାଧ୍ୟମରେ ଗାନ କରାଯାଉଥିବା କବିତାକୁ । ବର୍ତ୍ତମାନ ଆଖ୍ୟାନମୂଳକ କବିତାକୁ ବାଲାଡ୍ କୁହାଯାଉଛି । ଏଥିରେ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାର, ପ୍ରଣୟମୂଳକ ଉପାଖ୍ୟାନ, ଇତିହାସ ବା କିମ୍ୱଦନ୍ତୀ ଆଧାରିତ ଘଟଣା କାବ୍ୟିକ ରୂପ ପାଇଥାଏ । ଏଣୁ ବିଶ୍ୱର ପ୍ରତ୍ୟେକ ସାହିତ୍ୟରେ ଜନପ୍ରିୟ ଗାଥାକବିତାର ସନ୍ଧାନ ମିଳିଥାଏ ।

 

ଲୋକଗାଥା (popular ballad) ଓ ସାହିତ୍ୟିକ ଗାଥା (literary ballad) ଭେଦରେ ଗାଥାକବିତା ଦ୍ୱିବିଧ । ଅତୀତରେ ଚାରଣମାନେ ଗାଥାଗୀତିମାନ ଗାନ କରୁଥିଲେ । ସେମାନଙ୍କଠାରୁ ଶୁଣି ଶୁଣି ଲୋକେ ଏହାକୁ ମନେରଖୁଥିଲେ । ଏହା ବହୁ ଜନପ୍ରିୟ ଥିଲା । ଓଡ଼ିଶାରେ ଯୋଗୀଗୀତ, ବଉଳା ଗାଈ ଗୀତ, ଗୋବିନ୍ଦଚନ୍ଦ୍ର ଇତ୍ୟାଦିକୁ ପ୍ରକୃଷ୍ଟ ଲୋକଗାଥା-ଗୀତିକା ଭାବରେ ଗ୍ରହଣ କରାଯାଇପାରେ ।

 

ଲୋକଗାଥା-ଗୀତିକାରୁ କ୍ରମେ ସାହିତ୍ୟିକ ଗାଥାରୀତି କବିତା ବିକାଶ ଲାଭ କରିଥିବା ମନେହୁଏ । ଆଧୁନିକ ଗୀତିକବିତାର ବିଭିନ୍ନ ରୂପ ମଧ୍ୟରୁ ଏହା ଅନ୍ୟତମ । ଏଥିରେ ଘଟଣାର ପୂର୍ଣ୍ଣାଙ୍ଗ ବିବରଣୀ ଦିଆ ନ ଯାଇ ଘଟଣାର ଏକ ବିଶେଷ ଅଂଶକୁ ବର୍ଣ୍ଣନା କରାଯାଇଥାଏ । ଏହି ପ୍ରକାର କାବ୍ୟରୀତିର ସଫଳତା ଓ ଜନପ୍ରିୟତା ପରବର୍ତ୍ତୀ କାଳର ବହୁ କବିଙ୍କୁ ଆକୃଷ୍ଟ କରିଛି । ସେମାନେ ବିଭିନ୍ନ କାହାଣୀ, କିମ୍ୱଦନ୍ତୀ, ଘଟଣା, ଉପାଖ୍ୟାନକୁ ସରଳ ଓ ନିରାଡ଼ମ୍ୱର ରୂପ ଦେଇ ଗାଥାଗୀତିକାମାନ ରଚନା କରିଛନ୍ତି । କେବଳ ଘଟଣାଟିକୁ କବିତା ଆକାରରେ ପ୍ରକାଶ କରାଯାଉଥିବାରୁ କବିତ୍ଵଚାତୁରୀ ପ୍ରଦର୍ଶନ କରିବାର ଅବକାଶ ନଥାଏ । କିନ୍ତୁ ପରିବେଷଣଗତ ନାଟକୀୟତା ଏହାକୁ ଅଧିକ ହୃଦୟଗ୍ରାହୀ କରେ ।

 

ଓଡ଼ିଆ ଗାଥା କବିତା ରଚନା କ୍ଷେତ୍ରରେ ଫକୀରମୋହନ ସେନାପତି ପଥିକୃତ ଉଦ୍ୟମ କରିଥିଲେ ହେଁ ପରବର୍ତ୍ତୀ କାଳରେ ଗୋଦାବରୀଶ ମିଶ୍ର ଏ କ୍ଷେତ୍ରରେ ବହୁ ସୁନାମର ଅଧିକାରୀ ହୋଇଥିଲେ । ତାଙ୍କ ଗାଥାକବିତାଗୁଡ଼ିକ ଓଡ଼ିଆ ସାହିତ୍ୟରେ ପ୍ରଥମ ସାର୍ଥକ ସାହିତ୍ୟିକ ଗାଥାକବିତା ଭାବରେ ଗୃହୀତ ହୋଇଥାଏ । ତାଙ୍କ ‘ଆଲେଖ୍ୟ’, ‘କିଶଳୟ’, ‘ଗୀତାୟନ’ ଇତ୍ୟାଦିରେ ବହୁ ସଂଖ୍ୟାରେ ଗାଥାକବିତା ସଙ୍କଳିତ । ତାଙ୍କ ପରେ ରାଧାମୋହନ ଗଡ଼ନାୟକ ଜଣେ ପ୍ରତିଭାଶାଳୀ ଗାଥାକବି ଭାବରେ ସୁପରିଚିତ । ତାଙ୍କ ‘ଶାମୁକାର ସ୍ଵପ୍ନ’, ‘ଉତ୍କଳିକା', ‘କୈଶୋରିକା’, ‘ପଶୁପକ୍ଷୀର କାବ୍ୟ’ ଇତ୍ୟାଦି ବହୁ କବିତା ଗୋଟିଏ ଗୋଟିଏ ସଫଳ ଗାଥାକବିତା-। ତାଙ୍କ ବ୍ୟତୀତ ବୈକୁଣ୍ଠନାଥ, କାଳିନ୍ଦୀ ଚରଣ, ମାୟାଧର ମାନସିଂହ, କୁଞ୍ଜବିହାରୀ ଦାଶ, ଗୋଦାବରୀଶ ମହାପାତ୍ର, କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରଭୃତି କବି ବିଭିନ୍ନ ବିଷୟମୂଳକ ଗାଥାକବିତା ରଚନା କରି ଆଧୁନିକ ଓଡ଼ିଆ ଗାଥାକବିତା ବିଭାଗକୁ ସମୃଦ୍ଧ କରିଛନ୍ତି ।

 

ଖଣ୍ଡକବିତା (Short poem) : ଖଣ୍ଡକବିତା ବା କ୍ଷୁଦ୍ରକବିତା ଆଧୁନିକ ଗୀତିକବିତାର ବିଭିନ୍ନ ରୂପ ମଧ୍ୟରୁ ଅନ୍ୟତମ । ଆଧୁନିକ ମଣିଷ ସମସ୍ୟାବହୁଳ ଜୀବନରେ କାବ୍ୟକବିତା ରଚନାରେ ବା ପଠନରେ ଅଧିକ ସମୟ ବିନିଯୋଗ ନ କରିପାରିବା କାରଣରୁ ଏହାର ଜନ୍ମ । ଜଞ୍ଜାଳ ଜର୍ଜରିତ ଆଧୁନିକ ମଣିଷ ସ୍ୱଳ୍ପକାଳ ମଧ୍ୟରେ ଭାବପ୍ରକାଶ ଓ ଭାବଗ୍ରହଣ କରିବାକୁ ଅଧିକ ପସନ୍ଦ କରୁଛି । ଫଳରେ କ୍ଷୁଦ୍ର କବିତାର ସୃଷ୍ଟି ଓ ବିକାଶ ନିମନ୍ତେ ଏକ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଊନବିଂଶ ଶତାବ୍ଦୀର ଶେଷଭାଗରୁ କ୍ଷୁଦ୍ର କଳେବର ବିଶିଷ୍ଟ କବିତା ରଚିତ ହୋଇଆସୁଅଛି । ଏହାକୁ ଆଧୁନିକ କବିତା କୁହାଯାଉଛି । ଏହା ପ୍ରାଚୀନ ଚଉତିଶା ବା ଚଉପଦୀର ନୂତନ ରୂପ ।

 

ପ୍ରାଚୀନ ଯୁଗର ସମସ୍ତ ରଚନା ଗୀତ ହେବା ଉଦ୍ଦେଶ୍ୟରେ ରଚିତ ହୋଇଥିଲା ଏବଂ ସେସବୁ ଗାନ କରାଯାଉଥିଲା । ମାତ୍ର ଆଧୁନିକ ଯୁଗର କ୍ଷୁଦ୍ର କବିତା ମୁଖ୍ୟତଃ ପଠିତ ହେବାରେ ପର୍ଯ୍ୟବସିତ । ଫଳରେ କବିତା ଓ ସଙ୍ଗୀତର କ୍ଷେତ୍ର କେତେକ ପରିମାଣରେ ପରସ୍ପରଠାରୁ ପୃଥକ୍ ହୋଇପଡ଼ିଥିଲା । ଏହି ସମୟରେ ଆବିର୍ଭାବ ହେଲା କେତେଜଣ ମହାନ୍ ସ୍ରଷ୍ଟାଙ୍କର, ଯେଉଁମାନଙ୍କ ସଙ୍ଗୀତ ସାହିତ୍ୟରେ ବେଶ୍ ଆଦୃତି ଲାଭ କଲା । ଭକ୍ତକବିଙ୍କ ‘ତୁହି ମା ଜନମଭୂମି’, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘ବନ୍ଦେ ଉତ୍କଳ ଜନନୀ’, ଗଙ୍ଗାଧର ମେହେରଙ୍କ ‘ବିଶ୍ୱ ଜୀବନ ହେ ତୁମକୁ କରୁଣାସିନ୍ଧୁ’, ଗୋଦାବରୀଶ ମିଶ୍ରଙ୍କ ‘ତୁଙ୍ଗ ଶିଖରୀଚୂଳ’, ଗୋଦାବରୀଶ ମହାପାତ୍ରଙ୍କ ‘ଉଠ କଙ୍କାଳ’ ପ୍ରଭୃତି ଗୀତିକବିତା ଗୁଡ଼ିକର କାବ୍ୟିକ ମହତ୍ତ୍ୱ ଜନପ୍ରିୟତାର ଶୀର୍ଷ ସ୍ପର୍ଶ କଲା । ପରେ ପରେ କୃଷ୍ଣମୋହନ ପଟ୍ଟନାୟକ ଲୋକନାଥ, ପଟ୍ଟନାୟକ, କାଳିଚରଣ ପଟ୍ଟନାୟକ ପ୍ରଭୃତି ଗୀତିକାରଙ୍କ ଲେଖନୀରୁ ବହୁ ଗୀତିକବିତା ଜନ୍ମ ନେଲା ।

 

ସ୍ୱାଧୀନତା ପରବର୍ତ୍ତୀ କାଳରେ ଚଉପଦୀ ରଚନା ରୀତିର ଅଧିକ ପରିବର୍ତ୍ତନ ହୋଇଛି । ଭାବରେ ଓ ରୂପରେ ଏହାର ବୈଶିଷ୍ଟ୍ୟ ଫୁଟି ଉଠିଛି । ପାରମ୍ପରିକ ସ୍ଵରବନ୍ଧନକୁ ଉପେକ୍ଷା କରି ଏହା ଅଧିକ ମୁକ୍ତ ଓ ସହଜ ହୋଇଛି । ସଙ୍ଗୀତ କ୍ଷେତ୍ରରେ ଏହା ହୋଇଛି ଏକ ନୂତନ ପରୀକ୍ଷା । ଭକ୍ତି, ପ୍ରେମ, ବିବାହ, ବିଚ୍ଛେଦ, ପ୍ରକୃତିପ୍ରୀତି, ସ୍ୱଦେଶପ୍ରୀତି ଇତ୍ୟାଦି ବହୁବିଧ ବିଷୟବସ୍ତୁକୁ ମୂଳ କରି ଏହା ରଚିତ । ଶିବବ୍ରତ ଦାସ, ପରଶୁରାମ ପଟ୍ଟନାୟକ, ଜୀବନାନନ୍ଦ ପାଣି, ଗୁରୁକୃଷ୍ଣ ଗୋସ୍ୱାମୀ, ନାରାୟଣ ପ୍ରସାଦ ସିଂହ, ଅକ୍ଷୟ ମହାନ୍ତି, ଗୌର ପଟ୍ଟନାୟକ, ସୁବାସ କର ପ୍ରଭୃତି ବହୁ ଗୀତିକାରଙ୍କ ଗୀତିକବିତା ବହୁଳ ଭାବେ ଆଦୃତ ହୋଇଛି ଓ ବିପୁଳ ଲୋକପ୍ରିୟତା ଲାଭ କରିଛି । ଆକାରରେ କ୍ଷୁଦ୍ର ଏହି କବିତାଗୁଡ଼ିକ ଗୀତିମୟତ୍, ସ୍ଵତଃସ୍ଫୂର୍ତ୍ତତା ଓ ମନ୍ମୟତା ଦୃଷ୍ଟିରୁ ଗୋଟିଏ ଗୋଟିଏ ସାର୍ଥକ ଗୀତିକବିତା ।

 

ରୂପ-ବୈଚିତ୍ର୍ୟ ଦୃଷ୍ଟିରୁ ପୁରାତନ ଗୀତିକବିତା ଯେପରି ବହୁବିଧ, ଆଧୁନିକ ଗୀତିକବିତା ସେହିପରି ନ ହେଲେହେଁ ଯୁଗରୁଚିର ଅନୁକୂଳତାରେ ଏହାର ପରିବର୍ତ୍ତନ ଘଟିଛି ଏବଂ ଆଧୁନିକ କାବ୍ୟଜଗତରେ ଏହା ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିପାରିଛି ।

 

 

ଘର ନଂ. ଡି-୬/୨

ଇଉନିଟ୍-୮, ଭୁବନେଶ୍ୱର-୧୨

 

***

 

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ରମ୍ୟରଚନା

ଡ. ପ୍ରସନ୍ନ କୁମାର ମହାନ୍ତି

 

ପୃଥିବୀର ସମସ୍ତ ଦେଶ ଭଳି ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ ଥିଲା ମୁଖ୍ୟତଃ ପଦ୍ୟବହୁଳ । ସାମାଜିକ ମଣିଷର ଗତାନୁଗତିକ ଭାବ ଆଦାନ ପ୍ରଦାନର ମାଧ୍ୟମ ଯେହେତୁ ଗାଦ୍ୟିକ, ତେଣୁ ପ୍ରାଥମିକ ଅବସ୍ଥାରେ ଗଦ୍ୟରେ ସାହିତ୍ୟ ସର୍ଜନ ଏକ ନିକୃଷ୍ଠ ସାରସ୍ୱତ ପ୍ରୟାସ ଭାବେ ହୁଏତ ବିବେଚିତ ହୋଇଥିଲା । କାରଣ କୌଣସି ବାଙ୍‌ମୟ କାରିଗରୀ ଓ ଆଳଙ୍କାରିକ କୁଶଳତା ପ୍ରଦର୍ଶନ ସାଧାରଣ କଥାବାର୍ତ୍ତାର ରୂପ ଓ ପରିଧି ଭିତରେ ଅନୁପଲବ୍ଧ ବୋଲି ଆଦ୍ୟାବସ୍ଥାରେ ଏକ ଧାରଣା ଜନ୍ମିଥିବା ଅସ୍ୱାଭାବିକ ନୁହେଁ । ମାତ୍ର ଗଦ୍ୟ ଏବେ ଆଧୁନିକ ଯୁଗରେ ସବୁଠାରୁ ଲୋକପ୍ରିୟ ସାହିତ୍ୟିକ ମାଧ୍ୟମ ଭାବେ ଗୃହୀତ ହୋଇଛି ଏବଂ ଗତ ବିଂଶ ଶତାବ୍ଦୀକୁ ଅନେକେ ‘ଗଦ୍ୟର ଯୁଗ’ ଭାବେ ଆଖ୍ୟାୟିତ କରିଥାନ୍ତି ।

 

ଓଡ଼ିଆ ସାହିତ୍ୟର ପଦ୍ୟବହୁଳ ପ୍ରାଚୀନ ପର୍ଯ୍ୟାୟରେ କିଛି ଗଦ୍ୟ ସାହିତ୍ୟର ନିଦର୍ଶନ ଅବଶ୍ୟ ଆମକୁ ମିଳିଥାଏ; ମାତ୍ର ସେଗୁଡ଼ିକ ପଦ୍ୟର ପ୍ରଭାବରେ ଗ୍ରସ୍ତ ଅଥଚ ପଦ୍ୟର ସାଂଗଠନିକ ରଚନା-ଆୟାସରୁ ମୁକ୍ତିକାମୀ ଏକ ଏକ ଅସତର୍କ ପ୍ରୟାସ ମାତ୍ର । ସେଗୁଡ଼ିକରେ ଆଧୁନିକ ଗଦ୍ୟର ପରିପ୍ଳୁତ ସୌକର୍ଯ୍ୟ ଓ ପରିପୂର୍ଣ୍ଣ ପ୍ରକାଶ ଭଙ୍ଗୀ ଅନୁପସ୍ଥିତ । ପ୍ରାଚୀନ ଓଡ଼ିଆ ସାହିତ୍ୟର ସେସବୁ ଗଦ୍ୟ ରଚନା ମଧ୍ୟରେ ‘ରୁଦ୍ର ସୁଧାନିଧି’, ‘ଚତୁର ବିନୋଦ’, ‘ସୋମନାଥ ବ୍ରତକଥା’, ‘ମାଦଳାପାଂଜି’, ‘ବତ୍ରିଶ ସିଂହାସନ କଥା’, ‘ହାସ୍ୟ କଲ୍ଲୋଳ’ ପ୍ରଭୃତି ପ୍ରଧାନ । ମାତ୍ର ସାହିତ୍ୟ କ୍ଷେତ୍ରରେ ଆଧୁନିକ ଓଡ଼ିଆ ଗଦ୍ୟର ପ୍ରତିଷ୍ଠା ଆମ ପ୍ରଦେଶର ଇଂରେଜୀ ସଂସର୍ଗର ଫଳଶ୍ରୁତି । ୧୮୦୩ ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ଓଡ଼ିଶା ଅଧିକାର କରିବା ପରେ ପରେ ଖ୍ରୀଷ୍ଟିୟାନ୍ ପାଦ୍ରୀ ବା ମିଶନାରୀମାନେ ଓଡ଼ିଶାରେ ଖ୍ରୀଷ୍ଟଧର୍ମର ପ୍ରଚାର ଲାଗି ବାଇବେଲ୍‌ର ଓଡ଼ିଆ ଅନୁବାଦ ପ୍ରୟାସ କଲେ ଏବଂ ସେମାନଙ୍କ ଓଡ଼ିଆ ଗଦ୍ୟ ପ୍ରାଥମିକ ସ୍ତରରେ ଯେତେ ହାସ୍ୟୋଦ୍ଦୀପକ ହେଲେ ହେଁ ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ମୂଳଦୁଆ ସ୍ଥାପନ ଲାଗି ତାହା ହିଁ ଯେ ଆଦ୍ୟ ପଦକ୍ଷେପ ସାବ୍ୟସ୍ତ ହୋଇଥିଲା ତାହା ସାହିତ୍ୟର ଇତିହାସ ପୃଷ୍ଠାରେ ସପ୍ରମାଣ ପ୍ରତିବିମ୍ୱିତ ହୋଇଛି ।

 

ପ୍ରବନ୍ଧକୁ ଆମେ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରୁ । ଏକ : ବସ୍ତୁନିଷ୍ଠ, ବିଷୟନିଷ୍ଠ, ତନ୍ମୟ ବା ତଥ୍ୟ ପରିବେଷଣ ମୂଳକ ପ୍ରବନ୍ଧ (Objective, Formal or Informative Essay) । ଦୁଇ : ବ୍ୟକ୍ତିନିଷ୍ଠ, ଆତ୍ମନିଷ୍ଠ, ମନ୍ମୟ ବା ଆତ୍ମଭାବୀ ପ୍ରବନ୍ଧ (Subjective, Informal or Intimate Essay) । ବସ୍ତୁନିଷ୍ଠ ପ୍ରବନ୍ଧରେ ଲେଖକର ମୌଳିକ ଜ୍ଞାନ, ଅଧ୍ୟୟନ, ସୁବିନ୍ୟସ୍ତ ଚିନ୍ତାଧାରା ଅଭିବ୍ୟକ୍ତ ହୋଇଥାଏ । ଏଥିରେ ଥାଏ ବିଷୟବସ୍ତୁର ପ୍ରାଧାନ୍ୟ । ମାତ୍ର ବ୍ୟକ୍ତିନିଷ୍ଠ ପ୍ରବନ୍ଧରେ ଲେଖକର ମସ୍ତିଷ୍କ ଅପେକ୍ଷା ହୃଦୟାବେଗ ପ୍ରାଧାନ୍ୟ ଲାଭ କରେ । ଏଥିରେ ଭାବ, ଆବେଗ ଓ ରସୋଚ୍ଛଳତା ଆଧିପତ୍ୟ ବିସ୍ତାର କରିଥାଏ । ଏହାର ପରିବେଷଣ ‘Wisdom in a smiling mood’ ଶୈଳୀରେ ସମ୍ପନ୍ନ ହୁଏ । ସ୍ଥୂଳତଃ ଏହି ଆତ୍ମନିଷ୍ଠ ବା ମନ୍ମୟ ପ୍ରବନ୍ଧ ହିଁ ‘ରମ୍ୟ ରଚନା’ ଭାବରେ ଅଭିହିତ । କେହି କେହି ଏହାକୁ ରମ୍ୟକଥନ, ଲଘୁନିବନ୍ଧ, ଲଳିତ ନିବନ୍ଧ, ନନ୍ଦିତ ନିବନ୍ଧ ନାମରେ ମଧ୍ୟ ନାମିତ କରିଥା’ନ୍ତି ।

 

ରମ୍ୟରଚନା ଚରିତ୍ରଗତ ଦୃଷ୍ଟିରୁ ବ୍ୟକ୍ତିକୈନ୍ଦ୍ରିକ । ଏହା ଲଘୁମନସ୍କ, ସ୍ଵଚ୍ଛନ୍ଦ ଓ ମୁକ୍ତଚାରୀ । ଏଥିରେ ଲେଖକ ବିଷୟବସ୍ତୁର ତାତ୍ତ୍ୱିକ ଓ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଦିଗଟିର ପ୍ରତ୍ୟକ୍ଷ ପରିବେଷଣ ପରିହାର କରି ଏହାର ଏକ ଭାବଗର୍ବିତ ଆନୁଷଙ୍ଗିକ ପରିଧିକୁ ଆବିଷ୍କାର କରନ୍ତି ଏବଂ ହାସ୍ୟମଧୁର, ଆବେଗପୂର୍ଣ୍ଣ ଓ ରସୋତ୍ତୀର୍ଣ୍ଣ ଶୈଳୀରେ ତାହାର ପରିବେଷଣ କରି ପାଠକକୁ ଗଭୀର ଭାବେ ମୂଳପ୍ରସଙ୍ଗ ଆଡ଼କୁ ଆକର୍ଷିତ କରିଥାନ୍ତି । ଏଣୁ ରମ୍ୟରଚନାର ବିଷୟବସ୍ତୁକୁ କୌଣସି ନିର୍ଦ୍ଦିଷ୍ଟଟ ସୀମା ମଧ୍ୟରେ ଆବଦ୍ଧ କରିବା ସହଜ ନୁହେଁ । ଯେକୌଣସି ସାଧାରଣ, ତୁଚ୍ଛ, ନଗଣ୍ୟ ଘଟନା, ବିଷୟ ବା ପଦାର୍ଥକୁ ନେଇ ରମ୍ୟରଚନା ଲେଖାଯାଇପାରେ । ଲେଖକର କଳ୍ପନାଶକ୍ତିର ପ୍ରାଚୁର୍ଯ୍ୟ ଓ କବିତ୍ୱର ଆଧାର ହିଁ ଏକ କ୍ଷୁଦ୍ରାଦପିକ୍ଷୁଦ୍ର ପ୍ରସଙ୍ଗକୁ ନେଇ ପ୍ରଭାବଶାଳୀ ରମ୍ୟରଚନାର ସର୍ଜନ ସମ୍ଭବ କରିଥାଏ । ରମ୍ୟରଚନାର ଭାବାବେଶପୂର୍ଣ୍ଣ ରସୋତ୍ତୀର୍ଣ୍ଣ କାବ୍ୟିକତାକୁ ବିଚାର କରି ଏହାକୁ କାବ୍ୟିକ ପ୍ରବନ୍ଧ ବା ଗୀତି-ଗଦ୍ୟର ଆଖ୍ୟା ମଧ୍ୟ ଦିଆଯାଇପାରେ । ବସ୍ତୁତଃ ରମ୍ୟରଚନାକୁ ଇଂରାଜୀରେ ‘Lyric in Prose’ ବୋଲି ମଧ୍ୟ କୁହାଯାଇଛି ।

 

ରମ୍ୟରଚନାର ମୂଳ ଉତ୍ସ ଭାବେ ଆମ ଯେଉଁ ବେଲେ ଲେଟର୍ସ (Belles Letters) ବା ବେଲା ଲେତାଁ ଶବ୍ଦଟି ଉଚ୍ଚାରଣ କରୁଁ ତାହା ଏକ ଫରାସୀ ଶବ୍ଦ । ଏହାର ସ୍ଥୂଳ ଅର୍ଥ ‘Beautiful Literature’ । ଷୋଡ଼ଶ ଶତାବ୍ଦୀର ଫରାସୀ ସାହିତ୍ୟିକ ମଂତେନ୍ ସାହିତ୍ୟରେ ଏହି ବେଲା ଲେତାଁର ପ୍ରଥମ ପ୍ରବର୍ତ୍ତନ କରିଥିଲେ । ତାଙ୍କ ମତରେ ବିଷୟବସ୍ତୁ ଯାହା ହେଉନା କାହିକି ସ୍ରଷ୍ଟା ନିଜ ଭାବ ଓ ଚେତନା ସ୍ଵଚ୍ଛନ୍ଦ ଭାବେ ପ୍ରକାଶ କରିବସିବା ମଧ୍ୟ ଏକ ସାହିତ୍ୟିକ ଶିଳ୍ପକଳା । ମଂତେନ୍‌ଙ୍କ ସମସାମୟିକ ଇଂରାଜୀ ସାହିତ୍ୟର ସୁଖ୍ୟାତ ପ୍ରବନ୍ଧକାର ଫ୍ରାନ୍‌ସିସ୍ ବେକନ୍ (୧୫୬୧-୧୯୨୬) ଠିକ୍ ମଂତେନ୍‌ଙ୍କ ପରେ ପରେ ଇଂରାଜୀ ସାହିତ୍ୟରେ ରମ୍ୟରଚନାର ପ୍ରଥମ ପ୍ରବର୍ତ୍ତନ କରନ୍ତି । ବେକନ୍ ରାଜନୀତିକ, ଦାର୍ଶନିକ ଓ ବୈଜ୍ଞାନିକ ଥିଲେ । ତାଙ୍କର ଅଧିକତର ଗ୍ରନ୍ଥ ଲାଟିନ୍ ଭାଷାରେ ରଚିତ । ମାତ୍ର ଅନ୍ୟତ୍ର ସେ ଇଂରାଜୀ ଭାଷାରେ ବ୍ୟକ୍ତିଗତ ଉପଲବ୍ଧି ଆଧାରିତ ବିଭିନ୍ନ ପ୍ରସଙ୍ଗର ଲଘୁ ସ୍ଵରରେ ଅବତାରଣା କରିଥିଲେ । ଆଦ୍ୟ ସପ୍ତଦଶ ଶତାବ୍ଦୀର ସର୍ବଶ୍ରେଷ୍ଠ ଇଂରାଜୀ ପ୍ରାବନ୍ଧିକ ଇଂରାଜୀ ଭାଷାର ସ୍ଥାୟିତ୍ୱ ପ୍ରତି ସନ୍ଦେହ ପ୍ରକଟ କରି ଲାଟିନ୍ ଭାଷାରେ ନିଜ ସାହିତ୍ୟ ଲିପିବଦ୍ଧ କରିବା ଅବଶ୍ୟ ଏକ ପ୍ରଣିଧାନଯୋଗ୍ୟ ବିଦ୍ରୂପ ! ବେକ‌ନ୍‌ଙ୍କର ସେହି ରଚନାଗୁଡ଼ିକରୁ ହିଁ ଇଂରାଜୀ ସାହିତ୍ୟରେ ରମ୍ୟରଚନା ଏକ ପ୍ରତିଷ୍ଠିତ ସାହିତ୍ୟିକ ବିଭାଗ ଭାବେ ଚିହ୍ନିତ ହେବାକୁ ଆରମ୍ଭ କରିଥିଲା । ବେକନ୍‌ଙ୍କ ପରେ କାଳାନୁକ୍ରମିକ ଭାବେ ଡ୍ରାଇଡେନ୍, ଯନାଥନ୍ ସୁଇଫ୍‌ଟ୍, ରିଚାର୍ଡ ଷ୍ଟିଲ୍, ଯୋସେଫ୍ ଆଡ଼ିସନ୍, ଅଲିଭର୍ ଗୋଲ୍‌ଡ୍ ସ୍ମିଥ, ଚାର୍ଲସ୍ ଲ୍ୟାଂବ୍, ଟମାସ୍ ଡି. କୁଇନ୍ସି, ରବର୍ଟ ଲୁଇ ଷ୍ଟିଭେନ୍‌ସନ୍, ଜି.କେ. ଚେଷ୍ଟର୍‌ଟନ୍ ପ୍ରମୁଖ ସାହିତ୍ୟିକଗଣ ଶକ୍ତିଶାଳୀ ରମ୍ୟରଚନା ଦ୍ଵାରା ଇଂରାଜୀ ସାହିତ୍ୟକୁ ପରିପୁଷ୍ଟ କରିଥିଲେ । ଅଷ୍ଟାଦଶ ଶତାବ୍ଦୀରେ ଇଂରାଜୀ ସାହିତ୍ୟରେ ରମ୍ୟରଚନାର ପ୍ରସାର ସବୁଠାରୁ ଅଧିକ ହୋଇଥିଲା-। ସେଗୁଡ଼ିକରେ ସଂପୃକ୍ତ ଲେଖକଙ୍କ ଆବେଗ, ଅନୁଭୂତି, ଆନନ୍ଦ, ବିଷାଦ, ପୁଲକ, ବେଦନା, ଆଶା, ନିରାଶା ଅତ୍ୟନ୍ତ ଆନ୍ତରିକ ସ୍ୱରରେ ପ୍ରକଟିତ ହୋଇଥିଲା ।

 

ପଡ଼ୋଶୀ ବଙ୍ଗୀୟ ଭାଷାରେ ଆତ୍ମନିଷ୍ଠ ପ୍ରବନ୍ଧ ବା ରମ୍ୟରଚନାର ସୂତ୍ରପାତ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କଠାରୁ ହୋଇଥିଲା । ବଙ୍କିମ ଚନ୍ଦ୍ରଙ୍କର ‘କମଳାକାନ୍ତେର୍ ଦପ୍ତର୍’, ‘ଲୋକରହସ୍ୟ’, ‘ମୁଚିରାମ୍ ଗୁଡ଼େର୍ ଜୀବନ ଚରିତ’ ପ୍ରଭୃତି ରମ୍ୟରଚନା ଏ ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ । ଇଂରାଜୀ ରମ୍ୟରଚନାରକାର ଡି. କୁଇନ୍ୱିଙ୍କର ‘The confession of an Opium-eater' ଗ୍ରନ୍ଥର ଅନୁସରଣରେ ‘କମଳାକାନ୍ତେର୍ ଦପ୍ତର୍’ ରଚିତ । ବିଂଶ ଶତାବ୍ଦୀ ପ୍ରାରମ୍ଭରେ ପ୍ରକାଶିତ ରବୀନ୍ଦ୍ରନାଥଙ୍କ ‘ବିବିଧ ପ୍ରବନ୍ଧ’ ଶୀର୍ଷକ ପ୍ରବନ୍ଧ ସଙ୍କଳନରେ କେତେକ ସାର୍ଥକ ରମ୍ୟରଚନା ପତ୍ରସ୍ଥ ହୋଇଥିବା ଦେଖାଯାଏ । ‘ବାଜେକଥା’ ଶୀର୍ଷକ ରଚନା ଏହାର ଉଦାହରଣ । ଏଥିରେ ସେ କହିଛନ୍ତି- ‘ଅନ୍ୟ ଖରଚ ଅପେକ୍ଷା ବାଜେ ଖରଚରୁ ମନୁଷ୍ୟକୁ ଯଥାର୍ଥ ଭାବେ ଚିହ୍ନି ହୁଏ । କାରଣ ସେତେବେଳେ ମନୁଷ୍ୟ ନିଜ ଖିଆଲ୍‌ରେ ବ୍ୟୟ କରିଥାଏ । ଯେଭଳି ବାଜେ ଖରଚ, ସେଇଭଳି ବାଜେ କଥା ।’

 

କବି କମଳାକାନ୍ତ ଲେଙ୍କା ଏହି ସୂତ୍ରକୁ ଧରି କହନ୍ତି- “ଏଇ ବାଜେ କଥା ହିଁ ରମ୍ୟରଚନାର ପ୍ରାଣବସ୍ତୁ । ବାଜେ କଥାକୁ ସରସସୁନ୍ଦର କରି ଉପସ୍ଥାପନ କରିବା ସହଜସାଧ୍ୟ ନୁହେଁ ।” (‘ରମ୍ୟରଚନା’ - ଆଧୁନିକ ଓଡ଼ିଆ ସାହିତ୍ୟର ଭୂମି ଓ ଭୂମିକା – ପ୍ରଥମ ସଂସ୍କରଣ / ପୃ. ୨୩୨)

 

ଆଧୁନିକ କାଳରେ ବଙ୍ଗଳା ସାହିତ୍ୟରେ ରମ୍ୟରଚନାର ଦିଗ୍‌ବଳୟ ବେଶ୍ ଉଜ୍ଜ୍ୱଳ ଓ ସମ୍ପ୍ରସାରିତ ହୋଇଛି । ପ୍ରମଥନାଥ ଚୌଧୁରୀ, ପ୍ରମଥନାଥ ବିଶି, ଅନ୍ନଦାଶଙ୍କର ରାୟ, ବୁଦ୍ଧଦେବ ବସୁ, ଯାଯାବର, ହୀରେନ୍ଦ୍ର ନାଥ ଦତ୍ତ – ‘ଇନ୍ଦ୍ରଜିତ୍’, ସୟଦ୍ ମୁଜ୍‌ତବା ଅଲି ପ୍ରମୁଖ ଲେଖକମାନେ ବଙ୍ଗୀୟ ରମ୍ୟରଚନାକୁ ବେଶ୍ ସମୃଦ୍ଧ କରିଛନ୍ତି ।

 

ରମ୍ୟରଚନାର ବିଭିନ୍ନ ବିଭାବର ବିଶ୍ଳେଷଣ କରି କୁହାଯାଇପାରେ ଯେ, କେତେକ ଆତ୍ମଜୀବନୀ ଓ ଭ୍ରମଣକାହାଣୀ ମଧ୍ୟ ପରିବେଷଣ ଭଙ୍ଗୀ ବିଚାରରେ ରମ୍ୟରଚନା ପରିସରଭୁକ୍ତ ହୋଇପାରନ୍ତି । ଯେଉଁ ଆତ୍ମଜୀବନୀ, ଜୀବନୀ ଓ ଭ୍ରମଣ କାହାଣୀରେ ତାତ୍ତ୍ୱିକତା, ଦାର୍ଶନିକତା ଓ ଯୁକ୍ତିପ୍ରବଣତାକୁ ଗୁରୁତ୍ୱ ପ୍ରଦାନ ନ କରି ଲେଖକର ନିଜସ୍ୱ ଅନୁଭୂତି, ଅବଧାରଣା ସହ ଆବେଗ, ସୌନ୍ଦର୍ଯ୍ୟଚେତନା, ଜୀବନବୋଧ ଓ ହାର୍ଦ୍ଦିକ ଆତ୍ମପ୍ରତ୍ୟୟ ପ୍ରତି ଗୁରୁତ୍ୱ ଆରୋପିତ ହୋଇଥାଏ ସେଗୁଡ଼ିକୁ ରମ୍ୟରଚନାର ପରିଧିଭୁକ୍ତ କରିବାରେ କୌଣସି ପ୍ରତିବନ୍ଧକ ନ ରହିବା କଥା ।

 

ସୁରେନ୍ଦ୍ର ମହାନ୍ତିଙ୍କ ଭାଷାରେ– “ଲଘୁ ରସାଶ୍ରିତ କିନ୍ତୁ ଭାବଦ୍ୟୋଦକ, ପ୍ରବନ୍ଧର ଗାମ୍ଭୀର୍ଯ୍ୟ ବର୍ଜିତ ଗଦ୍ୟରଚନା, ସାଧାରଣତଃ ରମ୍ୟରଚନା ରୂପେ ସାହିତ୍ୟ-ସମାଲୋଚନାର ପରିମଣ୍ଡଳରେ ଗୃହୀତ ହୋଇଅଛି ।” (ଓଡ଼ିଆ ସାହିତ୍ୟର କ୍ରମବିକାଶ / ୧ମ ସଂସ୍କରଣ / ପୃ ୪୯୭)

 

ଶ୍ରୀନିବାସ ମିଶ୍ର କହନ୍ତି- “ରମ୍ୟରଚନାରେ ଏକାଧାରରେ କବିତାର ମାଧୁରୀ, ଗଳ୍ପକଥନର ଚାତୁରୀ, ପ୍ରବନ୍ଧର ବୌଦ୍ଧିକ ଦୀପ୍ତି, ଭ୍ରମଣ ବୃତ୍ତାନ୍ତର ହୃଦ୍ୟତା, ନାଟକୀୟ ଛଟା ଓ ସଂଳାପ କୁଶଳତାର ସମାବେଶ ଘଟୁଥିଲେ ସୁଦ୍ଧା ଏହା ଏ ସମସ୍ତ ସାହିତ୍ୟିକ ବିଭାଗଠାରୁ ଭିନ୍ନ ଏକ ସ୍ଵତନ୍ତ୍ର, ସ୍ଵଚ୍ଛନ୍ଦ, ସାହିତ୍ୟିକ ଅଭିବ୍ୟକ୍ତି ।” (‘ରମ୍ୟରଚନାର ଇତିବୃତ୍ତ’ - ଓଡ଼ିଆ ସାହିତ୍ୟ ଯୁଗେ ଯୁଗେ / ପୃ ୧୯୭-୧୯୮)

 

ସ୍ଵରୂପ, ପ୍ରବୃତ୍ତି ଓ କଳାଧର୍ମ ବିଚାରରେ ସାମ୍ପ୍ରତିକ କାଳରେ ରମ୍ୟରଚନାର ପରିସର ହୋଇଛି ଅତ୍ୟନ୍ତ ବ୍ୟାପକ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ସାହିତ୍ୟିକ ବିଭାଗ ଭାବରେ ଏହାର ସାମ୍ଭ୍ରାତ୍ୟ ହୋଇଛି ପ୍ରଚୁର ସ୍ପର୍ଦ୍ଧା ଓ ଗାମ୍ଭୀର୍ଯ୍ୟମୟ । ବେଲେ ଲେଟର୍ସ ବା ବେଲାଲେତାଁ ଆଧୁନିକ ଇଂରାଜୀ ରମ୍ୟରଚନା ରାଜିକୁ ଧାରଣ କରି ପାରୁ ନାହିଁ ବୋଲି ଆଲ୍‌ଫ୍ରେଡ୍ କାଜିନ୍ ଏହାକୁ ‘Open Form’ ନାମରେ ନାମିତ କରିଛନ୍ତି । ଏହାର ଆକ୍ଷରିକ ଓଡ଼ିଆ ରୂପାନ୍ତର କରି ଆମେ ଏହାକୁ ‘ମୁକ୍ତ ଆଙ୍ଗିକ’ ବା ‘ମୁକ୍ତଗଦ୍ୟ କହିପାରିବା । ରମ୍ୟରଚନା ନାମଟି ସଂସ୍କୃତରେ ଥିଲା । ବଙ୍ଗଳା ଓ ଅହମିୟା ସାହିତ୍ୟରେ ଏ ନାମଟି ବେଶ୍ ଚଳିଲାଣି । ଏବେ ଏହି ନାମଟିକୁ ହି ଆମେ ‘Open Form’ ଲାଗି ବ୍ୟବହାର କରିବା ଜାରି ରଖିଚୁ ସିନା, ହେଲେ ଏହି ନାମରେ ମଧ୍ୟ ଆମେ ସନ୍ତୁଷ୍ଟ ନୋହୁଁ । ଚନ୍ଦ୍ରଶେଖର ରଥ କହନ୍ତି- “ଏଣୁ ‘ରମ୍ୟରଚନା’ ନାଁଟି ଡାକୁ ଡାକୁ ଲାଗିଗଲାଣି, ଏହା ମଧ୍ୟ ‘ରମ୍ୟ’ ଶବ୍ଦ ଉପରେ ପାଦଟୀକା ନ ଦେଲେ ଚଳୁ ନାହିଁ । ପୁଅର ଗେହ୍ଲା ନାଁ ବବ୍ଲୁ । ଭଲ ନାଁ ସ୍କୁଲରେ ପଣ୍ଡିତେ ଖାତାରେ ଚଢ଼େଇବେ । ଏଇଭଳି ଗୋଟିଏ ସଂଜ୍ଞା ଏବଂ ସଂଜ୍ଞାବାଚୀ ବାଚକ ନାମଟିଏ ପାଇଁ ଏବେ ମଧ୍ୟ ଅପେକ୍ଷା ଅଛି ।” (‘ରମ୍ୟରଚନାର ସଂଜ୍ଞା ଓ ସମ୍ଭାବନା’ - କୋଣାର୍କ / ୮୫ ତମ ସଂଖ୍ୟା, ଜୁନ୍ ୧୯୯୨)

 

ମହାପାତ୍ର ନୀଳମଣି ସାହୁ ‘ରମ୍ୟରଚନା’କୁ ‘ଲଘୁନିବନ୍ଧ’ ବା ହିନ୍ଦୀ ସାହିତ୍ୟ ଅନୁସରଣରେ ‘ଲଳିତ ନିବନ୍ଧ’ ଆଖ୍ୟା ଦେବାର ବିରୋଧ କରନ୍ତି । (ଆମ କଥା ସାହିତ୍ୟର କଥା ଓ ରମ୍ୟରଚନା’ / ପୃ ୧୦୧ ଓ ୧୦୨)

 

‘ଦୃଷ୍ଟି ଓ ଦର୍ଶନ’ ରମ୍ୟରଚନା ଗ୍ରନ୍ଥର ‘ପୂର୍ବାଭାସ’ ଶୀର୍ଷକ ମୁଖବନ୍ଧରେ ଚନ୍ଦ୍ରଶେଖର ରଥ ରମ୍ୟରଚନାର ମର୍ମକଥାରୁ ଗଣ୍ଠି ଫିଟାଇ କହନ୍ତି – “ବାନ୍ଧି ଛନ୍ଦି ହେବାଟା ଗୋଟାଏ ଅସ୍ୱସ୍ତିକର ଅବସ୍ଥା । ଏଣୁ ସମସ୍ତ ବର୍ଗୀକରଣକୁ ଭୁଲିଯାଇ ଏବେ ଇଂରାଜୀରେ ଗୋଟାଏ ‘ଖୋଲାରୂପ’ ଗୃହୀତ ହୋଇଗଲାଣି । ତାକୁ ସେମାନେ ‘Open Form’ ବୋଲି କହନ୍ତି । ଏଇଟା ସାହିତ୍ୟିକ ସ୍ୱେଚ୍ଛାଚାର ନୁହେଁ, ବା ଉଦ୍ଦେଶ୍ୟହୀନ ବିଦ୍ରୋହ ମଧ୍ୟ ନୁହେଁ । କୌଣସି ଗୋଟିଏ ବର୍ଗରେ ଆବଦ୍ଧ ନ ରହି ଆଉ ଟିକିଏ ବିସ୍ତୃତ ହୋଇଗଲେ ଟିକିଏ ସ୍ଵାଧୀନ ହୋଇଗଲେ ଦେଖାଯାଉଛି ଯେ, କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧ ମିଶିଯାଇ ବେଶ୍ ଗୋଟିଏ ନୂଆ ପ୍ରଦେଶ ଗଠନ କରିପାରୁଛନ୍ତି । ସେଥିରେ ନାଟକ ପାଇଁ ବାସନ୍ଦ ନାହିଁ କି କବିତା ପାଇଁ କଟକଣା ନାହିଁ ।”

 

୧୮୭୩ ମସିହାରେ ରଚିତ ଓଡ଼ିଆ ଭାଷା-ସାହିତ୍ୟର ପ୍ରଥମ ପ୍ରବନ୍ଧ ରାଧାନାଥଙ୍କର ‘ବିବେକୀ’ରେ ରମ୍ୟରଚନାର ପ୍ରବୃତ୍ତି କେବଳ ବିକ୍ଷିପ୍ତ ଭାବେ ପ୍ରତିଫଳିତ ହୋଇଥିବାର ହିଁ ଲକ୍ଷ୍ୟ କରାଯାଇପାରେ । ମାତ୍ର ‘ଉତ୍କଳ ସାହିତ୍ୟ’ ପତ୍ରିକାର ଦ୍ୱିତୀୟ ଭାଗ, ଦ୍ୱିତୀୟ ସଂଖ୍ୟା (୧୮୯୮)ରେ ଫକୀରମୋହନ ସେନାପତି ‘ପଞ୍ଚୁଚନ୍ଦ୍ର ଧୀରେନ୍ଦ୍ର ମହାନ୍ତି’ ଛଦ୍ମ ନାମରେ ‘ନନାଙ୍କ ପାଞ୍ଜି’ ଶୀର୍ଷକ ଯେଉଁ ଗଦ୍ୟଲେଖଟି ପ୍ରକାଶ କରନ୍ତି ତାହା ହିଁ ଓଡ଼ିଆ ଭାଷା-ସାହିତ୍ୟର ପ୍ରଥମ ରମ୍ୟରଚନା ଭାବେ ସ୍ଵୀକୃତ । ‘ବାଇମାହାନ୍ତି’ ଚରିତ୍ରଟି ପ୍ରଥମେ ଫକୀରମୋହନଙ୍କ ଏହି ରଚନାରେ ଆତ୍ମପ୍ରକାଶ କରେ । ତାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଗୋପାଳଚନ୍ଦ୍ର ପ୍ରହରାଜ ଲେଖନ୍ତି ‘ବାଇ ମହାନ୍ତି ପାଞ୍ଜି' । ଫକୀର ମୋହନଙ୍କ ପରିପ୍ଳୁତ ହାସ୍ୟରସ, ବୁଦ୍ଧିଦୀପ୍ତ ବ୍ୟଙ୍ଗ ଓ ସାବଲୀଳ ପରିବେଷଣ ଭଙ୍ଗୀ ‘ନନାଙ୍କ ପାଞ୍ଜି’କୁ କାଳଜୟୀ ସୌନ୍ଦର୍ଯ୍ୟରେ ମଣ୍ଡିତ କରିଛି । ଜାତୀୟ ସାହିତ୍ୟ ଓ ସଂସ୍କୃତି ବିରୋଧୀ ଇଂରାଜୀ ଶିକ୍ଷିତ ଯୁବସମାଜର ଉଚ୍ଛୃଙ୍ଖଳ ମାନସିକତାକୁ ଏଥିରେ ଫକୀରମୋହନ ବିଦ୍ରୂପ କରିଛନ୍ତି । ଏହାପରେ ଗୋପାଳ ଚନ୍ଦ୍ର ପ୍ରହରାଜ ‘ବାଇ ମାହାନ୍ତି ପାଞ୍ଜି’, ‘ଭାଗବତ ଟୁଙ୍ଗୀରେ ସଂଧ୍ୟା’, ‘ଆମ ଘରର ହାଲ୍‌ଚାଲ୍’ ଭଳି ସାର୍ଥକ ରମ୍ୟରଚନା ସୃଷ୍ଟି କରିଥିଲେ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘ଅସହଯୋଗୀର ଆତ୍ମକଥା', ‘ବୈତରଣୀ’, ‘ବାଲ୍ୟସ୍ମୃତି’ ଭଳି ଆତ୍ମ ଉନ୍ମୋଚନ ମୂଳକ ରଚନାଗୁଡ଼ିକ ସାର୍ଥକ ରମ୍ୟରଚନାର ଅନ୍ତର୍ଭୁକ୍ତ । ହରେକୃଷ୍ଣ ମହତାବଙ୍କ ‘ଗାଁ ମଜଲିସ୍’ ତଥା କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ‘ନେତୃତ୍ଵ ଓ ନେତୃତ୍ୱ’ ଗ୍ରନ୍ଥରେ ସନ୍ନିବିଷ୍ଟ ‘କହି ପୁଚ୍ଛି ଜାଣେ ଯେ’, ‘ଦୁଃଖ କହିବି କି ସୁଖ କହିବି’, ‘ସାହିତ୍ୟିକା’ ପୁସ୍ତକରେ ଅନ୍ତର୍ଭୁକ୍ତ ‘କଳାଧର୍ମ’ ଓ ‘ସତ୍ୟ ଶିବ ସୁନ୍ଦର’ ମଧ୍ୟ ସାର୍ଥକ ରମ୍ୟରଚନା ।

 

ସ୍ୱାଧୀନତା ପରବର୍ତ୍ତୀ କାଳରେ ହିଁ ଓଡ଼ିଆ ରମ୍ୟରଚନା ପରିମାଣ ଓ ଗୁଣାତ୍ମକ ଉଭୟ ଦିଗରୁ ଅନନ୍ୟ ଐଶ୍ଵର୍ଯ୍ୟ ଓ ବର୍ଣ୍ଣିଳତାରେ ବିମଣ୍ଡିତ ହୋଇଛି । କୃଷ୍ଣ ପ୍ରସାଦ ବସୁ, ଗୋପୀନାଥ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ବାମାଚରଣ ମିତ୍ର, ଚିନ୍ତାମଣି ମିଶ୍ର, ନିତ୍ୟାନନ୍ଦ ମହାପାତ୍ର, ମାୟାଧର ମାନସିଂହ, ସୁରେନ୍ଦ୍ର ମହାନ୍ତି, କୁଞ୍ଜବିହାରୀ ଦାଶ, ସଦାଶିବ ମିଶ୍ର, ଫତୁରାନନ୍ଦ, ଚନ୍ଦ୍ରଶେଖର ରଥ, ଚିତ୍ତରଞ୍ଜନ ଦାସ, ମହାପାତ୍ର ନୀଳମଣି ସାହୁ, ସୁନୀଲ୍ ମିଶ୍ର, ଚୌଧୁରୀ ହେମକାନ୍ତ ମିଶ୍ର, ମନୋଜ ଦାସ, ଭୁବନେଶ୍ୱର ବେହେରା, ଶରତ କୁମାର ମହାନ୍ତି, ଭାବଗ୍ରାହୀ ମିଶ୍ର ପ୍ରଭୃତି ବହୁ ଲେଖକ ଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଓଡ଼ିଆ ରମ୍ୟରଚନାରେ ନିବିଡ଼ ଭାବେ ମନୋନିବେଶ କରି ଏହାକୁ ଆମ ସାହିତ୍ୟର ଏକ ମର୍ଯ୍ୟାଦାମଣ୍ଡିତ ତଥା ଅତ୍ୟନ୍ତ ଲୋକପ୍ରିୟ ବିଭାଗରେ ରୂପାନ୍ତରିତ କରିଛନ୍ତି । କହିବା ବାହୁଲ୍ୟ ଏମାନଙ୍କ ମଧ୍ୟରୁ ପ୍ରଥମୋକ୍ତ କେତେକ ଲେଖକ ସ୍ଵାଧୀନତା ପୂର୍ବରୁ ହିଁ ରମ୍ୟରଚନା କ୍ଷେତ୍ରରେ ନିଜର ସିଦ୍ଧି ପ୍ରଦର୍ଶନ ଆରମ୍ଭ କରିସାରିଥିଲେ ।

 

ପ୍ରାକ୍ ସ୍ୱାଧୀନତା କାଳୀନ ଓଡ଼ିଆ ରମ୍ୟରଚନାରେ ମୁଖ୍ୟତଃ ବ୍ୟଙ୍ଗାତ୍ମକତା ଓ ରସିକ ଚଟୁଳତା ମାଧ୍ୟମରେ ହାସ୍ୟରସାତ୍ମକ ପରିବେଶ ସୃଷ୍ଟି ପ୍ରମୁଖତା ପାଇଥିଲା । ମାତ୍ର ସ୍ୱାଧୀନତା ପରବର୍ତ୍ତୀ କାଳର ରମ୍ୟରଚନାରେ କ୍ରମଶଃ ପ୍ରସଙ୍ଗର ବୌଦ୍ଧିକ ସଂଶ୍ଳେଷଣ ଓ ଶାଣିତ ଶ୍ଳେଷାତ୍ମକତା ପ୍ରକାଶିତ ହୋଇ ଲେଖକମାନଙ୍କର ସାମାଜିକ ଅଙ୍ଗୀକାରବଦ୍ଧତାକୁ ଉଜ୍ଜ୍ୱଳ ଭାବେ ପ୍ରକଟିତ କରିଥିବା ଲକ୍ଷ୍ୟ କରିହେବ ।

 

ବ୍ୟଙ୍ଗାତ୍ମକ ବ୍ୟଞ୍ଜନା ଓ ନିରୁତା ହାସ୍ୟରସ ଉପରେ ସମସ୍ତ ଗୁରୁତ୍ୱ ଆରୋପିତ ହୋଇ ପ୍ରାଥମିକ ପର୍ଯ୍ୟାୟର ରମ୍ୟରଚନା ଗୁଡ଼ିକରେ ବିଷୟବସ୍ତୁର ଗାମ୍ଭୀର୍ଯ୍ୟ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇପାରି ନଥିଲା । ସାଧାରଣ ସାମାଜିକ ବିଷୟ ଗ୍ରହଣ କରି ହାସ୍ୟାତ୍ମକ ଶୈଳୀରେ ମନୋରଞ୍ଜନର ଦ୍ଵାର ଉନ୍ମୋଚନ ଲାଗି ସଚେତନ ପ୍ରୟାସ ସେସବୁ ରଚନାରେ ଥିଲା ନିବିଡ଼ । ଅଧୁନାତନ କାଳରେ କିନ୍ତୁ ରମ୍ୟରଚନାର ସୀମା ଓ ସମ୍ଭାବନା ଅତ୍ୟନ୍ତ ପ୍ରଶସ୍ତତର ହୋଇଉଠିଛି । ବିଷୟରେ ପର୍ଯ୍ୟାପ୍ତ ବିବିଧତା ଏବଂ ପରିବେଷଣରେ ବିଭିନ୍ନ ରୁଚି ଓ ରୋଗର ସୂକ୍ଷ୍ମତର କଳାତ୍ମକତା ମଣ୍ଡିତ ହୋଇ ରମ୍ୟରଚନା ଏକ ଏକାନ୍ତ ସମ୍ମାନାସ୍ପଦ ଅସ୍ତିତ୍ୱ ଜାହିର୍ କରିଛି । ବିଭିନ୍ନ ଅସାଧାରଣ ଓ ଅଭୂତପୂର୍ବ ରୂପବିନ୍ୟାସ ଧାରଣ କରି ଆଧୁନିକ ରମ୍ୟରଚନା ପାଠକ ସାମ୍ନାରେ ଉପସ୍ଥାପିତ ହେବାରେ ଲାଗିଛି । ସାହିତ୍ୟର ଗଦ୍ୟରଚନା ମଧ୍ୟରୁ ଯଥାର୍ଥ ରମ୍ୟରଚନାଟିକୁ ତେଣୁ ବାଛି ବାହାର କରିବା ବେଳେବେଳେ କଷ୍ଟକର ହୋଇଥାଏ ।

 

ସମୟ ସମୟରେ ଏଭଳି ହୁଏ ଲେଖକ ରମ୍ୟରଚନାଟିଏ ଲେଖୁ ଲେଖୁ ତାହା ହୁଏତ ଅଜ୍ଞାତ ଭାବରେ ଏକ ଗଳ୍ପରେ ରୂପାନ୍ତରିତ ହୋଇସାରିଥାଏ । ଚନ୍ଦ୍ରଶେଖର ରଥଙ୍କ ‘ଆମ ସାର୍’ ଗଳ୍ପ ଏହାର ଏକ ଉଦାହରଣ । ଅପର ଦିଗରୁ ମଧ୍ୟ ବେଳେ ବେଳେ ଏମିତି ହୁଏ ଯେ ଲେଖକ ଗଳ୍ପଟିଏ ଲେଖୁ ଲେଖୁ ତାହା କେତେବେଳେ ରମ୍ୟରଚନାରେ ପରିଣତ ହୋଇଯାଇଥାଏ । ଯେମିତି ବାମାଚରଣ ମିତ୍ରଙ୍କର ‘ମିମିର ସାହିତ୍ୟ ଶିକ୍ଷା’ ।

 

କୌଣସି କୌଣସି ଲେଖକଙ୍କର ସାମ୍ୱାଦିକୀ ଫିଚର୍‌ଟିଏ ମଧ୍ୟ ବେଳେ ବେଳେ ରମ୍ୟରଚନାର ଭାବ-ରୂପ ନେଇ ଆତ୍ମପ୍ରକାଶ କରେ । ହରେକୃଷ୍ଣ ମହତାବଙ୍କ ‘ଗାଁ ମଜଲିସ୍’ଠାରୁ ଆରମ୍ଭ କରି ମନୋଜ ଦାସଙ୍କ ‘କେତେ ଦିଗନ୍ତ’, ସୁରେନ୍ଦ୍ର ମହାନ୍ତିଙ୍କର ‘ଶେଷ ସ୍ତମ୍ଭ’, ଚିତ୍ତରଞ୍ଜନ ଦାସଙ୍କ ‘ନଖଦର୍ପଣେନ’ ଓ ‘ଅରମ୍ୟ ରଚନା’, ଦାଶ ବେନ୍‌ହୁର୍‌ଙ୍କ ‘ଅଙ୍କାବଙ୍କା ନଈ’, ଅଖିଳ ମୋହନ ପଟ୍ଟନାୟକଙ୍କ ‘କଚ୍ଛପୀୟ’, ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ‘ତୀର ଓ ତରଙ୍ଗ', ଦେବଦାସ ଛଦ୍ମ ନାମରେ ରଚିତ ମହାପାତ୍ର ନୀଳମଣି ସାହୁଙ୍କ ‘ସାପ୍ତାହିକୀ’ ଓ ‘ଦୃଷ୍ଟିପାତ’, ପ୍ରତିଭା ରାୟଙ୍କର ‘ମଧୁକ୍ଷରନ୍ତି ସର୍ବତ୍ର’, ଶରତ କୁମାର ମହାନ୍ତିଙ୍କ ‘ଖବରର ଖବର’, ବିଭୂତି ପଟ୍ଟନାୟକଙ୍କ ‘ସ୍ମୃତି ଅନୁଭୂତି’, ସୂର୍ଯ୍ୟକାନ୍ତ ଦାସଙ୍କ ‘ବେପାରବଣିଜ’, ସାତକଡ଼ି ହୋତାଙ୍କ ‘ମୋ ସମୟ’ ଓ ‘ଦୀର୍ଘ ରୋମାଞ୍ଚକର ଯାତ୍ରା’, ଜୟନ୍ତ କୁମାର ବିଶ୍ୱାଳଙ୍କ ‘ଦିଗ୍‌ବଳୟ ଏପାଖରେ’, ବିଭୂତି ମିଶ୍ରଙ୍କ ‘ମିଶ୍ରରାଗ’, ଗୌରହରି ଦାସଙ୍କ ‘ଜୀବନର ଜଳଛବି’, ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ‘ସିଂହାବଲୋକନ’, ବରେନ୍ଦ୍ରକୃଷ୍ଣ ଧଳଙ୍କ ‘ମୁକ୍ତ ବିଚାର’ ପ୍ରଭୃତି ଏ ପର୍ଯ୍ୟାୟର ଅନେକ ଦୃଷ୍ଟାନ୍ତ ଆଖି ସାମ୍ନାକୁ ଆସେ ।

 

ପତ୍ର ଆଙ୍ଗିକରେ ରମ୍ୟରଚନାର ପରିବେଷଣ ମଧ୍ୟ ଏକ ପରିପୁଷ୍ଟ ଆଂଗିକ ପ୍ରଶାଖା । ନିତ୍ୟାନନ୍ଦ ମହାପାତ୍ରଙ୍କ ‘ପତ୍ର ଓ ପ୍ରତିମା’, ଚିତ୍ତରଞ୍ଜନ ଦାସଙ୍କ ‘ଶିଳା ଓ ଶାଳଗ୍ରାମ’, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ‘ସୁଖ କହିବି ନା ଦୁଃଖ କହିବି’, ଗୋଲକ ବିହାରୀ ଧଳଙ୍କ ‘ଲଣ୍ଡନ ଚିଠି’, ଚିନ୍ତାମଣି ମିଶ୍ରଙ୍କ ‘ପଞ୍ଚପତ୍ରୀ’, ଗୋକୁଳାନନ୍ଦ ମହାପାତ୍ରଙ୍କ ‘ବିଜ୍ଞାନ ବିଚିତ୍ରା’ ପ୍ରଭୃତି ପୁସ୍ତକ ଏହାର ସାମଗ୍ରିକ ଅଥବା ଆଂଶିକ ଦୃଷ୍ଟାନ୍ତ ବହନ କରେ ।

 

ସମ୍ୱାଦପତ୍ରର ଏକ ସମ୍ପାଦକୀୟ ମଧ୍ୟ ବେଳେ ବେଳେ ରମ୍ୟରଚନାର ରମ୍ୟତା ମଣ୍ଡିତ ହୋଇ ପରିପ୍ରକାଶିତ ହୋଇପାରେ । ସୁରେନ୍ଦ୍ର ମହାନ୍ତିଙ୍କ ‘ପ୍ରଥମାଷ୍ଟମୀ’, ‘କାଗଜଡଙ୍ଗା’ ତଥା ‘ଶେଷସ୍ତମ୍ଭ’ ଗ୍ରନ୍ଥରେ ସନ୍ନିବେଶିତ ଅନେକ ରଚନା ଏହି ପର୍ଯ୍ୟାୟର ଅନ୍ତର୍ଭୁକ୍ତ ।

 

ଭ୍ରମଣ କାହାଣୀ ବା ଜୀବନୀଟିଏ ମଧ୍ୟ ରମ୍ୟ ପ୍ରବୃତ୍ତିରେ ରସାଣିତ ହୋଇ ରମ୍ୟରଚନା ଭାବେ ଆପଣାର ପରିଚୟ ଜାହିର୍ କରିପାରେ । ମନୋଜ ଦାସଙ୍କ ‘ଦୂର ଦୂରାନ୍ତର’, ଚିତ୍ତରଞ୍ଜନ ଦାସଙ୍କ ‘ଶିଳା ଓ ଶାଳଗ୍ରାମ’, ଗୋଲକ ବିହାରୀ ଧଳଙ୍କ ‘ଲଣ୍ଡନ୍ ଚିଠି’ ଓ ‘ଆମେରିକା ଅନୁଭୂତି’; ସୂର୍ଯ୍ୟକାନ୍ତ ଦାସଙ୍କ ‘ଅଳକାପୁରୀ ଆମେରିକା’, କୃଷ୍ଣପ୍ରସାଦ ମିଶ୍ରଙ୍କ ‘କାନାଡା ଡାଏରୀ’, ଭୁବନେଶ୍ୱର ବେହେରାଙ୍କ ‘ଦକ୍ଷିଣ ଆଫ୍ରିକାରେ ଓଡ଼ିଆ ଢେଙ୍କି’, ଗୋବିନ୍ଦ ଦାସଙ୍କ ‘ଦେଶେ ଦେଶେ’ ପ୍ରଭୃତି ଭ୍ରମଣ କାହାଣୀ ଏହି ଶ୍ରେଣୀୟ ରଚନା । ଜୀବନୀ ମଧ୍ୟରୁ ଶରତ କୁମାର ମହାନ୍ତିଙ୍କର ‘ଛତ୍ରପତି ବିବେକାନନ୍ଦ’ ଓ ‘ଗାନ୍ଧିମଣିଷ’ ରମ୍ୟରଚନାର ରମ୍ୟତାରେ ଅଭିଷିକ୍ତ । ସୁରେନ୍ଦ୍ର ମହାନ୍ତିଙ୍କ ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’କୁ ମଧ୍ୟ ଏହି ପର୍ଯ୍ୟାୟଭୁକ୍ତ କରାଯାଇପାରିବ ।

 

ଚନ୍ଦ୍ରଶେଖର ରଥଙ୍କ ଭାଷାରେ – “ଏସବୁ ଉପରେ ରମ୍ୟରଚନାର ପୁଟ ମଡ଼େଇ ହୋଇଗଲାଣି । ତା’ର ଦୃଷ୍ଟିଭଙ୍ଗୀ, କାବ୍ୟିକ ଶୈଳୀ, ଆବେଗ ସଞ୍ଚାରୀ ଭାବ, ମନନଯୋଗ୍ୟ ଚିନ୍ତା ଏବଂ ସର୍ବୋପରି ତା’ର ସୁଖପାଠ୍ୟତା ଗଦ୍ୟ ରଚନାର ନୂତନ ଲକ୍ଷଣ ରୂପେ ଅଙ୍ଗୀକୃତ ହୋଇଗଲାଣି ।” (‘ରମ୍ୟରଚନାର ସଂଜ୍ଞା ଓ ସମ୍ଭାବନା’ - କୋଣାର୍କ : ୮୫ତମ ସଂଖ୍ୟା, ଜୁନ୍ ୧୯୯୨)

 

କଦବା କୌଣସି ଆବେଗବନ୍ତ କବି ବାବି ଦଗ୍ଧ ରସିକ କଥାକାରଙ୍କ ଲିଖିତ ସାହିତ୍ୟିକ ସମାଲୋଚନାଟିଏ ମଧ୍ୟ ରମ୍ୟରଚନାର ସମତଳରେ ପହଞ୍ଚିଯାଇଥିବାର ଦେଖାଯାଏ । ଦୃଷ୍ଟାନ୍ତତଃ ଚନ୍ଦ୍ରଶେଖର ରଥଙ୍କ ‘ନରକିନ୍ନର’, ‘ଛମାଣ ଆଠଗୁଣ୍ଠ’ ବା ‘ପରଜା’ର ସମାଲୋଚନା; ଗୋପୀନାଥ ମହାନ୍ତିଙ୍କ ‘ଭଙ୍ଗାଛାତି’; ମହାପାତ୍ର ନୀଳମଣି ସାହୁଙ୍କ ‘ରେବତୀ’ ଓ ‘ରାଣ୍ଡିପୁଅ ଅନନ୍ତା’ର ସମାଲୋଚନା ପ୍ରଭୃତିକୁ ଏଇ ପର୍ଯ୍ୟାୟରେ ଗ୍ରହଣ କରାଯାଇପାରିବ ।

 

ସାହିତ୍ୟ କୃତିର ଆଲୋଚନା ସହିତ ସାହିତ୍ୟ ଓ କଳାର ତାତ୍ତ୍ୱିକ ଆଲୋଚନା ଏବଂ ଆନୁଷଂଗିକ ସାରସ୍ୱତ ବଳୟର ମନନଶୀଳ ସଂଶ୍ଳେଷଣ ମଧ୍ୟ ଏକ ସର୍ଜନଶୀଳ, ମର୍ମସ୍ପର୍ଶୀ, ଅନ୍ତରଙ୍ଗ କଳାତ୍ମକତାର ସ୍ପର୍ଶରେ ରମ୍ୟରଚନାର ଦ୍ୟୁତି ନେଇ ପାଠକ ସମକ୍ଷରେ ଉଦ୍‌ଭାସିତ ହୋଇପାରେ । ଗୋପୀନାଥ ମହାନ୍ତିଙ୍କ ‘କଳାଶକ୍ତି’ ଓ ‘ବାଇଆକକ’; ବାମାଚରଣ ମିତ୍ରଙ୍କର ‘ଜୀବନ ସାହିତ୍ୟ ଓ କଳା’; କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ‘କଳାଧର୍ମ’, ‘ସତ୍ୟ ଶିବ ସୁନ୍ଦର’; ଗୋବିନ୍ଦ ତ୍ରିପାଠୀଙ୍କ ‘କଖାରୁଫୁଲ’, ‘କଳାଧଳା’; କୁଞ୍ଜବିହାରୀ ଦାଶଙ୍କ ‘କବିତାର କଥା’, ‘ମୁଁ କାହିଁକି ଲେଖେ’; ନଟବର ସାମନ୍ତରାୟଙ୍କ ‘ନେତ୍ରମଣିର ଡାଏରୀ’, ‘ଗଳ୍ପ ନୁହେଁ ସମାଲୋଚନା’ ପ୍ରଭୃତି ରଚନା ଏହାର ଉଜ୍ଜ୍ୱଳ ଉଦାହରଣ ।

 

କେତେକ ରମ୍ୟରଚନାକାରଙ୍କ ସୃଷ୍ଟି ପ୍ରବୃତ୍ତିରୁ ହାସ୍ୟ ଓ ପରିହାସର ପ୍ରାଥମିକତା ବାରି ହୋଇପଡ଼େ; ମାତ୍ର ଅନ୍ୟ କେତେକଙ୍କ ରମ୍ୟରଚନାରେ ଆବରଣଟି ମାତ୍ର ବ୍ୟଙ୍ଗାତ୍ମକ ବ୍ୟଞ୍ଜନାରେ ରସାଣିତ ହେଲେ ହେଁ ତା’ର ଗଭୀରତର ପ୍ରଦେଶରେ ଶାଣିତ ମନଶୀଳତା, ସୂକ୍ଷ୍ମ ବୌଦ୍ଧିକତା, ଏପରିକି ଗଭୀର ଦାର୍ଶନିକତାର ଗାମ୍ଭୀର୍ଯ୍ୟ ଗୁମ୍ଫିତ ହୋଇରହିଥାଏ । ଆଉକେତେକ ରମ୍ୟରଚନାରେ ଶାଣିତ ଶ୍ଳେଷ ଓ ବୁଦ୍ଧିଦୀପ୍ତ ବିଚାର ସମନ୍ୱିତ ହୋଇ ବିଷୟବସ୍ତୁର ବଳିଷ୍ଠ ପରିପ୍ରକାଶ ସମ୍ଭବ ହୋଇଥାଏ । ବ୍ୟଙ୍ଗ ଓ ବିଦ୍ରୂପର ପ୍ରାଧାନ୍ୟରେ ମଣ୍ଡିତ ରମ୍ୟରଚନା ମଧ୍ୟ ନିଜସ୍ୱ ଏକ ସମ୍ମାନିତ ଶ୍ରେଣୀରେ ପରିଧିଭୁକ୍ତ ହେବାର ବଳିଷ୍ଠ ଦାବୀ ଉପସ୍ଥାପିତ କରନ୍ତି ।

 

ହାସ୍ୟରସର ଶକ୍ତିଶାଳୀ ସ୍ରଷ୍ଟା ଫୁତୁରାନନ୍ଦଙ୍କ ବ୍ୟତୀତ ଚୌଧୁରୀ ହେମକାନ୍ତ ମିଶ୍ରଙ୍କ ରଚନାରୁ ମଧ୍ୟ ହାସ୍ୟ ଓ ବିଦ୍ରୂପର ପ୍ରାଧାନ୍ୟ ବାରି ହୋଇପଡ଼େ । “ମାତ୍ର ବ୍ୟଙ୍ଗ ଅପେକ୍ଷା ବିଦ୍ରୂପ, ହେମକାନ୍ତଙ୍କ ହାସ୍ୟରସରେ ଅଧିକର ଲକ୍ଷ୍ୟଣୀୟ– ଯଦ୍ୟପି ଫତୁରାନନ୍ଦଙ୍କ ବିଦ୍ରୂପ ପରି ତାହା ଏତେଟା ଉତ୍ତଟ ନୁହେଁ ।” (ଓଡ଼ିଆ ସାହିତ୍ୟର କ୍ରମବିକାଶ : ସୁରେନ୍ଦ୍ର ମହାନ୍ତି / ପୃ. ୪୮୩) ଫତୁରାନନ୍ଦଙ୍କ ‘ସାହିତ୍ୟ ବେଉଷଣ’, ‘ମଙ୍ଗଳବାରିଆ ସାହିତ୍ୟ ସଂସଦ’ ପ୍ରଭୃତି ରଚନାର ରସାଳ ଶୈଳୀ ବ୍ୟଙ୍ଗ-ବିଦ୍ରୂପର ପ୍ରଲେପରେ ପିଚ୍ଛିଳ । ସୁରେନ୍ଦ୍ର କହନ୍ତି- “ବ୍ୟର୍ଥତା ଜର୍ଜରିତ ଜୀବନ ମଧ୍ୟରେ ସୁଦ୍ଧା ହାସ୍ୟରସ ସୃଷ୍ଟି କରି ନିଜର ବ୍ୟର୍ଥତାକୁ ଭୁଲି ନାହାନ୍ତି, ଭୁଲାଇଛନ୍ତି ମଧ୍ୟ ପାଠକମାନଙ୍କୁ ।” (ଓଡ଼ିଆ ସାହିତ୍ୟର କ୍ରମବିଶଶ : ପୃ. ୪୮୩)

 

ବିଦ୍ରୂପାତ୍ମକ କାନ୍ତ କଟାକ୍ଷରେ ଚୌଧୁରୀ ହେମକାନ୍ତ ମିଶ୍ରଙ୍କ ‘କୁରୁଳିଆ ଗଳ୍ପ’, ‘ନିଷିଦ୍ଧ ପୁସ୍ତକ’, ‘ହେମକାନ୍ତଙ୍କ ହସଗୋଲା’, ‘ଅଘଟନ ସଂଘଟନ’ ପ୍ରଭୃତି ସଙ୍କଳନର ରଚନାଗୁଡ଼ିକ ସମୃଦ୍ଧ-। ଯଦିଓ ସୁରେନ୍ଦ୍ର ମହାନ୍ତିଙ୍କ ଭାଷାରେ- “ଚୌଧୁରୀ ହେମକାନ୍ତଙ୍କ ରମ୍ୟରଚନା ସବୁ ପରିହାସଧର୍ମୀ ସ୍କେଚ୍– ରମ୍ୟରଚନାର ପରିଶୀଳିତ ବୈଦଗ୍‌ଧ୍ୟ ସେଥିରେ ବିରଳ ।” (ଓଡ଼ିଆ ସାହିତ୍ୟର କ୍ରମବିକାଶ- ପୃ. ୪୯୯)

 

ସୁନୀଲ୍ ମିଶ୍ରଙ୍କ ‘ଖଦଡ଼ ମୁଣି’; ମାଧବ ଚନ୍ଦ୍ର ଶତପଥୀଙ୍କ ‘ତୈଳମର୍ଦ୍ଦନ’, ‘କପି ତୁ କାହୁଁ ଅଇଲୁ’, ‘ଅର୍ବାଚୀନ ଇସ୍ତାହାର’ ପ୍ରଭୃତି ସଙ୍କଳନ ଏବଂ ବସନ୍ତ ଶତପଥୀଙ୍କ ‘ମାଂସାଶୀମାନଙ୍କ ଉଦ୍ଦେଶ୍ୟରେ’, ‘ବୁଢ଼ାବାବୁ’, ‘ପାନ’, ‘ଆଧୁନିକ କେଶବିନ୍ୟାସ ଗୃହ’ ପ୍ରଭୃତି ରମ୍ୟରଚନାରେ ବ୍ୟଙ୍ଗ ବିଦ୍ରୂପର ଉତ୍ତାଳ ପ୍ରବାହ ସହଜରେ ଲକ୍ଷଣୀୟ ।

 

ସୁଲଳିତ ବାକ୍‌ରୀତିର ଆବରଣ ତଳେ ଗଭୀର ମନନର ମାଧୁର୍ଯ୍ୟ ପରିବେଷଣ ରମ୍ୟକଥନର ଏକ ବିଶେଷ କଳା । ଚନ୍ଦ୍ରଶେଖର ରଥଙ୍କ ଉପନିଷଦୀୟ ଚିନ୍ତାଧାରା ପ୍ରସୂତ ଆଧ୍ୟାତ୍ମିକ ଓ ଦାର୍ଶନିକ ଦୃଷ୍ଟିଭଙ୍ଗୀ ତାଙ୍କର ‘ଦୃଷ୍ଟି ଓ ଦର୍ଶନ’, ‘ମଧୁସନ୍ଧାନ’, ‘ମୁଁ ସତ୍ୟଧର୍ମା କହୁଛି', ‘ଅଶ୍ରୁତସ୍ୱର’ ପ୍ରଭୃତି ଗ୍ରନ୍ଥରେ ସଙ୍କଳିତ ବହୁ ରଚନାକୁ ତେଜୋଦ୍ଦୀପ୍ତ କରିଛି । ତାଙ୍କର ‘ରଥ ସପ୍ତକ’ ଏକ ଅନନ୍ୟ ଆଧ୍ୟାତ୍ମିକ ଉପଲବ୍ଧି ଆଧାରିତ ଅସାଧାରଣ ରଚନା । ଏହା ସୂକ୍ଷ୍ମତଃ ରମ୍ୟରଚନାର ସ୍ୱରୂପ-ପରିସର ବହିର୍ଭୁତ ଏକ ସ୍ୱତନ୍ତ୍ର ଗଦ୍ୟ ଆଙ୍ଗିକର ଏକକ ରଚନା ଭାବରେ ଗ୍ରହଣୀୟ । ଚିତ୍ତରଞ୍ଜନ ଦାସଙ୍କ ‘ପାଶେ ପାଶେ ଅଛନ୍ତି ସେ’ ଭଳି ରମ୍ୟରଚନାରୁ ମଧ୍ୟ ଏହିପରି ଉର୍ଦ୍ଧ୍ୱାୟିତ ଆଧ୍ୟାତ୍ମିକ ଉପଲବ୍ଧିର ସ୍ୱର ଶୁଣିହୁଏ ।

 

କାବ୍ୟୋପମ ଭାବପ୍ରବୋଧକ ଚିତ୍ରକଳ୍ପମାନଙ୍କର ପ୍ରୟୋଗ ସହିତ ସୁନିର୍ଦ୍ଦିଷ୍ଟ ଭାବପ୍ରକାଶ ଲାଗି ନୂତନ ଶବ୍ଦର ଆବିଷ୍କରଣରେ ଚନ୍ଦ୍ରଶେଖରଙ୍କ ଗଦ୍ୟଭାଷା ଅଭୂତପୂର୍ବ ପ୍ରଭାବ ବିସ୍ତାରକ୍ଷମ । ତାଙ୍କ ବ୍ୟଞ୍ଜନାରୁ ସୁଗଭୀର ମନନଶୀଳତା, ମୌଳିକ ବିଚାରଧାରା ଓ ଶାଣିତ କଟାକ୍ଷ ସହିତ ଲଳିତ ଶୈଳ୍ପିକତାର ମୁଗ୍ଧ ସମନ୍ୱୟ ପାଠକକୁ ସମ୍ମୋହିତ କରେ । ତାଙ୍କର ‘ହୋ ଭଗତେ’ (ରଥସପ୍ତକ)ରୁ ଦୁଇ ପଙ୍‌କ୍ତି ଶୁଣନ୍ତୁ – “ସାତ ଲହଡ଼ା ମଠରୁ ସୁସଞ୍ଚ ତୁଳସୀ ମଞ୍ଜରୀ ଗୁଡ଼ିଏ ଆଞ୍ଜୁଳାରେ ଧରି ସେ ଯେଉଁ ସରଳ, ପ୍ରଶାନ୍ତ ଶୁଚିମନ୍ତ ପୁରୁଷ ଆସୁଛନ୍ତି, ଯାହାଙ୍କର ଆଖିଗୁଡ଼ିକ ପଦ୍ମ ପାଖୁଡ଼ା ପରି ଢଳଢଳ, ଯେହୁ ପିନ୍ଧିଛନ୍ତି ଶୁକଳ ଅମ୍ଳାନ, ତୁଳସୀ ଚନ୍ଦନରେ ଯେହୁ ମହମହ ବାସୁଛନ୍ତି, ନବାକ୍ଷରୀ ଛନ୍ଦ ପରି ଯାହାଙ୍କ ବିଗ୍ରହ ମନୋରମ, ସେ ମହାତ୍ମା ହେଉଛନ୍ତି ଭାଗବତ-ପୁରୁଷ ଜଗନ୍ନାଥ ଦାସ ।” (ଚନ୍ଦ୍ରଶେଖର ୭୦/ପୃ. ୪୧)

 

ଉଚ୍ଚକୋଟୀର ଜୀବନଧର୍ମୀ ପ୍ରାଣଚେତନାରେ ପରିପୁଷ୍ଟ ଚିତ୍ତରଞ୍ଜନ ଦାସଙ୍କ ରମ୍ୟରଚନା ଗୁଡ଼ିକରେ ଏକ ପାଷାଣ-ଭେଦୀ ତୀବ୍ର ତୃତୀୟ ନୟନର ମହାର୍ଘ ନିଷ୍କର୍ଷ ସତେ ଯେପରି ଅନାୟାସରେ ପରିବେଷିତ ହୁଏ । ଆଧୁନିକ ମଣିଷର ଅସୁମାରି ସ୍ଖଳନ, ଭୀରୁ ପରାଜୟ, ନୀତିଭ୍ରଷ୍ଟ ଦୟନୀୟତା ତାଙ୍କ ଦୃଷ୍ଟିରେ ଧରାପଡ଼ିଯାଏ; ଅଥଚ ଜୀବନଧର୍ମୀ ମଣିଷର ଅନ୍ତିମ ବିଜୟ ସମ୍ପର୍କରେ ତଥାପି ସେ ସନ୍ଦେହମୁକ୍ତ । ‘ଜୀବନ ବିଦ୍ୟାଳୟ’ରେ ଏହାର ଧ୍ୱନି ସ୍ପଷ୍ଟ ଶୁଣାଯାଏ । ଭାଷା ପ୍ରୟୋଗରେ ଚିତ୍ତରଞ୍ଜନ ଏକାନ୍ତ ରୋକ୍‌ଠୋକ୍ । ତାଙ୍କର ଅବ୍ୟର୍ଥ ବ୍ୟଞ୍ଜନା ଶଂସିତ ପ୍ରସଙ୍ଗ ଉପରୁ ସବୁଯାକ ଆବରଣ ଅବଲୀଳାକ୍ରମେ ସମ୍ପୂର୍ଣ୍ଣ ଅପସାରିତ କରିନିଏ । ଚିତ୍ତରଞ୍ଜନଙ୍କ ଲେଖନୀର ବୈଶିଷ୍ଟ୍ୟ ସମ୍ୱନ୍ଧରେ ମାୟାଧର ମାନସିଂହଙ୍କ ନିମ୍ନ ଉଚ୍ଚାରଣ ଉଲ୍ଲେଖଯୋଗ୍ୟ ।

 

“ଏହି ବ୍ୟାପକ ଅରାଜକତା ଓ ବର୍ବରମୟତା ଭିତରେ ଏକମାତ୍ର ତରୁଣ ଚିତ୍ତରଞ୍ଜନ ଦାସଙ୍କ ରଚନା; ବିଚାର ଓ କଳ୍ପନାର ନୂତନ ଧ୍ୱନି ବହନ କରି ପ୍ରକୃତରେ ଚିତ୍ତରଞ୍ଜକ ହୋଇଉଠୁଛି-। ଓଡ଼ିଆ ସାହିତ୍ୟର ପ୍ରବନ୍ଧ ବିଭାଗ ଏହି ଡିଗ୍ରୀହୀନ ଅଥଚ ବିଜ୍ଞ ଓ ମନସ୍ୱୀ ତରୁଣଙ୍କ ଦ୍ୱାରା ବିପୁଳ ଭାବରେ ସମୃଦ୍ଧ ହୋଇଉଠିବ, ଏହା ଆମର ଦୃଢ଼ ଆଶା ।” (ଓଡ଼ିଆ ସାହିତ୍ୟର ଇତିହାସ / ପ୍ରଥମ ସଂସ୍କରଣ)

 

ଶରତ କୁମାର ମହାନ୍ତିଙ୍କ ଶ୍ଳେଷ ଓ ବିଦ୍ରୂପର ଅସ୍ତ୍ର ଅତ୍ୟନ୍ତ ଶାଣିତ ଓ ନିର୍ଭୟ । ସାହିତ୍ୟ, ସଂସ୍କୃତି ଓ ସାମାଜିକ ପରିସୀମାରେ ଘଟିତ ନାନା ବିଡ଼ମ୍ବନା ତାଙ୍କ ଲେଖନୀର ତୀକ୍ଷ୍‌ଣ ଖଡ୍‌ଗଧାରରେ ରକ୍ତାକ୍ତ ହେବାରୁ ବର୍ତ୍ତି ପାରନ୍ତି ନାହିଁ । ‘ସଂସ୍କୃତି ଓ ଅପସଂସ୍କୃତି’ ପୁସ୍ତକରେ ଏହାର ସାର୍ଥକ ସୂଚୀପତ୍ର ସନ୍ଧାନଯୋଗ୍ୟ । ଜଣେ ଗାନ୍ଧିବାଦୀ ସାମାଜିକ ସତ୍ୟାନୁସନ୍ଧିତ୍ସୁ ତଥା ସାଂସ୍କୃତିକ ସ୍ଵାଭିମାନ ସମ୍ପନ୍ନ ଲେଖକ ଭାବେ ଭାଗଗ୍ରାହୀ ମିଶ୍ରଙ୍କର ବହୁ ସଫଳ ରମ୍ୟରଚନା ଆଖିରେ ପଡ଼େ-। ତାଙ୍କର ‘ପ୍ରବୃତ୍ତିର ଅନ୍ୟ ନାମ ଜୀବନ’, ‘ମୁଁ’, ‘ମନ କହେ ଚଇତନକୁ’ ପ୍ରଭୃତି ପୁସ୍ତକ ଏହାର ଦୃଷ୍ଟାନ୍ତ ।

 

ମହାପାତ୍ର ନୀଳମଣି ସାହୁଙ୍କ ରମ୍ୟରଚନାର ଆଧାରଟି ହାସ୍ୟ ଓ ବ୍ୟଙ୍ଗର ସଂଭ୍ରାନ୍ତ ସାମର୍ଥ୍ୟରେ ରସୋଚ୍ଛଳ; ମାତ୍ର କେବଳ ହାସ୍ୟରସର କଲ୍ଲୋଳରେ ତାହାର ପ୍ରବାହ ସର୍ବାଦୌ ସୀମିତ ନୁହେଁ । ସାଂସ୍କୃତିକ ସ୍ଵାଭିମାନ, ସାମାଜିକ ଶୃଙ୍ଖଳା, ଜୀବନର ଧର୍ମନିଷ୍ଠ ପାରତ୍ରିକ ଚେତନା ସମୃଦ୍ଧ ମହତ୍ତର ଉପଲବ୍ଧି ଦିଗରେ ତାଙ୍କର ମନ ଓ ମନନ ସତତ ଗତିଶୀଳ । ‘ଆମେ ଓଡ଼ିଆ ଓଡ଼ିଆ କିଏ’, ଧ୍ୱନି ଧ୍ୱନି ପ୍ରତିଧ୍ୱନି’, ‘ସ୍ଵପ୍ନ ସ୍ୱପ୍ନ ଅନେକ ସ୍ଵପ୍ନ’, ‘ଯା ନିଶା ସର୍ବଭୂତେଷୁ’, ‘ଯା ଦେବୀ ମମଗୃହେଷୁ’, ‘କିଛି ସୂତ୍ର କିଞ୍ଚିତ୍ ବ୍ୟାଖ୍ୟା’ ପ୍ରଭୃତି ରମ୍ୟରଚନା ପୁସ୍ତକରୁ ତାଙ୍କର ବ୍ୟଙ୍ଗ ଓ ବିଦ୍ରୂପାତ୍ମକ ଉଚ୍ଚାରଣ କିପରି ହାସ୍ୟରସର ଉତ୍ତାଳ ଦାରା ସହ ଶ୍ଳେଷ ଓ ବୌଦ୍ଧିକତାର ସମନ୍ୱିତ ରସସ୍ନିଗ୍ଧ ପ୍ରକାଶ ଭଙ୍ଗୀ ଗ୍ରହଣ କରିଛି ତାହା ସହଜରେ ଲକ୍ଷ୍ୟ କରିହେବ । ଶ୍ରୀ ସାହୁଙ୍କ ଗଳ୍ପ ଉପନ୍ୟାସରେ ଯେପରି ଏକ ରସସିକ୍ତ ସ୍ରଷ୍ଟାମାନସକୁ ଆମେ ସଚରାଚର ଭେଟୁ, ତାଙ୍କ ରମ୍ୟରଚନା ଗୁଡ଼ିକରେ ମଧ୍ୟ ସେହି ଲାଳିତ୍ୟରେ ମୁଗ୍ଧ ପରିଭାଷା ମନୋଜ୍ଞ ଭାବେ ଲିପିବଦ୍ଧ ହୋଇଥିବା ଲକ୍ଷ୍ୟ କରିହୁଏ ।

 

ନୀଳମଣିଙ୍କ ‘ଆମ ଓଡ଼ିଆ ଓଡ଼ିଆ କିଏ’ ଗ୍ରନ୍ଥରେ ସନ୍ନିବେଶିତ ରମ୍ୟରଚନା ଗୁଡ଼ିକରେ ଓଡ଼ିଆ ଜାତିର ଗୁଣାତ୍ମକ ବୈଶିଷ୍ଟ୍ୟ ପ୍ରଭାବଶାଳୀ ଭାବରେ ପ୍ରକାଶିତ । ତତ୍‌ସହିତ ସାମ୍ପ୍ରତିକ ଅବକ୍ଷରଗ୍ରସ୍ତ ଓଡ଼ିଆ ଜାତିର ଦୋଷ ଦୁର୍ବଳତା ମଧ୍ୟ ଏଥିରେ ସେ ପ୍ରଦର୍ଶନ କରିଛନ୍ତି । ଏଥିରେ ପ୍ରଚ୍ଛନ୍ନ ରହିଛି ସମାଜ ସଂସ୍କାରର ମହତ୍ ଉଦ୍ଦେଶ୍ୟ, ଯାହା ‘ଯା ନିଶା ସର୍ବଭୂତେଷୁ’ରେ ପ୍ରତ୍ୟକ୍ଷ ଭାବେ ପ୍ରକାଶିତ । ସମାଜ ସଂସ୍କାର ପ୍ରୟାସ ଏକ ପ୍ରମୁଖ ସ୍ୱର ଭାବରେ ବହୁ ଲେଖକଙ୍କ ରମ୍ୟରଚନାରେ ପ୍ରାଥମିକତା ଲାଭ କରିଛି । ହରେକୃଷ୍ଣ ମହତାବଙ୍କ ‘ଗାଁ ମଜ୍‌ଲିସ୍’ଠାରୁ ଆରମ୍ଭ କରି ବାମାଚରଣଙ୍କ ‘ଶୋକସମ୍ବାଦ’, ‘ତୋଷାମଦି ସପକ୍ଷରେ’; ଭୁବନେଶ୍ୱର ବେହେରାଙ୍କ ‘ଶୁଣ ପରୀକ୍ଷ’, ଚୌଧୁରୀ ହେମକାନ୍ତ ମିଶ୍ରଙ୍କ ‘ଅଘଟନ ସଙ୍ଘଟନ’, ଚିତ୍ତରଞ୍ଜନ ଦାସଙ୍କ ‘ଜୀବନ ବିଦ୍ୟାଳୟ’, ‘ତରଙ୍ଗ ଓ ତଡ଼ିତ୍’, ‘ଶିଳା ଓ ଶାଳଗ୍ରାମ’, ‘ମା ନିଷାଦ’, ‘ଜାତିରେ ମୁଁ ଯବନ’, ଚନ୍ଦ୍ରଶେଖର ରଥଙ୍କ ‘ମୁଁ ସତ୍ୟଧର୍ମା କହୁଚି’, ଶରତ କୁମାର ମହାନ୍ତିଙ୍କ ‘ସଂସ୍କୃତି ଓ ଅପସଂସ୍କୃତି’ ପ୍ରଭୃତି ଏହାର ନିଦର୍ଶନ ।

 

ପ୍ରେମ, ବିଶ୍ଵାସ ଓ ସର୍ବୋପରି ଉଦାର ମଣିଷ ପଣିଆ ହିଁ ଯେ ଜୀବନର ସର୍ବଶ୍ରେଷ୍ଠ ଐଶ୍ଵର୍ଯ୍ୟ ଏହା ଚିତ୍ତରଞ୍ଜନ-ଚେତନାର ସାମଗ୍ରିକ ଉପଲବ୍ଧି । ମଣିଷ ପଣିଆର କ୍ଷୟ ଓ ସ୍ଖଳନ ଯେଉଁଠି ଯେଉଁଠି ଆଖିରେ ପଡ଼ିଛି ସେଠାରେ ତାଙ୍କର ସାରସ୍ୱତ ଓ ସାମାଜିକ ଅଙ୍ଗୀକାରବଦ୍ଧତା କ୍ଷତାକ୍ତ ହୋଇଛି । ସେଠାରେ ତାଙ୍କର ବିଦ୍ରୂପ ସତ୍ୟ ଉପରୁ ସମସ୍ତ ଆଚ୍ଛାଦନ କାଢ଼ି ଫିଙ୍ଗିଦେଇଛି । ‘ତରଙ୍ଗ ଓ ତଡ଼ିତ୍’ରେ ସେ ଏଇକଥା ହିଁ କହନ୍ତି- “ଆମ ଦେଶରେ ଆଜି ସବୁଠି ଦୁର୍ନୀତି ଭରି ରହିଛି-। ପାଠପଢ଼ା ହେଉଛି, ତଥାପି ପାଠ ନାହିଁ । ଦରବାର ବସିଛି, ତଥାପି ନ୍ୟାୟ ନାହିଁ । ସବୁଠାରେ ଶହ ଶହ ମଣିଷ ରୁଣ୍ଡ ହୋଇ ନାନା ସାମୂହିକତାର ବାନା ଉଠାଇ ନାନା ଉଚ୍ଚଗାନ କରୁଛନ୍ତି- ତଥାପି ମାନବିକତା ନାହିଁ, ମଣିଷପଣିଆ ନାହିଁ ।”

 

ବ୍ୟକ୍ତି ଜୀବନର ନାନା ସୂକ୍ଷ୍ମ ସ୍ପନ୍ଦନ ରମ୍ୟରଚନାରେ ଏକ ଏକ ସନ୍ଦେଶ ବା ବାର୍ତ୍ତା ରୂପରେ ପ୍ରତିଭାତ ହୋଇଥିବା ଦେଖାଯାଏ । ବାମାଚରଣ ମିତ୍ରଙ୍କ ‘ଏଣୁଶ୍ଚ ତେଣୁଶ୍ଚ’ର କେତେକ ରଚନା, ଭୁବନେଶ୍ୱର ବେହେରାଙ୍କ ‘ନାଟର ଗୋବର୍ଦ୍ଧନ’, ‘ସତ୍ୟର ପଥ’, ‘ବିଶ୍ୱ ଦେଖ ମଧୁମୟରେ ଜୀବନ’, ଚୌଧୁରୀ ହେମକାନ୍ତ ମିଶ୍ରଙ୍କ ‘ନିଷିଦ୍ଧ ପୁସ୍ତକ’, ‘ଅଘଟନ ସଂଘଟନ’ ଏବଂ ଫତୁରାନନ୍ଦଙ୍କ ବହୁ ରଚନାରେ ଏହା ଉପଲବ୍ଧ ।

 

ଇତିହାସ ଓ ପ୍ରତ୍ନତତ୍ତ୍ୱର ଆଧାରରେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ସାର୍ଥକ ରମ୍ୟରଚନାମାନ ସୃଷ୍ଟି କରିଛନ୍ତି । ‘ଇତିହାସ ଓ କିମ୍ୱଦନ୍ତୀ’, ‘ପ୍ରବନ୍ଧ ମାନସ’ ପ୍ରଭୃତି ଗ୍ରନ୍ଥରେ ରମ୍ୟରଚନାର ସୂକ୍ଷ୍ମ ଓ ରମ୍ୟସ୍ପର୍ଶ ବେଶ୍ ସଂରକ୍ଷିତ । ‘ମୋ ସମୟର ଓଡ଼ିଶା’ ଲେଖକଙ୍କର ଆତ୍ମଚରିତ ହେଲେ ହେଁ ଏଥିରେ ସମସାମୟିକ ଓଡ଼ିଶାର ସାଂସ୍କୃତିକ ସ୍ଖଳନଜନିତ ବେଦନାବୋଧର ପରିବେଷଣ ଏହାକୁ ରମ୍ୟକଥନର ପର୍ଯ୍ୟାୟକୁ ଉନ୍ନୀତ କରିଛି ।

 

କେତେକ ରଚନାକୁ ଏକାଧାରରେ ଉତ୍କୃଷ୍ଟ ପ୍ରବନ୍ଧ ଓ ରମ୍ୟରଚନା ଭାବରେ ସ୍ୱୀକୃତି ଦିଆଯାଇପାରେ । ସୀତାକାନ୍ତ ମହାପାତ୍ରଙ୍କ ‘ଅନେକ ଶରତ’ ପୁସ୍ତକର ଆଲେଖ ଗୁଡ଼ିକୁ ଏଭଳି ଶ୍ରେୟରେ ମଣ୍ଡିତ କରାଯାଇପାରେ । ‘ଯା ଦେବୀ ମମ ଗୃହେଷୁ’ ଗ୍ରନ୍ଥର ‘ସାମାନ୍ୟକଥନ’ ଶୀର୍ଷକ ମୁଖବନ୍ଧରେ ଲେଖକ ମହାପାତ୍ର ନୀଳମଣି ସାହୁ ସଙ୍କଳିତ ରଚନାଗୁଡ଼ିକୁ ଯୁଗପତ୍ ଗଳ୍ପ କଥା ରମ୍ୟରଚନା ଭାବରେ ଗ୍ରହଣ କରିବା ସପକ୍ଷରେ ଯଥାର୍ଥ ଭାବେ ନିଜ ମତ ଉପସ୍ଥାପିତ କରିଛନ୍ତି । ପ୍ରମୋଦ କୁମାର ମହାନ୍ତିଙ୍କ ‘କୋଣାର୍କ’ ଓ ‘ଏକ ରୂପସୀ ସମ୍ପର୍କରେ’ ମଧ୍ୟ ଉପର୍ଯ୍ୟୁକ୍ତ ଶ୍ରେଣୀର ରଚନା ।

 

ଜଣେ ଶିକ୍ଷକର ବୃତ୍ତିଗତ ଅନୁଭୂତି ଓ ଉପଲବ୍ଧି ଆଧାରିତ ନାନା ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ କେତେକ କ୍ଷେତ୍ରରେ ରମ୍ୟରଚନାରେ ରୂପାନ୍ତରିତ ହୋଇଥିବା ଲକ୍ଷ୍ୟ କରିହେବ । ‘ଜୀବନ ବିଦ୍ୟାଳୟ’ରେ ଚିତ୍ତରଞ୍ଜନ ଦାସ ଜଣେ ଛାତ୍ରବତ୍ସଳ ଶିକ୍ଷକ, ନିମଗ୍ନ ଦାର୍ଶନିକ ତଥା ସମ୍ୱେଦନଶୀଳ ମଣିଷଟିଏ ଭାବେ ପାଠକ ସମ୍ମୁଖରେ ଉଭା ହୁଅନ୍ତି । ମାୟାଧର ମାନସିଂହଙ୍କ ‘ଶିକ୍ଷାବିତ୍‌ର ଗାଥା’ରେ ଶିକ୍ଷକୀୟ ମନନ ଓ ଅଭିଜ୍ଞାନ ପ୍ରଭାବଶାଳୀ ଭାବେ ପରିପ୍ରକାଶିତ ହୋଇଛି । କୃଷ୍ଣ ଚରଣ ବେହେରାଙ୍କର ‘ଅଧ୍ୟାପକର ବେଦନା’ ମଧ୍ୟ ଜଣେ ଶିକ୍ଷକର ତିକ୍ତ-ମଧୁର ଅନୁଭୂତିକୁ ହିଁ ଆଧାର କରିଛି ।

 

କେବଳ ଛଳଛଳ ହାସ୍ୟରସ, ଚଳଚଞ୍ଚଳ ବ୍ୟଙ୍ଗ, ନାଗରସୁଲଭ ରସିକତା, ଚଟୁଳ ପରିହାସ-କୌତୁକ ଗର୍ଭିତ ହେଲେ ଯେ ଏକ ଗଦ୍ୟଲେଖ ରମ୍ୟରଚନା ରୂପେ ବିବେଚିତ ହେବ – ଏଭଳି ଧାରଣା ସମ୍ପୂର୍ଣ୍ଣ ରୂପେ ଭ୍ରମାତ୍ମକ ଏବଂ ଏହାର ଉଲ୍ଲେଖ ମଧ୍ୟ ନିଷ୍ପ୍ରୟୋଜନ । ତେବେ ଉଦାହରଣତଃ : ଚନ୍ଦ୍ରଶେଖର ରଥଙ୍କ ବକ୍ତବ୍ୟରେ ଚଟୁଳ ହାସ୍ୟରସ ହୁଏତ ନାହିଁ; ମାତ୍ର ତାଙ୍କର ସୁଗନ୍ଧିତ ଭାବାବେଗ, ସୁକୁମାର ଅନ୍ତର୍ଦୃଷ୍ଟି, ଉତ୍କଳ ମନନ-ନିଃସୃତ ଉଚ୍ଚାରଣ ଅସାଧାରଣ । ତାଙ୍କ ଭାଷା ଏକ ନିପୁଣ ଶବ୍ଦ-ବିନ୍ଧାଣିର ଅପୂର୍ବ ତାରକସି ସୂକ୍ଷ୍ମତାରେ ଅଭିଷିକ୍ତ ହୋଇ ଏକ ଯାଦୁକରୀ ଲାଳିତ୍ୟର ବାଢ଼୍‌ମୟ ଧାରା ସୃଷ୍ଟି କରେ । ତାଙ୍କ ସମ୍ୱନ୍ଧରେ ମହାପାତ୍ର ନୀଳମଣି ସାହୁଙ୍କୁ ଶୁଣନ୍ତୁ– “ବର୍ତ୍ତମାନ ଯୁଗର ରମ୍ୟରଚନା ସାହିତ୍ୟରେ ପରିମାଣାତ୍ମକ ଓ ଗୁଣାତ୍ମକ ଉତ୍କର୍ଷ ସମାନ ଭାବରେ ଅର୍ଜନ କରିଥିବା ଲେଖକମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ରଥ ହିଁ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।” (‘ଆମ କଥାସାହିତ୍ୟର କଥା ଓ ରମ୍ୟରଚନା’ - ପୃ-୧୨୩)

 

ସାମ୍ପ୍ରତିକ କାଳରେ ବହୁ ପ୍ରବୀଣ ଓ ନବୀନ ଲେଖକ ନିଷ୍ଠାର ସହ ଓଡ଼ିଆ ରମ୍ୟରଚନା ସର୍ଜନରେ ସକ୍ରିୟ ଅଛନ୍ତି । ସେମାନଙ୍କ ରଚନାରୁ ବିଷୟ, ଭାବ ଓ ଶୈଳୀର ନାନା ପ୍ରତିଶ୍ରୁତି ସହଜରେ ଲକ୍ଷ୍ୟଣୀୟ । ନିଖିଳାନନ୍ଦ ପାଣିଗ୍ରାହୀଙ୍କ ‘ଯଥା ରାବଣସ୍ୟ ମନ୍ଦୋଦରୀ’, ‘ନାହିଁ ନାହିଁର ବନ୍ଧନ’, ‘ରାଧାଚରିତ ଅଧାସତ’, ‘ଲଢ଼ୁଆ ମେଣ୍ଢାର ଜୀବନୀ’; ବୈଷ୍ଣବ ଚରଣ ସାମଲଙ୍କ ‘ଆଜ ଦେଖିଲିରେ’, ‘ଇଚ୍ଛନ୍ତି ଦାମ୍ଭିକେ’, ‘କହିବାକୁ ଲାଜ’, ‘ରଙ୍ଗସଭା’; ଭୂପେନ୍ ମହାପାତ୍ରଙ୍କ ‘ଗୋଟିଏ ମେଣ୍ଢାପଲ’, ‘ଭାରତ ଭାଗ୍ୟବିଧାତା’; ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ‘ଢିଙ୍କିଶାଳରୁ ଢେଙ୍କାନାଳ’; ମହେଶ୍ୱର ଦାସଙ୍କ ‘ଅତୀତର ଛାଇ’, ‘ଅନ୍ୟ ଉପାୟ’, ‘ଅତଏବ’ ‘ଅପ୍ରମିତ ଦୁଃଖ’; ସଂଘମିତ୍ରା ମିଶ୍ରଙ୍କ ‘ନାୟିକା ନିଜ ଦର୍ପଣରେ’, ‘ଯକ୍ଷପ୍ରଶ୍ନ’ ପ୍ରଭୃତି ଗ୍ରନ୍ଥ ଓଡ଼ିଆ ରମ୍ୟରଚନାର ଦିଗ୍‌ବଳୟକୁ ପ୍ରଶସ୍ତ ଓ ଉଜ୍ଜ୍ୱଳତର କରିଛି । କୁଳମଣି ମହାପାତ୍ର, ବିପିନ ବିହାରୀ ମିଶ୍ର, ନିତ୍ୟାନନ୍ଦ ଶତପଥୀ, ଅଚ୍ୟୁତାନନ୍ଦଙ୍କର, କୁଳମଣି ସାମଲ, ମାଧବ ଚନ୍ଦ୍ର ସ୍ୱାଇଁ, ଉମାକାନ୍ତ ମହାପାତ୍ର, ବିଭୂତି ପଟ୍ଟନାୟକ, ପଙ୍କଜିନୀ ଦାଶ, ଗୀତା ହୋତା, ସାଧନ ପରିଡ଼ା, ବିଶ୍ୱଜିତ ଦାସ, ଅଜିତ କୁମାର ତ୍ରିପାଠୀ, ଦେବ୍ରାଜ ଲେଙ୍କା, ଗୋପାଳ ମିଶ୍ର, ଉମାପଦ ବୋଷ୍, ଅଜୟ କୁମାର ମିଶ୍ର, ଅସୀମ ବସୁ, ଗୌର ଷଡ଼ଙ୍ଗୀ, ମୃଣାଳ ଚାଟାର୍ଜୀ, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଗଙ୍ଗାଧର ବିଶ୍ୱାଳ, ମନୁ ଦାଶ, ଅନୀଲ ପାଢ଼ୀ, ଗନ୍ତାୟତ ଶିବପ୍ରସାଦ ପ୍ରମୁଖ ବହୁ ପ୍ରବୀଣ ଓ ତରୁଣ ଲେଖକ ରମ୍ୟରଚନା କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ସାଫଲ୍ୟର ଅଧିକାରୀ ।

 

ସ୍ଵାଧୀନତା ପରବର୍ତ୍ତୀ କାଳରେ କେତେଜଣ ପ୍ରଚଣ୍ଡ ପ୍ରତିଭାଦୀପ୍ତ ସାରସ୍ୱତ ପ୍ରତିଭା ଓଡ଼ିଆ ରମ୍ୟରଚନା କ୍ଷେତ୍ରରେ ଅତ୍ୟନ୍ତ ଅନ୍ତରଙ୍ଗ ଭାବେ ନିଜକୁ ଉତ୍ସର୍ଗ କରି ସାହିତ୍ୟ ରାଜ୍ୟର ଏହି ଏକଦା ପଛ ଧାଡ଼ିରେ ଛିଡ଼ା ହୋଇ ଆପଣାକୁ ଜାହିର୍ କରିବାକୁ ଅପ୍ରତିଭ ଭାବେ କ୍ଷୀଣ ପ୍ରୟାସ କରୁଥିବା ଆଗନ୍ତୁକଟିକୁ ଏଭଳି ଏକ ସମ୍ମାନାସ୍ପଦ ସାମ୍ଭ୍ରାତ୍ୟ ଓ ମହିମାମଣ୍ଡିତ ଐଶ୍ଵର୍ଯ୍ୟରେ ବିଶୋଭିତ କରିଛନ୍ତି ଯେ, ସମ୍ପ୍ରତି ଏହା ଆମ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ବିଭାଗ ଭାବେ ମର୍ଯ୍ୟାଦାଦୀପ୍ତ ହୋଇଛି ଓ ସାରସ୍ୱତ ସାମ୍ରାଜ୍ୟର ସର୍ବୋଚ୍ଚ ସିଂହାସନରେ ରାଜଚକ୍ରବର୍ତ୍ତୀ ପରି ଅତ୍ୟନ୍ତ ତେଜୀୟାନ୍ ଅସ୍ତିତ୍ୱ ନେଇ ରାଜପଣ କରିବାକୁ ଆରମ୍ଭ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ-। ଚନ୍ଦ୍ରଶେଖର ରଥ, ମହାପାତ୍ର ନୀଳମଣି ସାହୁ, ଚିତ୍ତରଞ୍ଜନ ଦାସ, ମନୋଜ ଦାସ, ଶରତ କୁମାର ମହାନ୍ତି, ଭୁବନେଶ୍ୱର ବେହେରାଙ୍କ ପରି ସ୍ୱାଧୀନତା ପରବର୍ତ୍ତୀକାଳର ଶ୍ରେଷ୍ଠ ଗଦ୍ୟଶିଳ୍ପୀମାନେ ରମ୍ୟରଚନା କ୍ଷେତ୍ରରେ ଆପଣାର ସର୍ବୋତ୍ତମ ଆବେଗ, କଳାତ୍ମକତା ଓ ସମାଜ-ସାଂସ୍କୃତିକ ସଚେତନତାର ନିର୍ଯ୍ୟାସ ସମର୍ପଣ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସୁରେନ୍ଦ୍ର ମହାନ୍ତିଙ୍କର ମନ୍ତବ୍ୟଟିକୁ ଗ୍ରହଣ କରିହୁଏ ନାହିଁ । “ସ୍ଵାଧୀନୋତ୍ତର କାଳରେ ଓଡ଼ିଆ ସାହିତ୍ୟରେ ରମ୍ୟରଚନା ବିଭାଗଟି କିନ୍ତୁ ଅତ୍ୟନ୍ତ ଦୈନ୍ୟଗ୍ରସ୍ତ । ଗୋପାଳ ଚନ୍ଦ୍ର ପ୍ରହରାଜ ଚଳିତ ଶତାବ୍ଦୀ ଆରମ୍ଭରେ ରମ୍ୟରଚନାର ଯେଉଁ ଧାରା ପ୍ରବର୍ତ୍ତନ କରିଥିଲେ, ସତ୍ୟବାଦୀ ଯୁଗର ପଣ୍ଡିତ ନୀଳକଣ୍ଠଙ୍କ କେତୋଟି ରଚନାରେ ଯାହା କିଛିଟା ପରିପୁଷ୍ଟ ହୋଇଥିଲା, ସ୍ଵାଧୀନୋତ୍ତର କାଳରେ ତାହା ପ୍ରାୟ ଶୁଷ୍କ ହୋଇପଡ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।” (ଓଡ଼ିଆ ସାହିତ୍ୟର କ୍ରମବିକାଶ / ପୃ.୪୯୭)

 

ବାସ୍ତବରେ ‘ରମ୍ୟରଚନା’ ଅଧୁନାତନ କାଳରେ ଲଳିତ ମୁକ୍ତଗଦ୍ୟ ଭାବରେ ଉଭୟ କଥାବସ୍ତୁ ତଥା ଆଙ୍ଗିକ ସୀମା ଓ ସମ୍ଭାବନାର ଯେଉଁ ବିପୁଳ ବ୍ୟାପ୍ତି ଉନ୍ମୀଳନ କରିଛି ଏବଂ ଆଲୋଚିତ ରମ୍ୟରଚନାକାରମାନେ ଯେଉଁ ଉତ୍ସର୍ଗ, ନିମଗ୍ନତା ଓ ଅନ୍ତରଙ୍ଗତା ସହ ଏ କ୍ଷେତ୍ରରେ ତପସ୍ୟାନିଷ୍ଠ ହୋଇଛନ୍ତି, ତାହାଦ୍ଵାରା ରମ୍ୟରଚନା ଏକ ସ୍ପର୍ଦ୍ଧିତ ଅଗ୍ରଦୂତ ଭାବରେ ଅନ୍ୟ ସାହିତ୍ୟିକ ବିଭାଗମାନଙ୍କୁ ଯେ ପଛରେ ପକାଇ ଦୃପ୍ତ ଓ ପ୍ରତ୍ୟୟପୂର୍ଣ୍ଣ ପଦପାତରେ ନିଜର ଦିଗ୍‌ବିଜୟ ଜାରି ରଖିଚି – ଏହା ହିଁ ବରଂ ସମ୍ମୁଖର ଦୃଶ୍ୟ ଭାବେ ଆପାତତଃ ପ୍ରକଟିତ ହୁଏ ।

 

ଏହି ନିବନ୍ଧର ସୀମିତ ପରିସର ଓଡ଼ିଆ ରମ୍ୟରଚନାର ସାମଗ୍ରିକ ରୂପବୈଚିତ୍ର୍ୟ ଓ ଦେଦୀପ୍ୟମାନ ଐଶ୍ଵର୍ଯ୍ୟର ପରିସୀମା କଳନା ଲାଗି ଏକାନ୍ତ ଅଯଥେଷ୍ଟ । ଏକ ସୁଦୀର୍ଘ ଗବେଷଣା ସନ୍ଦର୍ଭରେ ହିଁ ଏହାର ପୂର୍ଣ୍ଣତର ଚର୍ଚ୍ଚା-ଆକଳନ ସମ୍ଭବପର । ତେବେ ଏହି ନିବନ୍ଧର ସ୍ତିମିତାଲୋକରେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ରମ୍ୟରଚନା ରାଜ୍ୟର ସାଙ୍କେତିକ ବୈଚିତ୍ର୍ୟ ଏକ ସ୍ଥୂଳ ପ୍ରତୀତିରେ ଅନ୍ତତଃ ଅଭିବ୍ୟକ୍ତି ହୋଇପାରିବା ହୁଏତ ସ୍ପୃହଣୀୟ ହେବ ।

 

 

ଅଧ୍ୟାପକ : ଓଡ଼ିଆ ବିଭାଗ

ରେଭେନ୍‌ସା ଜୁନିଅର କଲେଜ, କଟକ-୩

 

***

 

ଜଣେ ଗାଳ୍ପିକର ଦୃଷ୍ଟିରେ ଭଲ ଗପ

ଅଧ୍ୟାପକ ଅନୀଲ କୁମାର ପାଢ଼ୀ

 

‘ଗପ କହିଲେ ଆମେ କ’ଣ ବୁଝୁ ?’ ଏହି ପ୍ରଶ୍ନ ମୋତେ ନୁହେଁ ଅନେକ ଅନେକ ଗାଳ୍ପିକଙ୍କୁ ସଙ୍କଟାପନ୍ନ କରିଛି ଏଥିରେ ଦ୍ୱିମତ ହେବାର ନାହିଁ । ଗପ, ବା ଅନ୍ୟ ଅର୍ଥରେ କହିଲେ ଗପ ଭିତରେ ଥିବା କାହାଣୀ କବିତାଠାରୁ ବି ବହୁ ପୁରାତନ - ଏ କଥାର ପ୍ରମାଣ ଗ୍ରୀକ୍ ସାହିତ୍ୟ କି ଭାରତର ପୌରାଣିକ ସାହିତ୍ୟରୁ ମିଳିଥାଏ । ପ୍ରକାଶ କରିବାର ଶୈଳୀ ଆଉ ଆଭିମୁଖ୍ୟ ହୁଏତ ଭିନ୍ନ ଭିନ୍ନ ହୋଇପାରେ । ହେଲେ, ଏଯାଏ ଆମେ ଗପ କହିଲେ କ’ଣ ବୁଝୁ ତା’ର ନିର୍ଦ୍ଦିଷ୍ଟ ସୀମା ସରହଦକୁ ବି ଛୁଇଁପାରିଲେ ନାହିଁ । କେବେ କେବେ ଗପଟି ଏକ ନିର୍ଦ୍ଦିଷ୍ଟ ଅବଧି ଭିତରେ ସରୁ ନଥିବା, ବା ଘଟଣା କି ଚରିତ୍ରର ବହୁଳତା ଭିତରେ ଦିଗଭ୍ରଷ୍ଟ ହେଉନଥିବା ଏକ ସାହିତ୍ୟ । ଗପରେ କାହାଣୀଟିଏ ଥାଏ - ଏ କଥା ଅସ୍ୱୀକାର କରାଯାଇ ନ ପାରେ । ଯଦିଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପରେ ଗପ ସାହିତ୍ୟ ବିଭିନ୍ନ ପରୀକ୍ଷା ନିରୀକ୍ଷା ଦେଇ ଗତି କରିଛି, ଏ ଯାବତ୍ ଭଲ ଗପର ସଂଜ୍ଞାଟିଏ ସାହିତ୍ୟ ପାଇପାରି ନାହି । ଆମେ ଉତ୍ତର-ଆଧୁନିକ ଯୁଗରେ ବାସ୍ତବବାଦ, ଅତିବାସ୍ତବବାଦ ଓ ଜଗତୀକରଣ ଆଦିର କଥା କହୁଛୁ । ଏସବୁ ଭିତରେ ପ୍ରକୃତ ଗପଟିଏର ସଂଜ୍ଞା ରହିଛି କି ! ସଂଜ୍ଞା ବାଛିଲା ବେଳେ ଜଣେ ସାହିତ୍ୟିକ ଏହିସବୁ ବାଦାନୁବାଦ ଭିତରେ ଏପରି ଛନ୍ଦି ହୋଇପଡ଼େ ଯେ, ଗଳ୍ପର ସଂଜ୍ଞା କହିବାକୁ ଯାଇ ସେ ଗୁଡ଼ାଏ confusing literary terms ବ୍ୟବହାର କରିପକାଏ ତ କେବେ ଆଦୌ କିଛି କହିପାରେ ନାହିଁ ।

 

ପ୍ରଥମେ ଏ କଥା ବିଚାର୍ଯ୍ୟ ଯେ ଗଳ୍ପ ପଢ଼ନ୍ତି କେଉଁମାନେ । ଅନ୍ତତଃ ଭାରତୀୟ ଦୃଷ୍ଟିକୋଣରୁ ଦେଖିଲେ ପାଠକମାନେ ହେଲେ ମଧ୍ୟବିତ୍ତ ବର୍ଗର ଲୋକ । ଖାଲି ଭାରତ କାହିଁକି ପୃଥିବୀର ଅନେକ ଭାଷାର ପାଠକମାନେ ହିଁ ଏହି ମଧ୍ୟମ ବର୍ଗର । ମଧ୍ୟମ ବର୍ଗର କଥା ଉଠିଲେ ଆମ ଭିତରକୁ ଛାଏଁ ଯେଉଁ ଗୋଷ୍ଠୀଟି ନଜରକୁ ଆସେ ତାହା ହେଲା ଅଳ୍ପକିଛି ଜ୍ଞାନପିପାସା ଓ ମୁଖ୍ୟତଃ କର୍ମକ୍ଳାନ୍ତ ଜୀବନର କ୍ଳାନ୍ତିକୁ ହଟେଇବା ପାଇଁ mind refreshing କାହାଣୀଟିଏ ପଢ଼ିବା । ତେବେ, ଏହି ସମୟସୀମାକୁ ତର୍ଜମା କରାଯାଉ । ପାଠକଟିଏ ପାଖରେ ପଠନ ପ୍ରକ୍ରିୟାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ତା’ର ଦୈନନ୍ଦିନ କାର୍ଯ୍ୟ, ରୋଜଗାର ଇତ୍ୟାଦି । ଗୋଟିଏ ଭଲ ଗପ କେବେ ବି ଏସବୁର ବିକଳ୍ପ ହୋଇପାରିବ କି ! ଅବସରକାଳୀନ ବିନୋଦନ ପାଇଁ ବା ପାଠ୍ୟପୁସ୍ତକ ସମ୍ପର୍କିତ ଗଳ୍ପ-କାହାଣୀକୁ ପଢ଼ି କୌଣସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଏମାନେ ସାହିତ୍ୟକୁ ଆପଣେଇଥାନ୍ତି ସାମୟିକ ଭାବେ । ଯେଉଁ କେତେଜଣ ସାହିତ୍ୟ ପାଇଁ ସାହିତ୍ୟ ପଢ଼ନ୍ତି ସେମାନଙ୍କ ସଂଖ୍ୟା କେତେ ! ସେହିମାନଙ୍କର ରୁଚିକୁ ଆଖି ଆଗରେ ରଖି ଭଲ ଗପଟିଏର ସଂଜ୍ଞା ନିରୂପଣ କରିବା ଅସମ୍ଭବ । ସେମାନେ ଯେଉଁ ତତ୍ତ୍ୱରେ ବିଶ୍ୱାସ କରନ୍ତି ତାହା କେବଳ literary discussion, ଥିସିସ୍ ବା ସେମିନାରମାନଙ୍କରେ ପ୍ରକାଶ ପାଇପାରେ । ଏପରି ପ୍ରଦତ୍ତ ସଂଜ୍ଞାକୁ କେବଳ ସାହିତ୍ୟର ଗାଠନିକତା ଉପରେ ରୁଚି ରଖିଥିବା ବ୍ୟକ୍ତିମାନେ ହିଁ ବୁଝିପାରନ୍ତି । ଏହା ସାହିତ୍ୟର ପ୍ରକୃତ ପାଠକମାନଙ୍କ ପାଇଁ ଉପଯୁକ୍ତ ନୁହେଁ ।

 

ହେଲେ, ଆଜିଯାଏ ସମାଲୋଚକମାନେ ସେହି କଥାକୁ ବାରମ୍ବାର ଦୋହରାଇ ଚାଲିଛନ୍ତି-। ସେମାନଙ୍କ ଆଖି ଆଗରେ ବୃହତ୍ତର ପାଠକଗୋଷ୍ଠୀଟି କେବଳ ଏକ ସବୁକିଛିକୁ ଆଖିବୁଜି ଦେଉଥିବା ଗୋଷ୍ଠୀ । Reader Response ମତବାଦ କିନ୍ତୁ ଏସବୁର ଖୁବ୍ ବିରୋଧ କରେ । ପାଠକଟିଏ ହିଁ ଭଲ ଗପଟିଏର ସଂଜ୍ଞା ତିଆରି କରେ । ତାହା ଅନ୍ୟ ପାଠକଟିର ମତାମତଠାରୁ ଭିନ୍ନ ହୋଇପାରେ । ପାଠକଟିଏ ଗପର ଗାଠନିକତା, ଗତିଶୀଳତା, ଶବ୍ଦଚୟନ ଆଉ ସାମାଜିକ ପ୍ରତିବଦ୍ଧତାକୁ ସ୍ୱୀକାର ବା ଅସ୍ୱୀକାର କରିପାରେ । ସେ ଯାହା ଚାହୁଁଥାଏ, ତାହା ନ ପାଇଲେ ଗପଟି ଭଲ ହେଲା ନାହିଁ ବୋଲି କହିଥାଏ । ଅନ୍ତତଃ ଏ କଥା ଏଠାରେ ଉଲ୍ଲେଖ କରାଯାଇପାରେ କି ପ୍ରତ୍ୟେକଟି ପାଠକ କାହାଣୀ ପଢ଼ିବା ପୂର୍ବରୁ ନିଜ ଭିତରେ କାହାଣୀର ସମୁଦାୟତାକୁ ନେଇ ନିଜ ଭିତରେ ଏକ ପ୍ରାକ୍-ଧାରଣା ସୃଷ୍ଟି କରିଥାଏ । ଏହା ବହୁବିଧ କାର୍ଯ୍ୟ ସମ୍ପାଦନ କରୁଥିବା ଏକ ଇଟା ତିଆରି ଛାଞ୍ଚ ପରି । ସେହି ଛାଞ୍ଚରେ ସେ କାହାଣୀକୁ ଆଉଥରେ ଗଢ଼େ । ଗଢ଼ିସାରିଲା ପରେ କହେ ପଢ଼ିସାରିଥିବା କାହାଣୀଟି ଆପାତତଃ କେଉଁ କେଉଁ ଦିଗରେ ଦୁର୍ବଳ । ପାଠକଟିଏ କାହାଣୀକୁ recreate କରିବା ସମୟରେ ଗାଳ୍ପିକର ଉଦ୍ଦେଶ୍ୟ ଆଉ ବିଚାରବୋଧକୁ ଗ୍ରହଣ କରିବାକୁ ବାଧ୍ୟ ନୁହେଁ । ଏ କଥା ଏଥିପାଇଁ ଯେ ଯେଉଁ ପ୍ରାକ୍ ଧାରଣା ପାଠକଟି ପାଖରେ ଗଚ୍ଛିତ ଥାଏ ତାହା ପଠନକ୍ରିୟା ବେଳେ ସ୍ୱତଃସ୍ଫୂର୍ତଃ ଭାବେ ଏପରି କ୍ରିୟାଶୀଳ ହୁଏ ଯେ ସ୍ୱୟଂ ପାଠକଟି ଏ କଥା ଜାଣିପାରେନା । ଏମିତି କି ସେ ଯେ ଗପଟିକୁ recreate କରିସାରିଲାଣି ସେ କଥା ପାଶୋରି ଦିଏ । ନ ହେଲେ, ପ୍ରତ୍ୟେକ ପାଠକ ଜଣେ ଜଣେ କାହାଣୀକାର ହୋଇଯାନ୍ତେ ! ସେ ତା ନିଜ ଭିତରେ ଗପଟିକୁ ନେଇ ଅସନ୍ତୋଷକୁ ଖୋଜୁ ଖୋଜୁ ନିଜର ମତାମତ ସାବ୍ୟସ୍ତ କରେ ।

 

ଏହା ହିଁ ଗପର ସଂଜ୍ଞା ତିଆରି କରିବା ଦିଗରେ ସବୁଠାରୁ ବଡ଼ ପ୍ରତିବନ୍ଧକ ସୃଷ୍ଟି କରେ । କବିତା ପରି ଏଥିପାଇଁ କାହାଣୀର ଅନେକଗୁଡ଼ିଏ ସଂଜ୍ଞା ନଥାଏ କି ପ୍ରତି ଯୁଗରେ ବଦଳୁ ନଥାଏ । କବିତା ଆଉ ଗପର ବର୍ତ୍ତମାନର ସଂଜ୍ଞା ବି ଭିନ୍ନ, ଯଦିଓ କାହାଣୀ ଭିତ୍ତିକ କବିତା ହିଁ ଆଧୁନିକ କବିତାର ଜନ୍ମଦାତ୍ରୀ । ଏମିତିକି ଆମେ ଟି.ଏସ. ଇଲିଅଟ୍‌ଙ୍କ The Waste Landରେ କିଙ୍ଗ ଫିସର, ହୋଲି ଗ୍ରେଲ୍ ଆଉ ଟାଇରାସସ୍‌ର କାହାଣୀ ପାଇଥାଉ । ମଧ୍ୟବିତ୍ତ ବର୍ଗର ଲୋକଟିଏ କିନ୍ତୁ କବିତା ସମ୍ପର୍କିତ ମତପୋଷଣ କରିବାରେ ସାମାନ୍ୟ ବିଫଳ ହୁଏ । କାରଣ, କବିତା ପଢ଼ୁଥିବା ପାଠକଗୋଷ୍ଠୀ କବିତାର ଅସହଜ ଧାରା, ଗାଠନିକତା, ଗଭୀର ଅନ୍ତର୍ଦୃଷ୍ଟି, ଅନୁରାଗ, ପ୍ରତୀକ, ଗତିଶୀଳତା ଆଦିକୁ ବି ଠିକ୍‌ରେ ବୁଝିପାରନ୍ତି ନାହିଁ । ସମ୍ଭବତଃ କବିତା ପ୍ରତି ପାଠକମାନେ ନିଷ୍ପୃହ ହେବାର ଏହା ଏକ କାରଣ ହୋଇପାରେ । କିନ୍ତୁ ଗପଟିଏ ସବୁବେଳେ ଗପ । ସେ ଇଲିଆଡ୍ କି ଓଡେସି ହେଉ ବା ହେଉ ରାମାୟଣ କି ମହାଭାରତ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏୟା ଯେ, ଏବେ ବି ବହୁ ପୁରାତନ କାହାଣୀକୁ ଆଉଥରେ recreate କରି ଗାଳ୍ପିକଟିଏ ପ୍ରଶଂସା ପାଏ । ଆପାତତଃ ଏହି ଦୃଷ୍ଟିରୁ କବିତା ତୁଳନାରେ କାହାଣୀ ଅଧିକ ସମୟାତୀତ । “ଜଣେ ରାଜା ଥିଲେ, ଜଣେ ରାଣୀ ଥିଲେ”ର ସେହି ଅତି ପୁରାତନ ଶୈଳୀକୁ ଆଜିଯାଏ ଛାଡ଼ି ପାରିଛୁ କି ! ଏସବୁ ଆପଣେଇ ମଧ୍ୟ ଆମକୁ କେହି ପୁରାତନ ବା ପରିହାର୍ଯ୍ୟ ବୋଲି କହିନାହାନ୍ତି ।

 

ପାଠକଟିଏ ଯାହା ମତାମତ ପୋଷଣ କରେ ସେସବୁକୁ ନେଇ କାହାଣୀଟିଏ ତୋଳିବା ସମ୍ପୂର୍ଣ୍ଣ ଅସମ୍ଭବ । ଇଚ୍ଛାର କୌଣସି ସୀମା ନାହିଁ । ଅଥଚ ପାଠକଟିଏ ଇଚ୍ଛାକୁ କାହାଣୀକାରଟିଏ ସମ୍ପୂର୍ଣ୍ଣ ରୂପେ ବାଦ୍ ଦେଇପାରିବ ନାହିଁ । ପାଠକଟିଏର ମତାମତକୁ ଗୁରୁତ୍ୱ ଦେବା ଅର୍ଥ କୌଣସି ସିଦ୍ଧାନ୍ତରେ ଉପନୀତ ନ ହୋଇ ପାରିବା । ଗଳ୍ପର ସଂଜ୍ଞା କୌଣସି ବୈଜ୍ଞାନିକ ନିୟମ ନୁହେଁ । ପାଠକଟିଏ ଅନ୍ୟ ପାଠକଠାରୁ କେବଳ ଯେ ଭିନ୍ନ ହୋଇପାରେ ସେ କଥା ନୁହେଁ, ବିପରୀତ ବି ହୋଇପାରେ । ଏପରି ସ୍ଥଳେ ଜଣେ ଗାଳ୍ପିକର ଚାରା କ’ଣ । ସମସ୍ତଙ୍କୁ ସନ୍ତୁଷ୍ଟ କରିଲା ପରି ଗପଟିଏ ସେ ଲେଖିପାରିବ ନାହିଁ ଅଥଚ ସେ ସେହି ପାଠକମାନଙ୍କ ପାଇଁ ଗପ ଲେଖିବ । ସେହି ପାଠକ ଯିଏ ବସ୍‌ରେ, ଟ୍ରାମ୍‌ରେ, ଟ୍ରେନ୍‌ରେ, ପ୍ଲେନ୍‌ରେ, ସପିଙ୍ଗ କଂପ୍ଲେକ୍ସରେ, ଡ୍ରଇଂରୁମ୍‌ରେ ଥାଇପାରେ; ଯିଏ ନିଜ ଛୋଟ ପକେଟ୍ ଡାଏରୀରେ ଦିନଯାକର କର୍ମନିର୍ଘଣ୍ଟ ପ୍ରସ୍ତୁତ କରି ରଖିଥାଏ ଓ ସେହି ଅନୁସାରେ କାର୍ଯ୍ୟ କରୁଥାଏ; ଯିଏ ବିଛଣାରେ ପଡ଼ିବା କ୍ଷଣି ନିଦେଇଯାଏ, ଯିଏ ମାସର ଅଧିକାଂଶ ଦିନ ବ୍ୟାଙ୍କରେ ଚକ୍‌କର କାଟୁଥାଏ, ଉଚ୍ଚ ପଦାଧିକାରୀଙ୍କ ଗାଳି ଶୁଣୁଥାଏ ବା ଯିଏ ଡାକ୍ତରଖାନା ବାହାରେ ପ୍ରତୀକ୍ଷା କରୁଥାଏ । ଏମିତି ଏକ ବ୍ୟଞ୍ଜନ କ'ଣ ସମ୍ଭବ ଯାହା ସମସ୍ତଙ୍କର ପସନ୍ଦ !

 

କହିବାର ଉଦ୍ଦେଶ୍ୟ ହେଲା, ସେହି ପାଠକଟି ଗପ ଆକାରରେ କ’ଣ ଚାହେଁ । କେଉଁ ପ୍ରକାର କାହାଣୀ ଅନ୍ତତଃ ପକ୍ଷେ ତାକୁ କିଛିସମୟ ବାନ୍ଧି ରଖିବାରେ ସମର୍ଥ ହୋଇଥାଏ ! କବିତାର ସବୁଠାରୁ ବଡ଼ ବାହାନା ହେଲା ଏହା ସଂକ୍ଷିପ୍ତ ଓ ପ୍ରତୀକାତ୍ମକ ହେବାର ସାମର୍ଥ୍ୟ ରଖିଥାଏ । ଅନ୍ତତଃ ପକ୍ଷେ ଏହାକୁ ଚିତ୍ତବିନୋଦନ ସକାଶେ ଗ୍ରହଣ କରିବାରେ ଅସୁବିଧା ଅଛି । ହେଲେ ଗଳ୍ପଟିଏ ବାହାନା ନେଇ ବଞ୍ଚିବାକୁ ଅସମର୍ଥ । କବିତା ଏକ ସ୍ଵଚ୍ଛ ମହୁର ଧାରା । ଯାବତୀୟ ପ୍ରଦୂଷଣକୁ ସାଙ୍ଗରେ ନେଇ ବହିଚାଲିଥିବା ନଈଟିଏ ଗପ । ତା’ର କୂଳଉପକୂଳକୁ ଅନେକେ ଆସନ୍ତି, ଅବଗାହନ କରନ୍ତି, ଶୋଷ ମେଣ୍ଟାନ୍ତି । ସେହି ପ୍ରବହମାନ ଧାରା ଭିତରେ ପାଣି ସହିତ ଥାଏ ମାଟି, ଅପଦାର୍ଥ ଏମିତି କେତେ କ'ଣ ! ସେହି ଉପାଦାନମାନଙ୍କର ମାତ୍ରା ଖୋଜିବା ହିଁ ଜଣେ ଗାଳ୍ପିକର ଗଳ୍ପ କର୍ମ । ମାଟି ରହିବ, ବିଭିନ୍ନ ଅପଦାର୍ଥ ରହିବ, ହେଲେ ଏସବୁ ସତ୍ତ୍ୱେ ସ୍ୱଚ୍ଛ ଦିଶିବ– ଏଇ ଭାଗବଣ୍ଟା ଅହରହ ଗାଳ୍ପିକଟିଏ କରୁଥାଏ । ପାଣି ଅତି ଗୋଳିଆ ଦିଶିଲେ କି ଅଧିକ ସ୍ଵଚ୍ଛ ଦିଶିଲେ ଗାଳ୍ପିକର ଭୁଲ୍ । ପାଠକଟିଏ ଦେହକୁ ସ୍ୱୀକାର କରିପାରେ, ଦର୍ଶନକୁ ନିନ୍ଦା; କେହି ହୁଏତ ମହାବିଲୟର ଭୂୟସୀ ପ୍ରଶଂସା କରିପାରେ । ଦେହ, ବିଦେହ, ସେକ୍ସ, ଦର୍ଶନ, ସାମାଜିକ ପ୍ରତିବଦ୍ଧତା ଆଉ କାହାଣୀହୀନତା, ଏସବୁ ଗଳ୍ପ ପାଇଁ ଅପଦାର୍ଥ । ପ୍ରବହମାନ ପାଣି ଗୋଳିଆ ନ ହେଲା ପରି ଗଳ୍ପଟିଏ ନ ହେଲା ପରି ଗଳ୍ପଟିଏର ଭାଗ୍ୟ କିନ୍ତୁ ନୁହେଁ । ପାଣି ଗୋଳିଆ ହେବା ଦର୍କାର ଓ ପ୍ରବାହିତ ହେବାବି ଦର୍କାର । ଏହି ଦୃଷ୍ଟିରୁ ପ୍ରତ୍ୟେକଟି ଗପ ଗୋଳିଆ ହେବା ନିହାତି ଦର୍କାର । କିନ୍ତୁ ଏହି ଗୋଳିଆ ପାଣି ଭିତରେ ବି ଦେହ କି ବିଦେହ, ଦର୍ଶନ କି ସାମାଜିକ ପ୍ରତିବଦ୍ଧତା ଏସବୁ ନିଜ ନିଜର ମୌଳିକତାକୁ ବଜାୟ ରଖିବା ଉଚିତ୍ । ତେଣୁ, ଗପ ଏକ ସାଦା ଅରୁଆ ଚାଉଳର ଭାତ ଅପେକ୍ଷା ଫ୍ରାଏଡ୍ ରାଇସ୍ ପରି !

 

ସମ୍ଭବତଃ ଉପରୋକ୍ତ ବାକ୍ୟମାନଙ୍କରେ ମୁଁ ଗପଟିଏର ସଂଜ୍ଞା ପ୍ରଦାନ କଲି । ଗପଟିଏ ମିଛକୁ ଆହୁରି ମିଛ ବା ସତକୁ ଆହୁରି ସତ ବୋଲି ପ୍ରକାଶ କରିବାର ଯେଉଁ ସାମର୍ଥ୍ୟ ରଖେ, ସେସବୁକୁ ନେଇ ଅନେକ ପ୍ରଶ୍ନଚିହ୍ନ ଲଗାଯାଇପାରେ । ଗପଟି କେତେଦୂର ଜୀବନ ସମ୍ପର୍କିତ ତାହା କହିବା ଅତ୍ୟନ୍ତ କଷ୍ଟକର । ପ୍ରକୃତ ପକ୍ଷେ କାହାଣୀଟିଏରୁ ପାଠକଟିଏ କିଛି ବି ଶିକ୍ଷା କରୋନ, ବରଂ ଅହରହ ସମାଜରୁ ଶିକ୍ଷା ଗ୍ରହଣ କରୁଥିବା ପାଠକଟ କିଛି ନ ଶିଖିବା ପାଇଁ ହିଁ କାହାଣୀକୁ ପଢ଼େ । ସେହି କାହାଣୀକୁ ଯାହା ତା’କୁ ଭଲଲାଗେ । ଠିକ୍ Willing Suspension of Dis-belief ପରି । ଜୀବନ ସମ୍ପର୍କିତ ପ୍ରତ୍ୟେକଟି ଘଟଣା ଭିତରେ ଏୟା ତ ସେ ପାଏ ଅତି ବେଶୀରେ, ଗୋଟେ କାକରଭିଜା ସ୍ଵପ୍ନ, ପ୍ରେମିକାର ଓଠ, ଲଟେରୀ ଜିଣିଥିବା ମୁହୂର୍ତ୍ତର ଖୁସି, ଅପରେସନ୍ ସକ୍‌ସେସ୍‌ଫୁଲ ହେବାର ବିଶେଷ ଖବର, ଚାକିରି ମିଳିଯିବା କି ଅର୍ଥାଗମ ହେବାର ସୂଚନା ! ହେଲେ, ଏସବୁ ସ୍ଵପ୍ନ ରଙ୍ଗଛଡ଼ା କାନ୍ଥ, ସ୍ଵପ୍ନଭଙ୍ଗର ବାରମ୍ବାର ଦୁର୍ଘଟଣା, ପ୍ରତିଯୋଗିତାରେ ପଛରେ ପଡ଼ିଯିବାର ଆଶଂକା, କବଳିତ ହେଉଥିବା ବୟସର ଦୁର୍ଘଟଣା, ପ୍ରତିଯୋଗିତାରେ ପଛରେ ପଡ଼ିଯିବାର ଆଶଂକା, କବଳିତ ହେଉଥିବା ବୟସର ଅଟ୍ଟହାସ ଭିତରେ କି ସାମର୍ଥ୍ୟ ରଖେ ! ବରଂ କାହାଣୀଟିଏ ଯେତେ ବେଶୀ ଜୀବନ ଅସମ୍ପର୍କିତ ହୋଇପଡ଼େ ସେତେ ବେଶୀ ଭଲ ହୋଇଥାଏ । କାହାଣୀଟି ମିଛକୁ ଆହୁରି ମିଛ ବା ସତକୁ ଆହୁରି ସତ କରେ ନାହିଁ, ବରଂ ଜୀବନଠାରୁ ନିଜର ଦୂରତା ବଢ଼େଇ ବଢ଼େଇ ଚାଲିଥାଏ । ଦୂରତା ଯେତେ ବଢ଼ିଯାଏ ଗପର ପରିଧି ବି ସେତେ ବିଶାଳ ହୋଇଯାଏ । ଜୀବନ କିନ୍ତୁ ଥାଏ କେନ୍ଦ୍ରରେ ଏବଂ କାହାଣୀଟି ଉଚ୍ଚରୁ ଉଚ୍ଚତର ହୋଇ ପ୍ରଦକ୍ଷିଣ କରୁଥାଏ ତାକୁ । ଠିକ୍ ବାଜପକ୍ଷୀର ମାଲିକ ଯେମିତି ସୂତା ଢ଼ିଲା କରିବା ମାତ୍ରେ ବାଜପକ୍ଷୀ ବହୁଦୂର ଯାଏ ଉଡ଼ିଯାଇ ମାଲିକକୁ ପ୍ରଦକ୍ଷିଣ କରେ, ସେମିତି ! ଅନ୍ୟ ଅର୍ଥରେ କହିଲେ ମାଟିରୁ ଆକାଶଯାଏ ଊର୍ଦ୍ଧ୍ୱଗାମୀ ହିଁ ଗଳ୍ପଚେତନା । ଏହା ମାଟିର ହେଲେ ବି ଆକାଶର କଥା କହେ, ଆକାଶର କଥା କହୁ କହୁ ଅଳକ୍ଷ୍ୟରେ ଓହ୍ଲେଇଆସେ ମାଟି ଉପରକୁ ।

 

ଯେଉଁ କାହାଣୀ ପାଠକମାନଙ୍କର ଖୋଜିବା ଭିତରେ ଧରା ପଡ଼ିଯାଏ, ତାହା କାହାଣୀ ପଦବାଚ୍ୟ ହେଲା କିପରି ! ବରଂ କାହାଣୀଟିଏ ନିଜେ ପାଠକକୁ ଖୋଜିପକାଏ । କହେ, ଏହି କାହାଣୀଟି ତୋ’ର । ପାଠକଟି ଯେତେବେଳେ କାହାଣୀ ଭିତରେ ସେହି ‘ମୁଁ’ଟିକୁ ପାଇଯାଏ ଭାବେ କାହାଣୀଟି ଠିକ୍ । ଗୋଟିଏ କାହାଣୀ ଭିତରେ ତେଣୁ ଅସଂଖ୍ୟ ‘ମୁଁ’ର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ । ସମୂହ ‘ମୁଁ ଭିତରୁ ଆତ୍ମପ୍ରକାଶ କରେ ଏକ ସାର୍ବଜନୀନ ‘ମୁଁ', ଯିଏ ‘ତମେ', ‘ଆମେ’, ‘ସେ’ ଓ ‘ସେମାନେ’ ଭିତରେ ନିଜକୁ ଅବସ୍ଥାପିତ କରିବାର ସାମର୍ଥ୍ୟ ରଖିଥାଏ । ‘ମୋତେ ଅମୁକ ଭଲ ଲାଗେ, ସମୁକ ଭଲଲାଗେ’ ‘ସେ’ କି ‘ସେମାନଙ୍କୁ’ରେ ପରିବର୍ତ୍ତିତ ହୋଇଯିବା ହିଁ ଗପର ଗତିଶୀଳତା । ଏହି ଗତିଶୀଳତା ଯେ ଧରାବାହିକ ଭାବରେ ନିଜର ଗତି ବଢ଼େଇ ଚାଲିବ, ଏ କଥାର କୌଣସି ଗ୍ୟାରେଣ୍ଟି ନାହିଁ । ଏହା କେତେବେଳେ ନ୍ୟୁଟ୍ରାଲ୍ ହୋଇପାରେ ତ କେବେ ଆବଶ୍ୟକତାଠାରୁ ବହୁ ଅଧିକ ଗତିଶୀଳ ହୋଇପାରେ । ଏହି ସୂତ୍ର ଯେଉଁ ଗପରେ ନଥାଏ ତାହା ସମୟାନୁକ୍ରମେ ଦୁର୍ବଳ ହୋଇପଡ଼େ, ନିଜର ଗୁରୁତ୍ୱ ହରେଇ ଦିଏ । ଗପ ଏକ ବହୁବଚନୀୟ ଶବ୍ଦ-। ଏଥିରେ ପାଠକ, ଚରିତ୍ର ଓ ସ୍ଵୟଂ ଗାଳ୍ପିକର ଚାରିତ୍ରିକତା ରହିବା କିଛି ଅସମ୍ଭବ କଥା ନୁହେଁ-

 

ଗପଟିଏ ବିଭିନ୍ନ ଖଣ୍ଡରେ ପ୍ରକାଶିତ ହୁଏ, ଯଦିଓ ଜଣାପଡ଼ୁଥାଏ ଯେ ଗପଟି ଅବିଭାଜ୍ୟ । ଯେମିତି ଝରିବାଣ, ସେମିତି । ଭିତରେ ବାରୁଦ ଭରିଥିବା ଝରିବାଣର ସେହି ମାଟି କୁମ୍ପିଟି ବିଭାଜ୍ୟ ବୋଲି ଲାଗେ କି ? ହେଲେ, ଯେତେବେଳେ ଏହା ଅସଂଖ୍ୟ ଆଲୋକରାଶି ବିଚ୍ଛୁରିତ କରାଏ, ସେତେବେଳେ ? ଏକରୁ ଅନେକ ହୋଇପାରିବା ହିଁ ସଫଳ ଗପର ଧର୍ମ । ଯଦି ବିଚ୍ଛୁରଣର ଏହି ପ୍ରକ୍ରିୟାକୁ ଠିକ୍ ବିପରୀତ ଦିଗରୁ ପର୍ଯ୍ୟାଲୋଚନା କରାଯାଏ, ତା’ହେଲେ ଅସଂଖ୍ୟ ଆଲୋକପିଣ୍ଡ ସେହି ମାଟି କୁମ୍ପି ଭିତରେ ସମାହିତ ହୋଇଗଲା ପରି ଲାଗେ ନାହିଁ କି ! ଗପଟିର ମୁଁଟି ପ୍ରବଳ ବେଗରେ ବିଚ୍ଛୁରିତ ହୋଇ ଯେଉଁସବୁ ଛୋଟ ଛୋଟ ‘ମୁଁ’ରେ ଆତ୍ମପ୍ରକାଶ ଲାଭ କରେ ଏବଂ ସେହି ‘ମୁଁ’ଟି ମାନ ‘ତମେ’ କି ‘ସେ’ରେ ରୂପାନ୍ତରିତ ହେବା ହିଁ ଗପର ଆରମ୍ଭ, ମଝି ଆଉ ଶେଷ । ଏହା ଭିତରେ ଚରିତ୍ର କି ଘଟଣାର ବହୁଳତା ନିହିତ ଅଛି ସେସବୁ ଭାବିବାର ଆବଶ୍ୟକତା ବା କ’ଣ ଅଛି-। ଦୀର୍ଘ କି ନାତିଦୀର୍ଘ ହେବା ନେଇ ଗପର ସଫଳତାର ମୂଲ୍ୟାୟନ କରିବା ବି ମୂର୍ଖାମୀ ବୋଲି ମନେହୁଏ । ଏଥିନେଇ ତର୍କବିତର୍କ କି ବାଦ ବିବାଦର ପ୍ରଶ୍ନ ଉଠୁ ନାହିଁ । ବିସ୍ପୋରଣକୁ ଅଧିକ ଶକ୍ତିଶାଳୀ କରିବା ଅର୍ଥ ବିଚ୍ଛୁରଣକୁ ତେଜୀୟାନ କରିବା । ଏଥିପାଇଁ କାହାଣୀକାରଟି ଅବଶ୍ୟ ମୁକ୍ତ-। ଗପ ଭିତରେ ବି ସେ କି କି ପ୍ରକାର ବାରୁଦ ରଖିବ ସେ କଥା ବିଚାର କରିବାର କାର୍ଯ୍ୟ ହେଲା ଗାଳ୍ପିକର । ମନପସନ୍ଦର ବାଣ କ୍ରୟ କରିବା, ବାଣ ବନେଇବା ସବୁ ତାହାରି ଉପରେ ନିର୍ଭର କରେ-

 

ଏଣୁ ଗପଟିଏ କେତେ ପରିମାଣରେ ଦେହ କି ସେକ୍ସର କଥା କହିବ, କହିବ କି ନାହିଁ, କହିଲେ କିପରି କହିବ ଏସବୁ ଜିନିଷକୁ ବଣିଆ ସୁନା ତଉଲିଲା ପରି ଗାଳ୍ପିକଟିକୁ ତଉଲିବାକୁ ପଡ଼େ । ତା’ ଆଖି ଗୋଟେ ନିକିତି । ସେ ନିକିତିର ପଲା ହେଉଛି ତା’ ଶବ୍ଦ । ଗଳ୍ପର ପ୍ରତ୍ୟେକଟି ଖଣ୍ଡକୁ ଯୋଡ଼ିଲା ବେଳେ ସେ ଏହି ଶବ୍ଦ ସାହାଯ୍ୟରେ ତଉଲେ । ପ୍ରତ୍ୟେକଟି ଗଳ୍ପ ଖଣ୍ଡର ଯେଉଁ ନିଜସ୍ୱ ସ୍ୱାତନ୍ତ୍ର୍ୟ ଥାଏ ସେସବୁକୁ ନେଇ ଏକ ଗରିଷ୍ଠ ସାଧାରଣ ଗୁଣିତକର ନିର୍ବାଚନ କରେ ପାଠକ-। ଏହି ଗଣିତରେ ପ୍ରତ୍ୟେକଟି ପାଠକ ସମାନ କାରଣ ଏହା ଏକ ସୂତ୍ର ଓ ଏହା ମାନିବାକୁ ସେ ବାଧ୍ୟ । ଅବଶ୍ୟ ପାଠକଟିଏର ଅନୁଭବ ସମ୍ପର୍କିତ ଯୋଗ୍ୟତାକୁ ବି ସମ୍ପୂର୍ଣ୍ଣ ରୂପେ ଗୌଣ ବୋଲି କୁହାଯାଇ ନ ପାରେ । ଯେହେତୁ ଅନୁଭବକୁ ଶିଖିବାକୁ ପଡ଼ିନଥାଏ ଓ ତାହା କଦାପି ଜଟିଳ literary theory ଉପରେ ନିର୍ଭର କରେ ନାହିଁ, ପାଠକଟି ଯେ ପ୍ରଥମରୁ ଏହି ଗୁଣରେ ଅଧିଷ୍ଠିତ ଏହାକୁ ଧରିନିଆଯାଏ । ଗାଳ୍ପିକଟିଏ ଗପ ଭିତରେ ଅନୁଭବ ପାଇଁ ଖୁରାକ ଯୋଗାଇଥାଏ, କେବେ ସୁଖର ତ କେବେ ଦୁଃଖର । କେବେ ପାଠକର ହାଲ୍‌କାପଣକୁ ନେଇ ସେ ବ୍ୟଙ୍ଗ ବି ସୃଷ୍ଟି କରେ ତ ଆଉ କେବେ ସେ ବକ୍ତବ୍ୟରେ କିଛି ବି କହି ନଥାଏ । ଗାଳ୍ପିକଟିକୁ ଏଥିପାଇଁ ଏକାସାଙ୍ଗରେ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼େ । ଯେକୌଣସି ଏକକ ଭୂମିକାରେ ସେ ବହୁ ସମୟ ରହିବା ତା’ର ଗଳ୍ପକଳା ପ୍ରତି ବିପଦଜନକ । ତେଣୁ ବିଭାଗ ବଣ୍ଟନ କଲାବେଳେ ନା ସେ ସମାଜ ସଂସ୍କାରକ, ନା ଐତିହାସିକ, ନା କୌଣସି ଦାର୍ଶନିକ । ସେ କେବଳ ଗାଳ୍ପିକଟିଏ ।

 

ଗାଳ୍ପିକଟିଏ କେବଳ ଗାଳ୍ପିକ ହୋଇପାରିଲେ ଗଳ୍ପ ସୃଷ୍ଟିର ସମ୍ଭାବନା ବୃଦ୍ଧି ପାଏ । କୌଣସି ଗୋଟିଏ ଭାବାବେଗରେ, ଅନୁଭୂତି ଭିତରେ, ମାନସିକ ଦ୍ୱନ୍ଦ୍ୱ କି ଶଙ୍କା ନେଇ ଭାସିଗଲା ବେଳେ ଗାଳ୍ପିକଟିଏ ଗଳ୍ପର ଭୃଣ ସଞ୍ଚାର କରେ । ଏହି ଭୃଣଟି ସବଳ କି ଦୁର୍ବଳ ହେବା ନିର୍ଭର କରେ ଗାଳ୍ପିକଟି କେଉଁ କେଉଁ ପରିବେଶରେ ଗତି କରିଛି । କେଉଁ ଶବ୍ଦ ଓ ବିଚାରବୋଧକୁ ଭୁଞ୍ଜନ କରେ । ତେବେ ଭୃଣଟି ବଢ଼ିଚାଲିବାରେ ଗାଳ୍ପିକର ହାତ ନଥାଏ । ସେ କେବଳ ବାହ୍ୟ ପରିବେଷ୍ଟନୀ ଭିତରୁ, ଘଟଣା ପ୍ରବାହ ଭିତରୁ ଶକ୍ତିବର୍ଦ୍ଧକ, ଭାବ ଉବ୍ଦୀପକ, ଚିନ୍ତାବର୍ଦ୍ଧକ, ଆମୋଦପ୍ରିୟ ଖାଦ୍ୟସାର ଗୋଟାଏ । ସେ ସେହି ଗପର ପୁଷ୍ଟି ନେଇ ଚିନ୍ତା କରିପାରେ ସତ, ହେଲେ, ସେ ଯଦି କୌଣସି ଘଟଣାରେ ଖୁସି, ତେବେ ଭୃଣ କାହିଁକି ନୁହେଁ, ଏ କଥା ପଚାରିପାରେ ନାହିଁ । ଗପଟି ନିଜର ମାନସିକତା ନିଜେ ଗଢ଼େ । ନିଜ ରୁଚିର ଶବ୍ଦ ଗ୍ରହଣ କରି ବଳକାତକ ଫିଙ୍ଗିଦିଏ । ଜନ୍ମ ହେବାର ସେହି ମୁହୂର୍ତ୍ତରେ ଗାଳ୍ପିକଟିଏ ଯେଉଁ ଯନ୍ତ୍ରଣା ପାଏ, ତାହା ବି ଗପଟିଏ ପାଏ । ଜନ୍ମ ନେବା କ୍ଷଣି ଦୁଃଖର କଥା ଏୟା ଯେ, ଗପଟି ଆଉ ଗାଳ୍ପିକର ହୋଇ ରହେନା । ସେ ପାଲଟିଯାଏ ପାଠକର । ତାହା ସୁନ୍ଦର ହେଲା କି ନାହିଁ, ଯଦି ଅସୁନ୍ଦର ହେଲା କାହିଁକି ହେଲା, ଏ ସବୁ ପ୍ରଶ୍ନର ଉତ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ଗାଳ୍ପିକଙ୍କୁ ଜଣାପଡ଼ିଲେ ବି ଖୁବ୍ ଅଳ୍ପ ସମୟରେ ପାଠକଟିଏ ତାହାର ଅନ୍ୱୟ କରିପକାଏ ଓ ସଫଳ କି ଅସଫଳ ସୃଷ୍ଟି, ଏହା ବିଷୟରେ ମନ୍ତବ୍ୟ ଦିଏ ।

 

ଗାଳ୍ପିକ ସବୁ ଦୃଷ୍ଟିରୁ ଅସମ୍ଭବ ସୃଷ୍ଟିଟିଏ ବନେଇବାର ପ୍ରଚେଷ୍ଟା କରୁଥିଲେ ବି ନୂତନ କାହାଣୀର ସୂତ୍ର ପାଏନା । ସେ ଯାହା ଭାବିଥାଏ, ତାହା କେଉଁଠି ନା କେଉଁଠି, ଅନେକ ବାଗରେ ଆଗରୁ ଲେଖା ସରିଥାଏ । ସେ ଐତିହାସିକ ପୃଷ୍ଠଭୂମି ହେଉ କି କିମ୍ବଦନ୍ତୀ ଭିତ୍ତିକ ପୃଷ୍ଠଭୂମି ହେଉ, ଗାଳ୍ପିକର ଚିନ୍ତା ଏସବୁର ଊର୍ଦ୍ଧ୍ୱକୁ ଯାଇ ନୂତନ ଘଟଣାବଳୀ କି କାହାଣୀ ତିଆରି କରିପାରେ ନାହିଁ । ସେ ଏ କଥା ଜାଣିଥାଏ ଯେ, ଜୀବନ ବିଷୟରେ ତା’ର ଜ୍ଞାନ ଅର୍ଦ୍ଧ-ସତ୍ୟ ଉପରେ ନିର୍ଭରଶୀଳ । ଜନ୍ମ ହିଁ ଏକ ଅର୍ଦ୍ଧସତ୍ୟ, କାରଣ ଗର୍ଭାବସ୍ଥାରେ ଶିଶୁଟି ବିଷୟରେ ସେ କ’ଣ ବା ଜାଣିଥାଏ । ସେହିପରି ମୃତ୍ୟୁ ବିଷୟରେ ସେ ସମ୍ପୂର୍ଣ୍ଣ ଅଜ୍ଞ ! ଗୋଟିଏ ଦିଗରେ ଅର୍ଦ୍ଧସତ୍ୟ ଓ ଆଉ ଗୋଟିଏ ଦିଗରେ ଅଜ୍ଞତା । ଏହାରି ଭିତରେ ଗାଳ୍ପିକଟି ଯାହାକୁ ଜୀବନ ବୋଲି କହେ ତାହା ବିଷୟରେ ତାର ସମସ୍ତ ସମର୍ଥ ନୂତନତା ବି ବହୁ ଆଗରୁ ତଥ୍ୟ ଆକାରରେ ପରିବେଷିତ । କେବଳ ତଥ୍ୟକୁ ନେଇ ଗାଳ୍ପିକଟିଏ ଯେହେତୁ ଗଳ୍ପ ରଚନା କରିପାରେ ନାହିଁ, ସେ ଆବଶ୍ୟକ କରେ ଏମିତି ଏକ ଘୋଡ଼ଣୀ ଯାହା ସେହି ପୁରାତନ ତଥ୍ୟକୁ ଲୁଚାଇ ପକାଇ ଏକ ନୂତନତ୍ୱର ଇଲ୍ୟୁଜନ୍ ସୃଷ୍ଟି କରେ । ଏହି ଇଲ୍ୟୁଜନ ପାଇଁ ସେ ଆବଶ୍ୟକ କରେ, କଳ୍ପନା । ଗାଳ୍ପିକଟି ଏତିକି ଜାଣିଥାଏ ଯେ, କଳ୍ପନାରେ ନୂତନତା ଅଣାଯାଇପାରେ । କଳ୍ପନା ଭିତରେ କାହାଣୀର ପରିଚିତ ତଥ୍ୟଟିକୁ ନିଜକୁ ଗୋପନ ରଖିଦିଏ ।

 

କଳ୍ପନାକୁ ନୂତନତା ଦେବାର ଅର୍ଥ ତା’ହେଲେ କ’ଣ ! କଳ୍ପନାକୁ ଯଥାସମ୍ଭବ କିମ୍ଭୂତକିମାକାର କରିବା ନା ଆଉ କିଛି ନୂତନ ପ୍ରଣାଳୀ ଆପଣେଇବା । କଳ୍ପନାକୁ ଅତି ଅଦ୍ଭୁତ କରିଦେଲେ ଗାଳ୍ପିକଟି ଗଳ୍ପର ଗୁରୁତ୍ୱକୁ ହରେଇ ଦିଏ । ଆଗରୁ କୁହାଯାଇଛି ଯେ, ସେ ବାଜପକ୍ଷୀ । ଆକାଶର ହେଲେ ବି କେନ୍ଦ୍ର ମାଟିର । ସେ କଦାପି କେନ୍ଦ୍ରକୁ ଭୁଲିପାରିବ ନାହିଁ । ଜଣେ ଗାଳ୍ପିକର କାମ ହେଲା ପ୍ରତ୍ୟେକ ସହଜ ଘଟଣାମାନଙ୍କୁ ଅତିଶୟ କଷ୍ଟସାଧ୍ୟ ବନେଇବା ବା ପ୍ରତ୍ୟେକ କଷ୍ଟସାଧ୍ୟ ଘଟଣାବଳୀକୁ ସହଜସାଧ୍ୟ ବନେଇବା, ଯାହାଦ୍ଵାରା ଅବୋଧଗମ୍ୟ ଲାଗୁଥିବା ଜଟିଳତା ସରଳ ହୋଇ ଏକ ନୂତନ ଅର୍ଥ ଲାଭ କରେ ଅବା ଗୁରୁତ୍ୱହୀନ ସହଜ ଘଟଣାଟି ଖୁବ୍ ଜଟିଳ ହୋଇ ଅର୍ଥପୂର୍ଣ୍ଣ ହୋଇ ଉଠେ । କେବଳ ଗଳ୍ପ ସାହିତ୍ୟରେ ନୁହେଁ, ସାହିତ୍ୟର ଅନ୍ୟ ବିଭାଗମାନଙ୍କରେ ବି ସାହିତ୍ୟିକମାନେ ଏହି ସୂତ୍ରକୁ ମାନିନେଇଥାନ୍ତି । କଳ୍ପନାର ସୀମା ବିସ୍ତୃତ ହେବା ସହିତ କେନ୍ଦ୍ର ସଂଲଗ୍ନ ହୋଇରହିବା ଅନ୍ୟ ପ୍ରକାରେ ଭାବୁଥାଏ । ସେହି ମନଟି ପୂର୍ଣ୍ଣାଙ୍ଗ ନୁହେଁ ବରଂ ଖଣ୍ଡ ଖଣ୍ଡ । ବିଭିନ୍ନ ଫୁଲରେ ଗୁନ୍ଥା ଯାଇଥିବା ଏକ ମାଳା ପରି ଯାହା ଏକ ପୂର୍ଣ୍ଣାଙ୍ଗ ମାଳର ଭ୍ରମ ସୃଷ୍ଟି କଲେ ବି ପ୍ରକୃତରେ ତାହା ବିଭିନ୍ନ କିସମର ଫୁଲର ଏକତ୍ର ଗୁମ୍ଫନ ମାତ୍ର ! କଳ୍ପନା ମନର ଏହି ବିବିଧତାକୁ ନେଇ କେତେଦୂର ଉଡ଼ିପାରେ ତାହା ଦେଖିବାର କାର୍ଯ୍ୟ ହେଉଛି ଗାଳ୍ପିକର ।

 

ଯେତେ ପର୍ଯ୍ୟନ୍ତ ଗାଳ୍ପିକଟି ଚରିତ୍ରମାନଙ୍କୁ ବାସ୍ତବ ବୋଲି ମନେ ନ କରିଛି, ବା ବିଶ୍ୱାସ କରି ନାହିଁ ଯେ ସେମାନେ ବି ଧୀରେ ଧୀରେ ନିଜର ଅସ୍ତିତ୍ୱକୁ ସାବ୍ୟସ୍ତ କରନ୍ତି; ସେତେଯାଏ ସେ ଭଲ ଗପ ସୃଷ୍ଟି କରିପାରେ ନାହିଁ । ଚରିତ୍ର ସହିତ ଏକାତ୍ମ ହେବା ସାଙ୍ଗରେ ଆହୁରି ଜରୁରୀ ହେଲା ଗାଳ୍ପିକଟି ନିଜର ସ୍ଥିତିକୁ ବଜାୟ ରଖିବା । ଗାଳ୍ପିକଟିଏ ଏହି ଦୃଷ୍ଟିରୁ ଘର ଛପର ଉପରେ ବସୁଥିବା ବଣି ଚଢ଼େଇଟିଏ । ସେ ଅନେକ ଦୃଶ୍ୟ ଦେଖେ, ସେସବୁକୁ ସେଇଠି ଛାଡ଼ି ସେ ଉଡ଼ିଯାଏ । ଚରିତ୍ର ସହିତ ଏକାକାର ହେଲାବେଳେ ନିଜର ନିରପେକ୍ଷ ବ୍ୟକ୍ତିତ୍ୱକୁ ଅକ୍ଷତ ରଖି ନ ପାରିଲେ ଗାଳ୍ପିକଟି ଭୁଲ୍ କରେ । ଗପଟି ନିରପେକ୍ଷ ହେଉ କି ସାପେକ୍ଷ ହେଉ ତାହା ଅଲଗା କଥା । ନିଜେ ଗାଳ୍ପିକ କିନ୍ତୁ ଚରିତ୍ର ବିଷୟରେ ସମୁଦାୟ ଧାରଣା ସୃଷ୍ଟି କରିବାରେ ବିଫଳ ହୁଏ । ଏଠି ଏକାତ୍ମ ବା ଏକାକାର ହେବାର ଅର୍ଥ ଗାଳ୍ପିକଟି ସେହି ଅବସ୍ଥାକୁ ପ୍ରାପ୍ତ ହେବାର କଥା କୁହାଯାଉ ନାହିଁ । ଏପରି ମତାମତ ପ୍ରାୟ ପ୍ରାଗ୍‌ଐତିହାସିକ ହୋଇସାରିଲାଣି । ଏକ ଉଦାହରଣ ନିଆଯାଉ । ଧରନିଆଯାଉ ଯେ ଗାଳ୍ପିକ ଜଣେ କୁଷ୍ଠରୋଗୀର ଚରିତ୍ର ଚିତ୍ରଣ କରିବାକୁ ଯାଉଛି । ସେ କ୍ଷେତ୍ରରେ ଆତ୍ମକାହାଣୀ ଲେଖିଲା ପରି ତାକୁ, ‘ମୁଁ ଗୋଟିଏ କୁଷ୍ଠରୋଗୀ’ ଇତ୍ୟାଦି ଲେଖିବାର କି ଭାବିବାର ନାହିଁ । ବରଂ ସେ ନିଜର ପ୍ରତିବିମ୍ୱ ଓ କୁଷ୍ଠରୋଗୀର ପ୍ରତିବିମ୍ୱକୁ ଅଲଗା ଅଲଗା ତୋଳିନେଇ ତା’ ଆଗରେ ରଖେ । ତୁଳନାତ୍ମକ ବିଶ୍ଳେଷଣ କରେ, ‘ଓଃ’ କି ‘ଆହା’, ‘ହସ’ କି ‘କାନ୍ଦ’ର ଗଭୀରତା ମାପେ । ନିଜ ଭିତରେ କୁଷ୍ଠରୋଗୀକୁ ତୋଳି ଧରିବା କି କୁଷ୍ଠରୋଗୀ ଭିତରେ ନିଜକୁ ତୋଳି ଧରିବା ଏକ ଅସମ୍ଭବ କଳ୍ପନା । ଏହା ହେଉଥିଲେ ଜଣେ ଗାଳ୍ପିକ ବଦଳରେ ସେ କେବଳ ଜଣେ ସିଦ୍ଧ ପୁରୁଷ ହୋଇପାରୁଥାନ୍ତା, ଗାଳ୍ପିକ କଦାପି ନୁହେଁ ।

 

ତେଣୁ, ଆତ୍ମଜୀବନୀ ମୂଳକ ଲେଖା ଆଉ ସାଧାରଣ ଲେଖା ଭିତରେ ଏକ ସୁଦୃଶ୍ୟ ପାର୍ଥକ୍ୟ ଖୋଜିବା ନିରର୍ଥକ । କୌଣସି କାହାଣୀ ଆତ୍ମଜୀବନୀ ମୂଳକ ହୋଇଥିଲେ ବି ତାହା ଏଥିପାଇଁ ଶତକଡ଼ା ଶହେ ଆତ୍ମଜୀବନୀମୂଳକ ନୁହେଁ, କାରଣ ଗାଳ୍ପିକଟି କେବଳ ଏକ ତୁଳନାତ୍ମକ ବିଶ୍ଳେଷଣ କରିଥାଏ ସେଥିରେ । ସେହି ଦୃଷ୍ଟିରୁ ପ୍ରତ୍ୟେକଟି ତୃତୀୟ ପୁରୁଷରେ ଲେଖା ହୋଇଥିବା କାହାଣୀକୁ ବି ଆତ୍ମଜୀବନୀମୂଳକ କୁହାଯାଇପାରେ । ଯଦି ସତରେ ଲେଖାଟି ଆତ୍ମଜୀବନୀ ମୂଳକ ପ୍ରତୀତ ହେଉଥାଏ ତା’ହେଲେ ଏହା ଏକ ଆତ୍ମଜୀବନୀ, କାହାଣୀ ନୁହେଁ । ବର୍ତ୍ତମାନ ପରିପ୍ରେକ୍ଷୀରେ ଲେଖାଟିର ଏହି ଦିଗକୁ ନେଇ ତର୍କ ଓ ବିତର୍କ ଅନେକ । ଯଦିଓ ଜଣେ ପାଠକ ପାଖରେ ସ୍ୱାତନ୍ତ୍ର୍ୟ ଅନେକ, ତଥାପି ସେ ଗପ ଭିତରେ ଗାଳ୍ପିକକୁ ନ ଖୋଜି ଚରିତ୍ରକୁ ଓ ଅନେକ ପରିମାଣରେ ନିଜକୁ ଖୋଜିବା ଦର୍କାର । ସେପରି ହେଲେ ପଠନ କ୍ରିୟା ଅଧିକ ରୁଚିଶୀଳ ହୋଇପାରେ । ଏ କଥା ଅବଶ୍ୟ ସତ ଯେ, ଗାଳ୍ପିକଟିଏ ପାଠକଟିଏକୁ ବାନ୍ଧି ରଖିବାର ସାମର୍ଥ୍ୟ ରଖିବା ଉଚିତ । ଯେମିତିକି କାହାଣୀର ଗତିଶୀଳତା ଭିତରେ ପାଠକଟିକୁ ସମୟ ନଥାଏ ଭାବିବାକୁ ଗାଳ୍ପିକର ବ୍ୟକ୍ତିଗତ ଜୀବନ ସମ୍ୱନ୍ଧରେ । ଭଲ ଗପଟିଏର ଏହା ହେଉଛି ପ୍ରଧାନ ଲକ୍ଷଣ-

 

ଗଳ୍ପର ଚରିତ୍ରଟି କିଏ ହେବା ଦର୍କାର ? ବହୁ ଗଳ୍ପ ବିଶାରଦ ମତ ଦିଅନ୍ତି ଯେ, ଚରିତ୍ର ସମାଜରୁ ଗୋଟେଇବା ଆବଶ୍ୟକ । ସେୟା ହୋଇଗଲେ ରାମାୟଣ କି ମହାଭାରତ କାଳଜୟୀ ହୋଇପାରି ନଥାନ୍ତା । ଆମ ସମାଜରେ ବସବାସ କରୁଥିବା ଚରିତ୍ରମାନେ ଗୋଟେ ଗୋଟେ ଘଷରା ପଇସା ପରି । କଳ୍ପନାର ନୂତନତ୍ୱ ଭିତରେ ଏମାନଙ୍କୁ ଅଧିକାଂଶ ସମୟରେ ବାନ୍ଧିବାକୁ ଗାଳ୍ପିକଟିଏ ଅସମର୍ଥ ହୋଇଉଠେ । ତେଣୁ ସେ ବହୁ ଆଗକୁ କି ବହୁ ପଛକୁ ଦୃକ୍‌ପାତ କରେ ଅବା ବର୍ତ୍ତମାନ ଭିତରେ ଏମିତି ଏକ ଚରିତ୍ରର ସନ୍ଧାନ କରେ ଯିଏ ଆଦୌ ପରିଚିତ ନୁହେଁ ବା ଅଳ୍ପ ପରିଚିତ । ତା’ ନିଜସ୍ୱ ବର୍ତ୍ତମାନର ଛାଞ୍ଚରେ ସେମାନଙ୍କୁ ପକାଇ ସେ ଗପଟିଏ ଗଢ଼ି ତୋଳେ । ଯୁଦ୍ଧରେ ପ୍ରାଣବଳି ଦେଉଥିବା ସୈନିକର ମୃତ୍ୟୁ ସମୟର ପ୍ରତ୍ୟେକଟି ପର୍ଯ୍ୟାୟ ଲୋମହର୍ଷଣକାରୀ ହେଲେ ବି ଅନ୍ୟ ଅନେକ ଦୃଷ୍ଟିକୋଣରୁ ଏତେ ନୀରସ ଯେ ତାକୁ ନେଇ ସିଧାସଳଖ ଗପଟିଏ ସୃଷ୍ଟି କଲେ ତାହା ହତ୍ୟାକାଣ୍ଡର ବିବରଣୀ ହୋଇପାରେ, ଗଳ୍ପ ହୋଇପାରେନା । ସେଥିପାଇଁ ଗାଳ୍ପିକଟି ସୈନିକର ଅଦୃଷ୍ଟ ମାନସିକ ପର୍ଯ୍ୟାୟ ସବୁଙ୍କୁ ଖୋଳି ତାଡ଼ି ତା’ର ଭାବପ୍ରବଣତା, ପ୍ରେମ ଅବା ଦେଶପ୍ରେମର କାରଣ ସବୁ ବାହାର କରେ । ଏସବୁର ଆଧିକ୍ୟ ଭିତରେ ମୃତ୍ୟୁ ପରର କରୁଣତା ପ୍ରକାଶ ପାଏ ପାଠକ ମନରେ । ଅଧିକନ୍ତୁ ଜୀବନରେ ଯାହା ଘଟେ ଗଳ୍ପ ସେସବୁର ନିଚ୍ଛକ ପରିପ୍ରକାଶ କରେ ନାହିଁ, ବରଂ ଜୀବନଠୁଁ ଦୂରେଇ ଯାଏ । ଏହି ଦୂରେଇଯିବା ହିଁ ନୂତନତା, ଜୀବନକୁ ଜୀବନ ପରି ଚିତ୍ରିତ ନ କଲେ ଗଳ୍ପ ଉତ୍କର୍ଷ ପାଏ ।

 

ଯେଉଁମାନେ ଚରିତ୍ରଟିର ମାନଚିତ୍ର ଆଙ୍କନ୍ତି ସେମାନେ ବୁଝିବା ଦର୍କାର ଯେ, ସାମାଜିକ ବ୍ୟବସ୍ଥା ଆଉ ଅବସ୍ଥା ସହିତ ପାଠକର ମାନସିକ ସ୍ତରରେ ଅମେଳ ରହିଲେ ହଁ ପାଠକଟିଏ ସାହିତ୍ୟ ଖୋଜେ । ଅନ୍ତତଃ ପକ୍ଷେ ଗାଳ୍ପିକଟି ସମାଜଠାରୁ ଯଥେଷ୍ଟ ଦୂରେଇଯାଇ ଅନ୍ୟ ଏକ କଳ୍ପନାର ସମାଜ ତିଆରି କରେ, ଯାହା ବାସ୍ତବିକ୍ ମୂଳ ଦୁନିଆର ମିନିଏଚର୍ ଆଦୌ ହୋଇ ନଥାଏ-। ଏହି ଇଲ୍ୟୁଜନ ଅଫ୍ ସୋସାଇଟିରେ ଇଲ୍ୟୁଜିନାରୀ ଚରିତ୍ରମାନଙ୍କୁ ନେଇପାରିଲେ ହିଁ ଗାଳ୍ପିକ ସଫଳ ହୁଏ । ତେଣୁ ତା’ର କିଛି ‘ବାଦ’ ସୃଷ୍ଟି କରିବାର ଆବଶ୍ୟକତା ନାହିଁ, ବରଂ ‘ବାଦ’ମାନଙ୍କୁ ଭାଙ୍ଗି ‘ଇଜମ୍‌ଲେସ୍‌ନେସ୍’ ଭିତରେ ତିଷ୍ଠିବାର ଅଛି । ଏଣୁ ଚରିତ୍ର କିପରି ହେବ, କେତୋଟି ହେବ, ଏହା ଗାଳ୍ପିକର ସେହି ‘ଇଜମ୍’ ଭଗ୍ନ କରି ଇଲ୍ୟୁଜନ୍ ତିଆରି କରିବାର ସାମର୍ଥ୍ୟ ଉପରେ ନିର୍ଭର କରେ । ଗପରେ ଏହି ଦୃଷ୍ଟିରୁ କେତୋଟି ଚରିତ୍ର ରହିପାରିବେ, ସେମାନେ ଫ୍ଲାଟ୍ ହେବେ କି ରାଉଣ୍ଡ ହେବେ ଏହା ସେ ବିଚାର କରିବ । ଭଲ ଗପ ବିଷୟରେ ସଂଜ୍ଞା ଦେଲାବେଳେ ଆମକୁ ଅନ୍ତତଃ ଚରିତ୍ରର ସଂଖ୍ୟା ନେଇ କଳ୍ପନା ଜଳ୍ପନାକୁ ବାଦ୍ ଦେବାକୁ ହେବ । ଗଳ୍ପରେ ପ୍ରତିଟି ଚରିତ୍ର ପ୍ରତି ଏକ ନିର୍ଭରଯୋଗ୍ୟ ପୃଷ୍ଠଭୂମି ପ୍ରଦାନ କରିବା ଏକାନ୍ତ ଜରୁରୀ । ସେଥିପାଇଁ ଗପଟି ଦୀର୍ଘ ହେଲେ ବି ତାହା ଧର୍ତ୍ତବ୍ୟ ନୁହେଁ । ଦ୍ଵିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ପାଶ୍ଚାତ୍ୟ ସାହିତ୍ୟରେ ଲେଖାଯାଇଥିବା ଅନେକ କାହାଣୀରେ ଗୋଟିଏ ଅବିଗୁଣ ବାରି ହୋଇପଡ଼େ । ତାହା ହେଉଛି ସଂଖ୍ୟା ଦୃଷ୍ଟିରୁ ଚରିତ୍ରମାନଙ୍କୁ ସଙ୍କୁଚିତ କରିବାକୁ ଯାଇ ଅନେକ ସମ୍ଭାବ୍ୟ ଘଟଣାବଳୀକୁ ଜାଣିଶୁଣି ବାଦ୍ ଦେବା ବା ମୁଖ୍ୟ ଘଟଣାଟିକୁ ସଙ୍କୁଚିତ କରିବା । ଅନେକାଂଶରେ ଏହି ସମୟର ଅନେକ କାହାଣୀ ଭଙ୍ଗା ଦୁର୍ଗା ପରି, ଭଗ୍ନ ନ ହେଲେ ଅଧାଗଢ଼ା ।

 

କାହାଣୀଟିଏ କେଉଁ ସମୟକୁ ନେଇ ଲେଖାଯାଏ, ଏ ବିଷୟରେ ଅନେକେ ଅନେକ ମତ ପୋଷଣ କରନ୍ତି । କାହାରି କାହାରି ମତରେ ଅତୀତର ଗୋଟାଏ ଘଟଣା ଓ ତତ୍ ସଂଲଗ୍ନ ସମୟକୁ ନେଇ କାହାଣୀର ସୀମା । ଆଉ କେତେକ ବର୍ଷ ବର୍ଷର କାହାଣୀ, ଗୋଟିଏ ଦିନର କାହାଣୀକୁ ନେଇ ବି କାହାଣୀ ଲେଖନ୍ତି । କେତେଜଣ ଏ କଥା ଦାବୀ କରନ୍ତି ଯେ, ସେମାନେ ଗୋଟିଏ ମୁହୂର୍ତ୍ତକୁ ନେଇ କାହାଣୀ ଗଢ଼ିପାରିବେ । ଗପର ସମୟ ନିର୍ଘଣ୍ଟ କରିବା କଷ୍ଟକର । ଯେଉଁ ମୁହୂର୍ତ୍ତଟିକୁ ନେଇ ଗପ ଲେଖାଯାଏ, ତାହା କ’ଣ ସେହି ମୁହୂର୍ତ୍ତର କାହାଣୀ ! ସେହି ମୁହୂର୍ତ୍ତର ଚେର କ’ଣ ନଥାଏ ଅତୀତର କେଉଁ ଏକ ଅଜଣା ମୁହୂର୍ତ୍ତରେ, ସେହି ମୁହୂର୍ତ୍ତର ଶାଖାପ୍ରଶାଖା କ’ଣ ମେଲି ନଥାଏ ଭବିଷ୍ୟତ ଭିତରେ ! ସଠିକ୍ ମୁହୂର୍ତ୍ତଟିଏ ନିର୍ଣ୍ଣୟ କରିବା କଷ୍ଟକର । ଯାହା ଅତୀତରେ ଘଟୁଥାଏ ତାହା ବର୍ତ୍ତମାନର, ଅବା ଯାହା ବର୍ତ୍ତମାନର ସଂଘଟିତ ହେଉଥାଏ ତାହା ଭବିଷ୍ୟତର । ଠିକ୍ ପ୍ରେଜେଣ୍ଟ ପ୍ରୋଗ୍ରେସିଭ୍ କାଳ ଫ୍ୟୁଚର ରେଫେରେନ୍ସରେ ବ୍ୟବହୃତ ହେଲା ପରି । ସମୟର ଯେକୌଣସିଟି ଅବଧି ଅତୀତ ଓ ଭବିଷ୍ୟତର ହେବା ନିଶ୍ଚିତ । ସମୟ ଏକାକୀ ସାବ୍ୟସ୍ତ ହେବାର ସାମର୍ଥ୍ୟ ରଖେନା । ତେବେ ସମୟ ଭିତରେ ସମୟାତୀତ ହୋଇପାରିଲେ କାହାଣୀଟି ସଫଳ ହୁଏ-। ଯେମିତିକି ପ୍ରତିଟି ଘଟଣା ଥାର୍ଟି ଥ୍ରୀ ପରସେଣ୍ଟ ଲେଖାଏଁ ଅତୀତରେ, ବର୍ତ୍ତମାନର ଓ ଭବିଷ୍ୟତର । ଚରିତ୍ରକୁ ସେହି ସମୟ ସହିତ ପ୍ରକାଶିତ କରିବା ପାଇଁ ଗାଳ୍ପିକଟି ଚେଷ୍ଟା କରିବା ଉଚିତ୍ । ସ୍ଥାନ ହୁଏତ ଭିନ୍ନ ଭିନ୍ନ ହୋଇପାରେ । ସ୍ଥାନ, କାଳ ଆଉ ପାତ୍ରକୁ ଏକ ସରଳରେଖାରେ ରଖିବା ଅପେକ୍ଷା କାଳ ଆଉ ପାତ୍ର ଭିତରେ ଉପଯୁକ୍ତ ସମ୍ପର୍କ ସ୍ଥାପନ କରିବାକୁ ଗାଳ୍ପିକଟି ଅଧିକ ଚେଷ୍ଟିତ ହେବା କଥା ।

 

ତେବେ ମାର୍କିନ ଗାଳ୍ପିକ ଜେରାମ୍‌ଙ୍କ ଗଳ୍ପ My Father Sits in the Darkରେ କ୍ଷୁଦ୍ର ଗଳ୍ପର ଯେଉଁ ସଂଜ୍ଞାଟି ମୋତେ ଅଧିକ ଆକୃଷ୍ଟ କରେ ତାହା ହେଲା ଗାଳ୍ପିକଟି Nothing special ଆଉ Nothing seriousଙ୍କୁ ନେଇ ଗଳ୍ପ ଲେଖେ । ଏ କଥା ପ୍ରଥମରୁ କୁହାଯାଇଛି ଯେ, ଜଣେ ଗାଳ୍ପିକ ପାଖରେ ଯେଉଁ ଘଟଣା ବା ତଥ୍ୟ ମହଜୁଦ୍ ଥାଏ ତାହା ପୁରାତନ-। ଅର୍ଥାତ୍ ଗାଳ୍ପିକଟି Nothing serious ଆଉ Nothing specialକୁ ନେଇ ଗଳ୍ପ ଲେଖେ ସତ, ସମୟକ୍ରମେ ସେସବୁ ବହୁବିଧ ଚିନ୍ତାଧାରାଯୁକ୍ତ ହୋଇପଡ଼ନ୍ତି । ଅନ୍ତତଃ ପକ୍ଷେ ଏତକ ଆମେ ସ୍ୱୀକାର କରିବା ଉଚିତ ଯେ Nothing special ଆଉ Nothing seriousର ଛାଞ୍ଚ ଭିତରେ ଯେଉଁ ଗଳ୍ପ ଗଢ଼ାଯାଏ ସମୟକ୍ରମେ ତାହା ବାହାରର ଖରା, ପାଣି ଆଉ ପବନ ଖାଇ ଏକ ଶକ୍ତ ଇଟାରେ ପରିଣତ ହୁଏ । ଗାଳ୍ପିକଟିର ଶୈଳୀ ଏହି Nothing serious ଆଉ Nothing special ପରି ହେବା ଏକାନ୍ତ ବାଞ୍ଛନୀୟ । ଠିକ୍ ହୋମେଲିନ୍ ଦ୍ୱୀପର ସେହି ଯାଦୁକରର ବଂଶୀନାଦ ପରି ଯିଏ ନିଜର ଯାଦୁକରୀ ସ୍ୱନର ସମ୍ମୋହନରେ ଉତ୍ପୀଡ଼ିକ ମୂଷାମାନଙ୍କୁ ନଈ ଭିତରକୁ ଟାଣି ନେଇଥିଲା । କ୍ଷୁଦ୍ର ଗଳ୍ପର ଶୈଳୀର ଉଦାହରଣ ଦେବା ପାଇଁ ଏହାଠାରୁ ପ୍ରକୃଷ୍ଟ ଉଦାହରଣ ପ୍ରାୟତଃ ଆଉ ନାହିଁ । ସେହି ପାଏଡ୍ ପାଇପର ଅଫ୍ ହାମେଲିନ୍‌ର କାର୍ଯ୍ୟକଳାପରେ ସେପରି କିଛି ବିଶେଷତ୍ୱ ନଥିଲା । ବିଶେଷତ୍ୱ ହିଁ ଥିଲା ତା ଶବ୍ଦରେ, ତା ସ୍ୱନରେ । କ୍ଷୁଦ୍ର ଗଳ୍ପଟି ବାହାରକୁ ଯେତେ ସରଳ ଜଣାପଡ଼ିବ ତାହା ସେତିକି ପରିମାଣରେ ମଣିଷର ହୃଦୟକୁ ସ୍ପର୍ଶ କରିପାରିବ, ଏଥିରେ ସନ୍ଦେହ ନାହିଁ । ଜଣେ ଗାଳ୍ପିକ ତା ଯାଦୁକାରୀ ଶକ୍ତିରେ ପାଠକମାନଙ୍କୁ ଏପରି ସମ୍ମୋହିତ କରିବା ଦର୍କାର ଯେମିତି ପାଠକଟି ହୃଦୟରେ ପ୍ରଶ୍ନ କି ପ୍ରତିପ୍ରଶ୍ନ ସ୍ଥାନ ନ ପାଏ । ଏଥିପାଇଁ ଯେତିକି ଜରୁରୀ କାହାଣୀ ଚୟନ, କଳ୍ପନା, ଅବବୋଧ, ଚରିତ୍ର ସହ ନିରପେକ୍ଷ ଏକାତ୍ମବୋଧ ଆଉ ଗଭୀର ଅନ୍ତର୍ଦୃଷ୍ଟି, ସେତିକି ଆବଶ୍ୟକ ଶବ୍ଦ । ଶବ୍ଦର ମାୟାମୋହ ଭିତରେ ଛନ୍ଦି ହୋଇପଡ଼ି ଭାସିଗଲେ ଜଣେ ପାଠକ ଯନ୍ତ୍ରଣା ପାଏ । ସେ ସେହି ସ୍ରୋତ ଭିତରେ ସ୍ଵଚ୍ଛନ୍ଦରେ ପହଁରିବା ଦର୍କାର, ଯେଉଁଥିରେ ତାର ଆଖି, କାନ, ନାକ, ହାତ, ଛାତି ଆଉ ଗୋଡ଼ ସମାନ ପ୍ରକାରେ ଭାଗ ନେଇପାରୁଥିବେ । ସେ ଶେଷରେ ଅତିଶୟ କ୍ଲାନ୍ତ ହୋଇଉଠୁଥିବ ! ବେଳାଭୂମି ଉପରେ ପଡ଼ିରହୁଥିବ ।

 

ପଠନ ଏକ କ୍ରିୟା ଓ ଏହା ଶେଷରେ ଯଦି ପାଠକଟି କ୍ଲାନ୍ତ ହୋଇ ନ ପଡ଼ିଲା, ତେବେ ସେ କିଛି କର୍ମ କରିନାହିଁ ବୋଲି ପ୍ରତୀୟମାନ ହେଲା । ଅର୍ଥାତ୍ ଗାଳ୍ପିକଟି ଗଳ୍ପପ୍ରବାହ ଭିତରେ ପାଠକଟିକୁ କର୍ମରହିତ କରିପକାଇଲା । ଗଳ୍ପଟିରେ ପାଠକ ପାଇଁ କର୍ମ ବିରତି ରହିଲେ ତାହା କଦାପି ଏକ ଭଲ ଗଳ୍ପ ହୋଇ ନ ପାରେ । ଶବ୍ଦମାନଙ୍କର ଯେଉଁ ଔଜ୍ଜ୍ୱଲ୍ୟ ରହିଛି, ବେଗ ଅଛି, ସେସବୁକୁ କିପରି ବିନା କର୍ମରେ ପାଠକଟିଏ ଆହରଣ କରିପାରିବ ! ଶବ୍ଦ ଯେ ତେଣୁ କେବଳ ମଣିଷର ହେବ ଏ କଥା ନୁହେଁ, ବରଂ ଶବ୍ଦ ମଣିଷ ସହିତ ଯେତେ ଅସମ୍ପର୍କିତ ହେବ ସେତେ ପରିମାଣରେ ବିକୀରଣକ୍ଷମ ହୋଇପାରିବ । ଶବ୍ଦକୁ ଅସମ୍ପର୍କିତ କଲାବେଳେ ଗାଳ୍ପିକ ଯେମିତି ଏ କଥା ଭୁଲି ନଯାଏ ଯେ ଶବ୍ଦର ସମୁଦାୟ କେନ୍ଦ୍ର ଏଇ ପୃଥିବୀରେ । କିଛି ପରିମାଣରେ natural ଶବ୍ଦମାନଙ୍କୁ ସୁପର୍ ନାଚୁରାଲ୍ ଆଉ ସୁପରନାଚୁରାଲ୍ ଶବ୍ଦମାନଙ୍କୁ ନ୍ୟାଚୁରାଲ୍ କରିବା ଦ୍ଵାରା ଏହା ସମ୍ଭବ ହୋଇପାରେ । ଏଠି ଅସମ୍ପର୍କିତ ଅର୍ଥ ମଣିଷ ବ୍ୟବହାର କରୁଥିବା ଶବ୍ଦମାନଙ୍କଠୁଁ ଦୂରେଇ ଯାଇ ଅନ୍ୟ ଏକ ଅବୋଧ୍ୟଗମ୍ୟ ଶବ୍ଦରାଶିର ଅନ୍ୱେଷଣ କରିବା କଥା କୁହାଯାଉନାହିଁ । ଏଠି ଗାଳ୍ପିକଟି ଏମିତି ଶବ୍ଦ ଖୋଜିବା ଦର୍କାର ଯାହା ଭୋକାଲ୍ କର୍ଡରୁ ନିର୍ଗତ ହେଉଥିବା ଶବ୍ଦ ବଦଳରେ ବରଂ ହୃଦୟ ନିସୃତ ଶବ୍ଦ ହୋଇଥିବ । ଆପଣାର ଶବ୍ଦ ହୋଇଥିଲେ ବି ବର୍ତ୍ତମାନର ହିଂସା ଆଉ ପ୍ରଦୂଷଣ ଅଧ୍ୟୁଷିତ ପୃଥିବୀ ପାଇଁ ନୂଆ ହୋଇଥିବ ।

 

ଠିକ୍ କବିତା ପରି ଗପ ବି Escape from personalityର କଥା କୁହେ । ଗପ ମଣିଷର କଥା କୁହେ, ନିରପେକ୍ଷ ଭାବେ । ବେଶୀ କହେ ଚରିତ୍ରର ଚେତନ, ଅର୍ଦ୍ଧଚେତନ ଆଉ ଅବଚେତନର କଥା । ଯାହା ଛାତିରେ ଗୁମୁରୁଥାଏ, ସେ ଇଚ୍ଛା ଆକାଶରେ ଉଡ଼ିବା, ଜଳପରୀଙ୍କ ସହିତ ସନ୍ତରଣ କରିବା ବା ଈଶ୍ୱରଙ୍କ ସହିତ ଆଳାପ କରିବା ହେଉ ବା ମୃତ୍ୟୁ, ଦୁଃଖ, ଅଭାବ ଅନାଟନ ବା ବିଚ୍ଛେଦରେ ହେଉ, ସବୁଠି ଥାଏ ମଣିଷ । ବାଜପକ୍ଷୀର ମାଲିକ ! ସେ ହିଁ ମୁଖ୍ୟ ଚରିତ୍ର, ତାକୁ ନେଇ ହିଁ ମୁଖ୍ୟ କାହାଣୀ । ବାଜପକ୍ଷୀର ମାଲିକ ଆଉ ବାଜପକ୍ଷୀ ଭିତରେ ସମ୍ପର୍କ ରଖିଥିବା ସେହି ଅତୁଟ ସୂତା ହିଁ ଗଳ୍ପ ବିବରଣର ସୂତ୍ରଧର । ଅଧିକନ୍ତୁ ମଣିଷକୁ ନେଇ ଆରମ୍ଭ ଆଉ ଶେଷ ହେଉଥିବା କାହାଣୀଟି ସତରେ ଏକ ଭିଜନ୍ ଭିତରେ ସରିଲା କି ନାହିଁ, ଏଇଥିରେ ଗଳ୍ପର ଉତ୍କର୍ଷ ନିର୍ଭର କରେ । ଠିକ୍ “Is it a vison or Waking dream” ଶୈଳୀରେ-!

 

 

ଅଧ୍ୟାପକ, ଇଂରାଜୀ ବିଭାଗ

ଏସ୍. ଏନ୍. ମହାବିଦ୍ୟାଳୟ, ମଙ୍ଗଳପୁର,

ସୋରୋ, ବାଲେଶ୍ୱର

ପିନ୍-୭୫୬୦୪୫

 

***

 

ପଲ୍ଲୀ ଜୀବନର ରୂପକାର ବିଦ୍ୟୁତପ୍ରଭା : ଏକ ଦୃଷ୍ଟିପାତ

ଅଧ୍ୟାପକ ରବୀନ୍ଦ୍ର କୁମାର ବେହୁରିଆ

 

ବିଦ୍ୟୁତ୍‌ପ୍ରଭା ୧୯୨୯ ମସିହା ଜୁଲାଇ ୧୨ ତାରିଖ କଟକ ଜିଲ୍ଲାର ଝିଙ୍କିଡ଼ି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ନିମାଇଁ ଚରଣ ଦାସ ଓ ମାତାଙ୍କ ନାମ ରମାଦେବୀ । ପିତାଙ୍କ ପ୍ରକୃତ ବାସସ୍ଥାନ ନାଟରା, ଆଳିର ଏକ ଧୋଇଆ ଅଞ୍ଚଳ । ବିବାହ ସମ୍ପନ୍ନ ହେଲା ୧୯୪୯ ମସିହାର ଜୁଲାଇ ୪ ତାରିଖ ଆଗରପଡ଼ା କୁଆଁସ ମଢ଼ିଆର ପଞ୍ଚାନନ ମହାନ୍ତିଙ୍କ ସହିତ-

 

କବି ନନ୍ଦକିଶୋରଙ୍କ ପରେ ଶ୍ରୀ ଗୋଦାବରୀଶ ମିଶ୍ର, ମାନସିଂହ, ସଚ୍ଚିଦାନନ୍ଦ, କୁଞ୍ଜବିହାରୀ, କୃଷ୍ଣଚନ୍ଦ୍ର, ପ୍ରାଣକୃଷ୍ଣ ପ୍ରମୁଖ କବିମାନେ ଗଭୀର ଆସକ୍ତିର ସହିତ ପଲ୍ଲୀ ପ୍ରତି ଦୃଷ୍ଟିପାତ କରିଥିଲେ ମଧ୍ୟ ନନ୍ଦକିଶୋରଙ୍କ ପଲ୍ଲୀ ଭାବନାର ପ୍ରତିଟି ଦିଗ ଓ ଦୃଷ୍ଟିକୋଣ ପ୍ରତି ବିଦ୍ୟୁତ୍‌ପ୍ରଭାଙ୍କ ପରି ଅନ୍ୟ କେହି ଏତେ ନିରବିଚ୍ଛିନ୍ନ ମମତା ପ୍ରକାଶ କରିନାହାନ୍ତି । ତେଣୁ ତାଙ୍କୁ ନିର୍ଦ୍ୱନ୍ଦ୍ୱରେ ପଲ୍ଲୀକବି ନନ୍ଦକିଶୋରଙ୍କ କାବ୍ୟ-ପରମ୍ପରାର ଉତ୍ତର-ସାଧିକା ଭାବେ ଚିହ୍ନିତ କରାଯାଇପାରେ ।

 

ବିଦ୍ୟୁତ୍‌ପ୍ରଭାଙ୍କ ପ୍ରତିଭା ଥିଲା ବିପୁଳ; ଅଧ୍ୟବସାୟ ଥିଲା ପ୍ରଚୁର । ନବମ ଶ୍ରେଣୀରେ ଅଧ୍ୟୟନ କଲାବେଳେ ତାଙ୍କ ପାଠପଢ଼ାର ଅବସାନ ଘଟିଲା । ତେଣୁ ବିଦ୍ୟାଳୟଲବ୍ଧ ଜ୍ଞାନ ତାଙ୍କର ଅଳ୍ପ ଥିଲା । କିନ୍ତୁ ଏଇ ଅଭାବକୁ, ଏଇ ନ୍ୟୂନତାକୁ ସେ ଅଜସ୍ର ପରିଶ୍ରମ ଦ୍ଵାରା ଅତିକ୍ରମ କଲେ । ସାହିତ୍ୟ ତାଙ୍କ ପାଇଁ କେବଳ କଳ୍ପନାର ବିଷୟ ନଥିଲା, ତାହା ମଧ୍ୟ ଥିଲା କଠୋର ତପସ୍ୟାର ବିଷୟ । ବହୁ ପ୍ରୟାସ କରି ସେ ତାଙ୍କର ଶବ୍ଦଜ୍ଞାନକୁ ଉନ୍ନତ କଲେ, ଛନ୍ଦ ପ୍ରୟୋଗଗତ ନିପୁଣତା ହାସଲ କଲେ । ନିମ୍ନଲିଖିତ ଦୁଇଟି ପଂକ୍ତି ତାଙ୍କର ଏଇ ସ୍ୱତଃସ୍ଫୂର୍ତ୍ତ କଳାର ସୁନ୍ଦର ଦୃଷ୍ଟାନ୍ତ :

 

“ବିଜୁଳି ପରାୟେ ଖେଳିଲା ମନେ ସେ ଚିନ୍ତାରେ

ନ ଫୁଟି ଫୁଟିଲା ବାଣୀ

ନ ହସି ହସିଲା ନ ରସି ରସିଲା

ନ ଚାହିଁ ଚାହିଁଲା ଠାଣି ।” (୧)

+++

“ଜନହୀନ ନଦୀତଟେ ଗଲି ଯେବେ କରିବାକୁ ସ୍ନାନ

ଶ୍ରବଣ ହୋଇଲା ବନ୍ଦୀ ଶୁଣି କାହା ବଇଁଶୀର ତାନ

ସଜ ଆମ୍ୱ ବଉଳର ଦିଗବୁଡ଼ା ମୃଦୁଳ ଚହଟେ

ଉଚ୍ଚାଟ ହୋଇଲା ପ୍ରାଣ ଦୂରୁ କେହି ଆସେ କି ନିକଟେ ।” ୨ ।

 

ଶ୍ରୀମତୀ ବିଦ୍ୟୁତ୍‌ପ୍ରଭାଙ୍କର କାବ୍ୟସାଧନା ମାତ୍ର ଦଶବର୍ଷ (୧୯୪୬-୫୭) ମଧ୍ୟରେ ସୀମିତ । ଏହି ଦଶବର୍ଷର କାବ୍ୟସାଧନା ଭିତରେ ଓଡ଼ିଆ ସାହିତ୍ୟକୁ ତାଙ୍କର ଦାନ ‘ସବିତା’ (୧୯୪୭), ‘ଉତ୍କଳ ସାରସ୍ଵତ ପ୍ରତିଭା’ (୧୯୪୭), ‘କନକାଞ୍ଜଳି’ (୧୯୪୮), ‘ମରୀଚିକା’ (୧୯୪୮), ‘ବିହାୟସୀ’ (୧୯୪୯), ‘ବନ୍ଦନିକା’ (୧୯୫୦), ‘ସ୍ଵପ୍ନଦୀପ' (୧୯୫୧), ‘ଝରାଶିଉଳୀ’ (୧୯୫୨), ‘ଯାହାକୁ ଯିଏ’ (୧୯୫୭) ଏବଂ ବହୁ ପ୍ରକାଶିତ ଏବଂ ଅପ୍ରକାଶିତ କବିତାକୁ ନେଇ ତାଙ୍କର କବିତାବଳୀର ଏକ ‘ସଞ୍ଚୟନ' (୧୯୫୭) । ଏହି ସଞ୍ଚୟନରେ ସର୍ବମୋଟ ଏଗାରଟି ବିଭାଗ ରହିଛି : (୧) ଲୋକାୟନ, (୨) ପଲ୍ଲୀ ପଥେ, (୩) ସୁନ୍ଦର ଏ ଧରା, (୪) ପ୍ରିୟ ଓ ପ୍ରିୟା, (୫) ଗାଥା, (୬) ଶ୍ରଦ୍ଧାଞ୍ଜଳି, ୭) ଖଦ୍ୟୋତିକା, (୮) ଭକ୍ତିମାଲ୍ୟ, (୯) ଗଦ୍ୟକବିତା, (୧୦) ଯାହାକୁ ଯିଏ, (୧୧) କଅଁଳ ଜୀବନେ ।

 

ବିଦ୍ୟୁତ୍‌ପ୍ରଭାଙ୍କୁ ପ୍ରକୃତି ଓ ପଲ୍ଲୀ ଜୀବନର କବି ରୂପେ ପ୍ରାଧାନ୍ୟ ଦିଆଯାଇଛି । ପ୍ରଥମେ ଋଷୋ ଏବଂ ପରେ ୱାଡ୍‌ସ୍‌ୱାର୍ଥ ପ୍ରକୃତି ଓ ପଲ୍ଲୀ ଜୀବନକୁ ରୋମାଣ୍ଟିସିଜିମ୍‌ର ଯୁଗ୍ମ ଉତ୍ସ ରୂପେ ଗ୍ରହଣ କରିଥିଲେ । ବିଦ୍ୟୁତ୍‌ପ୍ରଭା ମଧ୍ୟ ଏଇ ଦୁଇଟି ଉତ୍ସକୁ ପ୍ରାଧାନ୍ୟ ଦେଇ କବିତା ରଚନା କରି ଜଣେ ରୋମାଣ୍ଟିକ୍ କବି ରୂପେ ନିଜର ଖ୍ୟାତିକୁ ଅକ୍ଷୁଣ୍ଣ ରଖିବାକୁ ସମର୍ଥ ହୋଇଛନ୍ତି । ତାଙ୍କ କାବ୍ୟ ମାନସର ଏକ ମୁଖ୍ୟ ଚେତନା କେବଳ ପଲ୍ଲୀ ଜୀବନ । ସେଇ ପଲ୍ଲୀର ସୁଖ-ଦୁଃଖ, ହର୍ଷ-ବିଷାଦ, ଆଲୋକ-ଅନ୍ଧାର ଭିତରେ ନାରୀ ଜୀବନର ଚମତ୍କାର ରୂପରେଖରେ ଏ କବିତାଗୁଡ଼ିକ ଯେତିକି ପ୍ରାଣବାନ ସେତିକି ସୁଖପାଠ୍ୟ । କିନ୍ତୁ ଅନ୍ୟ ଗୋଟିଏ ବିଷୟରେ ମଧ୍ୟ ବିସ୍ମୟକର ଦକ୍ଷତା ସହ ବହୁ ମଦିର ଓ ରସାଳ କବିତା ସୃଷ୍ଟି କରି ନିଜର ଅଶେଷ କୃତିତ୍ୱର ପରିଚୟ ଦେଇପାରିଛନ୍ତି । ସେ ବିଷୟଟି ହେଉଛି ପ୍ରେମ । ‘ସ୍ଵପ୍ନଦୀପ’ ଓ ‘ଝରାଶିଉଳି’ର ସମସ୍ତ କବିତା ଏବଂ ଅନ୍ୟ କେତେକ କବିତା ସେଇ କୃତିତ୍ୱର ନିଚ୍ଛକ ନିଦର୍ଶନ । ସମାଲୋଚକ ମାନସିଂହଙ୍କ ଭାଷାରେ–

 

“ତାଙ୍କ କବିତା ନାରୀଚିତ୍ତ ଓ ଅନ୍ତରର ସ୍ଵତନ୍ତ୍ର ସମସ୍ୟା ଦେଖାଇବାକୁ ଭୟ କରିଛି ଯେପରି କବିତା ଗୁଡ଼ିକର କବି ଭାବରେ ଯଦି ଜଣେ ପୁରୁଷର ନାମ ଦେଖାଦେଇଥାନ୍ତା ତେବେ ବିଶେଷ ଅସଙ୍ଗତି ଧରାପଡ଼ିଯାନ୍ତା ବୋଲି କହି ହେବନି’ ସହିତ ମୁଁ ଏକମତ ହୋଇପାରୁ ନାହିଁ-। ୧-।”

 

୧୯୫୦ରୁ ୧୯୬୩ ପର୍ଯ୍ୟନ୍ତ କେତୋଟି ବର୍ଷ ବିଦ୍ୟୁତ୍‌ପ୍ରଭାଙ୍କ ଜୀବନର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ୧୯୫୦ ମସିହାରେ ବିଦ୍ୟୁତ୍‌ପ୍ରଭାଙ୍କର ‘ଉତ୍କଳ ସାରସ୍ଵତ ପ୍ରତିଭା’ ପୁସ୍ତକ ହାଇସ୍କୁଲର ଉପର ଦୁଇଶ୍ରେଣୀ ପାଇଁ ପଦ୍ୟ ସାହିତ୍ୟ ରୂପେ ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ୱାରା ଅନୁମୋଦିତ ହେଲା ଏବଂ ୧୯୫୧ ରେ ତାଙ୍କର ‘ମରୀଚିକା’ ପୁସ୍ତକ ଅଷ୍ଟମ ଶ୍ରେଣୀ ସକାଶେ ପଦ୍ୟ ସାହିତ୍ୟ ରୂପେ ସ୍ୱୀକୃତି ଲାଭ କଲା । ତାଙ୍କର ପ୍ରଥମ ଶିଶୁ ସାହିତ୍ୟ ପୁସ୍ତକ ‘ଯାହାକୁ ଯିଏ’ ଭାରତ ସରକାରଙ୍କ ଦ୍ୱାରା ପୁରସ୍କୃତ ହେଲା । ୧୯୫୭ରେ ଗ୍ରନ୍ଥାବଳୀ ‘ସଞ୍ଚୟନ’ର ମୁଦ୍ରଣ କାର୍ଯ୍ୟ ସମାପ୍ତ ହେଲା ଏବଂ ୧୯୭୩ରେ ଓଡ଼ିଆ ସାହିତ୍ୟ ଏକାଡେମୀ ଦ୍ୱାରା ଏକ ବିଶେଷ ଅଧିବେଶନରେ ତାହା ପୁରସ୍କୃତ ହେଲା ।

 

୧୯୫୫ରୁ ୧୯୬୬ ପର୍ଯ୍ୟନ୍ତ ସେ କେବଳ ଶିଶୁ ସାହିତ୍ୟ ରଚନା କରିବାରେ ହିଁ ନିରତ ଥିଲେ ଏବଂ ଏଇ ସମୟ ମଧ୍ୟରେ ସେ ମୋଟ୍ ଛଅଖଣ୍ଡ ଶିଶୁ ସାହିତ୍ୟ ରଚନା କରିଥିଲେ । ସେଗୁଡ଼ିକ ହେଲା, ‘ଯାହାକୁ ଯିଏ’, ‘ମୋ ପେଁକାଳି ବଜାଇ ଦେ’, ‘ଗଛ ପତର’, ‘ମୁଁ କେମିତି ପିଲା’, ‘କାହିଁକି ତୁମେ’ ଏବଂ ‘ପଢ଼ୁଥା- ହସି ହସି ଗଡ଼ୁଥା’ । ବିଦ୍ୟୁତ୍‌ପ୍ରଭାଙ୍କର ଦେହାବସାନ ଘଟିଲା ୧୯୭୭ ମସିହା ଜାନୁଆରୀ ୨୮ ତାରିଖରେ ।

 

ଶ୍ରଦ୍ଧା ଓ ସମର୍ପଣ :

‘ଭକ୍ତିମାଲ୍ୟ (ସଞ୍ଚୟନ) ର ପ୍ରଥମ କବିତା ‘ଭକ୍ତ ଓ ଭଗବାନ’ ଅତ୍ୟନ୍ତ ହୃଦୟସ୍ପର୍ଶୀ । କବିତାଟି କ୍ଷୁଦ୍ର ଅଥଚ ଅତିଶୟ ଭାବଗର୍ଭକ ।

 

“ଭକ୍ତ କହିଲା ଭଗବାନ ପାଶେ

ଏତେ କରୁଣାର ବିନିମୟେ ପ୍ରଭୁ

କି କରିବି ତବ କୁହ ?

କହିଲେ ଦେବତା ‘ଦୁଃସ୍ଥ ଦଳିତ

କୋଟି କଙ୍କାଳ ଶାନ୍ତ ନୟନୁ

ପୋଛି ପାରିବୁ କି ଲୁହ ?”

 

‘ଭଲପାଅ ଯେବେ ମୋତେ’ କବିତାରେ ସେ ଭଗବାନଙ୍କୁ ନିବେଦନ କରି କହିଛନ୍ତି-

 

“ନିଃସ୍ଵର ବ୍ୟଥା ଭୋଗିବ ଯେସନେ

ନିବିଡ଼େ ମରମ ଗତେ

ଦିଅ ସେହି ମନ ଆହେ ଭଗବାନ

ଭଲପାଅ ଯେବେ ମୋତେ ।”

 

‘ଚରଣେ ତା ବନ୍ଦେ’ କବିତାରେ ସ୍ନେହ ଓ ସେବାର ବୀଣା ନିକ୍ୱଣ ଶୁଣାଇ ସେ କହିଛନ୍ତି ଯେ, ସାରା ଧରଣୀକୁ ପ୍ରେମ ପାଶରେ ଆବଦ୍ଧ କରେ ଯିଏ, ମୂକ ମୁଖରେ ହସ ଫୁଟାଇ ପାରେ ଯିଏ, ତା’ର ଚରଣ ବନ୍ଦନା କରନ୍ତି ସ୍ୱୟଂ ବିଦ୍ୟୁତ୍‌ପ୍ରଭା । ତାଙ୍କ ଦୃଷ୍ଟିରେ ମାନବ ସେବା ହିଁ ମାଧବ ସେବା । ମାଧବ ସେବା ଲାଗି ତାଙ୍କ ଅନ୍ତରର ଆକୁଳ ଆଗ୍ରହ ‘ଭକ୍ତିମାଲ୍ୟ କବିତାଗୁଚ୍ଛର ଭଗବତ ଭକ୍ତିକୁ ମଧୁର କରିଛି । ଈଶ୍ଵରପ୍ରାଣତାକୁ ବି ମହନୀୟ କରିଛି ।

 

ଦେଶାତ୍ମବୋଧ :

‘ସବିତା’ ଓ ‘ଉତ୍କଳ ସାରସ୍ଵତ ପ୍ରତିଭା’ ନାମକ ଦୁଇଟି କବିତା ଗ୍ରନ୍ଥ ମଧ୍ୟରୁ ପ୍ରଥମଟି ଯୁଗ୍ମ ଲେଖିକାଙ୍କ ଅବଦାନରେ ପୁଷ୍ଠ । ସେ ଦୁଇ ଲେଖିକା ହେଲେ ବିଦ୍ୟୁତ୍‌ପ୍ରଭା ଏବଂ ତାଙ୍କ ଜ୍ୟେଷ୍ଠା ଭଗିନୀ ବାସନ୍ତୀ । ‘ଉତ୍କଳ ସାରସ୍ଵତ ପ୍ରତିଭା’ ନାମକ କବିତାଗ୍ରନ୍ଥ ବିଦ୍ୟୁତ୍‌ପ୍ରଭାଙ୍କର ଏକକ ସୃଷ୍ଟି ।

 

ଦେଶାତ୍ମବୋଧ ହେଲା ‘ସବିତା’ର ପ୍ରଧାନ ସ୍ଵର, ପ୍ରଧାନ ଆଭିମୁଖ୍ୟ । କିନ୍ତୁ ‘ଉତ୍କଳ ସାରସ୍ୱତ ପ୍ରତିଭା’ର ଏକମାତ୍ର ଉପଜୀବ୍ୟ ବିଷୟବସ୍ତୁ ହେଲା ଦେଶାତ୍ମବୋଧ । ଆଲୋଚ୍ୟ ଗ୍ରନ୍ଥରେ ଯେଉଁସବୁ କବିତା ସନ୍ନିବେଶିତ ହୋଇଛି ସେଥିରୁ କେତେକ ରଚିତ ହୋଇଛି ଅକ୍ଷର ବୃତ୍ତରେ ଏବଂ ଅନ୍ୟ ସବୁ ମାତ୍ରା ବୃତ୍ତରେ । ମାତ୍ରାବୃତ୍ତ ଛନ୍ଦର ପ୍ରଥମ ପ୍ରବର୍ତ୍ତକ ହେଉଛନ୍ତି ରବୀନ୍ଦ୍ରନାଥ । ଓଡ଼ିଆ କାବ୍ୟ ସାହିତ୍ୟ କ୍ଷେତ୍ରରେ ରାଧାମୋହନ ଗଡ଼ନାୟକ, ସଚ୍ଚିଦାନନ୍ଦ ରାଉତରାୟ, ଡଃ ମାୟାଧର ମାନସିଂହ, ଡଃ କୁଞ୍ଜବିହାରୀ ଦାଶ ପ୍ରଭୃତି ପ୍ରଖ୍ୟାତ କବିମାନ ଏଇ ଛନ୍ଦକୁ ପୂର୍ଣ୍ଣ ସଫଳତା ସହ ନିଜ ନିଜ ରଚନାରେ ପ୍ରୟୋଗ କରିଛନ୍ତି । ଆଲୋଚ୍ୟ ଗ୍ରନ୍ଥରୁ (ଉତ୍କଳ ସାରସ୍ଵତ ପ୍ରତିଭା) ଅକ୍ଷର ବୃତ୍ତ ଓ ମାତ୍ରାବୃତ୍ତ ପ୍ରୟୋଗର ଦୃଷ୍ଟାନ୍ତ ନିମ୍ନରେ ଦିଆଯାଇଛି ।

 

ଅକ୍ଷର ବୃତ୍ତ :

“ହେ ଚତୁର ବୁଦ୍ଧିଜୀବୀ

ସ୍ଵାର୍ଥଯଜ୍ଞେ ହୋଇ ପୁରୋହିତ

ଜାତିପ୍ରେମ ବହ୍ନି ତୁମେ

ପ୍ରତିପ୍ରାଣେ କଲ ପ୍ରଜ୍ଜ୍ୱଳିତ ।” (ଉତ୍କଳ ଗୌରବ ମଧୁସୂଦନ)

 

ମାତ୍ରାବୃତ୍ତ :

“ଅପରେ ହସାଇ କାନ୍ଦିଛ ଆପେ

କାଳକୂଟ କରି ପାନ

ସରସ କରିଛି ନୀରସ ହୃଦୟ

ଅମୃତ କରି ଦାନ ।” (କାନ୍ତକବି ଲକ୍ଷ୍ମୀକାନ୍ତ)

 

‘ଉତ୍କଳ ସାରସ୍ଵତ ପ୍ରତିଭା’ ଗ୍ରନ୍ଥରେ ମହାଭାରତର ସାରଳା, ଭାଗବତକାର ଜଗନ୍ନାଥ, ବିଦଗ୍ଧ ଚିନ୍ତାମଣିକାର ଅଭିମନ୍ୟୁଙ୍କଠାରୁ ଆରମ୍ଭ କରି ପଣ୍ଡିତ ଗୋଦାବରୀଶ, ଗୀତି କବିତାର ପଦ୍ମଚରଣ ଏବଂ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପର୍ଯ୍ୟନ୍ତ ଓଡ଼ିଶାର ବହୁ ପ୍ରତିଭାଶାଳୀ ବରେଣ୍ୟ ବ୍ୟକ୍ତିମାନଙ୍କର ଯଶୋଗାଥା ସ୍ଥାନ ପାଇଛି ।

 

ପଲ୍ଲୀ ଚେତନା :

ବିଦ୍ୟୁତ୍‌ପ୍ରଭାଙ୍କ କବିତାରେ ଦେଶାତ୍ମବୋଧ ପରେ ଦେଖାଦେଲା ପ୍ରକୃତି ଓ ପଲ୍ଲୀର ପର୍ବ-। ଗୋଟାଏ ଦୃଷ୍ଟିରୁ ଦେଖିଲେ ତାଙ୍କ ଦେଶାତ୍ମବୋଧମୂଳକ କବିତାରେ ରହିଛି ଅତୀତରେ ଯେଉଁ ଓଜସ୍ୱୀ ଉଦ୍‌ବୋଧନ ତାହା ମଧ୍ୟ ରୋମାଣ୍ଟିକତାର ଅଙ୍ଗବିଶେଷ, କାରଣ ଅତୀତର ମୋହ ଓ ଅତୀତର ଆକର୍ଷଣ ମଧ୍ୟ ରୋମାଣ୍ଟିକତାର ଏକ ପ୍ରଧାନ ବୈଶିଷ୍ଟ୍ୟ ।

 

ରୋମାଣ୍ଟିକତାର ସେଇ ଦୂରତର ଭୂମିରୁ ସେ ଆସିଲେ ନିକଟତର ଭୂମିକୁ । ଯେଉଁଠି ଗୋପାଳ ବାଳକର ବଂଶୀତାନକୁ ମଧ୍ୟାହ୍ନ ତନ୍ମୟ ହୋଇ କାନଡେରି ଥାଏ, ଯେଉଁଠି ଆଷାଢ଼ର ବାରିଧାରା ପଲ୍ଲୀ ପ୍ରାଣକୁ ଉଦ୍ଦାମ ସଙ୍ଗୀତ ଶୁଣାଏ, ଯେଉଁଠି ନଦୀତଟରେ ଅଜସ୍ର ସୁଆଁ ଫୁଲର ବାସ୍ନା ଗୋଧୂଳିକୁ ମତୁଆଲା କରେ, ଯେଉଁଠି ପୌଷ ରାତ୍ରିର ଜହ୍ନ ଆଲୁଅ କୁହୁଡ଼ିରେ ଆଚ୍ଛନ୍ନ ହୋଇ କୁକ ସୃଷ୍ଟି କରେ, ପ୍ରକୃତିର ସେଇ ରୋମାଞ୍ଚିତ କୋଳରେ ସେ ଉପନୀତ ହେଲେ ।

 

ପଲ୍ଲୀର ନିତିଦିନିଆ ଦୃଶ୍ୟ, ତା’ର ସ୍ଵର ସମ୍ଭାର, ତା’ର ଆବେଦନ ଓ ଆହ୍ୱାନ ତାଙ୍କ କବିତାରେ ଏକ ନୂତନ ମୋହ ସୃଷ୍ଟି କରେ । ‘କନକାଞ୍ଜଳି’ର ପ୍ରତ୍ୟେକ କବିତା ଏହି ପଲ୍ଲୀର ସ୍ମୃତିରେ ଉଚ୍ଛଳ । ଏହି ପଲ୍ଲୀର ରଜପର୍ବ, ମାଣବସା, ଦୀପାବଳୀ, ପ୍ରଥମାଷ୍ଟମୀ, କୁଆଁର ପୁନିଅଁ, ପଲ୍ଲୀର ବର୍ଷା, ଦିଅଁଦେବତା, ନଈପୋଖରୀ, ସଞ୍ଜ-ସକାଳ, ଆଲୁଅ-ଅନ୍ଧାର ତାଙ୍କ କବିତାରେ ଅତି ମମତାପୂର୍ଣ୍ଣ ରୂପ ଗ୍ରହଣ କରିଛି । ପୁଣି ଋତୁଚକ୍ରର ଆବର୍ତ୍ତନ ସହିତ ପଲ୍ଲୀ-ପ୍ରକୃତିର ମୁଗ୍ଧ ସୁନ୍ଦର ରୂପ ମଧ୍ୟ ତାଙ୍କ କାବ୍ୟଚେତନାରେ ପାରମ୍ପରିକତା ରକ୍ଷା କରି ପ୍ରକଟିତ । ପ୍ରତି ଋତୁ ତା’ର ସ୍ଵାଭାବିକ ଠାଣିରେ ଏବଂ ନିଜସ୍ୱ ସ୍ଵରରେ ତାଙ୍କୁ ଉଦ୍‌ବୋଧନ ଶୁଣାଇଲା । ପିନାକୀର ପ୍ରଳୟ ଡମ୍ୱରୁ ବଜାଇ ଗ୍ରୀଷ୍ମ ତାଙ୍କୁ ଉଦ୍‌ବୋଧନ କଲା :

 

“ଧରାରେ ଆସିଲା ଆଗ୍ନେୟ ବଇଶାଖ

ଝଞ୍ଚା ବିଷାଣ ବଜାଇ ରୁଦ୍ର ଭଳି

ବିଜୟ ଗର୍ବେ ନାଚେ ମରୀଚିକା ବେଣୀ

ଦୀପ୍ତ ତପନ ଗଗନେ ଉଠିଲା ଜଳି ।

କରୁଣ ବ୍ୟଥାରେ ପକାଇ ଦୀର୍ଘଶ୍ୱାସ

ହଜିଗଲା କେଣେ ବିଶ୍ୱରେ ମଧୁମାସ,

ହା’ହା’କାର କରି ଉଠିଲା କୁସୁମ ବନ

ଲୁଚିଲା କୋକିଳ ଭୁଲି ପଞ୍ଚମ ତାନ

ଧରାରେ ଆସିଲା ଆଗ୍ନେୟ ବଇଶାଖ ।”

(ବୈଶାଖ-କନକାଞ୍ଜଳି)

 

ସେହିପରି ବଜ୍ର ବିଦ୍ୟୁତ୍ ସହ ବାରିଧାରାର ଘୋର ନିନାଦ ଶୁଣାଇ ଆସିଲା ବର୍ଷା-

 

“ଝର ଝର ଝରେ ପାଗଳ ବରଷା

କଜ୍ଜ୍ୱଳ କଳା ଗଗନେ

ଶସ୍ୟ ଶୋଭନା ଉତ୍ତରୀ ତା’ର

ଦୋଳେ ମତୁଆଲା ପବନେ ।”

(ବର୍ଷାସ୍ମୃତି- ବିହାୟସୀ)

 

କିନ୍ତୁ କୋମଳ ସଙ୍ଗୀତରେ ବନବୀଥି ଶିହରିତ କରି ମନୋରମ ଠାଣିରେ ଶରତ ଆସେ, ସେତେବେଳେ-

 

“କାନନ ଧରିଛି ତରୁ-ମର୍ମର ଗୀତିକା

କାଶ ଅଭିସାରେ ଫୁଲିଉଠେ ତଟ ବୀଥିକା ।

ମରାଳ ଚଳଇ ଗରବେ

ଶରତର ଏଇ ସୁନ୍ଦର ନବ ପରବେ ।”

(ଶରତ- ବନ୍ଦନିକା)

ଅଥଚ ବସନ୍ତର ଶେଷ ପର୍ଯ୍ୟାୟରେ ଯେତେବେଳେ ଚୈତ୍ର ଆସୁଛି ସେତେବେଳେ ତା’ର ସ୍ଵର ଆହୁରି ଆବିଷ୍ଟ ଓ ପ୍ରମୋଦିତ । ଚୈତ୍ରର ସେ ଆଗମନ ସାରା ଧରିତ୍ରୀକୁ ମତୁଆଲା କରୁଛି-

 

“ଶୁଭ୍ର ଚଇତ ନିଶି

ଧରଣୀର କୋଟି ଦୂବ ଲୋମକୂପେ

ଜ୍ୟୋସ୍ନା ଯାଇଛି ମିଶି ।

+++

ରସାଳ କୁଞ୍ଜେ ଦେଇଛି ମଳୟ

ସରଗ ମଦିରା ଢାଳି

ଝରା ମାଧବୀର ସ୍ନିଗ୍ଧ ତଳପେ

ଶୋଇଛି ଚଇତ-ବାଳୀ ।”

(ଚୈତ୍ରୀ-ବନ୍ଦନିକା)

 

ପୁଣି ଋତୁଚକ୍ରର ଆବର୍ତ୍ତନ ସହିତ ପଲ୍ଲୀ-ପ୍ରକୃତିର ମୁଗ୍ଧ ସୁନ୍ଦର ରୂପ ମଧ୍ୟ ତାଙ୍କ କାବ୍ୟ ଚେତନାରେ ପାରମ୍ପରିକତା ରକ୍ଷା କରି ପ୍ରକଟିତ । ବେଳେ ବେଳେ ପଲ୍ଲୀର ଏହି ନିତିଦିନିଆ ଘଟଣା ସହିତ ସେ ଜୀବନକୁ ନିବିଡ଼ ଭାବେ ଏକନ୍ୱିତ କରିଛନ୍ତି ଯେ, ତହିଁରେ ଆତ୍ମାର ଗଭୀର ପ୍ରାଣଭରା ବାଣୀ ପ୍ରକାଶ ପାଇଛି । ଉଦାହରଣ ସ୍ଵରୂପ ‘ରଜକମେଇ’ ଉଦ୍ଦେଶ୍ୟରେ ଝିଅ ଘରକୁ ଭାର ସଜାଡୁ ସଜାଡୁ ସ୍ନେହଶୀଳା ଜନନୀଙ୍କ ଆଖିରେ ଲୁହର ଝର କବିଙ୍କ ବାସ୍ତବବାଦୀ ଚେତନାକୁ ଗଭୀର ଭାବେ ଆନ୍ଦୋଳିତ କରିଛି :

 

“ସଜାଡ଼ୁ ଜନନୀ ଦୁହିତା ଗୃହେ ପହଲି ଭାର

ଝରିପଡ଼େ ମାତା ନୟନ ଯୁଗୁ ଶ୍ରାବଣ ଧାର

ଜଡ଼ିତ କଣ୍ଠେ ଭାଷଇ ଗାଆଁ ନାପିତେ ରାଇ

ରାଣୀ ମୋର ତୁମ ବାଟକୁ ଆଜି ଥିବ ତ ଚାହିଁ ।”

 

ସେହିପରି ପଲ୍ଲୀ ପ୍ରକୃତିର ଶାନ୍ତ ମୁଗ୍ଧ ସୁନ୍ଦର ବାତାବରଣ ସହିତ ‘ବୈଶାଖ’ କବିତାରେ ପଲ୍ଲୀର ରୁଦ୍ର ବିଷାଣ ରୂପ ଦେବାରେ ସେ ରବୀନ୍ଦ୍ରନାଥଙ୍କ ‘ବୈଶାଖ’ କବିତାର ଭାବଧାରା ସହିତ ସ୍ଵରସାମ୍ୟ ପ୍ରତିଷ୍ଠା କରିଥିବା ଲକ୍ଷ୍ୟ କରାଯିବ । ପୁଣି ବସନ୍ତରେ ସେ ପ୍ରକୃତିର ଶାନ୍ତ ଓ ସୁନ୍ଦର ରୂପର ଦ୍ରଷ୍ଟା ।

 

‘ସୁଆରି ଡାକ’ ବିଦ୍ୟୁତ୍‌ପ୍ରଭାଙ୍କର ‘କନକାଞ୍ଜଳି’ କବିତା ପୁସ୍ତକର ଗୋଟାଏ ରସୋତ୍ତୀର୍ଣ୍ଣ କବିତା, ଯେଉଁଥିରେ ତତ୍‌କାଳୀନ ପଲ୍ଲୀ ଜୀବନର ଏକ ମନୋରମ ଚିତ୍ର ଦିଆଯାଇଛି:

 

“ଶେଷରାବ ଦେଉଁ ନୀଡ଼ ଅଭିମୁଖୀ

ସନ୍ଧ୍ୟାକାକ ଗାଆଁଟା ଯାକ

ହୁରି ପଡ଼ିଗଲା ‘ଆସିଲାଣି ଝିଅ’

କେ ନାରୀ କହିଲା ‘ବନ୍ଦାଇ ନିଅ’

ବଜାଇ ଶଙ୍ଖ

ଧାଇଁଗଲେ ଶୁଣି ଗାଆଁର ଅନୂଢ଼ା

କୁମାରୀ ଯାକ

ସୁଆରି ଡାକ ।”

 

‘ସୁଆରି ଡାକ’ ପରି ଆଉ ଗୋଟିଏ ରସୋତ୍ତୀର୍ଣ୍ଣ କବିତା ‘ଘାଟେ ତରୁଣୀ’ ଏବଂ ତାହା ମଧ୍ୟ ‘କନକାଞ୍ଜଳି’ କବିତା ପୁସ୍ତକର ଅନ୍ତର୍ଗତ ।

 

ପଲ୍ଲୀ-ଜୀବନର ଅସଂଖ୍ୟ ସ୍ମୃତି ନିହିତ ତାଙ୍କ କବିତାରେ ପଲ୍ଲୀ-ପ୍ରତି ଅତୁଟ ଚିତ୍ର ମମତାର ଅବାଧ ପରିଚୟ ଦିଏ । ଏଇ ମାଟି-କୁଟୀର ଓ ନିବିଡ଼ ଦାମ୍ପତ୍ୟ ପ୍ରେମର ମମତାପୂର୍ଣ୍ଣ ଚିତ୍ର ପଲ୍ଲୀର ଦୁଃଖପାଶୋରା ଏକ ସ୍ଵର୍ଣ୍ଣମୟ ସ୍ମୃତି ଜାଗରିତ କରେ । ‘ସ୍ଵପ୍ନଦୀପ’ର ସର୍ବମୋଟ ୧୩ଟି କବିତା ମଧ୍ୟରେ ପଲ୍ଲୀ ଓ ପଲ୍ଲୀ ଲଳନାର ଜୀବନଚକ୍ରର ପ୍ରାରମ୍ଭ ଓ ବିକାଶର ଏକ ଐଶ୍ୱର୍ଯ୍ୟପୂର୍ଣ୍ଣ ଚିତ୍ର ଉପସ୍ଥାପିତ । ନାରୀର କୁମାରୀ ଜୀବନଠାରୁ ବୈବାହିକ ଗୃହିଣୀ ଜୀବନ ପର୍ଯ୍ୟନ୍ତ ଟିକିନିଖି ବିବୃତିରେ ଏ ଖଣ୍ଡ କବିତାଗୁଡ଼ିକ ପଲ୍ଲୀ-ଜୀବନର ମଧୁର କରୁଣ ଆଲେଖ୍ୟ ବହନ କରିଛି । ନାରୀ ହିଁ ଏ କବିତାଗୁଡ଼ିକରେ ମୁଖ୍ୟ ଅଂଶ ଗ୍ରହଣ କରେ । ତା’ର ବିବାହ, ଶାଶୁଘର ଯାତ୍ରା, ଗୃହପ୍ରବେଶ, ବାସର ରାତ୍ରି, ପୁଣି ଘରଣୀ ଜୀବନ- ଏହିପରି ଅଙ୍ଗେନିଭା ଅନୁଭୂତିରେ ଏ କବିତାଗୁଡ଼ିକ ବହୁ ନିତିଦେଖା ଚିତ୍ର ଉପସ୍ଥାପିତ କରେ ।

 

ପ୍ରକୃତି ଚେତନାରେ ଶ୍ରୀମତୀ ବିଦ୍ୟୁତ୍‌ପ୍ରଭା ଯେତିକି ପରମ୍ପରାକୁ ଅବଲମ୍ୱନ କରିଛନ୍ତି, ସେତିକି ମଧ୍ୟ ଲଂଘନ କରିଛନ୍ତି । ପଲ୍ଲୀ-ପ୍ରକୃତି ବର୍ଣ୍ଣନାରେ ତାଙ୍କ ଅନ୍ତମର୍ମର ଦୃଷ୍ଟି ବେଳେ ବେଳେ ଅତି ଚମତ୍କାର ଆବେଗ ସୃଷ୍ଟି କରେ । ନିତିଦିନିଆ ଛୋଟ ଛୋଟ ଦୃଶ୍ୟଗୁଡ଼ିକରୁ ସେ ଚିରନ୍ତନ ଜାଗତିକ ମୂଲ୍ୟବୋଧ ସନ୍ଧାନ କରନ୍ତି । ଏପରିକି ଛୋଟ ଘାସଗଛ ଓ ଗୁଗୁଚିଆ ମଧ୍ୟ ତାଙ୍କ ଦୃଷ୍ଟି ପରିଧିରୁ ବାଦ୍ ଯାଏ ନାହିଁ । ପୁଣି ସେ ଯେତେବେଳେ ସନ୍ଧ୍ୟାଶ୍ରୀର ଚିତ୍ର ଦେଖିବାକୁ ଯାଇ ସୁନୀଳ ଆକାଶର ଦୁଇଟି ତାରାର ଚିତ୍ର କଳ୍ପନା କରନ୍ତି, ତାହା ବ୍ୟକ୍ତି ଜୀବନର ଗୋଟିଏ ନିବିଡ଼ ମୁହୂର୍ତ୍ତର ଅନୁଷଙ୍ଗ ଲାଭ କରି ତାଙ୍କ ପ୍ରକୃତି-ଚେତନାର ଗଭୀର ଅନ୍ତର୍ଦୃଷ୍ଟିର ପରିଚୟ ବହନ କରେ । ତାଙ୍କ କବିତାରେ ତେଣୁ ପ୍ରକୃତି ବିଭାବ ରୈଖିକ ନୁହେଁ, ତାହା ପ୍ରାଣବନ୍ତ ।

 

ପ୍ରେମ କବିତା :

‘ଝରାଶିଉଳି’ ବିଦ୍ୟୁତ୍‌ପ୍ରଭାଙ୍କର ପ୍ରେମ କବିତା ସମ୍ବଳିତ ଖଣ୍ଡିଏ ଅନୁପମ ଗ୍ରନ୍ଥ । ଏଥିରେ ଛନ୍ଦ ପ୍ରୟୋଗରେ ରହିଛି ଚାତୁରୀ ଓ ଅଭିନବତ୍ୱ । ସହଜ ସରଳ ପ୍ରଚଳିତ ଶବ୍ଦର ଅନୁପମ ମାଧୁର୍ଯ୍ୟ ଏହାର ଭାଷାକୁ କରିଛି ଯେପରି ଜୀବନ୍ତ ସେଇପରି ଶକ୍ତିଶାଳୀ । ଏଇ ଶବ୍ଦ ଓ ଏଇ ଛନ୍ଦ ପ୍ରୟୋଗ ସହାୟତାରେ ପ୍ରେମର ନାନା ଅନୁଭୂତି, ନାନା ଆଭିମୁଖ୍ୟ ଓ ନାନା ଆବେଦନ ସାରା ଗ୍ରନ୍ଥରେ ରସବୋଧର ଅମିୟ ପ୍ରବାହ ସୃଷ୍ଟି କରିଛି ।

 

ଅନ୍ୟ ସମୟରେ ସେଇ ପ୍ରେମର ବିହ୍ୱଳତା ତାଙ୍କ ପ୍ରାଣରେ ସୃଷ୍ଟି କରିଥିଲା ଦୁର୍ବାର ଚଞ୍ଚଳତା । ଘର ସଂସାର ସମସ୍ତ ବନ୍ଧନ ଛିନ୍ନ କରି ତାଙ୍କ ପ୍ରାଣବଲ୍ଲଭଙ୍କ ସହିତ ସେ ସ୍ୱପ୍ନ ସୁଅରେ ଭାସିଯିବାକୁ ଚାହୁଁଥିଲେ କେଉଁ ସୁଦୂର କଳ୍ପଲୋକକୁ-

 

“ଭୁଲି ଦୁନିଆ ଦାଉ

ଭାସିଯିବା ଗୋ ଦୂରେ

ଯହିଁ ଡାକଇ ବେଣୁ

ପ୍ରାଣ ମତାଣି ସୁରେ ।”

 

ପୁଣି ରାତିରେ ଏକୁଟିଆ ଶେଯରେ ଶୋଇଥିବା ବେଳେ ତନ୍ଦ୍ରାଚ୍ଛନ୍ନ ଅବସ୍ଥାରେ ଉଠିପଡ଼ି ଶୂନ୍ୟ ଶେଯରେ ଆକୁଳ ଭାବରେ ଚାରିଆଡ଼େ ବ୍ୟସ୍ତ ହୋଇ ଅଣ୍ଡାଳିବାରେ ଲାଗନ୍ତି । ସେଇ ଅନୁଭୂତିର ଚିତ୍ର ରହିଛି ନିମ୍ନଲିଖିତ ଧାଡ଼ି କେତୋଟିରେ-

 

“ସହସା ତନ୍ଦ୍ରା ଉନ୍ମୀଳ ଆଖି

ଖୋଜିଲା କାହାର ମୁହଁ,

ଶୂନ୍ୟ ଶେଯେ କା ପରଶ ଲୋଡ଼ିଲା ଦିହ ।”

 

ଏଇ ବିଚ୍ଛେଦ-ଜନିତ କାତରତା ଅନ୍ୟ କବିତାରେ ଅନ୍ୟ ରୂପ ନେଇଛି । ‘ପ୍ରିୟବାଣୀ’ କବିତାଗୁଚ୍ଛରେ ସେ ଲେଖିଛନ୍ତି-

 

“ଭୋଓରୁ ସପନେ ଚମକ ଲାଗିଲା

ତୁମେ ଯିବ ପରବାସ

ମଉଳି ପଡ଼ିଲା ପାଂଶୁଳ ଅଧରେ

ସହସା କରୁଣ ହାସ ।

+ + +

ତୁମେ ସିନା ଗଲ ସ୍ମୃତିକୁ କେବଳ

କରି ହେ ଗଣ୍ଠିଧନ

ପୋଷ୍ୟ ହରିଣୀଟି ପରି ତମ ପଛେ

ଗୋଡ଼ାଇଲା ମୋର ମନ ।”

 

କେତେବେଳେ ସେ ପ୍ରେମ ଅନ୍ତରର ଅନ୍ତରାଳରେ ପ୍ରଚ୍ଛନ୍ନ ହୋଇ ରହୁଥିଲା । ବାହାର ଦୁନିଆର ନାନା ଛନ୍ଦ ଓ ନାନା ସୁଗନ୍ଧରେ ଚହଟି ଉଠିବାର ପ୍ରୟାସରେ ନ ମାତି ନିଜ ଅନୁଭୂତିର ଗଭୀରତାରେ ହଜିଯାଉଥିଲା-

 

“ଆଖିର ଭାଷା ବୁଝିଲା ଆଖି

ମନର କଥା ମନ

ତରୁଣୀ ଲାଜେ ପଡ଼ିଲା ନଇଁ

ସଫଳ ଯଉବନ ।

ଅକ୍ଷମତା ବର୍ଣ୍ଣିବାରେ ଦରଦୀ ଶତକବି

ଶିଳ୍ପୀହାରେ ଆଙ୍କିବାରେ ଦୁର୍ଲଭ ସେ ଛବି ।”

(ଝରା ଶିଉଳି)

 

ଦାର୍ଶନିକ ଚେତନା :

‘ବନ୍ଦନିକା’ର ଗୋଟିଏ କବିତା ‘ନାରୀନର’ରେ ତାଙ୍କ ଦାର୍ଶନିକ ଚେତନାର ସ୍ୱରୂପ ଉଦ୍‌ଘାଟିତ ହୋଇଛି । ଯେଉଁ ନାରୀକୁ ସେ ଅତୀତରେ ଦ୍ୱୈତ ରୂପରେ ଦେଖିଥିଲେ, ଏଠାରେ ପୁରୁଷ ସହ ପ୍ରକୃତିର ମହନୀୟତା ଉପସ୍ଥାପନ କରେ । ସେ ବାଣୀ ହେଲେ ପୁରୁଷ ଭାବ । ସେ ଗନ୍ଧ ହେଲେ ପୁରୁଷ ଧୂପ । ସେ ପୁଷ୍ପ ହେଲେ ପୁରୁଷ ତା’ର ବାସ । ଦେହର ଶୋଣିତ ବା ବାୟୁର ସୁରଭି ପରି ଏମାନେ ଏକ ଓ ଅଭିନ୍ନ । ମାଟିର ଦୀପ ତାଙ୍କ ଆଖିରେ ବିଶ୍ୱସେବା ଓ ତ୍ୟାଗର ପ୍ରତୀକ । ସେ ନିଜର ପରିବେଶକୁ ଘନ ଅନ୍ଧାର ମଧ୍ୟରେ ରଖି ଆଲୋକ ଦିଏ । ମଣିଷ ସମାଜ ପ୍ରତି ଏହାର ଦାର୍ଶନିକତା ଉପଲବ୍‌ଧି କରାଯାଇପାରେ । ‘ମରୀଚିକା’ରେ ପ୍ରକାଶିତ ‘କାଳଧର୍ମ’, ‘ଧୂଳି’, ‘ମଶାଣି ସ୍ମୃତି’, ‘ଦୁର୍ଗା’, ‘ସୃଷ୍ଟିର ବୈଚିତ୍ର୍ୟ’ ଓ ‘କବିର ଭଗବାନ’ ଆଦି କେତୋଟି କବିତାରେ ଏହି କବିଙ୍କ ଗଭୀର ଓ ଗମ୍ଭୀର ଭାବପୂର୍ଣ୍ଣ ଅନ୍ତରର ସ୍ୱଚ୍ଛ ପରିପ୍ରକାଶ ପରିଲକ୍ଷିତ ହୁଏ । କବି ସେକ୍‌ସପିୟରଙ୍କ ‘Seven stages of man’ କବିତା ପରି ବିଦ୍ୟୁତ୍‌ପ୍ରଭାଙ୍କ ‘କାଳଧର୍ମ’ ଯଥାକ୍ରମେ ଜନ୍ମ, ଶୈଶବ, କୈଶୋର, ଯୌବନ ଓ ଜରାର ଏକ ଜୀବନଚକ୍ର ଉପସ୍ଥାପନ କରେ ।

 

ମାନବବାଦୀ ବେଦନାବୋଧ :

‘ଶିଉଳି ପଡ଼େ ଝରି’ ଓ ‘ଢେଉସ୍ମୃତି’ କବିତା ଦୁଇଟି ମାନବବାଦୀ କାବ୍ୟ ଚେତନାର ଶ୍ରେଷ୍ଠ ସାରସ୍ୱତ ପ୍ରତିନିଧି ଭାବେ ସ୍ୱୀକୃତି ହେବେ । ଏ କବିତା ଦୁଇଟିର କରୁଣ ଆବେଦନ ଭାଷା ଓ ଭାବର ରୁଚିପୂର୍ଣ୍ଣ ସଂଯତ ଚିତ୍ରଣ ଓ କାବ୍ୟ-ଉପଲବ୍ଧି ଅସାମାନ୍ୟ ପ୍ରତିଭାର ପରିଚୟ ବହନ କରେ-। ଲାଞ୍ଛନା, ବଞ୍ଚନା ପ୍ରପୀଡ଼ିତ ପଲ୍ଲୀ-ଜୀବନର ଦୁଇଟି ଅପାପବିଦ୍ଧ କୁସୁମକୋରକ ଅସମୟରେ ଝରି ପଡ଼ିଛନ୍ତି । ସେମାନଙ୍କର ଅପରାଧ ହେଉଛି, ସେମାନଙ୍କର କିଶୋରୀ ହୃଦୟର ସ୍ୱାଭାବିକ ଉନ୍ମୁଖ ପ୍ରଣୟ– ଯାହା ମନର ମଣିଷ ଉଦ୍ଦେଶ୍ୟରେ ନିବେଦିତ, କିନ୍ତୁ ସମାଜ ତାହା ଉଦାରତାରେ ଗ୍ରହଣ କରେ ନାହିଁ । ସମାଜ ଅନୁଶାସନ ଖଣ୍ଡାରେ ସେହି ସୁକୁମାର ମନକୁ ଲହୁ-ଲୁହାଣ କରିଦିଏ-। ସରଳା ପଲ୍ଲୀ-ବାଳିକା ଶିଉଳି ଶେଷକୁ ତା’ର ପ୍ରେମାସ୍ପଦ ଭାଇ ନିକଟକୁ ଚିଠି ଖଣ୍ଡେ ଲେଖି ଆତ୍ମହତ୍ୟା କରେ । ସେହିପରି ପିତୃମାତୃହୀନା ଦୀନା ନିରିମାଖୀ ଝିଅଟି ସହିତ ଧନୀ ସନ୍ତାନର ଗୋପନ ପ୍ରଣୟ ନିଷ୍ଠୁର ଅଭିଭାବକଙ୍କ କ୍ରୋଧରେ ପରିଣୟର ସୁଯୋଗରୁ ବଞ୍ଚିତ ହୋଇ ଅସହାୟ ଭାବରେ ଝଡ଼ିପଡ଼ିଚି । ସମାଜପତି ତା’ ବିରୁଦ୍ଧରେ ଚିତ୍କାର କରିଉଠିଛି :

 

“ଭ୍ରଷ୍ଟା ହରାଇ କୁଳ ଗୌରବ ମାନ

ଦାବୀ କରେ ପୁଣି ବଧୂର ସିଂହାସନ ?”

 

ଦୁର୍ନାମର ଏଇ କଣ୍ଟାବାଡ଼କୁ ଅତିକ୍ରମ କରି ନ ପାରି ଶେଷକୁ ବାଧ୍ୟ ହୋଇ ସେ ନଦୀ ଗର୍ଭରେ ଝାସ ଦିଏ ।

 

ପଲ୍ଲୀର ଅଗଣିତ ଦୁର୍ଭାଗ୍ୟର ଚିତ୍ରକାର କବି ଆଖିରୁ ନିଃସ୍ୱ କୁଲିର ଦୁର୍ଗତି ବାଦ୍ ଯାଇ ନାହିଁ । ସେ କୁଲି । ଜୀବନଟା ତା’ର ପାଦଦଳା ଘାସ ପରି ଅପାଙ୍‌କ୍ତେୟ । ଯାତ୍ରୀଙ୍କର ବୋଝ ବହି ବହି ଜୀବନ ତା’ର କଟିଯାଏ । ଶ୍ରମକ୍ଲାନ୍ତ ଦେହ ପାଇଁ ସେ ନିଶା ଓ ପାନୀୟ ଲୋଡ଼େ । ଟ୍ରେନର ଶବ୍ଦ ଶୁଣି ସେ ନିଦ ମଳମଳ ହୋଇ ଧାଇଁଆସେ । ଯେତିକି ସେ ମଜୁରୀ ପାଏ, ସେତିକିରେ ତାର ପେଟ ପୁରେ ନାହିଁ । ସେ ଦାରିଦ୍ର୍ୟର ବିକଟ ଉପହାସ ମାତ୍ର । ତେଣୁ ଏକ ଉଦାସ ବନପକ୍ଷୀ ପରି ତା’ର ପ୍ରାଣ ଛଟପଟ ହେଉଥାଏ । ସୃଷ୍ଟିର ଏହି ଅମୃତର ସନ୍ତାନମାନଙ୍କ ପାଇଁ କବି ପ୍ରାଣର ସହାନୁଭୂତି କ୍ରମେ ସମାଜ-ଅର୍ଥନୀତିକ ବ୍ୟବସ୍ଥାର ବିଷମ ବୃତ୍ତ ଭେଦ କରି ମାନସିକ ବିକ୍ଷୋଭର ସ୍ୱର ପ୍ରକାଶ ପାଇଛି । ଏସବୁ କବିତାରେ କବିଙ୍କ ସାମାଜିକ ଆଭିମୁଖ୍ୟଟି ସ୍ପଷ୍ଟ ହୋଇଥିଲେ ମଧ୍ୟ ଏହା ଉଗ୍ର ଓ ଶାଣିତ ନୁହେଁ । ଏହି ଅର୍ଥନୀତିକ ବିଭେଦର ଚିନ୍ତା ତାଙ୍କର ପରବର୍ତ୍ତୀ କେତୋଟି କବିତା ମଧ୍ୟରୁ ‘ତୁମେ ତ ମଣିଷ ଆମେ ବି ମଣିଷ ଭାଇ’, ‘ମାଟିର ମଣିଷ’ ଓ ‘ନିଧି ମଳିକ’ରେ ତାଙ୍କ ପରିଚିତ ମ୍ରିୟମାଣ ସ୍ୱରଠାରୁ ପାଦେ ଅଧିକା ହୋଇଥିଲେ ମଧ୍ୟ ତାହା ତଥାପି ଉଗ୍ର ନୁହେଁ । ଅତ୍ୟାଚାରିତ ସପକ୍ଷରେ ଶୋଷକ ଧନୀ ସମାଜକୁ ସେ କହିଥିଲେ–

 

“ତୁମେ ତ ମଣିଷ ଆମେ ବି ମଣିଷ ଭାଇ

ଏଥିରେ ତ ଆଉ ସନ୍ଦେହ ତିଳେ ନାହିଁ

+ + +

ତୁମ ପରି ଆମେ ଏଇ ଦେଶେ ହୋଇ ଜାତ

ଦିନେ ବି ନ ପାଉଁ ପେଟ ଭରି ମୁଠେ ଭାତ ।”

(ମରୀଚିକା- ତୁମେ ତ ମଣିଷ ଆମେ ବି ମଣିଷ ଭାଇ)

 

‘ମରୀଚିକା’ର ସାମଗ୍ରିକ କାବ୍ୟଭାବନା ଏକ ଜୀବନ ମରୀଚିକାର ଧୂସର ଓ ମଳିନ ଚେତନା ଉପରେ ସଂଗଠିତ । “କବି ଜୀବନର ଗତାନୁଗତିକ ଅଳସ ଭାବହିଲ୍ଲୋଳ ଓ ସ୍ତାବକତା ନ କରି ଶୁଣାଇଛନ୍ତି ଦୁଃଖ, ମମତା ଓ ବ୍ୟଥାର ଗୌରବ । ଜଗତର ବିଳାସ ଆମୋଦରେ ମଜ୍ଜି ନ ଯାଇ ତାଙ୍କ ହୃଦୟ ବିଭୋର ହୋଇଛି ସମ୍ୱେଦନଶୀଳତାରେ; ଢଳି ପଡ଼ିଛି ଦୁନିଆର ଦୁଃଖ, ବ୍ୟଥା, ଅଭାବ, ଅନୁତାପ ଓ ଅଶ୍ରୁ ଆଡ଼କୁ । ତେଣୁ ସେ ପ୍ରଥମେ ଈଶ୍ଵରଙ୍କୁ ଅର୍ଘ୍ୟ ଦେଇଛନ୍ତି ମନର ବିକ୍ଷୋଭ । ସ୍ୱର୍ଗ ପ୍ରତି ବିମୁଗ୍ଧ ନ ହୋଇ ଚାହିଁଛନ୍ତି ଏଇ ଧରିତ୍ରୀ, ଏଇ ପ୍ରକୃତି, ଏଇ ମଣିଷ ସଂସାରକୁ ।” ଏହି ମାନସିକ ବିକ୍ଷୋଭ ‘କଲିକତା କୁଲି', ‘ପଲ୍ଲୀ ଓ ନଗର’ ଆଦି କେତୋଟି କବିତାରେ ସେ ପଲ୍ଲୀର ରୂପକାର ଭାବେ ସହରର ନବ ନିର୍ମାଣମୁଖୀ ଶିଳ୍ପୀକରଣକୁ ଅତିମାତ୍ରାରେ ଆକ୍ଷେପ କରିଛନ୍ତି । ସେହିପରି ‘କିରାନୀ ବୋହୂ’ କବିତାରେ ଏକ ଦୁଃସ୍ଥ ସ୍ୱଳ୍ପଆୟ ସମ୍ପନ୍ନ କିରାନି ପରିବାରର ଦୁର୍ଗତି ମଧ୍ୟ ପ୍ରକାଶ ପାଇଛି । ଏହି କବିତା କେତୋଟିରେ ତାଙ୍କ କାବ୍ୟାନୁଚିନ୍ତାର ବୈପ୍ଳବିକ ମାନବବାଦୀ ଧାରା ପ୍ରକଟିତ ହୋଇଥିଲେ ମଧ୍ୟ ଶ୍ରୀମତୀ ବିଦ୍ୟୁତ୍‌ପ୍ରଭାଙ୍କ ପରିଚୟ ଏହି ଚେତନା ଭିତରୁ ମିଳେ ନାହିଁ । ଅତି ଦ୍ରୁତ ଭାବରେ ସେ ପଲ୍ଲୀର ହସ-କାନ୍ଦ, ସୁଖ-ଦୁଃଖ ନିବିଡ଼ ଆସ୍ୱାଦପୂର୍ଣ୍ଣ ଜୀବନ ଭିତରକୁ ପଳାୟନ କରନ୍ତି; ଯାହାକି ତାଙ୍କ କାବ୍ୟାନୁଚିନ୍ତାର ପ୍ରଧାନତମ ବିଭବ ଭାବେ ପରିଗଣିତ ହୋଇପାରେ ।

 

ଶେଷକଥା :

କବି ବିଦ୍ୟୁତ୍‌ପ୍ରଭା ୧୯୪୬-୪୭ଠାରୁ ୧୯୫୬-୫୭ ପର୍ଯ୍ୟନ୍ତ ମାତ୍ର ଦଶବର୍ଷର ସାଧନା ମଧ୍ୟରେ ଓଡ଼ିଆ ସାହିତ୍ୟର ମରମୀ କାବ୍ୟ ପାଠକଙ୍କ ମନରେ ଏକ ନିରୂପିତ ଆସନ ଯେ ଗ୍ରହଣ କରିପାରିଛନ୍ତି ଏଥିରେ ସନ୍ଦେହ ନାହିଁ । ତାଙ୍କ କବିତା ବୁଦ୍ଧିବାଦ ଦ୍ଵାରା ଆକ୍ରାନ୍ତ ନୁହେଁ- ତେଣୁ ସରଳ, ସ୍ୱଚ୍ଛ, ନିରାଭରଣ କାବ୍ୟ ପଙ୍‌କ୍ତିମାନଙ୍କରେ ରାଶି ରାଶି ଗ୍ରାମ୍ୟଚିତ୍ର ଓ ବାସ୍ତବବାଦୀ ଭାବନାକୁ ଉତ୍‌ଥାପନ କରି ଶ୍ରୀମତୀ ବିଦ୍ୟୁତ୍‌ପ୍ରଭା ଯେ ହଠାତ୍ ନିର୍ବାକ୍ ହୋଇଗଲେ, ଓଡ଼ିଆ ସାହିତ୍ୟ ପାଇଁ ଏହା ଏକ କଳ୍ପନାତୀତ କ୍ଷତି ବୋଲି କହିବାକୁ ହେବ ।

 

 

ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗ

ଚାନ୍ଦବାଲି କଲେଜ, ଭଦ୍ରକ

ପିନ୍-୭୫୬୧୩୩

 

ସହାୟକ ଗ୍ରନ୍ଥସୂଚୀ :

୧.

ରାୟ, ସୁଧାଂଶୁ ଶେଖର । କବି ବିଦ୍ୟୁତ୍‌ପ୍ରଭା : ଜୀବନୀ ଓ ସାରସ୍ଵତ କୃତି । ଭୁବନେଶ୍ୱର, ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୯୯ ।

୨.

ଶତପଥୀ, ନିତ୍ୟାନନ୍ଦ । ସବୁଜରୁ ସାମ୍ପ୍ରତିକ । କଟକ, ଗ୍ରନ୍ଥ ମନ୍ଦିର, ୧୯୯୯, ପୃ ୩୯୬-୪୧୦ ।

 

***

 

Unknown

କମଳାକାନ୍ତଙ୍କ କଥାସାହିତ୍ୟରେ ଭାଷା ଓ ଶିଳ୍ପଚାତୁରୀ

ଡକ୍ଟର ଦିବାକର ମାନସିଂହ

 

କଳାକୃତିର ଆବେଦନ ଭାଷା ଓ ଶୈଳୀ । ତେଣୁ କୁହାଯାଏ, ‘Poetry is not a thing said but way of saying it’. ଅର୍ଥାତ୍ କବିତାରେ କ’ଣ କୁହାଯାଏ ତାହା ଗୁରୁତ୍ଵପୂର୍ଣ୍ଣ ନୁହେଁ । ବୈଶିଷ୍ଟ୍ୟପୂର୍ଣ୍ଣ ହେଉଚି- କିପରି କୁହାଯାଇଛି । ବସ୍ତୁତଃ କୁହାଯାଇଥିବା ରୀତି ହେଉଚି ଶିଳ୍ପୀର ଶିଳ୍ପ ଚାତୁରୀ ବା ଶୈଳୀ । କଳା ମାତ୍ରକେ କେବଳ ଭାବବିଳାସ ନୁହେଁ- ବାକ୍ ବିଳାସ ମଧ୍ୟ । ବାକ୍ ତ ସହିତ ଅର୍ଥର ସଂପୃକ୍ତ କଳାକୁ ଉଚ୍ଚକୋଟୀର କରିଥାଏ । ତେଣୁ କୁହାଯାଇଛି-

“ବାଗର୍ଥ ଇବ ସଂପୃକ୍ତୋ ବାଗାର୍ଥ ପ୍ରତି ପ୍ରତୟେ

ଜଗତଃ ପିତରୌ ବନ୍ଦେ ପାର୍ବତୀ ପରମେଶ୍ୱରୌ ।” ।୧।

 

ଶବ୍ଦ ଓ ଅର୍ଥର ସମ୍ପର୍କର ପାର୍ବତୀ ଓ ଶିବଙ୍କ ଭଳି ଏକାଙ୍ଗ । ପ୍ରାଚୀନ ଆଳଙ୍କାରିକ ଦଣ୍ଡି ମଧ୍ୟ ଉଲ୍ଲେଖ କରିଥିଲେ-

 

‘ବାଚାନେବ ପ୍ରସାଦେନ ଲୋକଯାତ୍ରା ପ୍ରବର୍ତ୍ତତେ ।’

 

ଅର୍ଥାତ୍ ଲୋକଯାତ୍ରାର ମହନୀୟତା ଭାଷା ପ୍ରସାଦରୁ ଉତ୍କୃଷ୍ଟ ହୋଇଥାଏ । ଏଣୁ ସାହିତ୍ୟିକର କଳା ମୂଲ୍ୟ ନିର୍ଦ୍ଧାରଣରେ ଭାଷା ଉପଯୋଗିତା କାଳ କାଳ ଧରି ସ୍ୱୀକୃତ । ବକ୍ତ୍ରୋକ୍ତି ବାଦଲ ପ୍ରବକ୍ତା କୁନ୍ତକ ମଧ୍ୟ ପୂର୍ବାନୁରୂପ ଅଭିଯୋଗ କରିଯାଇଛନ୍ତି । ତେଣୁ କଳାକାର ମାତ୍ରକେ ଭାଷାର କାରିଗର । ଏହି କୌଶଳ ଭିତରେ ତାଙ୍କର ମାନ ନିରୂପିତ ହୁଏ । କୁହାଯାଏ- 'Style is the man' ଅର୍ଥାତ୍ ଶୈଳୀ ହେଉଚି ଶିଳ୍ପୀର ବ୍ୟକ୍ତିତ୍ୱ । ଶୈଳୀ ମାତ୍ରକେ କେବଳ ଭାଷା ସଂସ୍ଥାନ ରୀତି ନୁହେଁ । ଏହା ସହିତ ସଂପୃକ୍ତ ଥାଏ କଳାକାରର ଜୀବନ ଓ ଜଗତର ଅନୁଶୀଳନ ।

 

ଉପନ୍ୟାସ, ଜୀବନର ମହାକାବ୍ୟ । ଜୀବନର ନୂତନତ୍ୱରେ ଏହା ବିଶ୍ୱାସୀ । ମାତ୍ର ପୁରାତନକୁ ଏହା ପରିତ୍ୟାଗ କରିପାରେ ନାହିଁ । ପୁରାତନର ପୃଷ୍ଠଭୂମି ଉପରେ ନୂତନତ୍ୱ ଜନ୍ମ ନିଏ-। ଉପନ୍ୟାସ ସମାଜ ଓ ବ୍ୟକ୍ତିର ସଂଗ୍ରାମର ସାଧନା ଭୂମିରୁ ନୂତନ ବିଭୂତିର ଆତ୍ମପ୍ରସାଦ ଆଣିଦିଏ-। ତେଣୁ ଉପନ୍ୟାସ ଏକ ପ୍ରବହମାନ ଜୀବନଧର୍ମୀ କଳା ଠିକ୍ ମଣିଷ ପରି ।’ ଏ ସମ୍ପର୍କରେ କାଳିନ୍ଦୀ ଚରଣ ପାଣିଗ୍ରାହୀ କହନ୍ତି-

 

“ଆଧୁନିକ ସାହିତ୍ୟର ଗଣତାନ୍ତ୍ରିକତା ଏହାର ଭାଷା ଓ ଭାବନାକୁ ଯେପରି ସୁବୋଧ୍ୟ ସରଳ କରିଦେଇଅଛି, ଏହାର ଚରିତ୍ରଗୁଡ଼ିକୁ ମଧ୍ୟ ସେହିପରି ଦେବତା କିମ୍ୱା ଦାନବ ନ କରି ସାଧାରଣ ମାନବ ରୂପରେ ଚିତ୍ରିତ କରିଅଛି । + + + ଆମ୍ଭେମାନେ ଘରେ ବାହାରେ, ପଥରେ ଘାଟରେ ଯେପରି ବ୍ୟବହାର କରୁ ଯେଉଁ କଥା କହୁ ତାହା ହିଁ ଆଜି ଉପନ୍ୟାସ ଓ ନାଟକର ଚରିତ୍ର ମୁଖରେ ଦେଖିବାକୁ ମିଳେ ।”

 

କମଳାକାନ୍ତଙ୍କ ସମସ୍ତ ଗଳ୍ପ ଓ ଉପନ୍ୟାସ ନିବିଡ଼ ଜୀବନାନୁଭୂତିର ସାହିତ୍ୟିକ ରୂପଚିତ୍ର ମାତ୍ର । ପ୍ରତ୍ୟେକ ଚରିତ୍ର ଓ ଘଟଣା ସହିତ ଶିଳ୍ପୀ କମଳାକାନ୍ତଙ୍କର ନିବିଡ଼ ଭାବରେ ସମ୍ପର୍କ ଥିବାରୁ ତାଙ୍କ ସୃଷ୍ଟି ଏତେ ମନଛୁଆଁ ହୋଇପାରିଛି । କର୍ତ୍ତବ୍ୟର ତାଡ଼ନାରେ ସେ ଯେଉଁଠିକି ଯାଇଛନ୍ତି ସେଠାକାର ପରିବେଶ ସହିଜ ନିଜକୁ ନିର୍ବିକାର ଭାବେ ମିଶାଇ ଦେଇଛନ୍ତି । ସେମାନଙ୍କ ଚାଲିଚଳନ କଥାବାର୍ତ୍ତା ଆଦିକୁ ତାଙ୍କ ଲେଖନୀରେ ରୂପ ଦେଇଛନ୍ତି । ସମାଜର ପ୍ରତ୍ୟେକ ଶ୍ରେଣୀର ଚରିତ୍ରମାନଙ୍କ ସହିତ ସେ ନିର୍ବିକାର ଭାବେ ମିଶିଛନ୍ତି । ଉଚ୍ଚନୀଚ ଛୁଆଁ ଅଛୁଆଁ ଏସବୁକୁ ସେ ଗୁରୁତ୍ୱ ଦେଇ ନାହାଁନ୍ତି । ତାଙ୍କ ଆଖିରେ ସବୁ ଚରିତ୍ର ସମାନ । ମଣିଷ ହୋଇ ମଣିଷକୁ ଶ୍ରଦ୍ଧା କରୁ, ମମତାରେ ବାନ୍ଧି ଦେଉ, ମଣିଷ ହୋଇ ଅସଲ ମଣିଷପଣିଆକୁ ସେ ସମ୍ମାନ ଦେଉ । ଏହା ହିଁ ସେ ତାଙ୍କ ସୃଷ୍ଟିରେ ଚିତ୍ରିତ କରିଛନ୍ତି । ଚରିତ୍ରମାନଙ୍କଠାରୁ ସେ ଦୂରେଇ ନ ଯାଇ ସେମାନଙ୍କ ସୁଖଦୁଃଖ ସହିତ ନିଜକୁ ହଜାଇ ଦେଇ ନିଜେ ନିଜେ ଚରିତ୍ର ହୋଇଯାଇଛନ୍ତି । ସେଇଥିପାଇଁ ନାରୀଚରିତ୍ର ହେଉ କି ପୁରୁଷ ଚରିତ୍ର ହେଉ ପାଠକମାନଙ୍କ ନିକଟରେ ଅତି ଆପଣାର ହୋଇପାରିଛନ୍ତି । ସତେ ଯେପରି ତାଙ୍କର ଅଧିକାଂଶ ଚରିତ୍ର ବାସ୍ତବତାର ପଟ୍ଟଭୂମି ଉପରେ ରଚିତ ହୋଇଥିବା ଭଳି ମନେହୁଏ । ଯେପରି ଗୋପୀନାଥ ମହାନ୍ତି ଚରିତ୍ରମାନଙ୍କ ସହିତ ମିଶି ସୃଷ୍ଟିରେ ସେମାନଙ୍କୁ ବାସ୍ତବ ଭାବେ ରୂପାୟିତ କରିଛନ୍ତି । ଗୋପୀନାଥଙ୍କ ଭାଷାରେ–

 

“ନା, ବରଂ ତଳିଆ ଲୋକଙ୍କ ସହିତ ମିଶି ମୋର ଆଖି ଖୋଲିଗଲା । ମଣିଷର ଆତ୍ମା ସହିତ ପରିଚିତ ହେଲି । ଭାରତ ତଥା ଓଡ଼ିଶା ମାଟିରେ ବୁନିଆଦିକୁ ଚିହ୍ନିଲି । ପ୍ରକୃତି ଓ ତା’ର ସନ୍ତାନର ଭାଷା ସହିତ ମୋର ଭାଷା ମିଶିଗଲା ।”

 

ସେହିପରି କମଳାକାନ୍ତ କେବଳ ତଳିଆ ଶ୍ରେଣୀ କାହିଁକି ସବୁ ଶ୍ରେଣୀର ଚରିତ୍ରମାନଙ୍କ ସହିତ ମିଶି ସେମାନଙ୍କ ଭାଷା ସହିତ ନିଜକୁ ସାମିଲ କରିଦେଇ ତାକୁ ନିଜ ସୃଷ୍ଟିରେ ସ୍ଥାନ ଦେଇଛନ୍ତି । ସେମାନଙ୍କ ଜୀବନ ଓ ଜୀବିକା ସହିତ ନିଜକୁ ନିବିଡ଼ ଭାବରେ ମିଶାଇ ଦେଇ ବାସ୍ତବ ଭାବେ ତାକୁ ରୂପାୟିତ କରିଛନ୍ତି । ନିରୋଳା ଓଡ଼ିଆ କଥିତ ଭାଷା ପ୍ରଚଳନ କରିବା ଦିଗରେ କମଳାକାନ୍ତ ଥିଲେ ସିଦ୍ଧହସ୍ତ । କମଳାକାନ୍ତଙ୍କ ଭାଷା ଓ ରଚନାଶୈଳୀ ଗୋପୀନାଥ ମହାନ୍ତି ଓ କାହ୍ନୁ ଚରଣଙ୍କ ସମକକ୍ଷ ନ ହେଲେ ବି ସେମାନଙ୍କ ସୀମାରେଖା ସ୍ପର୍ଶ କରିଥିବା ଭଳି ମନେହୁଏ ।

 

କଥାସାହିତ୍ୟରେ ଶିଳ୍ପକଳାର ଆବଶ୍ୟକତା :

ଶିଳ୍ପକଳା ମାଧ୍ୟମରେ ଶିଳ୍ପୀ ନିଜର ପରିଚୟ ଦେଇଥାଏ । ତେଣୁ କୁହାଯାଇଛି- “Technique is thus indentified with the artist's self, it is the artistic- personality.” ଶିଳ୍ପୀ ତାର ଶିଳ୍ପକଳାରେ ନିଜର ସ୍ଵାତନ୍ତ୍ର୍ୟ ବଜାୟ ରଖେ । ଏପରିକି ସଫଳ ସ୍ରଷ୍ଟା ହାତରେ ଶିଳ୍ପକଳା ନୂଆ ଶୈଳୀ ଓ ଧାରା ମଧ୍ୟ ପ୍ରବର୍ତ୍ତନ କରେ । ସ୍ରଷ୍ଟାର ଶିଳ୍ପକଳା ଯେତେ ଉନ୍ନତ ଓ ଉଚ୍ଚକୋଟୀର ହୋଇପାରେ ସେ ସ୍ରଷ୍ଟା ସେତେ କାଳଜୟୀ ହୋଇପାରେ ।

 

ଲେଖକ ନିଜର ଅଭିବ୍ୟକ୍ତିକୁ ଶିଳ୍ପକଳା ସାହାଯ୍ୟରେ ପ୍ରକାଶ କରିଥାଏ । ପ୍ରତ୍ୟେକ ଔପନ୍ୟାସିକ ନିଜ ନିଜର ସୃଷ୍ଟିକୁ କିପରି ସଫଳ ରୂପାୟନ କରିପାରିବେ ସେଥିପ୍ରତି ସେମାନେ ବିଶେଷ ଭାବରେ ଯତ୍ନଶୀଳ ହୋଇଥାନ୍ତି । ଉପନ୍ୟାସରେ ଔପନ୍ୟାସିକ ଏକାଙ୍ଗ ଚକ୍ରବର୍ତ୍ତୀ । ସେ ଯେପରି ଚାହେଁ ସେହିପରି ସୃଷ୍ଟିକୁ ଜନ୍ମ ଦିଏ । ଲେଖକ ମଣିଷ ଜୀବନର ସମସ୍ତ ଘଟଣାକୁ ସ୍ଥାନ ନ ଦେଇ ଜୀବନର ଆଭିମୁଖ୍ୟକୁ ପ୍ରତିପାଦିତ କରିପାରୁଥିଲା । ଚରିତ୍ର ଓ ଘଟଣା: କିପରି ପାଠକ ନିକଟରେ ଜୀବନ୍ତ ଭାବେ ଫୁଟିଉଠିବ ସେଥିପାଇଁ ଔପନ୍ୟାସିକ ସତର୍କ ଦୃଷ୍ଟି ରଖିଥାଏ ।

 

ଶିଳ୍ପୀସତ୍ତା ଜୀବନ୍ତ ହୁଏ ଉନ୍ନତ ଶିଳ୍ପକଳାରେ । ଉପନ୍ୟାସରେ ଆଙ୍ଗିକ ଓ ଆତ୍ମିକ ରୂପ ପରିପୁଷ୍ଟ ହୋଇପାରିଲେ ଏଥିରେ ବର୍ଣ୍ଣିତ ସମସ୍ତ ଘଟଣା ପାଠକ ସମ୍ମୁଖରେ ବାସ୍ତବ ରୂପରେଖ ଘେନି ଭାସ୍ୱର ହୁଏ ଏବଂ ଏହା ଉନ୍ନତ୍ତ ଶିଳ୍ପକଳାର ପରିଚୟ ଦେଇଥାଏ । ସମାଲୋଚକଙ୍କ ମତରେ-

 

“The best form is that which makes the most of its subjects- there is no other definition of the meaning of form in fiction. x x x the book is which the form express all matter.”

 

ଶିଳ୍ପକଳା ହିଁ ଲେଖକ ପାଇଁ ଏକ ମାଧ୍ୟମ ବୋଲି ଧରିନିଆଯାଏ ।

 

X x x “ଉପନ୍ୟାସ ପଢ଼ି ଆମର ମନେହୁଏନା ଯେ, ଉପନ୍ୟାସ ବର୍ଣ୍ଣିତ ଚରିତ୍ରମାନେ ପରସ୍ପର ସମ୍ପର୍କରେ ସମସ୍ତ ଜଟିଳତା, ବିଚିତ୍ର ବହୁମୁଖୀନତା ଆମର ଆୟତାଧୀନ ହୋଇଛି, ସେମାନଙ୍କର ପରସ୍ପର ସଂଘାତରେ ଯେଉଁ କିଛି ରସ ଘନୀଭୂତ ହୋଇଉଠିଛି, ସମସ୍ତଙ୍କୁ ଆମେ ଶୋଷି ନେଇଛେ । ଜୀବନର ଖଣ୍ଡାଂଶ ଉପନ୍ୟାସର ବୃହତ୍ତର ଐକ୍ୟ ମଧ୍ୟରେ ସମଗ୍ର ଭାବରେ ଆମେ ନିକଟରେ ପ୍ରତିଭାତ ହୁଏ ।” ସଫଳ ଲେଖକ ବୃହତ୍ତର ଐକ୍ୟକୁ ଉନ୍ନତ ଶିଳ୍ପକଳା ମାଧ୍ୟମରେ ପ୍ରକାଶ କରେ ।

 

ଶିଳ୍ପକଳାର ଟେକ୍‌ନିକ୍ ସମ୍ପର୍କରେ ପ୍ଲାଟୋ କହନ୍ତି- “The affairs of craftsmanship (to praymetatechniaca) that the body of knowledge, that skill which comes into play when an artist finds himself with materials and a purpose.”

 

ଉପନ୍ୟାସରେ ଲେଖକର ଅନୁଭୂତି ଓ ଅନ୍ୱେଷଣ ରହିଥାଏ । ଉନ୍ନତ କଥାବସ୍ତୁ ଲେଖକଙ୍କ ଆଭିମୁଖ୍ୟକୁ ପରିମାର୍ଜିତ କରେ । ଶିଳ୍ପକଳା ମାଧ୍ୟମରେ ଲେଖକଙ୍କର ସୃଷ୍ଟି ସହିତ ପାଠକ ପରିଚିତ ହୋଇପାରେ । ସେଥିପାଇଁ କୁହାଯାଇଛି- “Technique is a way to lucidity. It is a study of the thinking process of the writer, which of course explains its unpopularrity. The reward is ability to think clearly althrough in spired.”

 

ଜୀବନର ବାସ୍ତବତାକୁ ଔପନ୍ୟାସିକ ଆବିଷ୍କାର କରିବା ସର୍ବାଦୌ ବାଞ୍ଛନୀୟ । ଜୀବନର ସୌନ୍ଦର୍ଯ୍ୟକୁ ଉପନ୍ୟାସର କଳା କୁଶଳତା କିପରି ଉନ୍ମୋଚନ କରିପାରିଛି ତାହା ହିଁ ଏଥିରେ ଅନୁଭବ କରାଯାଇଥାଏ । ଜୀବନର ରୁକ୍ଷ ବାସ୍ତବତାକୁ ଯଦି ଔପନ୍ୟାସିକ ଠିକ୍ ଭାବେ ଅନୁଭବ କରିଥାଏ ତେବେ ତାହା ଶିଳ୍ପକଳା ମାଧ୍ୟମରେ ପ୍ରକାଶ ହୋଇପାରେ । ଜୀବନକୁ ଯିଏ ଠିକ୍ ଭାବେ ବୁଝି ନାହିଁ- ଅନୁଭବ କରି ନାହିଁ ତେବେ ତାର ଶିଳ୍ପକଳା ଜରିଆରେ ସେ ନିଜକୁ ପ୍ରକାଶ କରିପାରେନା । ସାହିତ୍ୟ ସାଧନା ଏକ ନିଷ୍ଠାପର ଶିଳ୍ପକଳା । ଯିଏ ନିଷ୍ଠାର ସହିତ ଏହାକୁ ସାଧନା କରେ ତାହାର ସୃଷ୍ଟି କାଳଜୟୀ ହୋଇପାରେ ।

 

ଗଳ୍ପ ବା ଉପନ୍ୟାସ ଶିଳ୍ପୀମାନସର ଲଳିତ ପ୍ରକାଶ ମାତ୍ର । ପ୍ରକାଶନ ରୀତିରେ ଭାଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କମଳାକାନ୍ତଙ୍କ ସୃଷ୍ଟିରେ ଓଡ଼ିଆ ଭାଷାର ପ୍ରଭୂତ ବିଳାସକୁ ଲକ୍ଷ୍ୟ କରିହୁଏ । ତନ୍ମଧ୍ୟରେ ଓଡ଼ିଆ ଚଳଣି, ସଂସ୍କୃତି ଓ ଜୀବନଧାରା ସହ ଅନ୍ୱିତ ଥିବା ପ୍ରତୀକମୟୀ ଢମଢ଼ମାଳି, ଲୋକୋକ୍ତି, ପ୍ରବଚନ ତଥା ନୀତି ଆଖ୍ୟାନ ସମ୍ୱଳିତ ଶ୍ଳୋକର ବ୍ୟବହାର କରାଯାଇଛି । ଓଡ଼ିଆ ଭାଷା ସାହିତ୍ୟରେ କମଳାକାନ୍ତ ନିଜର ସ୍ୱାତନ୍ତ୍ର୍ୟ ପ୍ରତିପାଦନ କରିପାରିଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କର ଉପନ୍ୟାସ ଓ ଗଳ୍ପ ଏଠାରେ ବିଚାର୍ଯ୍ୟ ।

 

କମଳାକାନ୍ତଙ୍କ କଥା ସାହିତ୍ୟରେ ଭାଷା : (କାବ୍ୟିକ ଦୃଷ୍ଟିକୋଣ)

କମଳାକାନ୍ତଙ୍କ କେତେକ ସୃଷ୍ଟିରେ କବିର ଦୃଷ୍ଟିକୋଣ ପରିଲକ୍ଷିତ ହୋଇଥାଏ । କବିର ଦୃଷ୍ଟିକୋଣ କହିଲେ ବୁଝିବାକୁ ହୁଏ କବିର ଶିଳ୍ପୀସତ୍ତାର ଆତ୍ମପ୍ରକାଶ କରୁଥିବା ଲାଳିତ୍ୟ ଓ ସୁକୋମଳ ଭାବ । ଏଥିରୁ ରଚୟିତାର ଜୀବନ ଓ ଜଗତ ପ୍ରତି ଅନାସକ୍ତ ଦୃଷ୍ଟି ବାରିହୋଇପଡ଼େ । କିନ୍ତୁ ବାସ୍ତବ ଦୃଷ୍ଟିକୋଣରୁ ଔପନ୍ୟାସିକ ସମାଜ ଓ ଜୀବନର ଚିତ୍ର ଉପସ୍ଥାପିତ କରେ । ବ୍ୟକ୍ତିର ସମ୍ପର୍କକୁ ବସ୍ତୁ ଜଗତ ସମ୍ପର୍କ ସହିତ ଲେଖକ ଅଧିକ ପ୍ରାଧାନ୍ୟ ଦେଇଥାଏ । ଏହି ପରସ୍ପର ସମ୍ପର୍କର ଭିତ୍ତିଭୂମି ଉପରେ ଘଟଣା ଓ ଚରିତ୍ର ସେ ନିର୍ମାଣ କରିଥାଏ । ଚରିତ୍ରର କ୍ରିୟା ପ୍ରତିକ୍ରିୟାକୁ ଲେଖକ ସାମାଜିକ ଜୀବନ ସହିତ ଚିତ୍ରଣ କରି ପାଠକ ସମ୍ମୁଖରେ ଉପସ୍ଥାପିତ କରେ ।

 

କମଳାକାନ୍ତଙ୍କ ସୃଷ୍ଟିରେ କାବ୍ୟିକ ଦୃଷ୍ଟିକୋଣ ବିଶେଷ ଭାବେ ପରିପ୍ରକାଶିତ । ମଦ ପାଇଁ ଦରିଦ୍ର ହରିଜନ ପରିବାର କିପରି ସମୂଳେ ଧ୍ଵଂସ ପାଇଯାଇଛି ତାର ଚିତ୍ର କମଳାକାନ୍ତ ‘ମଦଭାଟି’ରେ ରୂପାୟିତ କରିଛନ୍ତି । ଦିନସାରା ଖଟି ଖଟି ଯାହା ଦିପଇସା ମଜୁରି ମିଳେ ସେତିକି ମଦଭାଟିରେ ବୁଝାଇ ଦେଇ ମଦ ନିଶାରେ ଫେରନ୍ତି ଅଧିକାଂଶ ହରିଜନ । ପିଲାଛୁଆ କ’ଣ ଖାଇବେ ସେଥିପାଇଁ ତାଙ୍କର ଦୃଷ୍ଟି ନଥାଏ । ଯେମିତି ପୁନିଆ ଓ ସୁରୁବାଲିର ପାରିବାରିକ ଜୀବନ ମଦ ପାଇଁ ଧ୍ୱଂସ ହୋଇଯାଇଛି । ମଦ ଖାଇ ମଦ ନିଶାରେ କିପରି ସେମାନେ ନାଚ ଗୀତ କରି ଜୀବନକୁ ଉପଭୋଗ କରନ୍ତି ତାର ଚିତ୍ରକୁ ଲେଖକ କାବ୍ୟିକ ଦୃଷ୍ଟିରେ ଦେଖିଛନ୍ତି ତାହା ଏହିପରି-

 

“ଚାଲିଚି ଗୀତ ଚାଲିଚି ପାଦ ଆଗକୁ, ନିଶା ଜୋର ଚଢ଼ିଯାଇଛି ମୁଣ୍ଡ ଉପରକୁ । ପେଟରେ ଦାନା ନାହିଁ । ପିଠିକି କନା ନାହିଁ- ପରବାଏ ନାହିଁ । ଆକାଶରେ ଚାନ୍ଦ ଉଠେ । ତାରା ଫୁଟେ । ଏଣେ ମଦ ଭାଟିରୁ ଲେଉଟାଣି ସ୍ତ୍ରୀ, ପୁରୁଷ, ଯୁଆନ ଭେଣ୍ଡିଆ ଟୋକା, ଟୋକି ସଭିଙ୍କର ଗୀତ ଲହରୀ ଛୁଟେ ।”

 

ଏସବୁ ଚିତ୍ର ସୃଷ୍ଟି ପଛରେ ଲେଖକଙ୍କର କାବ୍ୟିକ ଦୃଷ୍ଟିକୋଣ ନିହିତ ରହିଛି । ତେଣୁ ତାଙ୍କ ଉପନ୍ୟାସ ଆବେଗଧର୍ମୀ ହୋଇ ଗଦ୍ୟଧର୍ମକୁ ଭୁଲିଯାଇଛି । କାରଣ କମଳାକାନ୍ତ କେତେକ କବିତା ରଚନା କରି କାବ୍ୟିକ ଦୃଷ୍ଟିକୋଣକୁ ଗଦ୍ୟ ସୃଷ୍ଟିରେ ରୂପାୟିତ କରିଛନ୍ତି । ଗଦ୍ୟଧର୍ମୀ ନୂତନ କବିତାର ସ୍ୱରୂପ ବିଶ୍ଳେଷଣ କରିବାକୁ ଯାଇ କବି ସଚ୍ଚିଦାନନ୍ଦ ରାଉତରାୟ କହନ୍ତି-

 

“ପଦ୍ୟର ଆବେଗ ସଙ୍ଗେ ଗଦ୍ୟର ସୋଜା, ସରଳ ସାବଲୀଳ ପ୍ରକାଶର ସମିଶ୍ରଣ । ଏହା ହିଁ ହେଉଛି ଗଦ୍ୟଧର୍ମୀ ନୂତନ କବିତାର ବୈଶିଷ୍ଟ୍ୟ ଓ ଉପଯୋଗର ପ୍ରଧାନ ସେତୁ ।” ଏଇଥିପାଇଁ କମଳାକାନ୍ତଙ୍କର ଉପନ୍ୟାସ ପାଠକମାନଙ୍କର ହୃଦୟକୁ ଗଭୀର ଭାବେ ସ୍ପର୍ଶ କରେ ।

 

କମଳାକାନ୍ତଙ୍କ ସୃଷ୍ଟିରେ ପ୍ରକୃତି ଚିତ୍ରଣ ବର୍ଣ୍ଣନା କରିବାରେ କାବ୍ୟିକ ଦୃଷ୍ଟିକୋଣ ପରିଲକ୍ଷିତ ହୋଇଥାଏ । ପ୍ରକୃତି ସେ ଅନ୍ତର ଦେଇ ଭଲ ପାଇଥିଲେ । ପ୍ରକୃତିର ନୀରବ ଭାଷାରେ ସତେ ଯେପରି ସେ ଆତ୍ମହରା ହୋଇ ଉଠୁଥିଲେ । ପ୍ରକୃତି ସହିତ ନିବିଡ଼ ଭାବରେ ନିଜକୁ ମିଶାଇ ଦେଇ ତାର ଚିତ୍ରକୁ ବାସ୍ତବ ଭାବେ ତାଙ୍କ ସୃଷ୍ଟିରେ ରୂପାୟନ କରୁଥିଲେ । ସେ ଲେଖିଛନ୍ତି-

 

“ସୂର୍ଯ୍ୟ ବୁଡ଼ିଯାଇଛନ୍ତି । ଆକାଶଟା ଫଗୁଆ ଫଗୁଣର ବେଶ ଧରିଚି । ତଳେ ଅନନ୍ତ ସମୁଦ୍ରର ବିସ୍ତୃତି ଉପରେ ଅବିର ପାଣି ଢଳା ହୋଇଛି । ଦୂରରେ ଚକ୍ରବାଳରେଖା ଆକାଶ ଧରଣୀ ଏକାକାର ହେବାକୁ ଯାଉଛି । ଅଳ୍ପ ସମୟ ପରେ ସନ୍ଧ୍ୟା ଆସିଯିବ । କଳା ଶାଢ଼ୀ ଉପରେ ତାର ଫଗୁଣ ଜହ୍ନ ଉଙ୍କିମାରି ଆକାଶ ଉପରକୁ କୁଦି ପଡ଼ିବ ।”

 

ଉପରୋକ୍ତ ଚିତ୍ରଣରୁ ସ୍ପଷ୍ଟ ଜାଣିହୁଏ କମଳାକାନ୍ତ ଗଦ୍ୟରେ ମଧ୍ୟ କାବ୍ୟର ଉଚ୍ଛ୍ୱାସ ତୋଳିଛନ୍ତି । ତାହା ପ୍ରକୃତି ଚିତ୍ରଣରେ ହେଉ କି ନାରୀର ରୂପ ବର୍ଣ୍ଣନାରେ ହେଉ ଅଥବା ସ୍ୱାଭାବିକ ବର୍ଣ୍ଣନାରେ ହେଉ ତାଙ୍କର କାବ୍ୟିକ ଦୃଷ୍ଟିକୋଣ ସୃଷ୍ଟିର ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳିଥାଏ ।

 

କମଳାକାନ୍ତଙ୍କ କଥା ସାହିତ୍ୟରେ ଆଳଙ୍କାରିକତା :

କମଳାକାନ୍ତ ଗଳ୍ପ ଉପନ୍ୟାସରେ ବିଭିନ୍ନ ଆଳଙ୍କାରିକତାର ପ୍ରୟୋଗ କରି ପାଠକ ମନରେ ଆନନ୍ଦ ଆଣି ପାରିଛନ୍ତି । ପ୍ରତୀକ ଓ ଚିତ୍ରକଳ୍ପ ମାଧ୍ୟମରେ ଏହା ସୁଖପାଠ୍ୟ ହୋଇପାରିଛି-। କମଳାକାନ୍ତ ଦୃଷ୍ଟିକୋଣର ରୂପାୟନ ପାଇଁ ବର୍ଣ୍ଣନା ଅପେକ୍ଷା ପ୍ରତୀକାତ୍ମକ ପ୍ରୟୋଗ ଉପରେ ବେଶି ପ୍ରାଧାନ୍ୟ ଦେଇଥାନ୍ତି । ପ୍ରତୀକ ମାଧ୍ୟମରେ ଶିଳ୍ପୀ ନିଜକୁ ଠିକ୍ ଭାବେ ପ୍ରକାଶ କରିଥାଏ । “A symbol is a meaning bearing device. Its barest definition is something that stands for “represents something else”.

 

ପ୍ରତୀକର ଅନ୍ତଃରାଳରୁ ସ୍ରଷ୍ଟାର ଶିଳ୍ପୀରୂପ ବାରିହୁଏ । ଗୋପୀନାଥ ମହାନ୍ତି କହନ୍ତି- “ଗୋଟିଏ ଗୋଟିଏ ବେଳା ଆସେ ଯେତେବେଳେ ନିଜର ଅଜାଣତରେ ମଣିଷ ମନରେ ସୀମା ଭାଙ୍ଗିଯାଏ । କଳାଶକ୍ତି ନିଜକୁ ପ୍ରକାଶ କରିବସେ । ମଣିଷର ମନହୁଏ ବେଣୁଗୁଚ୍ଛ । ତାହାରି ଅବଲମ୍ବନରେ ଅସୀମର ବଇଁଶୀ ବାଜିଉଠେ । ସେ ସମୟର ମଣିଷ କାଳିସୀଲଗା ମଣିଷ । ତା’ ମନର ରୂପ ଶିଳ୍ପୀମନର ରୂପ ।”

 

ସ୍ରଷ୍ଟା ସବୁବେଳେ ବାସ୍ତବ ଜୀବନର ଶିଳ୍ପୀ ନୁହେଁ । କିନ୍ତୁ ଏକ ନିର୍ଦ୍ଦିଷ୍ଟ ସମୟରେ ସେ କାଳିସୀଲଗା ମଣିଷରେ ପରିଣତ ହୋଇଯାଏ । ସେଇ ସମୟରେ ସେ କଳାକୁ ଅତି ନିଜର କରିପାରେ । ତେଣୁ ଶିଳ୍ପୀ ହୁଏ ଏକ ଭିନ୍ନ ପୃଥିବୀର ମଣିଷ । ସେ ଶିଳ୍ପକଳାକୁ ରୂପ ଦେବାରେ ସମର୍ଥ ହୋଇଥାଏ ।

 

ସାର୍ଥକ ପ୍ରତୀକାତ୍ମକ ଉପସ୍ଥାପନା ଶିଳ୍ପୀ ଦୃଷ୍ଟିରେ ପ୍ରକାଶ ପାଇଥାଏ । ଏ କ୍ଷେତ୍ରରେ ଔପନ୍ୟାସିକ ଆଉ ଦ୍ରଷ୍ଟା ହୋଇ ରହେ ନାହିଁ । ସେ ହୁଏ ସ୍ରଷ୍ଟା । ପ୍ରତୀକ ପ୍ରୟୋଗରେ ଔପନ୍ୟାସିକ ବେଳେ ବେଳେ କବି ଆସନକୁ ଚାଲିଯାଇ କାବ୍ୟିକ ଦୃଷ୍ଟିରେ ଗଦ୍ୟକୁ ଦେଖିବାକୁ ଚାହେଁ । ତେଣୁ ନିଜ ସୃଷ୍ଟିରେ ଶିଳ୍ପୀମାନସ ପ୍ରତୀକାତ୍ମକ ପ୍ରୟୋଗ କରି ସଫଳତା ଲାଭ କରିଥାଏ ।

 

ବିଭିନ୍ନ ଚରିତ୍ରର ଅନ୍ତଃରୂପ ଉଦ୍‌ଘାଟନରେ ଲେଖକ ଗୋଟିଏ ପ୍ରତୀକକୁ ବିଭିନ୍ନ ଭାବେ ବ୍ୟବହାର କରିଥାଏ । ଚରିତ୍ରମାନଙ୍କଠାରେ ସେଥିପାଇଁ ପ୍ରତିକ୍ରିୟା ଦେଖାଦେଇଥାଏ । ତେଣୁ ଚରିତ୍ରମାନଙ୍କର ହୃଦୟକୁ ଗଭୀର ଭାବେ ପରୀକ୍ଷା ନିରୀକ୍ଷା କରି ଔପନ୍ୟାସିକ ପ୍ରତୀକାତ୍ମକ ଭାବେ ତାହା ପ୍ରକାଶ କରିଥାଏ । ଏହି ପରିପ୍ରେକ୍ଷୀରେ କମଳାକାନ୍ତଙ୍କ ସୃଷ୍ଟିରେ ଏହାର ପ୍ରୟୋଗ କିପରି କରାଯାଇଛି ତାହା ଏଠାରେ ଦର୍ଶାଯାଉଛି ।

 

‘ଭାଉଜବୋଉ’ରେ କୁଞ୍ଜବିହାରୀ ଭାଇ ଭାଉଜଙ୍କୁ ଭୁଲି ନିଜ ବିବାହିତ ସ୍ତ୍ରୀ ଜାହ୍ନବୀକୁ ଅବହେଳା କରି ନଷ୍ଟ ଚରିତ୍ର ନାରୀ ‘ବିଜୟା’ର ଇନ୍ଦ୍ରଜାଲରେ ପଡ଼ି ଯେଭଳି ଭାବେ ଜୀବନକୁ କ୍ଷୟ କରି ଚାଲିଥିଲା ତାହାକୁ ଏକ ପ୍ରତୀକାତ୍ମକ ଭାବେ ଲେଖକ ଏଠାରେ ଅବତାରଣା କରିଛନ୍ତି । ସେ କହିଛନ୍ତି ।

 

“ମରୀଚିକାରେ ଜଳ ଆଶ୍ରା କରି ଭ୍ରାନ୍ତ ହରିଣ ଧାଇଁଯାଏ, ପଲାଶ ଫୁଲର କମନୀୟ ରୂପ ଦେଖି ତୋଳିବାକୁ ଯାଇ ମାଳାକାର ଦେଖେ ଗନ୍ଧ ନାହିଁ । ମସ୍ତକମଣିର ଆଲୋକରେ ଆକୃଷ୍ଟ ହୋଇ ନର ହାତ ବଢ଼ାଇଲେ ବିଷଧର ସର୍ପର ଚୋଟ ବସେ । ଆଲୋକ ଦେଖି ଧାଇଁଆସି ପତଙ୍ଗ ପୋଡ଼ିମରେ ।”

 

ଉପରୋକ୍ତ ଆଲୋଚନାରୁ ଔପନ୍ୟାସିକ କମଳାକାନ୍ତଙ୍କର ପ୍ରତୀକାତ୍ମକ ପ୍ରୟୋଗ ବେଶ୍ ଚମତ୍କାର ଓ ମନଛୁଆଁ ହୋଇପାରିଛି । କଥାକାର ଶ୍ରୀଯୁକ୍ତ ଦାସ ନିଜ ସୃଷ୍ଟିରେ ଆଳଙ୍କାରିକତାକୁ ସୁନ୍ଦର ଭାବେ ଉପସ୍ଥାପନା କରିପାରିଛନ୍ତି, ଏଥିରେ ଦ୍ୱିମତ ନାହିଁ ।

 

ପ୍ରକୃତି ଚିତ୍ରଣ କରିବାରେ ଲେଖକ ମଧ୍ୟ ପ୍ରତୀକ ମାଧ୍ୟମରେ ବର୍ଣ୍ଣନାକୁ ମର୍ମସ୍ପର୍ଶୀ କରିଛନ୍ତି । ଔପନ୍ୟାସିକ କେବଳଚରିତ୍ର ଚିତ୍ରଣ କଲାବେଳେ ଯେ ସାର୍ତକ ପ୍ରତୀକାତ୍ମକ ଉପସ୍ଥାପନ କରିଥାଏ ତା’ ନୁହେଁ । ପରିବେଶ ଓ ପ୍ରକୃତି ଚିତ୍ରଣରେ ମଧ୍ୟ ପ୍ରତୀକାତ୍ମକ ଉପସ୍ଥାପନା କରାଯାଇଥାଏ । କମଳାକାନ୍ତ ‘ଶରଦୀନାନୀ’ରେ ଯେଉଁ ପ୍ରକୃତି ଚିତ୍ରଣରେ ପ୍ରତୀକାତ୍ମକ ଉପସ୍ଥାପନ କରିଛନ୍ତି ତାହା ଏଠାରେ ଦର୍ଶାଯାଇଛି ।

 

“ଉଦୁଉଦିଆ ଦି ପହରିଆ ତାଳୁଫଟାଖରା । x x x ଖଇଫୁଟା ବାଲିରୁ ଡହକ ଉଠଉଛି । ସେପାରି ଗହୀର ବିଲରେ ଖରା ଡେଉଁଚି । କଳା ଭଅଁର ପରି ମରୀଚିକା ମିଶିଯାଇଛି ଆକାଶ ଭିତରେ ଦିହରେ । ଚତୁର୍ଦ୍ଦିଗ ଆଖି ବୁଲାଇ ଆଣିଲେ କାହିଁ କୁଆଡ଼େ ଜନ ମଣିଷର ଆଗମନ ନାହିଁ-। ଚାରିଆଡ଼େ ଶୂନଶାନ୍ । ନିଶବଦ । ପବନରେ ଗୋଳେଇ ହୋଇ ଆସୁଚି ତତଲା ନିଆଁ ଡହକ ।”

 

ଏଥିରୁ ଜଣାଯାଏ କମଳାକାନ୍ତ ପ୍ରତୀକର ବ୍ୟବହାର କରିବାରେ ନିଜର ଦକ୍ଷତା ଓ କଳାକାରୀଗରୀକୁ ସ୍ପଷ୍ଟ ଭାବରେ ପ୍ରତିପାଦନ କରିପାରିଛନ୍ତି । ସେ ଜଣେ ଉଚ୍ଚକୋଟୀର କଳାପ୍ରେମୀ- ଏହା ତାଙ୍କର ସୃଷ୍ଟିରୁ ଜଣାଯାଇଥାଏ ।

 

ଶିଳ୍ପୀ ଯେପରି ରଙ୍ଗ ଓ ତୂଳୀର ସାହାଯ୍ୟରେ ବସ୍ତୁର ଚିତ୍ରାଙ୍କନ କରେ, କବି ସେହିପରି ବାଣୀ ସାହାଯ୍ୟରେ କବିତାରେ ଆଲେଖ୍ୟ ଅଙ୍କନ କରେ । ଯେଉଁ ବିଶିଷ୍ଟ ବାଣୀ ସାହାଯ୍ୟରେ ଏହି ଶବ୍ଦଚିତ୍ର ଅଙ୍କିତ ହୁଏ ତାହାକୁ କୁହାଯାଏ ଚିତ୍ରକଳ୍ପ । ଚିତ୍ରକଳ୍ପ ମାଧ୍ୟମରେ କବି ବା ଲେଖକ ନିଜର ମନୋଭାବକୁ ସ୍ପଷ୍ଟ ତଥା ସୁନ୍ଦର ଭାବେ ଉପସ୍ଥାପନା କରିଥାନ୍ତି । କମଳାକାନ୍ତ ଏଥବରୁ ନିଜକୁ ମୁକ୍ତ କରିପାରି ନାହାନ୍ତି । ତାଙ୍କ ସୃଷ୍ଟିରେ କେତେକ ସୁନ୍ଦର ଚିତ୍ରକଳ୍ପ ପ୍ରୟୋଗ ହୋଇଥିବାର ଦେଖାଯାଏ-। ତାର ଚିତ୍ର ନିମ୍ନରେ ଦିଆଯାଇପାରେ ।

 

ନାରୀର ରୂପ ବର୍ଣ୍ଣନା କରିବାରେ ଲେଖକ କିପରି ଚିତ୍ରକଳ୍ପ ମାଧ୍ୟମରେ ଏହାକୁ ଉପସ୍ଥାପନା କରିଛନ୍ତି ତାହା ‘ଘାସୀ ପଡ଼ାର ମାୟା’ କ୍ଷୁଦ୍ରଗଳ୍ପ ସଙ୍କଳନରେ ‘ହରିଜନ ଝିଅ କନକ’ରେ ରୂପାୟିତ କରିଛନ୍ତି । କନକ ଏକ ଦରିଦ୍ର ହରିଜନ ବଂଶରେ ଜନ୍ମ ହେଲେ ବି ପରିଶ୍ରମ କରି ଜୀବନ ବଞ୍ଚାଇବାକୁ ସେ କୁଣ୍ଠାବୋଧ କରିନାହିଁ । ଦେଖିବାକୁ ତାର ରଙ୍ଗ କଳା ସତ, ହେଲେ ଲେଖକଙ୍କ ଦୃଷ୍ଟିରେ ସେ କିପରି ସୁନ୍ଦର ଭାବେ ଚିତ୍ରିତ ହୋଇଛି ତହା ଏଠାରେ ଆଲୋଚନା କରାଯାଇପାରେ ।

 

“କଳା ମଚମଚ ମୁଗୁନି ପଥରରେ ଦକ୍ଷ କାରିଗରଟିଏ ସତେ କି ଗଢ଼ି ଥୋଇଚି ମେନକା ଉର୍ବଶୀର ମନୋରମ ସକଳ ମୂର୍ତ୍ତିଟିଏ । କଳା ଫୁଲର ବି ଶୋଭା ଅଛି ।”

 

ଲେଖକ କେବଳ ଯେ ନାରୀର ରୂପ ବର୍ଣ୍ଣନା କରିବାରେ ଚିତ୍ରକଳ୍ପର ଉପସ୍ଥାପନା କରିଛନ୍ତି ତା’ ନୁହେଁ । ପ୍ରକୃତି ଚିତ୍ରଣରେ ମଧ୍ୟ ସୁନ୍ଦର ଚିତ୍ରକଳ୍ପର ଅବତାରଣା କରିଛନ୍ତି । ଲେଖକଙ୍କର ପ୍ରକୃତି ଚିତ୍ରଣ ତାଙ୍କ ସୃଷ୍ଟିକୁ କରିଛି ଅଧିକ ଋଦ୍ଧିମନ୍ତ । ପ୍ରକୃତିକୁ ସେ ମନଭରି ଭଲପାଉଥିଲେ । ସହରରେ ରହି ମଧ୍ୟ ଗାଁକୁ ସେ ବାରମ୍ୱାର ଯାଇ ଗ୍ରାମ୍ୟ ପରିବେଶରେ ସମୟ କଟାଉଥିଲେ । ପ୍ରକୃତିର ମନୋରମ ପରିବେଶ ମଧ୍ୟରେ ସେ ନିଜକୁ ଭୁଲି ଯାଉଥିଲେ । ସେଇଥିପାଇଁ ପ୍ରକୃତି ଚିତ୍ରଣରେ ଚିତ୍ରକଳ୍ପର ବ୍ୟବହାର ଏତେ ବାସ୍ତବଧର୍ମୀ ହୋଇପାରିଛି ।

 

ଉପନ୍ୟାସରେ ନାଟକୀୟ ଅଭିବ୍ୟକ୍ତି ପାଠକ ମନରେ ଉତ୍କଣ୍ଠା ସୃଷ୍ଟି କରିଥାଏ । ଏହା ସହିତ କଥାବସ୍ତୁକୁ ଅଗ୍ରଗତି କରାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ପାଠକ ମନରେ ଆଗ୍ରହ ସୃଷ୍ଟି କରି ଉପନ୍ୟାସ ପ୍ରତି ତାକୁ ଆସକ୍ତିରେ ବାନ୍ଧି ରଖିବା ଲେଖକଙ୍କର ପ୍ରଧାନ ଶିଳ୍ପ କୌଶଳ । ଏହି କୌଶଳ ଘଟଣାରେ ଚମତ୍କାରିତା ଭରିଦିଏ । ସେଥିପାଇଁ କୁହାଯାଇଛି-

 

“... The dramatic presentation of the act of acting is the chief of element of cohesion.”

 

ନାଟକୀୟତା ସଂଯୋଜନାରେ ଔପନ୍ୟାସିକ ଘଟଣାବଳୀକୁ ନ କହି ଦେଖେଇ ଦିଏ । ପାଠକ ମନରେ ଉତ୍କଣ୍ଠା ଜାଗେ ଗୋଟିକ ପରେ ଗୋଟିଏ ଦୃଶ୍ୟ ଜାଣିବା ପାଇଁ । ଏହାଦ୍ଵାରା ପାଠକ ଦ୍ରୁତ ଗତିରେ କଥାବସ୍ତୁକୁ ପରଖି ନେବା ପାଇଁ ଆଗ୍ରହ କରେ । ଯଦି ଉପନ୍ୟାସରେ ନାଟକୀୟତା ନାହିଁ, ତେବେ ତାହା ସୁଖପାଠ୍ୟ ହୋଇପାରେନା । ପାଠକର ପଢ଼ିବା ପାଇଁ ଆଗ୍ରହ ଆସେନା । ନାଟକୀୟ ଅଭିବ୍ୟକ୍ତି ଦ୍ୱାରା ଲେଖକ ପାଠକକୁ ତାର ବାସ୍ତବ ସଂସାରଠାରୁ ଅଲଗା କରି ଉପନ୍ୟାସର ସୀମିତ ସଂସାର ମଧ୍ୟରେ ମିଶିଯାଏ । କମଳାକାନ୍ତଙ୍କ ସୃଷ୍ଟିରେ ଏହା କିପରି ଚିତ୍ରିତ ହୋଇଛି ତାହା ନିମ୍ନରେ ଆଲୋଚନା କରାଯାଇପାରେ ।

 

‘ବୋଉ’ରେ ବ୍ରଜ କୋମଳମତି ଶିଶୁ ହେଲେ ବି ଶ୍ମଶାନ ଭଳି ଏକ ଶଙ୍କାକୁଳ ସ୍ଥାନରେ ହଠାତ୍ ପହଞ୍ଚି ବୋଉ ବୋଉ ହୋଇ ବିକଳ ଭାବରେ ଡାକିବା ପାଠକ ମନରେ ବିସ୍ମୟ ସୃଷ୍ଟି କରେ-। ଏକ ନାଟକୀୟ ପରିସ୍ଥିତିରେ ଯାଇ ପହଞ୍ଚେ ସେବତୀଙ୍କ କୋଳରେ । ଉପନ୍ୟାସର ଆରମ୍ଭରେ ହିଁ ଔପନ୍ୟାସିକ ନାଟକୀୟତା ସୃଷ୍ଟି କରି ପାଠକ ମନରେ ଆବେଗ, ଆଗ୍ରହ ଓ ଆଶଙ୍କା ସୃଷ୍ଟି କରିଛନ୍ତି-। ବ୍ରଜ ବୋଉ ବୋଉ ବୋଲି ଶ୍ମଶାନରେ ଏକାକୀ ଅସହାୟ ଭାବେ ସମ୍ୱୋଧନ କରିବା, ଆଉ ନଦୀ ଆରପଟରୁ ଏକ ନାରୀମୂର୍ତ୍ତି ସ୍ନେହରେ ପାଗଳୀ ହୋଇ ନିର୍ବିକାର ଭାବେ ବ୍ରଜକୁ ନିଜ କୋଳକୁ ଟାଣିନେବା ଯେତିକି ନାଟକୀୟତା ସୃଷ୍ଟି କରିଛି ପାଠକ ମନରେ ତା’ଠାରୁ ଅଧିକ ଆଗ୍ରହ ଆବେଗ ସଞ୍ଚାରିତ କରିଛି । ଲେଖକଙ୍କ ଭାଷାରେ–

 

“ନଈ ସେପାରିରୁ ବିକଳ ଶବ୍ଦ ଶୁଭିଲା, ‘ବୋଉ ବୋଉ’ । + + ଛୋଟ ନଈଟି, ଅତୁଡ଼ି ତଳେ, କଳସୀଟି କାଖରେ ଧରି ନାରୀ ମୂର୍ତ୍ତିଟିଏ ପାଣି କୂଳକୁ ଗଡ଼ିଲେ । ଜହ୍ନର ଝିଲିମିଲି ପରଦା ଭିତର ଦେଇ ସେପାରି ମଶାଣିରୁ ଗୋଟିଏ ବାଳକର କରୁଣ ଡାକ ଶୁଭିଲା “ବୋଉ ବୋଉ” ।”

 

ଏଥିରୁ ପାଠକମାନଙ୍କ ମନରେ ବିସ୍ମୟ ଜାତ ହେବା ସ୍ୱାଭାବିକ । ସ୍ୱତଃ ପ୍ରଶ୍ନ ଉଠେ ନାରୀମୂର୍ତ୍ତିଟି କିଏ ? ଆଉ କୋମଳମତି ବାଳକ ଶ୍ମଶାନରେ ଏକାକୀ କାହିଁକି ? କିଏ ତାର ବୋଉ-?

 

ଭାଷା ପ୍ରୟୋଗରେ ଲୋକଧର୍ମିତା (ଢମଢମାଳି ଓ ଯୁଗ୍ମଶବ୍ଦର ବ୍ୟବହାର)

ଗଳ୍ପ ଉପନ୍ୟାସ ଶିଳ୍ପୀମାନସର ଲଳିତ ପ୍ରକାଶ ମାତ୍ର । ପ୍ରକାଶନ ରୀତିରେ ଭାଷାର ଉପଯୋଗିତା ସର୍ବାଦୌ ଗୁରୁତ୍ଵପୂର୍ଣ୍ଣ କମଳାକାନ୍ତଙ୍କ ସୃଷ୍ଟିରେ ଓଡ଼ିଆ ଭାଷା ଭଣ୍ଡାରର ପ୍ରଭୁତ୍ୱ ବିଳାସକୁ ଲକ୍ଷ୍ୟ କରିହୁଏ । ତନ୍ମଧ୍ୟରେ ସଂସ୍କୃତି ଓ ଜୀବନଧାରା ସହିତ ସମ୍ପର୍କ ଥିବା ପ୍ରତ୍ୟେକ ଢମଢମାଳି, ଲୋକୋକ୍ତି ପ୍ରବଚନ ଓ ନୀତି ଆଖ୍ୟା ସମ୍ୱଳିତ ଶ୍ଳୋକର ବ୍ୟବହାର କରାଯାଇଛି । ଅନେକ କଥାରେ ନ କହି ଗୋଟିଏ ଢମଢମାଳି ଲୋକୋକ୍ତି ମାଧ୍ୟମରେ କହି ତାଙ୍କ ଭାଷା ବ୍ୟବହାର ଗୁରୁତ୍ୱ ବଢ଼ାଇ ଦେଇଛନ୍ତି ।

 

ଆମେ ପ୍ରାୟତଃ ଭାଷା ପ୍ରୟୋଗରେ ଧ୍ୱନି ପରିଲକ୍ଷିତ ହେବାର ଦେଖୁ । ଶବ୍ଦ ଜରିଆରେ ଧ୍ୱନି ସୃଷ୍ଟି କର୍ଣ୍ଣ ରସାୟନ କରିଥାଏ । ତହିଁରୁ ସଙ୍ଗୀତର ଉଚ୍ଛ୍ୱାସ ଓ କାବ୍ୟର ଭାବ ସ୍ନିଗ୍ଧତା ଉପଲବ୍ଧ ହୁଏ । ତେଣୁ କେତେକ ସ୍ତରରେ ଏକ ଅର୍ଥବାଚକ ଯୁଗ୍ମଶବ୍ଦ ଅନ୍ୟତ୍ର ନିରର୍ଥକ ଯୁଗ୍ମଶବ୍ଦ ଧ୍ୱନିର ସମାବେଶ ଘଟିଥାଏ । ପଦ୍ୟରେ କମଳାକାନ୍ତ କାବ୍ୟର ସଙ୍ଗୀତର ଉଚ୍ଛ୍ୱାସ ତୋଳିଛନ୍ତି । ତାଙ୍କର ଭାଷା ଓଡ଼ିଆ ଗାଉଁଲି ଭାଷା ସହିତ ସତେ ଯେପରି ମିଶିଯାଇଛି । ଆମରି ସମାଜର କଥାକୁ ସେ ସୁନ୍ଦର ଗାଁ ଗହଳି ଭାଷାରେ ରଚନା କରି ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସରଳ ସାବଲୀଳ ଓଡ଼ିଆ ଘରର ଭାଷା ପରି ତାଙ୍କ ଗଳ୍ପ ଉପନ୍ୟାସ ପାଠକମାନଙ୍କୁ ଆନନ୍ଦ ଦେବାରେ ସହାୟକ ହୋଇଛି । ଶବ୍ଦକ୍ଲିଷ୍ଟତା ଅଯଥା ଆଳଙ୍କାରିତାରେ ତାଙ୍କ ସୃଷ୍ଟି ଭାରାକ୍ରାନ୍ତ ନୁହେଁ । ଓଡ଼ିଆ ଘରର ନିଖୁଣ କଥିତ ଭାଷାରେ ତାଙ୍କ ସାହିତ୍ୟ ପରିପୁଷ୍ଟ ତଥା ସୁସମୃଦ୍ଧ ।

 

ଢମଢମାଳି ଆମ ସମାଜରେ ଏପରି ଲୋକପ୍ରିୟ ହୋଇଛି ଯେ, ତାହା ସହଜରେ ଲୋକଙ୍କ ମୁଖରୁ ଅପସରିଯିବନି । କମଳାକାନ୍ତ ତାଙ୍କ ଉପନ୍ୟାସରେ ଏହାର ଯଥାଯଥ ବ୍ୟବହାର କରିଛନ୍ତି । ସମାଜରେ ଯିଏ ପ୍ରତିଷ୍ଠିତ ତାକୁ ସାଧାରଣ ଲୋକମାନେ କିଛି କହିପାରନ୍ତି ନାହିଁ । ଧନୀ, ଜମିଦାର ଓ ସମ୍ଭ୍ରାନ୍ତ ବ୍ୟକ୍ତିମାନେ ଯାହା କଲେ ବି ସମାଜ ସେଠାରେ ନୀରବ ରୁହେ ।

 

‘ବଡ଼ ଘର ବଡ଼ କଥାରେ’ ସୁବର୍ଣ୍ଣଦେବୀ ଜମିଦାର ଘର କନ୍ୟା ଓ ବୋହୂ । ତାଙ୍କ ସ୍ୱାମୀଙ୍କ ମୃତ୍ୟୁରେ ଭିଣୋଇ ନକୁଳ ଚୌଧୁରୀ ସହିତ ଗୁପ୍ତରେ ମିଳନ ହୋଇ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଜମିଦାର ଘର ବୋଲି ତାଙ୍କ ମୁହଁରେ କେହି କିଛି କହିପାରନ୍ତି ନାହିଁ । ସାଇପଡ଼ିଶା ସବୁ ଟୁପ୍‌ଟାପ୍ ହୁଅନ୍ତି ସିନା ସାମ୍ନାରେ କିଛି କହନ୍ତି ନାହିଁ । ସେଥିପାଇଁ ଲେଖକ କହିଛନ୍ତି-

 

“ରଜା ତ ଜାଣିଲେ ରାଇଜ ଜାଣିଲେ

ଆଉ କାହା ପାଇଁ ଲାଜ ?”

 

ଏହି ସୂଚନାତ୍ମକ ଢମଢମାଳି ଲେଖକଙ୍କର ଚମତ୍କାର ହୋଇଛି ।

 

ଯୁବକ ଯୁବତୀମାନେ ଯେତେବେଳେ ଯୌବନର ଉତ୍ତାଳ ତରଙ୍ଗରେ ଘୂରିବୁଲି ରଙ୍ଗୀନ ସ୍ୱପ୍ନରେ ଆତ୍ମବିଭୋର ହୋଇଉଠନ୍ତି ସେତେବେଳେ ତାଙ୍କ ମନରେ ବିଭିନ୍ନ କଥା ଉଙ୍କିମାରେ । ଅନ୍ୟର ପ୍ରେମ ପ୍ରଣୟ ଓ ସୁଖସମ୍ପଦକୁ ଦେଖି ମନେ ମନେ ସେ ଭାବେ ତା’ ଜୀବନରେ ଏ ସୁଦିନ କିପରି ଆସିବ । ଲେଖକ ‘ଇଚ୍ଛାବରଣ’ରେ ଯାମିନୀକୁ ସ୍ଵର୍ଣ୍ଣକୁ ନେଇ କଲିକତା ବୁଲିବାକୁ ବାହାରିବା ବେଳେ ଯାମିନୀର ଭଉଣୀ ସୌଦାମିନୀ କହିଛି- ଭାଇ ମୁଁ ଯିବି । ଯାମିନୀ ଉତ୍ତର ଦେଇଛି ନା । କାରଣ ସ୍ଵର୍ଣ୍ଣ ଓ ଯାମିନୀ ଉଭୟେ ଅବିବାହିତ ଓ ପରସ୍ପରକୁ ଭଲପାଆନ୍ତି । ଯାମିନୀ ଓ ସ୍ଵର୍ଣ୍ଣ ଘରୁ ବାହାରି ଯିବା ପରେ ସୌଦାମିନୀ ମନକୁ ମନ ଯାହା ଭାବିଛି ଲେଖକ ଏଠାରେ ତାର ମନୋଭାବକୁ ପ୍ରକାଶ କରି କହିଛନ୍ତି-

 

“ତଳବରଡ଼ା ଖସୁଛି- ଉପର ବରଡ଼ା ହସୁଛି

ମଝି ବରଡ଼ା ଥାଇ କହୁଛି ମୋ ଦିନକାଳ ଆସୁଛି ।”

 

ମଣିଷ ଯେତେବେଳେ ସମଧର୍ମୀ ହୋଇଯାଏ ସେତେବେଳେ ସେମାନଙ୍କର ଆଉ କିଛି ଅସୁବିଧା ହୁଏନି । ସେ ହୋଇପାରେ ଚରିତ୍ରହୀନ, ହୋଇପାରେ ଆଦର୍ଶ । ଏକା ଆଦର୍ଶ ଏକା ଚରିତ୍ରର ଲୋକମାନେ ଏକତ୍ର ବସବାସ କରି ରୁହନ୍ତି । ଯିଏ ଯେଉଁ ପରିବେଶ ମଧ୍ୟରେ ରୁହେ ତାର ପ୍ରଭାବ ଊଣା ଅଧିକେ ତା’ ଉପରେ ପଡ଼ିଥାଏ । ଚନ୍ଦୁରୀ ଏକ ନଷ୍ଟ ଚରିତ୍ରା ନାରୀ । ତେଣୁ ସେ ସେଇ ଧରଣର ପୁରୁଷ ଓ ସ୍ତ୍ରୀମାନଙ୍କୁ ଡାକିଆଣି ନିଜ ଘରେ ରଖିଛି । ତେଣୁ ଲେଖକ ଏଠାରେ ଢଗ ମାଧ୍ୟମରେ ସୂଚନାତ୍ମକ ଛଳରେ କହିଛନ୍ତି-

 

“ତୁ ତ ମୁତୁରୀ ମୁହିଁ ତ ମୁତୁରୀ

ହେଁସ କାହିଁପାଇଁ ଧୋଇବା ।”

 

ଲେଖକ ଚନ୍ଦୁରୀର ଚରିତ୍ରକୁ ଆକ୍ଷେପ କରି ଏପରି ଢମର ଅବତାରଣା କରିଛନ୍ତି ଯାହାକି ପାଠକମାନଙ୍କ ମନକୁ ସୁଖ ଦେବାରେ ସାହାଯ୍ୟ କରିଛି ।

 

ସ୍ରଷ୍ଟା ମାତ୍ରକେ ଦ୍ରଷ୍ଟା । ସେ ସମାଜକୁ ଯେଉଁ ରୂପରେ ଦେଖେ ତାର ରଚନାରେ ଅନୁରୂପ ରୀତି ପ୍ରକାଶ କରିବାକୁ ଚେଷ୍ଟା କରେ । କିନ୍ତୁ ଯେନତେନ ପ୍ରକାରେଣ ସୃଷ୍ଟି ପାଠକମାନଙ୍କ ଦ୍ଵାରା ଗ୍ରହଣୀୟ ହୋଇ ନଥାଏ । ସେଇଥିପାଇଁ କଥାକାରର ଭାଷା ଓ ଶିଳ୍ପଚାତୁରୀ ଉଚ୍ଚକୋଟିର ହେବା ସର୍ବାଦୌ ବାଞ୍ଛନୀୟ । କମଳାକାନ୍ତ ତାଙ୍କ ସୃଷ୍ଟିରେ କବିର ଦୃଷ୍ଟିକୋଣ ନେଇ ବିଭିନ୍ନ ଚରିତ୍ରକୁ ଚିତ୍ରଣ କରିଅଛନ୍ତି । ପ୍ରକୃତି ବର୍ଣ୍ଣନା କରିବାରେ ତାଙ୍କର କାବ୍ୟିକ ଦୃଷ୍ଟିକୋଣ ପରିଲକ୍ଷିତ । ବିଭିନ୍ନ ଚରିତ୍ରର ଅନ୍ତଃରୂପ ଉନ୍ମୋଚନରେ କମଳାକାନ୍ତ ପ୍ରତୀକର ଓ ଚିତ୍ରକଳ୍ପ ମାଧ୍ୟମରେ ନାରୀର ରୂପବର୍ଣ୍ଣନା ପ୍ରକୃତି ଚିତ୍ରଣକୁ ଜୀବନ୍ତ ଭାବେ ରୂପ ଦେଇପାରିଛନ୍ତି । ଏହାଛଡ଼ା ନାଟକୀୟତା ଓ ବିଭିନ୍ନ ଢମଢମାଳୀ ପ୍ରବଚନ ସମ୍ୱଳିତ ଶ୍ଳୋକର ବ୍ୟବହାର ତାର ଶିଳ୍ପ ବୈଚିତ୍ର୍ୟକୁ ରସୋତ୍ତୀର୍ଣ୍ଣ କରିପାରିଛି – ଏଥିରେ ସନ୍ଦେହ ନାହିଁ ।

 

 

ଅଧ୍ୟାପକ, ଓଡ଼ିଆ ବିଭାଗ

ନିମାପଡ଼ା କଲେଜ, ନିମାପଡ଼ା

 

***

 

ସହାୟକ ଗ୍ରନ୍ଥସୂଚୀ :

୧.

ରଘୁବଂଶ- ପ୍ରଥମ ସର୍ଗ- ମହାକବି କାଳିଦାସ

୨.

ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସରେ ଶିଳ୍ପକଳା- ସାହୁ କାର୍ତ୍ତିକେଶ୍ଵର

୩.

ଆଧୁନିକ ସାହିତ୍ୟ- ୧ମ ମୁଦ୍ରଣ- ସବୁଜ ସାହିତ୍ୟ ସମିତି- ପାଣିଗ୍ରାହୀ କାଳିନ୍ଦୀଚରଣ

୪.

The Technique of the novel, P-10 Thomas H. Uzzell.

୫.

The Craft of fiction- P-40- Percy. Lubbock

୬.

‘ପରଜା’ର କାବ୍ୟିକ ଗଢ଼ଣ ଓ ଗୋପୀନାଥ ମହାନ୍ତିଙ୍କ ଶିଳ୍ପୀମାନସ- ପାଲ ଦୀପକ (ମୂଲ୍ୟାୟନ-୩, ପ୍ରଥମ ବର୍ଷ ୩ୟ ସଂଖ୍ୟା)

୭.

କବିତା ୧୯୬୨, ୨ୟ ମୁଦ୍ରଣ-୧୯୭୧- ପୃ ୧୧୭- ରାଉତରାୟ ସଚ୍ଚିଦାନନ୍ଦ

୮.

ଶିଳ୍ପ ଓ ମଣିଷ, କଳାଶକ୍ତି ପୃ-୧୯୦- ମହାନ୍ତି ଗୋପୀନାଥ

୯.

ସାହିତ୍ୟର ସୂଚୀପତ୍ର- ପଟ୍ଟନାୟକ ବିଭୂତି, ୧୯୭୬, ପୃ-୧୨୮

୧୦.

ଇଚ୍ଛାବରଣ- ଦାସ କମଳାକାନ୍ତ

୧୧.

ବୋଉ- ଦାସ କମଳାକାନ୍ତ

୧୨.

ମଦଭାଟି- ଦାସ କମଳାକାନ୍ତ

୧୩.

ଭାଉଜବୋହୂ-ଦାସ କମଳାକାନ୍ତ

୧୪.

ଘାସିପଡ଼ାର ମାୟା- ଦାସ କମଳାକାନ୍ତ

 

***

 

କଥାକାର ଅଚ୍ୟୁତାନନ୍ଦଙ୍କ ସୃଷ୍ଟିସମୀକ୍ଷା

ଡକ୍ଟର ପ୍ରକାଶ କୁମାର ପରିଡ଼ା

 

ଏହି ପ୍ରବନ୍ଧଟି ସଂକ୍ଷେପରେ କଥାସାଗର ଅଚ୍ୟୁତାନନ୍ଦ ପତି ମହୋଦୟଙ୍କ କଥାବଳୀରେ କବିପଣ, କଥା ଭାଗରେ ମାନବ ପ୍ରେମ, କଥାବସ୍ତୁରେ ମାନବତାବାଦ ପୁଣି କଥା ପରିସରରେ ପ୍ରାଣୀସ୍ୱରୂପ ସର୍ବୋପରି ଅନର୍ଗଳ କଥକତାର ଆକଳନ କରିବାକୁ ଅଭିପ୍ରେତ ।

 

ଏହା ଏକ ଶ୍ରଦ୍ଧାକଳନ । କଥାକାରଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ଓ ନିବେଦିତ ପ୍ରଶସ୍ତିପତ୍ରର ଏହା ଏକ ପ୍ରଶସ୍ତ ରୂପ । ।

 

କଥାକାର ଅଚ୍ୟୁତାନନ୍ଦଙ୍କ ରଚିତ-ପ୍ରକାଶିତ କଥାବଳୀର ପରିମାଣ-୨୦୦ । ସେସବୁ ସଙ୍କଳିତ ହୋଇଛି – “ଅଶୁଭ ପୁତ୍ରର କାହାଣୀ”, “ଉଗ୍ରସେନ ଉବାଚ”, “ନିଆଁ ଜଳୁଛି”, “ସ୍ନାୟୁ ଓ ସନ୍ନ୍ୟାସୀ”, “ଚାରି ସଙ୍ଗାତ କଥା”, “ଅବାଧ ପ୍ରଜାପତି” ଓ “ଅନ୍ୟ ଶିବିର” ପ୍ରଭୃତି ଗ୍ରନ୍ଥରେ ।

 

ସେଥିରୁ ନିର୍ବାଚିତ ହୋଇ କେତୋଟି ଗଳ୍ପ “ଅଚ୍ୟୁତାନନ୍ଦ ପତିଙ୍କ ନିର୍ବାଚିତ ଗଳ୍ପ” ନାମରେ ପ୍ରକାଶ ପ୍ରାପ୍ତ । ଏଯାଏ ସଙ୍କଳନ ଭୁକ୍ତ ହୋଇ ନଥିବା ପୂର୍ବଲିଖିତ ସାମ୍ପ୍ରତିକ ଗଳ୍ପକୁ ମିଶାଇଲେ ଶ୍ରୀ ପତି ମହାଶୟ ଦୁଇଶତାଧିକ ଗଳ୍ପର ସ୍ରଷ୍ଟା ।

 

ଶ୍ରୀ ପତିଙ୍କ ପ୍ରଥମ ଗଳ୍ପ ଯୁକ୍ତ ଓ ବିଯୁକ୍ତ । ନାମକରଣ ହୋଇଥିଲା ‘ପ୍ଲସ୍ ଓ ମାଇନସ୍’ । ଏହି ଗଳ୍ପରେ ଜଣେ ପ୍ରବୀଣ ଗଣିତ ଶିକ୍ଷକଙ୍କ ମନସ୍ତତ୍ତ୍ଵର ତର୍ଜମା ଜଣେ ତରୁଣ ଶିକ୍ଷକ କରିଥିଲେ-। ସମ୍ଭବତଃ ତାଙ୍କର ସଦ୍ୟତମ ଗଳ୍ପ ‘ଭଲମଣିଷ’ ଜଣେ ପ୍ରବୀଣ ନାଗରିକର ଅତଳ ଅବଚେତନର ଉତ୍ତୋଳନ କରେ ଜଣେ ପ୍ରବୀଣ ନାଗରିକର ତର୍ଜମାରେ ।

 

ମଝିରେ ପେଚା, ମାଙ୍କଡ଼, ବିଲେଇ, ବାଛୁରୀ, ଷଣ୍ଢ, କୁକୁର, ଶୁଆ, ସାରୀ ପ୍ରଭୃତି ପକ୍ଷୀପଶୁ; କେମ୍ପା, କୁଜା, କଣା, ଅନ୍ଧ, ଛୋଟା ଭଳି ଅବସ୍ଥା; ସିପାହୀ, ଦାରୋଗା, ଶିକ୍ଷକ, ଦପ୍ତରୀ, ପୁଲିସ ପ୍ରଭୃତି ପଦବୀ; ଶୋଷକ, ଲମ୍ପଟ, ସାଧୁ, ସଇତାନ ପ୍ରବୃତ୍ତି; ମୂଲିଆ, ମୋଟିଆ, ମାଙ୍କଡ଼ିଆ, ରିକ୍ସାବାଲା, ପ୍ରଭୃତି ବୃତ୍ତି ଏବଂ ସ୍ନେହ, ଶ୍ରଦ୍ଧା, ଭଲପାଇବା, ତ୍ୟାଗ, କ୍ଷମା ଓ ସମବେଦନାର ମର୍ମବାଣୀ ବହନ କରୁଥିବା ମଣିଷଙ୍କୁ ନେଇ ଅଚ୍ୟୁତାନନ୍ଦଙ୍କ କଥା-ସାମ୍ରାଜ୍ୟ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର । ସୁଦୂର ନୁହେଁ ଏକ ଭିନ୍ନ ଉପଖଣ୍ଡରେ– ଦ୍ୱୀପଟିଏ ପରି ସେ ସାମ୍ରାଜ୍ୟ । ସେ ସାମ୍ରାଜ୍ୟର ଭାଷାରେ କୋମଳ ସୌକୁମାର୍ଯ୍ୟ, ଭଙ୍ଗୀରେ ନମ୍ର ନାନ୍ଦନିକତା, ପ୍ରାଣରେ ତ୍ୟାଗ କ୍ଷମାର ବିସ୍ତୃତ ତୋରଣ, ଚେତନାରେ ଚଳନ୍ତିଠାରୁ ଉତ୍ତରଣ ଓ ଉତ୍‌କ୍ରମଣ ପିପାସା; ଯଦିଓ ସେ ସାମ୍ରାଜ୍ୟର ଅନିବାର କପାଳ ଲିଖନ ହେଉଛି ରୋଗ- ଶୋକ-ଦୁଃଖ-ଅଭାବ-ଲାଞ୍ଛନା । ସେ ସାମ୍ରାଜ୍ୟର ଜନତା ସଂସାର ମାପରେ ବାମନ-ଖର୍ବ-ଦୀନ ଅନ୍ୟର ଦୃଷ୍ଟିରେ ନୀଚ-ହୀନ-ନ୍ୟୂନ । ଏହି ଦୃଶ୍ୟମାନ ରଣାତ୍ମକତାର କ୍ଷତି ପୂରଣ ଉପରେ ଅଧିକ ବୋନସ୍ ପରି ସେମାନଙ୍କ ଅନ୍ତରର ଧନାତ୍ମକ ଦିଗ ଖୁବ୍ ଉତ୍ତୁଙ୍ଗ ଓ ବିଶାଳ । ଅଚ୍ୟୁତାନନ୍ଦ ସେହି ଶିଳ୍ପୀ ଓ ସ୍ରଷ୍ଟା ଯାହାଙ୍କ ନିର୍ମିତ ପ୍ରତିମା ଆକାରରେ ସାନ ମାତ୍ର ତାହାର ବିଭୂତି ଅସୀମ ।

 

ସାରସ୍ୱତ ପ୍ରକାଶ ମାତ୍ରକେ ତାହା କବିତ୍ୱ ପଦଟିରେ ସମ୍ୱୋଧିତ ହୁଏ । ସର୍ଜ୍ଜନା ଏକ କବିକର୍ମ । ଏହି ଅପରିସୀମ ସଂଜ୍ଞା ବାହାରେ ମଧ୍ୟ ଅଚ୍ୟୁତାନନ୍ଦଙ୍କ କଥାକୃତିରେ ପାଠକ କବିତ୍ଵର ସରସ ଉପସ୍ଥିତି ଅନାୟାସରେ ଲକ୍ଷ୍ୟ କରିପାରେ ।

 

ଶବ୍ଦ ଓ ପଦ ବସାଣ ଦିଗରୁ ଦେଖିଲେ ଅଚ୍ୟୁତାନନ୍ଦଙ୍କ ଗଳ୍ପରେ ଯୁଗ୍ମପଦର ସ୍ଵଚ୍ଛନ୍ଦ ପ୍ରୟୋଗ, ପାତ୍ରମୁଖୀ ସଂଳାପ ପୁଣି ତହିଁରେ ଗ୍ରାମୀଣ ମଣିଷର ଅନୁଭବ ରସାଣିତ ବୋଲି ଓ ଉଚ୍ଚାରଣ ଅନୁକୂଳ ଶବ୍ଦର ସଂଯତ ଅବସ୍ଥା, ବାକ୍ୟାବଳୀର ଅଦ୍ଭୁତ ପ୍ରବହମାନତା ଓ ଆବେଗର ଯଥାଯଥା ପ୍ରକାଶ ସର୍ବୋପରି କବିସୁଲଭ ସ୍ଵକୀୟ ଦାର୍ଶନିକ ମନ୍ତବ୍ୟର ସୁଷ୍କୁ ସଂଯୋଜନ ଭିତ୍ତିରେ କଥାକାରଙ୍କୁ ଆମେ କବିଗୌରବ ଦେଇପାରିବା ।

 

ଗୋଟିଏ ବାକ୍ୟରେ ଏକାଧିକ ଯୁଗ୍ମପଦ ଓ ଧ୍ୱନିସାମ୍ୟ ବିଶିଷ୍ଟ ଶବ୍ଦର ସମାହାର କରିପାରିବା ଅଚ୍ୟୁତାନନ୍ଦଙ୍କର ଏକ ବିଶେଷତ୍ଵ । ଯେପରି- “ଛୋଟ ଛୋଟ ଚଢ଼େଇ ଏ ପେନ୍ଥାରୁ ସେ ପେନ୍ଥାକୁ ଡେଇଁ ଡେଇଁ ପାଚିଲା ଫଳ ଦେଖି ଥଣ୍ଟ ଫୁଟାଇ ଫୁଟାଇ ଚାଲିଛନ୍ତି ।” (ବରକନ୍ୟା) ଏବଂ ଶିଳ୍ପୀ ସପ୍ତର୍ଷି ସାମନ୍ତରାୟଙ୍କ ସତୁରିତମ ଜନ୍ମଦିବସ ଦେଶରେ ସର୍ବତ୍ର ସମାରୋହର ସହିତ ପାଳିତ ହେଉଛି ।” (ନବଜନ୍ମ)

 

ଯମକ ପଦ ବ୍ୟବହାର ହୋଇ ନଥିବା, ଏକ ସଳଖ ବାକ୍ୟ ଶ୍ରୀଯୁକ୍ତ ପତିଙ୍କ ଗଳ୍ପରେ ପ୍ରାୟ ଦୁର୍ଲକ୍ଷ । ଧ୍ୱନିସାମ୍ୟ ଥିବା ପଦମାନଙ୍କର ସମାବେଶ ଗୋଟିଏ ବାକ୍ୟରେ ଘଟାଇବାରେ ସେ ନିପୁଣ । ଗଡ଼େଇ ପାଖରେ ତଡ଼େଇ ରଖି ସେ “ଗଡ଼େଇ ତଡ଼େଇ” ପଦଟି ହିଁ ଲେଖିବେ । ତେଣୁ ତାଙ୍କର ବାକ୍ୟଗୁଡ଼ିକରେ କୁଉଁକାଆଁ, ଧାଁ ଧଉଡ଼ା, ଢଙ୍ଗଢାଙ୍ଗ, ବୁଝେଇସୁଝେଇ, ହାଉଳିକାଉଳି, ଧୋବଧଉଳିଆ ପ୍ରଭୃତି ପଦମାନଙ୍କର ପର୍ଯ୍ୟାପ୍ତ ଉପସ୍ଥାନ ଦେଖିହୁଏ ।

 

ଗ୍ରାମୀଣ ମଣିଷର ଅନୁଭବ ରସାଣିତ ‘ବୋଲି’ର ପ୍ରୟୋଗ ଦେଖିବା- ସରତି ସରତି (ଜକେଇବା ଅର୍ଥରେ) ଅଶ୍ୱସ୍ତ (ଅଶ୍ଵତ୍ଥ) ଜୋହର୍‌ରେ (ଜୋର୍‌ରେ)ଅନିସା (ଚାହିଁବା) ପାକଲା (ପାଚିଲା) ନିଭିଯିବା (ଲିଭିଯିବା) ଖସରିଯିବା, ବେଜାଏ, ଭଣ୍ଡୁର, ବୋଲେଇ, ପରାଶ, ଥାଟ, ଫେର, ଉଚି, ହଟାକାଳି, କଞ୍ଚେଇ, ଉଆଳା, ଆଳଚା ପ୍ରଭୃତି ଶହ ଶହ ଶବ୍ଦର ସ୍ୱାଧୀନ ପ୍ରଯୋଗ । ସ୍ୱାଧୀନତା ପୁଣି ଅଛି ଇଂରାଜୀ, ହିନ୍ଦୀ, ଊର୍ଦ୍ଦୁ, ସଂସ୍କୃତ, ଯାବନିକ ଭାଷା ପ୍ରୟୋଗରେ । ଅଧିକ ଉଦାହରଣ ପ୍ରୟୋଜନ ହୁଏ ନାହିଁ ଯଦି ଗୋଟିଏ ବାକ୍ୟ ଆମେ ଉଦ୍ଧରଣ କରିବା- “ଡାକ ବଙ୍ଗଳାର ସୁଇପର୍ ଲୁଠୁ ଗୋଚ୍ଛାଏତ ହାତକୁ ଖଣ୍ଡେ କାଗଜ ବଢ଼ାଇ ଦିଆଯାଇ ତାକୁ ବୁଝାଇ ଦିଆଗଲା ଯେ ସରକାର ବାହାଦୂର ସନ୍ତୋଷରେ ତାକୁ ବର୍ତ୍ତମାନ ସସ୍‌ପେଣ୍ଡ କଲେ । ପରେ ବିହିତ ବିଚାରରେ ଜେଲ୍ ଜୋରିମାନା ଯାହା ପାରିବ ତାକୁ ମଧ୍ୟ, ସନ୍ତୁଷ୍ଟ ଚିତ୍ତରେ ପ୍ରଦାନ କରିବେ ।”

 

ରୂପକ ପଦ ନିର୍ମାଣର ଅନନ୍ୟ କାରିଗରୀର ନମୁନା ଅଚ୍ୟୁତାନନ୍ଦଙ୍କ କଥା ସମଗ୍ରରେ ଅତ୍ରତତ୍ର ବିଚ୍ଛୁରିତ । ଅନାୟାସରେ କାନରେ ଶୁଭିଯାଏ- ନିଷ୍ଠାର ପାଛୁଡ଼ା, ରଙ୍ଗଦ୍ୱୀପର ରାଜଜେମା ରଙ୍ଗବତୀ, କ୍ଷତିର ଗଇଁତି, ପୁଣ୍ୟର ପୋଖରୀ, ଡାଳର ଧର୍ମଶାଳା, ପଟାପଟାଳିଆ ପ୍ୟାଣ୍ଟ୍, ବିରାଟ ବପୁର ବଡ଼ ବଡ଼ ହାଡ଼, ଅବାଧ୍ୟ ଦ୍ୱିଧା ଓ ଅଝଟିଆ କିନ୍ତୁ, ଓଠର ଅତଡ଼ା, ହସର ବଢ଼ି, ଅଭିନିବେଶର ନିଶା, ରକ୍ତର ପିଚକାରି, ବାସନମଜାର ହରିବୋଲ ହୁଳହୁଳି, ବଞ୍ଚିବାର ପଞ୍ଚ, ଚିନ୍ତା ଉପରେ ଚରିଯାଇଥିବା ଅଶ୍ଵସ୍ତିର କାଳିଦାଗ, ଅନୁକୂଳ ଅନୁଭବ, ଆତ୍ମୀୟତାର ଓଦାଓଦା ଅନୁଭବ, ଚିନ୍ତାର ଚେପାମେପା ବେଲୁନ୍ ପ୍ରଭୃତି ପଦାବଳୀ ।

 

କବିତାର ପଦବିନ୍ୟାସ ପରି କମନୀୟ ଦୁଇଟି ମାତ୍ର ଉଦାହରଣ ତୋଳି ଆଣି ପାରିବା- “ସେ ହସର ଥଣ୍ଡାଛିଟିକା ବାଜି ତାଙ୍କର ଶୁଖିଶୁଖି ଆସୁଥିବା ମନ ଡାହିରେ ମୋହ ମମତାର ପତର କଞ୍ଚେଇ ଉଠେ ।”

 

- “ବଢ଼ିପାଣି ହିଡ଼ ପରେ ହିଡ଼ ଟପି ମାଡ଼ିଗଲା ପରି ରାଜାଙ୍କ ବେଉରାଟା ଏ ରାଜ୍ୟରୁ ସେ ରାଜ୍ୟକୁ ଡେଇଁ ଡେଇଁ ଗଲା ।

 

ଏଥି ସହିତ ଅଚ୍ୟୁତାନନ୍ଦଙ୍କ ଗଳ୍ପରେ ପ୍ରୟୋଗ ହୋଇଥାଏ ନିଜ ତିଆରି ଦାର୍ଶନିକ ମନ୍ତବ୍ୟ, ତାହାକୁ ତାଙ୍କ ଚରିତ୍ର ମୁହଁରେ ଶୁଣିଲେ ଜଣା କଥା ନୂଆ ଲାଗେ ।

 

“ସବୁ ଝିଅ ବାପଘରେ ଲାଗୁଆଣି ହୋଇ ଶାଶୁଘରେ ଜଳନ୍ତି”

 

“ଜଣକୁ ମାରି ଜଣେ ବଞ୍ଚିଯିବା ଏ ସୃଷ୍ଟିର ଏହା ଚିରଞ୍ଜୀବୀ ସଭ୍ୟତା”

 

କଥାକାର ଅଚ୍ୟୁତାନନ୍ଦଙ୍କ ଗଳ୍ପଭାଷା ତ ଦେଖିଲେ, ମାତ୍ର ତାହାର ଅନର୍ଗଳ ପ୍ରକାଶ ହିଁ ତାଙ୍କ ଗଳ୍ପକୁ ସ୍ୱତନ୍ତ୍ର କରିଥାଏ । କାହିଁକି ଅଚ୍ୟୁତାନନ୍ଦଙ୍କ ଗଳ୍ପର ସଫଳତା ଗଳ୍ପ ପରିଣତିରେ ନଥାଏ, ଗଳ୍ପ ଚମକରେ ନଥାଏ, ଗଳ୍ପ ଚରିତ୍ରରେ ନଥାଏ ଏପରିକି ଗଳ୍ପାଦର୍ଶରେ ମଧ୍ୟ ନଥାଏ; କିନ୍ତୁ ଏସବୁରେ ଥାଉ ବା ନଥାଉ ସମଗ୍ର ଗଳ୍ପରେ ବିଚ୍ଛୁରିତ ହୋଇଥାଏ ? ଏହି ପ୍ରଶ୍ନର ଉତ୍ତର ହେଉଛି ତାଙ୍କ ଗଳ୍ପ ପ୍ରକାଶର ଅନର୍ଗଳ ଆବେଗ । ପ୍ରତିଟି ସୁସଂଯୋଜିତ ପଦ, ସମଧ୍ୱନି ବିଶିଷ୍ଟ ପଦାବଳୀ, ଭାବଗର୍ଭକ ଶବ୍ଦ, ଭାବୋଦ୍ଦୀପକ ଓ ଭାବପ୍ରକାଶ ପ୍ରତିଶବ୍ଦ, ବ୍ୟଞ୍ଜନାପ୍ରଖର ଶବ୍ଦ, ଯମକ ଆଳଙ୍କାରିକ ପଦମଣ୍ଡିତ ବାକ୍ୟ ସମଗ୍ରତଃ ଏକ ପ୍ରିୟ ପରିବେଶ ଗଢ଼ିଦିଏ ଯାହାକୁ ଦୃଷ୍ଟିକୁ ଆଣିବା ମାତ୍ରେ ପାଠକ ସମଗ୍ର ଗଳ୍ପର ବିଷୟ-ବ୍ୟକ୍ତି ଓ ବକ୍ତବ୍ୟକୁ ଅନୁଭବ କରିପାରେ । ସେଇଥିପାଇଁ ତାଙ୍କ ଗଳ୍ପରୁ ପରାଗ୍ରାଫ୍‌ଟିଏ କି ବାକ୍ୟଟିଏ ଏପରିକି ଖଣ୍ଡବାବ୍ୟଟିଏ ଡେଇଁଯାଇ ପାଠକ ପଠନ ଅବ୍ୟାହତ ରଖିପାରେ ନାହିଁ । ଦୁଗ୍ଧରେ ଧବଳତା ପରି ଅଚ୍ୟୁତାନନ୍ଦଙ୍କ ଗଳ୍ପରେ ଗଳ୍ପୀୟତା ଆଦ୍ୟପ୍ରାନ୍ତମଧ୍ୟ ସବୁଠି ଥାଏ । ସ୍ଵୟଂ କଥାକାର ମଧ୍ୟ ତାହାର ପ୍ରବହମାନ ଆବେଗ ପାଖରେ ଏତେ ମାତ୍ରାରେ ଆବଦ୍ଧ ଯେ ତାଙ୍କ ରଚିତ ପାରାଗ୍ରାଫ୍‌ଟିମାନ ପୃଷ୍ଠା ପୃଷ୍ଠା ବେଳେ ବେଳେ ଦୁଇରୁ ଅଧିକ ପୃଷ୍ଠା ଶତାଧିକ ଧାଡ଼ି ପର୍ଯ୍ୟନ୍ତ ପ୍ରଲମ୍ୱିତ ହୋଇଯାଏ ।

 

ଏହି କଥାକାରଙ୍କର ଅପୂର୍ବ ଭାଷା ଦକ୍ଷତାରେ ଶାସ୍ତ୍ରୀୟ ଶୃଙ୍ଗାର ଓ ଜାନ୍ତବ ଯୌନତା, ସାମାଜିକ ଶୋଷଣ ଓ ପାରିବାରିକ ପ୍ରୀତି, ଅନ୍ୟାୟ ଅତ୍ୟାଚାର ଓ ନୈତିକ- ନିଷ୍ଠା, ଆତ୍ମାର ଆକୁତି ଓ ଦେହର ବିକୃତି ପ୍ରଭୃତି ସବୁ ପ୍ରସଙ୍ଗ ଅନର୍ଗଳ ପ୍ରକାଶ ପାଇପାରେ । ବିଦ୍ରୋହର ବହ୍ନି, ପ୍ରୀତିର ଜ୍ୟୋସ୍ନା, ଉପଦେଶର ଉଦକ, ସମବେଦନାର ସୁଧା, ଗାଳିର ଗରଳ, ରୋଷର ହଳାହଳ ଅଚ୍ୟୁତାନନ୍ଦଙ୍କର ଗଳ୍ପର ସମ୍ଭାଷଣ ପର୍ବରେ ଯେପରି ସେପରି ତାଙ୍କର ଅନ୍ତର୍ଗତ ମନଜଗତର ଭାବନାରେ କ୍ଷମାର ସ୍ନିଗ୍ଧତା, ପ୍ରେମର ପବିତ୍ରତା, ଆଦରର ଆହ୍ଲାଦତା, ପ୍ରତିଶୋଧର ପ୍ରତାପ, ପ୍ରତିବାଦର ଜ୍ୱାଳା ପ୍ରକାଶ ପାଇପାରେ । ସ୍ନାୟୁର ସୀତ୍‌କାର ଓ ସନ୍ନ୍ୟାସୀତ୍ଵର ମନ୍ତ୍ରୋଚ୍ଚାର ପ୍ରକାଶରେ ଅଚ୍ୟୁତାନନ୍ଦଙ୍କ ଗଳ୍ପଭାଷା, ଅନନ୍ୟ, ଅବିକଳ୍ପ ଓ ଅତୁଳନୀୟ । ଏହା ପାଠକକୁ ଉଚ୍ଚାଟିତ କରାଏ, ମାତ୍ର ଅନୁକରଣର ଉଦ୍ୟମ ବ୍ୟର୍ଥତାକୁ ହିଁ ଭୋଟାଏ ।

 

ଆମର ପ୍ରିୟ କଥାକାର ଭାଷାଭାସ୍କର ଅଚ୍ୟୁତାନନ୍ଦଙ୍କ ଗଳ୍ପର କଥାଭାଗରେ ଆମେ ମାନବ ପ୍ରେମକୁ ବହୁଳ ବ୍ୟବହୃତ ପ୍ରସଙ୍ଗ ରୂପରେ ଦେଖିପାରିବା । ହଁ, ଆମେ ତାକୁ ମାନବର ପ୍ରେମ ରୂପରେ ବଜରନାଥ ମାଙ୍କଡ଼ିଆର ଚମ୍ପାକଲି ଓ ରାମଦାସ ପ୍ରତି ହେଉ, ଅପତ୍ୟରଙ୍କୁଣୀ ଖୁଡ଼ୀର କଇଁ ନାମ୍ନା ଗୋ ପ୍ରତିମାଟି ହେଉ, ପାଗଳ ପଦ୍ମନାଭର ବର ଓସ୍ତ ଗଛ ଦୁଇଟି ପ୍ରତି ହେଉ ଯେକୌଣସିଠାରେ ଅନାୟାସରେ ଦେଖିବା । ପୁଣି ମାନବ ପ୍ରତି ପ୍ରେମ ଭାବରେ ବଫୁନ୍‌ର ଦୟନୀୟତା ପ୍ରତି ଦର୍ଶକର ସମବେଦନା ରୂପରେ, ପନ୍ଦର ହଜାରୀ ଉଚ୍ଛବାନନ୍ଦର ଅଦ୍ଭୁତ ଉଚ୍ଚାଶା ପ୍ରତି ଗ୍ରାମଜନତାର ଉଦାର ସହିଷ୍ଣୁତା ରୂପରେ ମଧ୍ୟ ଆବିଷ୍କାର କରିପାରିବା । ମାନବିକ ପ୍ରେମ ରୂପରେ ତାହାକୁ ପ୍ରତ୍ୟକ୍ଷ କରିପାରିବା ରତ୍ନାକର ୟାକୁବ୍‌ର ଦୃଷ୍ଟିଦାନ ମାନବଜାତି ପ୍ରତି ଯେମିତି ନିବେଦିତ- ମୌନାବତୀ ରାଜଜେମାର ଉପଲବ୍ଧି ନିର୍ଯାତିତ ମାନବ ସମ୍ପ୍ରଦାୟ ପ୍ରତି ଯେମିତି ଦରଦସିକ୍ତ ହୋଇ ପ୍ରକାଶିତ-ଟୁଲୁ ସରଦାର ଭିତରେ ଔପନିବେଶବାଦ ବିରୁଦ୍ଧରେ ବିଦ୍ରୋହ ଉଦ୍‌ଗୀରିତ ହୋଇ ଦେଶବାସୀଙ୍କ ପ୍ରତି ଦାୟିତ୍ୱ ଯେପରି ଉତ୍ସାରିତ ତାହାରି ମଧ୍ୟରେ । ସର୍ବୋପରି ଅତି ସ୍ୱାଭାବିକ ଭାବରେ ଆମେ ମାନବୀୟ ପ୍ରେମଲୀଳାର କେତୋଟି ଅମର ଅଧ୍ୟାୟତ ଅଭିନୀତ ହୋଇଥିବା ଦେଖିପାରିବା ଚନ୍ଦରା ଭୋଇ ଓ ଚନ୍ଦିରୀ, ଲେବେଗା ଓ ଦୋସମା, ଶୁଭଙ୍କର ଓ ଶ୍ରୀଲେଖା, ସୁଦର୍ଶନ ଓ ପଡ଼ୋଶୀ କନ୍ୟା, ଚନ୍ଦା ଓ କଇଁ ଏବଂ ତାପସ ଓ ତନିମାଙ୍କ ଜୀବନରେ । ଏତତ୍ ସହିତ ଆଉରି ଅନେକ ଗଳ୍ପରେ ମାନବ ପ୍ରେମର ସୁବିସ୍ତୃତ ପ୍ରଭାବ ଓ ପ୍ରବାହ ମଧ୍ୟ ପାଠକ ଦୃଷ୍ଟିରୁ ବାଦ୍ ଯିବ ନାହିଁ ।

 

ମାନବତାବାଦର ଶୁଭଶଙ୍ଖ ହିଁ ଅଚ୍ୟୁତାନନ୍ଦଙ୍କ କଥାପ୍ରାଣ ଅବା ତାଙ୍କ କଥାବସ୍ତୁର ସାର ନିର୍ଯ୍ୟାସ । ଅନ୍ତରରେ ତ୍ୟାଗ, କ୍ଷମା, ସ୍ନେହ ଓ ଦରଦର ଉଦ୍‌ବେଳ ଅନୁଭବ ଯେତେବେଳେ ପାପାଚାରୀ ଦୁରାତ୍ମାର ପଥର ହୃଦୟକୁ ବିଗଳିତ କରି ସମୂହ-ସମାଜ ଏପରିକି ଅପର ପାଇଁ ଉଚ୍ଛଳ ହୋଇ ପ୍ରବାହିତ ହୋଇଯାଏ ଆପଣାର ଆତ୍ମାହୁତି- ଆତ୍ମବଳିଦାନ ଅବା ଆତ୍ମୋତ୍ସର୍ଗର ମୂଲ୍ୟ ବିନିମୟରେ ସେତେବେଳେ କାଳର ବକ୍ଷରେ ମାନବତାବାଦର ଉଜ୍ଜ୍ୱଳ ଦୃଷ୍ଟାନ୍ତ ଆକାଶର ଗୋଟିଏ ନକ୍ଷତ୍ର ପରି ଉଦ୍ଭାସିତ ହୋଇଉଠେ । ସେ ଦୃଷ୍ଟିରୁ ଓଡ଼ିଆ ଗଳ୍ପ ଜରିଆରେ ପୁଞ୍ଜାଏରୁ ଅଧିକ ଉଜ୍ଜ୍ୱଳ । ତାରକା ବିଶ୍ୱ ଚେତନାକୁ ପ୍ରଦାନ କରିଛନ୍ତି । କଥାକାର ଅଚ୍ୟୁତାନନ୍ଦ ।

 

ଏ ବର୍ଗରେ ଆମେ ନିଶ୍ଚୟ “ୟାକୁବ୍‌ର ଆଖି”କୁ ଉତ୍ତୀର୍ଣ୍ଣ ଦେଖିବା । ଏପରିକି ଆଦର୍ଶ ମଧ୍ୟ ମଣିବା । ହନ୍ତାଟିଏ ୟାକୁବ୍, ଦୁର୍ଦ୍ଧଷ ଦସ୍ୟୁଟିଏ । ଜେଲ୍ ଜୀବନ କାଟୁଥାଏ । ଦିନେ ଶୁଣିବାକୁ ପାଏ ତା’ର ଫାଶୀ ହେବ । ଆଉ ଦିନେ ଶୁଣେ ଆଖି ଦାନ କଲେ ଅନ୍ଧ ଲୋକଟିଏ ଏ ସୁନ୍ଦର ପୃଥିବୀ ଦେଖିପାରିବ । ସହସା ତା’ର ମନରେ ଜାଗେ, ସେ ଆଖି ଦାନ କରିବ । ତା ଆଖି ନେଇ ଆଉ ଜଣେ ଦୁନିଆ ଦେଖିପାରିବ ଏହି ଶୁଭଚିନ୍ତା ତାର କଠୋର- ରୁକ୍ଷ-ପ୍ରତିକ୍ରିୟାଶୂନ୍ୟ ହୃଦୟରେ ଆଚମକା ପରିବର୍ତ୍ତନ ଆଣେ । - “ଦୁନିଆ ପାଇଁ ଭଲକାମ କଲେ ଦୁନିଆ କ’ଣ ମୂଲ ଦିଏ ସେ ବୁଝି ନଥିଲା । ତା’ ଛାତି ଭିତରେ ଆନନ୍ଦ ଆଉ ଜାଗା ଧରିଲାନି । ସେ ସେଲ୍‌କୁ ଫେରିଲା ବେଳେ ଖାଲି ହସୁଥିଲା । ମରିବା ଦୁଃଖ ତାର କୁଆଡ଼େ ମିଳାଇଗଲା ।” ଦସ୍ୟୁ ହୃଦୟରେ ଏ ଦେବତ୍ୱ ସନ୍ଧାନ ଦେବାରେ କଥାକାରଙ୍କ ମାନବତାବାଦୀ ଭାବନା ବେଶ୍ କବଳିତ ।

 

ଶିଶୁର ସରଳ ମନସ୍ତତ୍ତ୍ୱ ଓ ଗୋଟିଏ ଦୁର୍ଘଟଣା କହି ପ୍ରସଙ୍ଗଟିକୁ ଯେତେ ଏଡ଼େଇଯାଇ ପାରିଲେ ମଧ୍ୟ ଶିଶୁଟିଏର ଅନ୍ତର ଭିତରେ ଥାଇ ଶିଳ୍ପୀଙ୍କର ଯେଉଁ ଜାତୀୟ ମୁକ୍ତିଭାବନା ମୁକ୍ତ ରୂପେ ପ୍ରକାଶ ପାଇଛି ତହିଁରେ ଆମ ମାନବମୂଲ୍ୟ ଓ ମାନବତାର ଜୟଘୋଷ ନିଶ୍ଚୟ ଶୁଣିପାରିବା-। ଗଳ୍ପଟି ‘ଟୁଲୁ ସର୍‌ଦାର’ ।

 

ଓଡ଼ିଆ କଥା ସାହିତ୍ୟରେ ଆମେ ଆଶ୍ଚର୍ଯ୍ୟ ବିମୂଢ଼ତାରେ ଯେଉଁ ଅଭାବଟି ପ୍ରତ୍ୟକ୍ଷ କରୁ ଯେ- ସ୍ଵାଧୀନତା ସଂଗ୍ରାମ ଓ ସ୍ୱାଧୀନତାର ଉବ୍ଦେଳକୁ ନେଇ ଏଥିରେ ଡଜନେ ସୁଦ୍ଧା ନାମଧନ୍ୟ ଗଳ୍ପ ନାଇଁ- ଏହି ଗଳ୍ପଟି ତାହାର ସାମାନ୍ୟ ପୂରଣ କରିପାରେ । ଗଳ୍ପର ଏହି ଅଂଶଟି ଦେଖିବା-“ଟୁଲୁ ବୀର ବାଜିରାଉତ ଓ ଗୋଆ କଥା ଶୁଣିଲା ବେଳୁ ତାର ଗୋଟେ ଖିଆଲ ପଶିଛି ଗୋରା ଲୋକଙ୍କୁ ଜବତ କରିବ ।... ଏ ପ୍ରୟାସର କରୁଣ ପରିଣତି ହୋଇଛି ବର୍ଷା ପର ବଢ଼ିନାଳ ପାଣିର ପ୍ରଖର ସୁଅରେ କାଗଜ ଡଙ୍ଗାଟି ଭସାଇବାକୁ ଯାଇ ଟୁଲୁ ନିଜେ ବୁଡ଼ିଯାଇଛି । ତା’ର ବାପା ମାନଗୋବିନ୍ଦ ବାବୁ ତାକୁ ପାଣିରୁ ଛାଣି ଆଣିଛନ୍ତି । - “ମାନଗୋବିନ୍ଦ ବାବୁଙ୍କ ଆଖି ବୁଡ଼ି ଲୁହର ଧାର ଛୁଟି ଆସୁଥିଲା । ତାଙ୍କର ବୀରପୁତ୍ର ଯାଇଛି ସାମ୍ରାଜ୍ୟବାଦୀ ଶାସନ ସବୁଦିନ ପାଇଁ ଲୋପ କରିଦେବାକୁ ।” (୪୩)

 

ଅଚ୍ୟୁତାନନ୍ଦ ପତିଙ୍କ କଥାସାମ୍ରାଜ୍ୟର ପରିସରରେ ଆମେ ଯେତେ ଯେତେ ମଣିଷ ଦେଖିବାକୁ ପାଇବା ସେମାନଙ୍କ ମଧ୍ୟରୁ ଅଧିକାଂଶ ଆମ ନିମ୍ନ ମଧ୍ୟବିତ୍ତ ଓ ନିମ୍ନବର୍ଗ ଶ୍ରେଣୀର । ଆମ ସାହିତ୍ୟର ଅତି କୁଶଳୀ କଥାଶିଳ୍ପୀ ଫକୀରମୋହନଙ୍କୁ ବାଦ୍ ଦେଲେ ଅନନ୍ତ ପ୍ରସାଦ ପଣ୍ଡାଙ୍କ ପରେ ଏହି ହତଭାଗ୍ୟ ବର୍ଗଟି ପ୍ରତି ଦରଦ ପ୍ରକାଶ କରିବାରେ ବୀଣାପାଣିଙ୍କ ସହିତ କେବଳ ଅଚ୍ୟୁତାନନ୍ଦଙ୍କ ପତିଙ୍କୁ ଆମେ ଯଥାର୍ଥରେ ସିଦ୍ଧଶିଳ୍ପୀ କହିପାରିବା ।

 

ସିଦ୍ଧଶିଳ୍ପୀ କହିବା, ତାର କାରଣ- ଚରିତ୍ରର କଦର୍ଥନର ବୀଭତ୍ସତା ଦର୍ଶାଇବା ଅପେକ୍ଷା ଅଚ୍ୟୁତାନନ୍ଦ ସେମାନଙ୍କ ଅନ୍ତରର କୌଣସି ନା କୌଣସି ମହାନତାକୁ ଉଦ୍ଦୀପ୍ତ କରାଇଥାଆନ୍ତି । ଏଇ ମଣିଷମାନେ ଜୀବନ ବଞ୍ଚିବା ପାଇଁ ଶରୀରକୁ ସାଧନ କରିଥାନ୍ତି ଅର୍ଥାତ୍ ଶ୍ରମ ବିନିମୟରେ ପେଟ ପାଳନ୍ତି, ବେଳେବେଳେ ଆପଣା କଞ୍ଚାମାଂସ ମଧ୍ୟ ବିକ୍ରୀ କରନ୍ତି । ଏମାନେ ମାଲିକ ଓ ପ୍ରଭୁର ଗଞ୍ଜଣାକୁ ଗଳାମାଳି କରିଥାନ୍ତି । କଦବା ବିଦ୍ରୋହ କରିଥାନ୍ତି; ମାତ୍ର ସେ ବିଦ୍ରୋହରେ ଜିଘାଂସାର ଉତ୍ତାପ ସହିତ ଥାଏ ପରିବର୍ତ୍ତିତ ପରିସ୍ଥିତିର କୋମଳ ଉଷାକିରଣ ପ୍ରତ୍ୟାଶା ।

 

ଏଇ ମଣିଷ ସକଳଙ୍କ ପତନ-ଅଭ୍ୟୁଦୟ-ବନ୍ଧୁର ଜୀବନଯାତ୍ରାର କଥାକୁ ଖୁବ୍ ଆନ୍ତରିକତାର ସହିତ ଚିତ୍ରଣ ଓ ପରିବେଷଣ କରିଥାନ୍ତି ଗାଳ୍ପିକ ମହାଶୟ । ତାଙ୍କ ଚରିତ୍ରଗଣ କେହି ଜୀବନର ଝାଞ୍ଜିରେ ଝାଉଁଳି ଯାଇନାହାନ୍ତି; ବରଂ ଜୀବନକୁ ଭଲପାଇବାର ବିଭୂତିରେ ଆପଣାର ସେଇ ଅପ୍ରଶସ୍ତ ଲଲାଟକୁ ବିଭୂଷିତ କରିଛନ୍ତି । ପ୍ରତିବଦଳରେ ସନ୍ତୋଷ ଓ ସାର୍ଥକତାର କେଇମୁଠା ମାଣିକ ଆପଣାର ଯାଚଞ୍ଜା ଝୁଲାରେ ଅବଶ୍ୟ ପକାଇଛନ୍ତି । ସେମାନଙ୍କୁ ସେମାନଙ୍କ ରିକ୍ତ ସାମ୍ରାଜ୍ୟର ଐଶ୍ୱର୍ଯ୍ୟଶାଳୀ ସମ୍ରାଟରେ ରୂପାନ୍ତରିତ କରିଦେଇଛି ଅଚ୍ୟୁତାନନ୍ଦଙ୍କ କଥାକାରିତା । ଏଭଳି କଥାକାରଙ୍କୁ ପାଠକର ଶେଷହୀନ ଶ୍ରଦ୍ଧା ।

 

ଯେଉଁ କଥା ଅଚ୍ୟୁତାନନ୍ଦ ମଣିଷ ପକ୍ଷରୁ ମଣିଷ ପାଇଁ ମଣିଷ କଣ୍ଠରେ କହିପାରି ନାହାନ୍ତି, ତାହା ସବୁ ସେ ପ୍ରାଣୀ ପ୍ରରୂପ ଜରିଆରେ ଅନାୟାସରେ ପ୍ରତୀକ ରୂପରେ ହେଉ ପଛେ ସ୍ପର୍ଦ୍ଧାରେ ଉଦ୍‌ଘୋଷଣ କରିଛନ୍ତି । ସେପରି ପ୍ରାଣୀ ପ୍ରତୀକ ମଧ୍ୟରୁ ଅଶୁଭପୁତ୍ର ପେଚା ଛୁଆଟି ଅଚ୍ୟୁତାନନ୍ଦଙ୍କ ମାର୍ଫତରେ ବିଶ୍ୱରେ ନିପୀଡ଼ିତ ମାନବତାର ପ୍ରତିନିଧିତ୍ୱ କରେ । ଯେତେବେଳେ କାଉ-ମଣିଷ ଓ ଆଲୁଅର ଅତ୍ୟାଚାରରେ ପେଚା ଛୁଆଟି ମୁମୁର୍ଷୂ ହୋଇ ପଡ଼ିଥାଏ, ତା’ର ସନ୍ତପ୍ତ ମାଆକୁ ତା’ର ଶେଷ ଆଶ୍ୱାସନାଟି କେତେ ସ୍ପର୍ଦ୍ଧାରେ ଶୁଣାଏ । ଆମେ ତାହାକୁ ଇଥିଓପିଆ ଅବା କଳାହାଣ୍ଡିର ନିଷ୍ପେଷିତ ମଣିଷର ତାରକମନ୍ତ୍ର ଭାବରେ ମଧ୍ୟ ଶୁଣିପାରିବା- “ମାଆ ତୁ କାନ୍ଦନା । ମୋର ଆଉ ଭାଇ ହେଲେ ତାଙ୍କୁ କହିବୁ ତାଙ୍କ ଭାଇ ଆଲୋକ ରାଜ୍ୟ ଜୟ କରିବାକୁ ଯାଇ ବୀର ପରି ମରିଛି ।”

 

ଏହା ସହିତ ମଣିଷର ସୀଥୀ ଓ ସୁହୃଦ ପୁଣି ଅନ୍ତରର ଅନ୍ତେବାସୀ ଭାବେ ପାରାବତ, ଘରଚଟିଆ, ମାଙ୍କଡ଼, କୁକୁର, ଗୋରୁ, ହାତୀ ଓ ସିଂହ ପ୍ରଭୃତି ଅଛନ୍ତି । ଏମାନେ ପ୍ରତୀକ ରୂପରେ ଅବା ପ୍ରତିଭୂ ରୂପରେ ସେଇ ମଣିଷର କଥା ହିଁ କହିଛନ୍ତି । ଶ୍ୱେତମାତଙ୍ଗ ଓ ମାଙ୍କଡ଼ସା ଉପାଖ୍ୟାନ କିମ୍ବା ‘ଗୋଟିଏ ଘରଚଟିର କାହାଣୀ’ ଭାବି ଗଳ୍ପରେ ଆମ ମଣିଷର ନିୟତିକୁ ପ୍ରାଣୀମାନଙ୍କ ପଟ୍ଟଭୂମିରୁ ଦେଖିପାରିବା । ଅଥବା କଇଁ ନାମକ ଛଡ଼ା ବାଛୁରୀଟିର ସମ୍ଭାବିତ ମାତୃତ୍ୱକୁ ନେଇ ବୁଢ଼ୀଟିଏ ଆପଣା ବଂଧ୍ୟାପଣ ବିସ୍ମୃତ ହୋଇଯାଉଥିବାର ମାୟିକ ପରିବେଶ ସହ ଆମେ ଏକାତ୍ମ ହୋଇଯିବା ।

 

ଏସବୁର ଅନ୍ୟ ପକ୍ଷରେ ଅଚ୍ୟୁତାନନ୍ଦଙ୍କ କଥା ସାମ୍ରାଜ୍ୟ ପରିସରରେ ଆମେ ଆଉ ଏକ ଉପନିବେଶ ଦେଖିପାରିବା, ଯୋଉଠି ତଥାକଥିତ ଅଭିଜାତ-ସାମନ୍ତ-ସମ୍ଭ୍ରାନ୍ତ ମଣିଷ ଆତଯାତ ହୁଅନ୍ତି । ଅଚ୍ୟୁତାନନ୍ଦ ସେମାନଙ୍କ ଅହମିକାର ବେଲୁନକୁ ପରିସ୍ଥିତିର ଛୁଞ୍ଚିରେ ଫୋଡ଼ି ଫସକେଇ ଦିଅନ୍ତି । ଏତଦ୍ଦ୍ୱାରା ତିର୍ଯ୍ୟକ ବ୍ୟଙ୍ଗ ପରିହାସର ଶୀତ କଟୁରୀରେ ସେ ଏହି ଅବ୍ୟବସ୍ଥା ଓ ଅବ୍ୟବସ୍ଥିତିମାନଙ୍କର ମୂଳକାଟ କରନ୍ତି । ମାମୁଘର କଟୁରୀ, ନୃପତି, ଅବୋଲକରାର ଅନୁଚିନ୍ତା, କଣ୍ଢେଇ ରାଜ୍ୟ, ଚାରିସଙ୍ଗାତ କଥା, ମଉନାବତୀର ମାନ, ନିଃଶବ୍ଦ ନୂପୁର ପ୍ରଭୃତି ଅନେକ ଗଳ୍ପରେ ଆମେ ସେହି ଆର ଜଗତର କୁତ୍ସିତତା ଦେଖିବା ଓ ତାକୁ ସମାପ୍ତ କରିବାକୁ ହୁଏତ କଟୁରୀ ଧରିବା ଅଥବା ନିଜର ଦକ୍ଷ ହସ୍ତ ଗୋସାଇଁର ଗଳାରେ ବସାଇ ଦେବାର ପ୍ରେରଣା ପାଇବା; କିଛି ନ ହେଲେ ପରିସ୍ଥିତି ପାଲଟିଯିବାର ପାଞ୍ଚଜନ୍ୟ ନିର୍ଘୋଷ ଶୁଣିବାକୁ ଅପେକ୍ଷା ରଖିପାରିବା ।

 

ମୋଟ କଥାରେ ଅଚ୍ୟୁତାନନ୍ଦଙ୍କ ଗପ ଜଗତରେ ଆମେ ଆମକୁ ପ୍ରତିନିଧି ଚରିତ୍ର ରୂପରେ ଆବିଷ୍କାର କରାଇ ପାରିବା । ସେ ଭଳି କଥା-ଯାଦୁକାରିତା ଅଚ୍ୟୁତାନନ୍ଦଙ୍କଠାରେ ଅଛି । ସବୁଠୁ ସାର କଥାଟି ହେଉଛି ଅଚ୍ୟୁତାନନ୍ଦଙ୍କ କଥା ବକ୍ତବ୍ୟରେ କ୍ରୋଧ ମଧ୍ୟ କରୁଣାଯୁକ୍ତ, ବିଦ୍ରୋହ ମଧ୍ୟ ବିଳାପସିକ୍ତ, ପ୍ରତିଶୋଧ ମଧ୍ୟ ପ୍ରିୟତାରେ ସମ୍ପାଦିତ ।

 

ଏପରି ସାହିତ୍ୟିକଙ୍କୁ ଜୀବନ ଶିଳ୍ପୀ କୁହାଯାଏ । ମାନବ ନିୟତିର ଦୁର୍ଲଙ୍ଘ୍ୟ ପରିଣତିକୁ ନାନା ପ୍ରସ୍ଥ-ଆୟାମ-ଅନୁଷଙ୍ଗ ଓ ଅନ୍ତଃକରଣରୁ କଳ୍ପନା କରିପାରିବା କେବଳ ଜଣେ ସମର୍ଥ ଜୀବନବାଦୀ, ମାନବବାଦୀ ମନୀଷା ପକ୍ଷରେ ସମ୍ଭବ । ତାହା ନ ହେଲେ ଆପଣାର ଅର୍ଦ୍ଧଶତାବ୍ଦୀରୁ ଅଧିକ ଜୀବନକାଳ କେବଳ ଗୋଟିଏ ଚେତନାରେ କେନ୍ଦ୍ରିତ କରି ଜଣେ ଲେଖକ ଶହ ଶହ ଚରିତ୍ରର ମନୋଭୂମିକରୁ ଶହ ଶହ ଘଟଣାର ପଟ୍ଟଭୂମିରୁ ଶହ ଶହ ଗପ ଲେଖିପାରନ୍ତା ନାହିଁ ।

 

ଖୁବ୍ ନିରିଖେଇ ଦେଖିଲେ ଅଚ୍ୟୁତାନନ୍ଦ ପତିଙ୍କ ଗଳ୍ପରେ ଦେହୀ ମାନବର ଦୁଇଟି ଚେତନା ଖୁବ୍ ନିବିଡ଼ ଓ ସ୍ପଷ୍ଟ ରୂପାୟିତ ହେବାର ଦେଖିହେବ । ତାହା ସ୍ନାୟୁର ସଂହାର ଓ ସନ୍ୟାସର ସାଧନା । ଦେହର ଦାହ-ଡହକ-ବିକଳ ପଣ ଓ ତାକୁ ନେଇ ପଣ୍ୟ ହେବା କିବା ପଣ୍ୟ କରିବାର ଯେତେ ଲାଳସାର ହେଣ୍ଟାଳ ଓ ଅସହାୟତାର ଆର୍ତ୍ତି, ତାହା କହିଲା ବେଳେ କଦାପି ଅଚ୍ୟୁତାନନ୍ଦ ଅଶ୍ଲୀଳ ଲାଗନ୍ତି ନାଇଁ । ସେ ମଧ୍ୟ ସଙ୍କେତ ଓ ସୂଚନା ବିନା ସିଧା ସଳଖ ଭାବରେ କାମ କିମ୍ବା କାମଜ ପ୍ରେମର କଥା କହନ୍ତି ନାଇଁ । ସେ କ୍ଷେତ୍ରରେ ସବୁଠି ଆମେ ଜଣେ ନୀତିର ନିୟାମକଙ୍କୁ ଏହି ସ୍ପର୍ଶକାତର ବିଷୟଟିକୁ ନିୟନ୍ତ୍ରଣ ଦେଉଥିବା ଲକ୍ଷ୍ୟ କରିପାରିବା । ଏପରି ସଂଯମ ଓ ସଂସ୍ଥିରତା କ୍ଵଚିତ୍ କଥାକାରଙ୍କ କ୍ଷେତ୍ରରେ ଦେଖାଯାଏ । ଏଣୁ କୁହାଯାଇଛି- ସ୍ନାୟୁରେ ସନ୍ନ୍ୟାସର କୃଚ୍ଛ୍ରତା ଓ ସନ୍ନ୍ୟାସରେ ସ୍ନାୟବିକତାରୁ ଉତ୍‌କ୍ରମଣ : ଅଚ୍ୟୁତାନନ୍ଦ ପତିଙ୍କ କଥାପ୍ରାଣ । କଥାସାହିତ୍ୟ ଜରିଆରେ ସମାଜର ମୂଳ ସ୍ତରରେ ସମାଜବାଦ ଓ ସାମ୍ୟବାଦର ଶିକ୍ଷଣ ସେ ଅବିରତ ଦେଇଚାଲିଛନ୍ତି । ଶିକ୍ଷକ ମଣିଷ ଶ୍ରୀଯୁକ୍ତ ପତି ଅବସର ଘେନିଲେଣି; ମାତ୍ର ଅନବସର ଭାବରେ ଶିକ୍ଷକ କଥାକାର ଓଡ଼ିଆ ସାହିତ୍ୟକୁ ଆଜି ମଧ୍ୟ ଦେଇ ଚାଲିଛନ୍ତି- ମାନବତାର ମହାମନ୍ତ୍ର, ସାମ୍ୟବାଦର ସାମସଙ୍ଗୀତ ଓ ସନ୍ନ୍ୟାସର ସଙ୍କଳ୍ପ ।

 

ଏହି ସାଧୁପ୍ରାଣ, ସଂଯମୀ, ମାନବପ୍ରେମୀ, ଦିବ୍ୟତା ଅଭିମୁଖୀ, ଉତ୍ତରିତ ଚେତନା ବିଶିଷ୍ଟ କଥାକାର; ଯିଏ ଅଦ୍ଭୁତ ସାଙ୍ଗୀତିକତା, ଭାବ ପ୍ରକାଶ କ୍ଷମତା ଓ ସରଳତା ସମ୍ପନ୍ନ ଭାଷା ଶୈଳୀର ପ୍ରବର୍ତ୍ତା ସର୍ବୋପରି ମାନବତାର ମହାନ୍ ମାନ୍ତ୍ରିକ । ତାଙ୍କୁ ଶ୍ରଦ୍ଧାରେ ତ ନିଶ୍ଚୟ ସ୍ପର୍ଦ୍ଧାରେ ମଧ୍ୟ ଅତିବଡ଼ୀ ପୁରସ୍କାର ପ୍ରାପକ ଭାବରେ କେବଳ ନୁହେଁ, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ନିଷ୍ଠା-ନୈତିକତା-ନମ୍ରତାର ଉତ୍ତରାଧିକାରୀ ଭାବେ “ଅତିବଡ଼ୀ ଅଚ୍ୟୁତାନନ୍ଦ” କହିପାରିବା ।

 

 

ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ଏଚ୍ ଏନ୍. ଏସ୍. ମହାବିଦ୍ୟାଳୟ

ଚାନ୍ଦୋଳ, କେନ୍ଦ୍ରାପଡ଼ା

 

***

 

ଏକାଡେମୀ ସମାଚାର

 

ପଣ୍ଡିତ ନୀଳକଣ୍ଠ ଦାସ ଜୟନ୍ତୀ : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ଯୁବ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ପଣ୍ଡିତ ନୀଳକଣ୍ଠ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ତା ୫.୮.୨୦୦୪ ରିଖ ସଂଧ୍ୟା ୬.୩୦ ଘଣ୍ଟା ସମୟରେ ସାକ୍ଷୀଗୋପାଳସ୍ଥିତ ଶ୍ରୀରାମଚନ୍ଦ୍ରପୁର ଶାସନରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ଵତ ସଭାରେ ଡକ୍ଟର କୁମୁଦିନୀ ମିଶ୍ର ମୁଖ୍ୟବକ୍ତା ଓ ଡକ୍ତର ସୁଷମା ମିଶ୍ର ସମ୍ମାନନୀୟା ବକ୍ତା ଭାବରେ ଯୋଗଦାନ କରି ନୀଳକଣ୍ଠଙ୍କ ସାରସ୍ୱତ ପ୍ରତିଭା, ଦେଶପ୍ରେମ ଓ ଆଦର୍ଶ ଶିକ୍ଷକ ଜୀବନ ସମ୍ୱନ୍ଧରେ ଆଲୋଚନା କରିଥିଲେ । ଆଚାର୍ଯ୍ୟ ଯୁବ ପରିଷଦର ସଭାପତି ଶ୍ରୀଯୁକ୍ତ ଛାୟାକାନ୍ତ ମିଶ୍ର ଏହି ସଭାରେ ପୌରୋହିତ୍ୟ କରିଥିଲେ ।

 

ପ୍ରାରମ୍ଭରେ ଏକାଡେମୀର ସମ୍ପାଦକ ଶ୍ରୀଯୁକ୍ତ ରାଜକିଶୋର ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ ଦିନ ଆଚାର୍ଯ୍ୟ ଯୁବ ପରିଷଦଙ୍କ ଦ୍ୱାରା ଆୟୋଜିତ ତର୍କ ପ୍ରତିଯୋଗିତାର ସଫଳ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରାଯିବା ପରେ ସଭା ସାଙ୍ଗ ହୋଇଥିଲା ।

 

କାହ୍ନୁଚରଣ ମହାନ୍ତି ଜୟନ୍ତୀ : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ସାହିତ୍ୟ ସମାଜ, କଟକଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଲବ୍ଧପ୍ରତିଷ୍ଠ ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ତା ୧୧.୮.୨୦୦୪ ରିଖ ସଂଧ୍ୟା ୬.୩୦ ଘଣ୍ଟା ସମୟରେ କଟକସ୍ଥ ଶ୍ରୀରାମଚନ୍ଦ୍ର ଭବନଠାରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ୱତ ସଭାରେ ଡକ୍ଟର ଶ୍ରୀନିବାସ ମିଶ୍ର ସମ୍ମାନନୀୟ ଅତିଥି ଓ ଡକ୍ଟର ଅବଦୁଲ୍ ଓସିଦ୍ ଖାଁ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି କାହ୍ନୁଚରଣଙ୍କ ଉପନ୍ୟାସ ରଚନା ଶୈଳୀ ଅତୀବ ଉଚ୍ଚକୋଟୀର ବୋଲି ମତପ୍ରକାଶ କରିଥିଲେ । ଉତ୍କଳ ସାହିତ୍ୟ ସମାଜର ସଭାପତି ଶ୍ରୀ ଅନ୍ନଦା ପ୍ରସାଦ ରାୟ ଏହି ସଭାରେ ପୌରୋହିତ୍ୟ କରିଥିଲେ ।

 

ପ୍ରାରମ୍ଭରେ ଏକାଡେମୀର ସମ୍ପାଦକ ଶ୍ରୀଯୁକ୍ତ ରାଜକିଶୋର ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଶ୍ରୀ ସଞ୍ଜିତ୍‌ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା ।

 

ସରଳା ଦେବୀ ଜନ୍ମଶତବାର୍ଷିକୀ ସାରସ୍ୱତ ସମାରୋହ : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ଲେଖିକା ସଂସଦ, ଭୁବନେଶ୍ଵରଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ସରଳା ଦେବୀ ଜନ୍ମଶତବାର୍ଷିକୀ ସାରସ୍ୱତ ସମାରୋହ ଅବସରରେ ତା ୧୯.୮.୨୦୦୪ ରିଖ ସଂଧ୍ୟା ୫ ଘଣ୍ଟା ସମୟରେ ଭୁବନେଶ୍ୱରସ୍ଥ ସୁବର୍ଣ୍ଣରେଖା ଚାମ୍ୱର୍ସର ସଭାକକ୍ଷରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସଭାରେ ଏକାଡେମୀର ସଭାପତି ଶ୍ରୀ ଦୀପକ ମିଶ୍ର ମୁଖ୍ୟ ଅତିଥି, ଶ୍ରୀମତୀ ବନଜ ଦେବୀ, ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି ଓ ଡକ୍ଟର ଅଜୟ କୁମାର ମିଶ୍ର ସମ୍ମାନନୀୟ ଅତିଥି ଭାବରେ ଯୋଗଦାନ କରି ସରଳା ଦେବୀଙ୍କ ସାରସ୍ୱତ ପ୍ରତିଭା ଓ ଜୀବନାଦର୍ଶ ବିଷୟରେ ଆଲୋଚନା କରିଥିଲେ । ଓଡ଼ିଶା ଲେଖିକା ସଂସଦର ସଭାପତି ଶ୍ରୀମତୀ ବୀଣାପାଣି ମହାନ୍ତି ଏହି ସଭାରେ ପୌରୋହିତ୍ୟ କରିଥିଲେ ।

 

ପ୍ରାରମ୍ଭରେ ଓଡ଼ିଶା ଲେଖିକା ସଂସଦର ସାଧାରଣ ସମ୍ପାଦିକା ଡକ୍ଟର ଶକୁନ୍ତଳା ବଳିଆରସିଂହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଏକାଡେମୀ ପକ୍ଷରୁ ସହ-ସମ୍ପାଦକଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯିବା ପରେ ସଭା ସାଙ୍ଗ ହୋଇଥିଲା ।

 

ପଣ୍ଡିତ ଗୋପୀନାଥ ନନ୍ଦ ଜୟନ୍ତୀ : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାହିତ୍ୟ ଶ୍ଵେତପଦ୍ମାଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଗୋପୀନାଥ ନନ୍ଦ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ତା ୨୧.୮.୨୦୦୪ରିଖ ସଂଧ୍ୟା ୬.୩୦ ଘଣ୍ଟା ସମୟରେ ପାରଳାଖେମୁଣ୍ଡିସ୍ଥ ଟାଉନ୍‌ହଲ୍‌ଠାରେ ଏକ ସାରସ୍ଵତ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସଭାରେ ଶ୍ରୀଯୁକ୍ତ ବସନ୍ତ କୁମାର ପାଣିଗ୍ରାହୀ ମୁଖ୍ୟବକ୍ତା, ଶ୍ରୀଯୁକ୍ତ ଅଜୟ ତ୍ରିପାଠୀ ଓ ଶ୍ରୀଯୁକ୍ତ କମ୍ୱୁପାଣି ସାମନ୍ତ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଓଡ଼ିଆ ଭାଷାତତ୍ତ୍ୱ ଓ ଶବ୍ଦତତ୍ତ୍ୱ ଅଭିଧାନ ଓଡ଼ିଆ ସାରସ୍ୱତ ଭଣ୍ଡାରକୁ ମହାନ୍ ଦାନ ବୋଲି ମତବ୍ୟକ୍ତ କରିଥିଲେ । ସାହିତ୍ୟ ଶ୍ଵେତପଦ୍ମାର ସଭାପତି ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ ଏହି ସଭାରେ ପୌରୋହିତ୍ୟ କରିଥିଲେ ।

 

ସାହିତ୍ୟ ଶ୍ଵେତପଦ୍ମାର ସମ୍ପାଦକ ଶ୍ରୀଯୁକ୍ତ ମନୋଜ ପାଢ଼ୀ ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଗୋପାଳକୃଷ୍ଣ ପଦାବଳୀ ଓ ତୈଳଚିତ୍ର ଉନ୍ମୋଚନ : ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଙ୍କ ମିଳିତ ଆନୁକୂଲ୍ୟରେ ତା ୨୪.୮.୦୪ ରିଖ ସଂଧ୍ୟା ୬ ଘଣ୍ଟା ସମୟରେ ଏକାଡେମୀ ସଭାଗୃହରେ କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କର ଏକ ତୈଳଚିତ୍ର ଏବଂ ଗୋପାଳକୃଷ୍ଣ ପଦାବଳୀ ପୁସ୍ତକର ଉନ୍ମୋଚନ ଉତ୍ସବ ଆୟୋଜନ କରାଯାଇଥିଲା-

 

ରାଜ୍ୟସ୍ତରୀୟ କବି ସମ୍ମିଳନୀ : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କୋଲକତାଙ୍କ ମିଳିତ ଆନୁକୂଲ୍ୟରେ ସାରସ୍ୱତ ଅନୁଷ୍ଠାନ ଅରଣ୍ୟା ତଥା ଜିଲ୍ଲା ସଂସ୍କୃତି ପରିଷଦ, ସୁନ୍ଦରଗଡ଼ଙ୍କ ସହଯୋଗରେ ତା ୨୯.୮.୨୦୦୪ରିଖ ଦିନ ଟାଉନହଲ୍ ସୁନ୍ଦରଗଡ଼ଠାରେ ଦିନିକିଆ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁରେଶ କୁମାର ବଶିଷ୍ଠ ମୁଖ୍ୟ ଅତିଥି ଓ ଗିରିଦଣ୍ଡ ସେନା ସମ୍ମାନନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଏକାଡେମୀର ସଭାପତି ଶ୍ରୀ ଦୀପକ ମିଶ୍ର ଏଥିରେ ପୌରୋହିତ୍ୟ କରିଥିଲେ ।

 

ବସନ୍ତ କୁମାର ତ୍ରିପାଠୀ ଓ ଡକ୍ଟର ନରେନ୍ଦ୍ର ପ୍ରଧାନଙ୍କ ସଂଯୋଜନାରେ ନିମନ୍ତ୍ରିତ କବିମାନଙ୍କ ଦ୍ଵାରା କବିତାପାଠ ଓ ଆଲୋଚନା କରାଯାଇଥିଲା । ଏହି ଅବସରରେ ଏକାଡେମୀ ପ୍ରକାଶିତ ପୁସ୍ତକଗୁଡ଼ିକର ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ।

 

ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର କ୍ଲବ୍, ବରପାଲିଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ତା ୩୦.୮.୨୦୦୪ ରିଖ ସଂଧ୍ୟା ୬.୩୦ ଘଣ୍ଟା ସମୟରେ ବରପାଲିସ୍ଥ ଗଙ୍ଗାଧର ସ୍ମୃତିମଣ୍ଡପଠାରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସଭାରେ ପ୍ରଫେସର ପ୍ରଦୀପ ଚନ୍ଦ୍ର ତ୍ରିପାଠୀ, କୁଳପତି ସମ୍ୱଲପୁର ବିଶ୍ୱବିଦ୍ୟାଳୟ ମୁଖ୍ୟଅତିଥି, ଶ୍ରୀଯୁକ୍ତ ସୁବଳ ସାହୁ ବିଧାୟକ, ବିଜେପୁର ସମ୍ମାନନୀୟ ଅତିଥି, ଡକ୍ଟର ତୀର୍ଥାନନ୍ଦ ମିଶ୍ର, ମୁଖ୍ୟବକ୍ତା ଓ ଡକ୍ଟର କୃଷ୍ଣକେଶବ ଷଡ଼ଙ୍ଗୀ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ଗଙ୍ଗାଧର ମେହେରଙ୍କ ସାରସ୍ଵତ କାବ୍ୟକୃତି ବିଷୟରେ ଆଲୋଚନା କରିଥିଲେ । ଏକାଡେମୀର ସଭାପତି ଶ୍ରୀଯୁକ୍ତ ଦୀପକ ମିଶ୍ର ଏଥିରେ ପୌରୋହିତ୍ୟ କରିଥିଲେ ।

 

ଏହି ଅବସରରେ ଏକାଡେମୀ ପ୍ରକାଶିତ ପୁସ୍ତକଗୁଡ଼ିକର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା-

 

ଶ୍ରୀଜଗନ୍ନାଥାୟନ : ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ, ଓଡ଼ିଶା ସାହିତ୍ୟ ଏକାଡେମୀ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ, ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀ, ଭୁବନେଶ୍ଵରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥ ଜୟଦେବ ଭବନରେ ତା ତା ୩୧.୮.୦୪ ରିଖ ସଂଧ୍ୟା ୬.୩୦ ଘଣ୍ଟା ସମୟରେ ଶ୍ରୀଜଗନ୍ନାଥାୟନ ଶୀର୍ଷକ ଏକ ନୃତ୍ୟ, ଗୀତ, ବକ୍ତୃତା ଏବଂ ଚାରୁ ଓ କାରୁକଳା ସମ୍ପର୍କିତ ପ୍ରଦର୍ଶନୀର ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସାରସ୍ୱତ ସାଧକ ତଥା ଶିକ୍ଷାବିତ୍ ଶ୍ରୀ ଚନ୍ଦ୍ରଶେଖର ରଥ ବକ୍ତା ଭାବରେ ଯୋଗଦାନ କରିଥିଲେ ।

 

ପୁସ୍ତକ ବଜାର : ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଇଣ୍ଡିଆ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭୁବନେଶ୍ୱରସ୍ଥ ଜୟଦେବ ଭବନଠାରେ ତା ୪.୯.୦୪ ରିଖ ସଂଧ୍ୟା ୫.୩୦ ଘଣ୍ଟା ସମୟରେ ପୁସ୍ତକ ବଜାର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନଗେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି, ପ୍ରମୁଖ ଶାସନ ସଚିବ ସଂସ୍କୃତି, କ୍ରୀଡ଼ା ଓ ଯୁବକଲ୍ୟାଣ ବିଭାଗ ଶ୍ରୀ ଏଲ୍ କିଣ୍ଡୋ ଓ ନିର୍ଦ୍ଦେଶକ ଓ ଅତିରିକ୍ତ ଶାସନ ସଚିବ, ସଂସ୍କୃତି ବିଭାଗ ଶ୍ରୀ ଗୋପୀନାଥ ମହାନ୍ତି ସମ୍ମାନନୀୟ ଅତିଥି, ବିଶିଷ୍ଟ ପ୍ରାବନ୍ଧିକ ତଥା ସମାଲୋଚକ ଶ୍ରୀ ଚିତ୍ତରଞ୍ଜନ ଦାସ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ ।

 

ଏକାଡେମୀର ସଭାପତି ଶ୍ରୀ ଦୀପକ ମିଶ୍ର ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ-। ପ୍ରାରମ୍ଭରେ ଏକାଡେମୀର ଭାରପ୍ରାପ୍ତ ସମ୍ପାଦକ ଶ୍ରୀ କୈଳାସ ଚନ୍ଦ୍ର ସାହୁ ସୂଚନା ପ୍ରଦାନ କରିଥିଲେ ।

 

ଦିବଙ୍ଗତ ସାରସ୍ୱତ ପ୍ରତିଭା ସ୍ମୃତିସଭା : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସଂସ୍କୃତି ବିଭାଗ, ଓଡ଼ିଶା ଏବଂ ଭୁବନେଶ୍ୱରସ୍ଥ ସାରସ୍ୱତ ଅନୁଷ୍ଠାନଗୁଡ଼ିକର ମିଳିତ ଆନୁକୂଲ୍ୟରେ ଦିବଙ୍ଗତ ସାରସ୍ଵତ ପ୍ରତିଭା ସ୍ୱର୍ଗତ ସଚ୍ଚି ରାଉତରାୟ, କିଶୋରୀ ଚରଣ ଦାସ, ଗୁରୁପ୍ରସାଦ ମହାନ୍ତି ଓ ରାମନାଥ ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଭା ଭୁବନେଶ୍ୱରସ୍ଥ ରବୀନ୍ଦ୍ରମଣ୍ଡପଠାରେ ତା ୭.୯.୨୦୦୪ ରିଖ ସଂଧ୍ୟା ୫ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତିରାଜ ଓ ସଂସ୍କୃତି ବିଭାଗ ମାନ୍ୟବରମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ମୁଖ୍ୟ ଅତିଥି, ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଲିଭିନେସ୍ କିଣ୍ଡୋ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଗୋପୀନାଥ ମହାନ୍ତି ସମ୍ମାନନୀୟ ଅତିଥି ଏବଂ ଡକ୍ଟର ସୌରୀନ୍ଦ୍ର ବାରିକ, ଡକ୍ଟର ଗଣେଶ୍ୱର ମିଶ୍ର, ଡକ୍ଟର ଶୁଭେନ୍ଦୁ ମୁଣ୍ଡ ଓ ଡକ୍ଟର ବିଭୂତି ପଟ୍ଟନାୟକ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ଦିବଙ୍ଗତ ସାରସ୍ୱତ ସାଧକଙ୍କ ସ୍ମୃତିଚାରଣ କରିଥିଲେ ।

 

ଏକାଡେମୀର ସଭାପତି ଶ୍ରୀ ଦୀପକ ମିଶ୍ର ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ-। ଭାରପ୍ରାପ୍ତ ସମ୍ପାଦକ ଶ୍ରୀ କୈଳାସ ଚନ୍ଦ୍ର ସାହୁ ପ୍ରାରମ୍ଭରେ ସୂଚନା ପ୍ରଦାନ କରିଥିଲେ ।

 

କବି ବୈକୁଣ୍ଠନାଥ ପଟ୍ଟନାୟକ ଜୟନ୍ତୀ : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ତା ୧୪.୯.୨୦୦୪ ରିଖ ସଂଧ୍ୟା ୬ ଘଣ୍ଟା ସମୟରେ ଭୁବନେଶ୍ୱରସ୍ଥ ହୋଟେଲ କେଶରୀ ସଭାକକ୍ଷରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସଭାରେ ପ୍ରଫେସର ଡକ୍ଟର ନିତ୍ୟାନନ୍ଦ ଶତପଥୀ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦୁର୍ଗାଚରଣ କୁଅଁର, ମୁଖ୍ୟବକ୍ତା ଓ ଡକ୍ଟର ବିଜୟ କୁମାର ମହାନ୍ତି ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି କବି ବୈକୁଣ୍ଠ ନାଥଙ୍କ କାବ୍ୟିକ ପ୍ରତିଭା ଓ ଶିକ୍ଷାବିତ୍‌ର ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ ।

 

ଏକାଡେମୀର ସଭାପତି ଶ୍ରୀଯୁକ୍ତ ଦୀପକ ମିଶ୍ର ଏହି ସଭାରେ ପୌରୋହିତ୍ୟ କରିଥିଲେ-। ଭାରପ୍ରାପ୍ତ ସମ୍ପାଦକ ଶ୍ରୀ କୈଳାସ ଚନ୍ଦ୍ର ସାହୁ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

 

ଅତିବଡ଼ୀ ଜଗନ୍ନାଥ ଦାସ ଜୟନ୍ତୀ : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଯୁଗଜ୍ୟୋତି ସାହିତ୍ୟ ସଂସଦ, ବ୍ରହ୍ମଗିରିଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ତା ୨୨.୯.୨୦୦୪ ରିଖ ପବିତ୍ର ରାଧାଷ୍ଟମୀ ଦିନ ସଂଧ୍ୟା ୬ ଘଣ୍ଟା ସମୟରେ ବ୍ରହ୍ମଗିରିସ୍ଥ ଅଲାରନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସଭାରେ ପ୍ରଫେସର ଧନେଶ୍ୱର ସାହୁ ମୁଖ୍ୟବକ୍ତା, ଶ୍ରୀଯୁକ୍ତ ପଞ୍ଚାନନ କାନୁନ୍‌ଗୋ ସମ୍ମାନନୀୟ ଅତିଥି ଭାବରେ ଯୋଗଦାନ କରି ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାରସ୍ୱତ ସାଧନା ତଥା ଶ୍ରୀମଦ୍ ଭାଗବତର ଭଗବତ୍ ଭକ୍ତିଭାବ ସମ୍ୱନ୍ଧରେ ଆଲୋଚନା କରିଥିଲେ ।

 

କୁମାର କବି ଅରକ୍ଷିତ ପ୍ରଧାନ ଉକ୍ତ ସଭାରେ ପୌରୋହିତ୍ୟ କରିଥିଲେ । ଏକାଡେମୀର ସମ୍ପାଦକ ଶ୍ରୀ ଚନ୍ଦ୍ର ଶେଖର ଦାସବର୍ମା ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

 

ରାଧାନାଥ ରାୟ ଜୟନ୍ତୀ : ଓଡ଼ିଶା ସାହିତ୍ୟ ଏକାଡେମୀ ଓ କବିବର ରାଧାନାଥ ସ୍ମୃତି ସଂସଦଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ଅବସରରେ ତା ୨୮.୯.୦୪ ରିଖ ସଂଧ୍ୟା ୬ ଘଣ୍ଟା ସମୟରେ କୋଦରପୁର ସୋରୋଠାରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ଵତ ସଭାରେ ଶ୍ରୀ ଶଶିଭୂଷଣ ବିଶ୍ଵାଳ ସମ୍ମାନନୀୟ ଅତିଥି, ଶ୍ରୀଯୁକ୍ତ ପବିତ୍ର ପାଣିଗ୍ରାହୀ ଓ ଶ୍ରୀଯୁକ୍ତ ଅଭୟ ଦ୍ୱିବେଦୀ ସମ୍ମାନନୀୟ ବକ୍ତା ଭାବେ ଯୋଗଦାନ କରି ରାଧାନାଥ ରାୟଙ୍କ କାବ୍ୟିକ ଶୈଳୀ ବିଷୟରେ ଆଲୋଚନା କରିଥିଲେ ।

 

ରାଧାନାଥ ସ୍ମୃତି ସଂସଦରେ ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ନାୟକ ଏହି ସଭାରେ ପୌରୋହିତ୍ୟ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସମ୍ପାଦକ ଶ୍ରୀ ଚନ୍ଦ୍ର ଶେଖର ଦାସବର୍ମା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

 

ଶ୍ରୀଜଗନ୍ନାଥାୟନ : ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ, ଓଡ଼ିଶା ସାହିତ୍ୟ ଏକାଡେମୀ, ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ, ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀ, ଭୁବନେଶ୍ଵରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥ ଜୟଦେବ ଭବନରେ ତା ତା ୩୦.୯.୦୪ ରିଖ ସଂଧ୍ୟା ୬.୩୦ ଘଣ୍ଟା ସମୟରେ ଶ୍ରୀଜଗନ୍ନାଥାୟନ ଶୀର୍ଷକ ଏକ ନୃତ୍ୟ, ଗୀତ, ବକ୍ତୃତା ଏବଂ ଚାରୁ ଓ କାରୁକଳା ସମ୍ପର୍କିତ ପ୍ରଦର୍ଶନୀର ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସାରସ୍ୱତ ସାଧକ ତଥା ଶିକ୍ଷାବିତ୍ ଶ୍ରୀ ଚିତ୍ତରଞ୍ଜନ ଦାସ ବକ୍ତା ଭାବରେ ଯୋଗଦାନ କରିଥିଲେ ।

 

ଆଲୋଚନାଚକ୍ର : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅନ୍ୱେଷା ସାହିତ୍ୟ ସଂସଦ, କେନ୍ଦୁଝରଙ୍କ ମିଳିତ ଆନୁକୂଲ୍ୟରେ ସାଇଁକୁଳସ୍ଥିତ ନେହେରୁ ହାଇସ୍କୁଲଠାରେ ତା ୨୧.୧୦.୨୦୦୪ ରିଖ ଅପରାହ୍ନ ୪ ଘଣ୍ଟା ସମୟରେ ‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ କେନ୍ଦୁଝରର ଅବଦାନ’ ଶୀର୍ଷକ ଏକ ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

 

ଏହି ଆଲୋଚନାଚକ୍ରରେ ଅଧ୍ୟାପକ ବିଶ୍ୱରଞ୍ଜନ- ମୁଖ୍ୟଅତିଥି ଓ ଡକ୍ଟର ବିଜୟ କୁମାର ଶତପଥୀ- ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ ।

 

ଅନ୍ୱେଷା ସାହିତ୍ୟ ସଂସଦର ସଭାପତି ଶ୍ରୀ ଶଙ୍କର୍ଷଣ ଜେନା ଏଥିରେ ପୌରୋହିତ୍ୟ କରିଥିଲେ ଏବଂ ଏକାଡେମୀର ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖର ଦାସବର୍ମା ସ୍ଵାଗତଭାଷଣ ପ୍ରଦାନ କରିଥିଲେ ।

 

ପଣ୍ଡିତ ଗୋଦାବରୀଶ ମିଶ୍ର ଜୟନ୍ତୀ : ଓଡ଼ିଶା ସାହିତ୍ୟ ଏକାଡେମୀ, ଶାଳିଆ ସାଂସ୍କୃତିକ ପରିଷଦ ଓ ଗୋଦାବରୀଶ ସ୍ମୃତି ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ପଣ୍ଡିତ ଗୋଦାବରୀଶ ମିଶ୍ର ଜୟନ୍ତୀ ପାଳନ ଅବସରରେ ତା ୨୬.୧୦.୦୪ ରିଖ ଅପରାହ୍ନ ୪ ଘଣ୍ଟା ସମୟରେ ବାଣପୁରସ୍ଥ କନକ ଭବନଠାରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସଭାରେ ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି ଶ୍ରୀଯୁକ୍ତ ରଙ୍ଗନାଥ ମିଶ୍ର ମୁଖ୍ୟ ଅତିଥି, ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପିନାକୀ ମିଶ୍ର ଓ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଭୂତିଭୂଷଣ ହରିଚନ୍ଦନ ସମ୍ମାନନୀୟ ଅତିଥି, ଡକ୍ଟର ବୈରାଗୀ ଚରଣ ଜେନା, ମୁଖ୍ୟବକ୍ତା ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ସମ୍ମାନନୀୟ ବକ୍ତା ଭାବେ ଯୋଗଦାନ କରି ଗୋଦାବରୀଶଙ୍କ ସାରସ୍ଵତ ପ୍ରତିଭା ଓ ଜୀବନ ସମ୍ୱନ୍ଧରେ ଆଲୋଚନା କରିଥିଲେ ।

 

ଗୋଦାବରୀଶ ସ୍ମୃତି କମିଟିର ସଭାପତି ଡକ୍ଟର ଦିବ୍ୟସିଂହ ମିଶ୍ର ଏହି ସଭାରେ ପୌରୋହିତ୍ୟ କରିଥିଲେ । ଏକଡେମୀର ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ଦାସବର୍ମା ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।

 

ଶ୍ରୀଜଗନ୍ନାଥାୟନ : ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ, ଓଡ଼ିଶା ସାହିତ୍ୟ ଏକାଡେମୀ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ, ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀ, ଭୁବନେଶ୍ଵରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥ ଜୟଦେବ ଭବନରେ ତା ତା ୩୧.୧୦.୦୪ ରିଖ ସଂଧ୍ୟା ୬.୩୦ ଘଣ୍ଟା ସମୟରେ ଶ୍ରୀଜଗନ୍ନାଥାୟନ ଶୀର୍ଷକ ଏକ ନୃତ୍ୟ, ଗୀତ, ବକ୍ତୃତା ଏବଂ ଚାରୁ ଓ କାରୁକଳା ସମ୍ପର୍କିତ ପ୍ରଦର୍ଶନୀର ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସାରସ୍ୱତ ସାଧକ ତଥା ଶିକ୍ଷାବିତ୍ ଶ୍ରୀ ଶୁକଦେବ ମହାନ୍ତି ବକ୍ତା ଭାବରେ ଯୋଗଦାନ କରିଥିଲେ ।

***